ହେଡଲାଇନସ୍:

ଓଡ଼ଗାଁରେ ସ୍ୱାସ୍ଥ୍ୟ ସଚେତନତା ଶିବିର ପ୍ରସ୍ତୁତି ବୈଠକ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଦଳମତ ନିର୍ବିଶେଷରେ ସେବା କାର୍ଯ୍ୟରେ ଭାଗନେବାକୁ ମନ୍ତ୍ରୀ  ଡ. ଅରୁଣ ସାହୁଙ୍କ ନିବେଦନ

ଓଡ଼ଗାଁ(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ସ୍ଥାନୀୟ ରଘୁନାଥ ସମବାୟ ମହା ବିଦ୍ୟାଳୟ ଠାରେ ଆୟୋଜିତ ହେବାକୁ ଥିବା ସ୍ୱାସ୍ଥ୍ୟ ସଚେତନ ଶିବିରର ପ୍ରସ୍ତୁତି ବୈଠକ ଆଜି ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ଡ. ଅରୁଣ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଓଡ଼ଗାଁ ବ୍ଳକ ସଭାଗୃହରେ ଅନୁଷ୍ଠିତ ହୋଇଥିଲା । ମୁଖ୍ୟତଃ ଓଡ଼ଗାଁ ବ୍ଳକ ଏବଂ ଏନଏସି ପ୍ରଶାସନର ସହାୟତାରେ ଆଗାମୀ ତା. ୧୨.୧୨.୨୦୨୧ ରିଖ ରବିବାର ଦିନ ଏହି ସ୍ୱାସ୍ଥ୍ୟ ସଚେତନ ଶିବିର ଆୟୋଜିତ ହେବାକୁ ଥିବା ସ୍ଥିର କରାଯାଇଥିଲା ।

ଆଜିର ପ୍ରସ୍ତୁତି ବୈଠକରେ ସ୍ଥାନୀୟ ତହସିଲଦାର ବିଜୟିତା ସାମନ୍ତ ସିଂହାର, ବିଡିଓ ସ୍ୱାତିଲେଖା ଦାସ, ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ସ୍ୱାତୀ ମିଶ୍ର, ଓଡ଼ଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ ବଳରାମ ପ୍ରଧାନ, ଆଇଆଇସି ପୂର୍ଣ୍ଣଚନ୍ଦ୍ର ପଟ୍ଟାୟତ, ଓଡ଼ଗାଁ କଲେକ ଅଧ୍ୟକ୍ଷ ଉମ୍ମର ମାଲ୍ଲିକ, ଜିଲ୍ଲାପରିଷଦ ସଭ୍ୟ ଲୋକନାଥ ସାହୁ, ବିଭୁ ପ୍ରସାଦ ସାହୁ ପ୍ରମୁଖଙ୍କ ସହିତ ସ୍ଥାନୀୟ ଅଂଚଳର ୨ଶହରୁ ଅଧିକ ଯୁବ ସ୍ୱେଚ୍ଛାସେବୀ ଓ ବୁଦ୍ଧିଜୀବୀ ଗ୍ରହଣ କରିଥିଲେ ।

ଏହି ସ୍ୱାସ୍ଥ୍ୟ ଶିବିରରେ ବିଭିନ୍ନ ବିଭାଗର ୨୦ ରୁ ୨୨ ଜଣ ବିଶେଷଜ୍ଞ ଡାକ୍ତର ଯୋଗଦେଇ ବିଭିନ୍ନ ରୋଗ ନିରୁପଣ କରିବା ସହିତ ନିଦାନ ସମ୍ପର୍କରେ ସଚେତନ କରିବାର କାର୍ଯ୍ୟକ୍ରମ ରହିଛି | ଏହି ଶିବିରରେ ଭେଷଜ, ସ୍ତ୍ରୀ ଓ ପ୍ରସୂତୀ , ପାକସ୍ଥଳୀ ଓ ଅନ୍ତନଳୀ, ଅସ୍ଥି, ମାନସିକ, କର୍କଟ, ଚର୍ମ,ଶିଶୁ, ହୃଦରୋଗ, ସ୍ନାୟୁ, ଅନ୍ତଃଶ୍ରାବ ଓ ମଧୁମେହ, ନାଶା-କର୍ଣ୍ଣ-ଗଳା ବିଭାଗ ବିଶେଷଜ୍ଞ ଡାକ୍ତର ଯୋଗଦେବା ପାଇଁ ସ୍ଥିର ହୋଇଛି । ଡାକ୍ତରଙ୍କ ପରାମର୍ଶରେ ପରୀକ୍ଷା ନିରୀକ୍ଷା କରି ରୋଗୀକୁ ମାଗଣା ଔଷଧ ବଂଟନର ବ୍ୟବସ୍ଥା କରାଯିବ । ଏଣୁ ସ୍ଥାନୀୟ ଅଂଚଳର ବିଭିନ୍ନ ରୋଗରେ ପିଡ଼ିତ ରୋଗୀ ତଥା କୌଣସି ସ୍ୱାସ୍ଥ୍ୟ ସମସ୍ୟା ଅନୁଭବ କରୁଥିବା ବ୍ୟକ୍ତି ବିଶେଷ ଚିକିତ୍ସା ସୁବିଧା ଗ୍ରହଣ କରିବା ସହିତ ଅନ୍ୟମାନେ ନିଜ ନିଜର ସ୍ୱାସ୍ଥ୍ୟ ପରୀକ୍ଷା କରେଇ ସୁସ୍ଥ ଜୀବନ ଯାପନ କରିବାକୁ ମନ୍ତ୍ରୀ ଡ. ସାହୁ ଜନସାଧାରଣଙ୍କୁ ନିବେଦନ କରିଛନ୍ତି ।

 

0
0
0
s2sdefault