ଉଚ୍ଚ ଶିକ୍ଷା ବିଭାଗ ଅନୁମୋଦନ କ୍ରମେ ଏରକଣା ମହାବିଦ୍ୟାଳୟରେ ଖୋଲିଲା ନୂତନ ଶ୍ରେଣୀ
ମାହାଙ୍ଗା (ଦେବେନ୍ଦ୍ର ଷଢଙ୍ଗୀ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ,ନିର୍ମଳ, ପ୍ରଗତିଶୀଳ ଶାସନରେ ଅନୁପ୍ରାଣିତ ପୂର୍ବତନ ମନ୍ତ୍ରୀ ତଥା ମାହାଙ୍ଗା ବିଧାୟକ ପ୍ରତାପ ଜେନାଙ୍କ ଉଦ୍ୟମ କ୍ରମେ ମାହାଙ୍ଗା ନିର୍ବାଚନ ମଣ୍ଡଳୀ ଅଂଚଳରେ ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ, ପାନୀୟଜଳ ଆଦି ବିଭିନ୍ନ କ୍ଷେତ୍ରରେ ବିକାଶ ସମ୍ଭବ ହୋଇପାରିଛି । ସେହିପରି ଭାବେ ବିଧାୟକ ଶ୍ରୀ ଜେନାଙ୍କ ପ୍ରଚେଷ୍ଟା କ୍ରମେ ଉଚ୍ଚ ଶିକ୍ଷା ବିଭାଗ ଓଡ଼ିଶା ସରକାରଙ୍କ ଅନୁମୋଦନ କ୍ରମେ ମାହାଙ୍ଗା ବ୍ଲକ ଏରକଣା ମହାବିଦ୍ୟାଳୟ ରେ ଶୈକ୍ଷିକ ବିକାଶ କ୍ଷେତ୍ରରେ ଆଉ ଏକ ନୂତନ ଅଧ୍ୟାୟ ଯୋଡ଼ିହୋଇଛି । ଫଳରେ ଉଚ୍ଚ ଶିକ୍ଷା ବିଭାଗ ଅନୁମୋଦନ କ୍ରମେ ଏରକଣା ମହାବିଦ୍ୟାଳୟ ରେ ଏମ.ଏ ଇନ ରାଜନୀତି(ପଲଟିକାଲ) ଏବଂ ଏମ.ଏସସି ରସାୟନ ବିଜ୍ଞାନ (କେମେଷ୍ଟି୍ର) ରେ ୩୨ସିଟ୍ ବିଶିଷ୍ଟ ନୂତନ ଶ୍ରେଣୀ ଖୋଲିବାକୁ ଯାଉଛି , ସେହିପରି ଭାବେ ଉଚ୍ଚ ଶିକ୍ଷା ବିଭାଗ ଅନୁମୋଦନ କ୍ରମେ ପ୍ରଯୁକ୍ତି ବିଜ୍ଞାନ (କମ୍ପୁ୍ୟଟର ସାଇନସ୍) ରେ ୩୨ ସିଟ୍ ସଂଖ୍ୟା ବିଶିଷ୍ଟ ନୂତନ ଶ୍ରେଣୀ ଖୋଲିବା ପାଇଁ ଅନୁମୋଦନ ମିଳିଛି ।
ଏହି ଅବସରରେ ମାହାଙ୍ଗା ନିର୍ବାଚନ ମଣ୍ଡଳୀର ବୁଦ୍ଧିଜୀବୀ ଏବଂ ଜନସାଧାରଣଙ୍କ ମହଲରେ ଆନନ୍ଦ ର ଲହରୀ ଖେଳିଯାଇଛି । ଏପରିକି ଶିକ୍ଷା ହେଉକି ସ୍ୱାସ୍ଥ୍ୟ ସବୁ କ୍ଷେତ୍ରରେ ବିକାଶ ପାଇଁ ବିଧାୟକ ପ୍ରତାପ ଜେନାଙ୍କ ପ୍ରଚେଷ୍ଟା ଅଦମ୍ୟ ଉଦ୍ୟମ ରହିଥିବାରୁ ମାହାଙ୍ଗା ନିର୍ବାଚନ ମଣ୍ଡଳୀ ଜନସାଧାରଣ ବିଧାୟକ ଶ୍ରୀ ଜେନାଙ୍କୁ କୃତଜ୍ଞତା ଓ ଶୁଭେଚ୍ଛା ଜଣାଇଛନ୍ତି । ଅପରପକ୍ଷରେ ଏହି ଖୁସି ଖବର ପାଇଲା ପରେ ଏରକଣା ମହାବିଦ୍ୟାଳୟର ଅଧ୍ୟକ୍ଷ, ଅଧ୍ୟାପକ, ଅଧ୍ୟାପିକା,ଛାତ୍ର ଛାତ୍ରୀ, ଅଭିଭାବକ ଏବଂ ସ୍ଥାନୀୟ ବୁଦ୍ଧିଜୀବୀ ଉଚ୍ଚ ଶିକ୍ଷା ବିଭାଗ ଓଡ଼ିଶା ସରକାର ସର୍ବୋପରି ବିଧାୟକ ଶ୍ରୀ ଜେନାଙ୍କୁ କୃତଜ୍ଞତା ଜଣାଇଛନ୍ତି ।












