(ସହାୟତା ଯୋଗାଇଦେଲା ଓଡ଼ିଶା-ମୋ ପରିବାର)
ଅସହାୟ ମା’ର ପୁଅକୁ ନୂଆ ଜୀବନ ଦେଲା ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା, ହସ୍ପିଟାଲ ବିଷୟରେ ସମ୍ପୂର୍ଣ୍ଣ ଅଜ୍ଞ ଥିବା ପରିବାରର ପ୍ରିୟ ପରିଜନ ପରି ଆବଶ୍ୟକୀୟ ସହାୟତା ଯୋଗାଇ ଦେଲା ଓଡ଼ିଶା-ମୋ ପରିବାର ।
ସୂଚନାନୁସାରେ, ନୟାଗଡ଼ ଜିଲ୍ଲା ଆଙ୍ଗିଶିଙ୍ଗି ଅଞ୍ଚଳର ୨୧ବର୍ଷିୟ ଆଶିଷ ମହାନ୍ତି ଗତ ମାର୍ଚ୍ଚ ୧୦ତାରିଖରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇ ନୟାଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ । ତାଙ୍କ ମୁଣ୍ଡ ଏବଂ ସମ୍ପୂର୍ଣ୍ଣ ଶରୀରରେ ଗୁରୁତର ଆଘାତ ଲାଗିଥିଲା ଏବଂ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗୁଡୁଥିବାରୁ ଡାକ୍ତର ତାଙ୍କୁ ଭୁବନେଶ୍ଵରର ଯେକୌଣସି ଏକ ଭଲ ହସ୍ପିଟାଲକୁ ସ୍ଥାନାନ୍ତର କରିବା ପାଇଁ ପରାମର୍ଶ ଦେଇଥିଲେ । ପରିବାରବର୍ଗ ସଙ୍ଗେସଙ୍ଗେ ତାଙ୍କୁ ଭୁବନେଶ୍ୱରସ୍ଥିତ ଏକ ପ୍ରମୁଖ ହସ୍ପିଟାଲକୁ ସ୍ଥାନାନ୍ତର କରିଥିଲେ, କିନ୍ତୁ ତାଙ୍କ ଅବସ୍ଥା ଗୁରୁତର ଥିବାରୁ ଅନ୍ୟ କୌଣସି ହସ୍ପିଟାଲ ନେବାକୁ ଡାକ୍ତର ପରାମର୍ଶ ଦେଇଥିଲେ ।
ପରିବାରବର୍ଗ ଭୁବନେଶ୍ୱର ଭଳି ଏକ ବଡ଼ ସହରରେ ଅନ୍ୟ କୌଣସି ହସ୍ପିଟାଲ ବିଷୟରେ ଅବଗତ ନଥିବାରୁ ଅସହାୟ ହୋଇ ବିଜୁ ମହିଳା ଜନତା ଦଳର ରାଜ୍ୟ ସାଧାରଣ ସମ୍ପାଦିକା ଲିଙ୍କନ ସୁବୁଦ୍ଧିଙ୍କର ସହାୟତା ଲୋଡିଥିଲେ ।
ଲିଙ୍କନ, ଘଟଣା ସମ୍ପର୍କରେ ଓଡ଼ିଶା-ମୋ ପରିବାରକୁ ସୂଚନା ଦେବା ପରେ ହେଲ୍ପଡେସ୍କ ସଂଯୋଜକ ରଶ୍ମୀରଞ୍ଜନ ପ୍ରଧାନ ତୁରନ୍ତ ତାଙ୍କୁ ବିବେକାନନ୍ଦ ହସ୍ପିଟାଲରେ ଭର୍ତ୍ତି କରି ଆବଶ୍ୟକୀୟ କାଗଜ ପତ୍ର ପୂରଣ କରିଥିଲେ । ଯେହେତୁ, ରୋଗୀ ଅତ୍ୟନ୍ତ ଗରିବ ଶ୍ରେଣୀର, ସେଥିପାଇଁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ତାଙ୍କର ଚିକିତ୍ସା କରାଇବା ପାଇଁ ଆବଶ୍ୟକୀୟ ବ୍ୟବସ୍ଥା ମଧ୍ୟ କରିଥିଲେ । ରୋଗୀ ସୁସ୍ଥ ନହେବା ପର୍ଯ୍ୟନ୍ତ ରଶ୍ମୀ ତାଙ୍କୁ ଏବଂ ତାଙ୍କ ମା’ଙ୍କୁ (ଯିଏକି ଜଣେ ଆଶା ଦିଦି) ହସ୍ପିଟାଲରେ ଆବଶ୍ୟକୀୟ ସାହାଯ୍ୟ କରିଥିଲେ । ଆଶିଷଙ୍କର ସ୍ୱାସ୍ଥ୍ୟାବସ୍ଥାରେ ପରିବର୍ତ୍ତନ ଆସିବାରୁ ଡାକ୍ତର ତାଙ୍କୁ ଆଜି ଡିଶ୍ଚାର୍ଜ କରିଛନ୍ତି ।
ତାଙ୍କ ମା’ଙ୍କ କହିବାନୁସାରେ, “ ମୁଁ ଭୁବନେଶ୍ୱରର ଡାକ୍ତରଖାନା ବିଷୟରେ କିଛି ଜାଣି ନଥିଲି, କ’ଣ କରିବି ବୋଲି ଭାବି ମୁଣ୍ଡ ପିଟୁଥିଲି । କିନ୍ତୁ ମୋତେ ଠିକ୍ ସମୟରେ ଓଡ଼ିଶା-ମୋ ପରିବାର ସାହାଯ୍ୟ କରିଥିବାରୁ ମୁଁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଅଶେଷ ଧନ୍ୟବାଦ ଜଣାଉଛି” ।








