ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାରେ ଜୀବିକା ମିଶନ ଲୋକାଭିମୁଖୀ ହେବାରେ ଲାଗିଛି । ଜିଲ୍ଲାରେ ଅନେକ ମତ୍ସ୍ୟଜୀବୀ ଏହି ମିଶନ ଦ୍ୱାରା ଲାଭାନ୍ବିତ ହେଉଛନ୍ତି। ଚଳିତ ଖରିଫ ଋତୁରେ ଗୁମ୍ମା ବ୍ଳକର ପ୍ରାୟ ୧୯ଜଣ ମାଛଚାଷୀଙ୍କୁ ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥା , ପାରଳାଖେମୁଣ୍ଡି ୩୫୦୦୦ ଟଙ୍କା ଲେଖାଏଁ ସହାୟତା ପ୍ରଦାନ କରିଛି। ଏଥିରେ ମୃତ୍ତିକା ସଂରକ୍ଷଣ ବିଭାଗ ମଧ୍ୟ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା।
ଜୀବିକା ମିଶନ ସହାୟତାରେ ଗୁମ୍ମା ବ୍ଲକ ଅଧୀନରେ ଥିବା ତରଭା ଗ୍ରାମ ପଞ୍ଚାୟତର ପାତିମୂଳ ଗ୍ରାମର ଚାଷୀ ପ୍ରକାଶ ରାଇତା ମାଛ ଚାଷରେ ବିଶେଷ ଉପକୃତ ହୋଇଛନ୍ତି । ସେ ପ୍ରାୟ ୧୫୦ କେଜି ମାଛ ଧରିଛନ୍ତି , ଯାହାର ମୂଲ୍ୟ କେଜି ପିଛା ୧୪୦ ଟଙ୍କା ହିସାବରେ ପ୍ରାୟ ୨୧୦୦୦ ଟଙ୍କା ହେବ । ସେ ଯେତେ ଟଙ୍କା ନିବେଶ କରିଥିଲେ ତା ତୁଳନାରେ ପ୍ରାୟ ୩ ଗୁଣ ଅଧିକ ଲାଭବାନ ହୋଇଥିବା ନିଜେ ପ୍ରକାଶ ରାଇତା କହିଛନ୍ତି । ଏହା ତାଙ୍କ ପାଇଁ ଲାଭଜନକ ବ୍ୟବସାୟ ସାବ୍ୟସ୍ତ ହୋଇଛି । ଏଥିପାଇଁ ସେ ମିଶନ ଜୀବିକାକୁ ଧନ୍ୟବାଦ ମଧ୍ୟ ଦେଇଛନ୍ତି ।
ଏହି ଘଟଣା ହେଉଛି ଗଜପତି ଜିଲ୍ଲାରେ ଜୀବିକା ମିଶନ ସଫଳତାର ଏକ ସୁନ୍ଦର ଉଦାହରଣ। ପ୍ରକାଶ ରାଇତାଙ୍କ ଭଳି ଆହୁରି ଅନେକ ମାଛ ବ୍ୟବସାୟୀ ଏହି ମିଶନର ଲାଭ ଉଠାଇଛନ୍ତି ଓ ସ୍ୱାବଲମ୍ବୀ ମଧ୍ୟ ହୋଇ ପାରିଛନ୍ତି । ଜିଲ୍ଲା ପ୍ରଶାସନ ତରଫରୁ ଅଧିକରୁ ଅଧିକ ଚାଷୀଙ୍କୁ ଏଥିରେ ସାମିଲ କରିବାର ଲକ୍ଷ୍ୟ ରଖାଯାଇଛି।