ହେଡଲାଇନସ୍:

ତ୍ରି-ସ୍ତରୀୟ ପଞ୍ଚାୟତ ନିର୍ବାଚନର ସଂରକ୍ଷଣ ତାଲିକାରେ ଅନିୟମିତତା ହୋଇଥିବା ପାରଳା ବିଧାୟକଙ୍କ ଅଭିଯୋଗ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଆଗାମୀ ନିକଟ ଭବିଷ୍ୟତରେ ଯେଉଁ ତ୍ରି-ସ୍ତରୀୟ ପଞ୍ଚାୟତ ନିର୍ବାଚନ ଅନୁଷ୍ଠିତ ହେବ , ସେଥିପାଇଁ ଓଡିଶା ସରକାରଙ୍କ ପକ୍ଷରୁ ସଂରକ୍ଷଣ ତାଲିକା ଘୋଷଣା ହୋଇ ବିଜ୍ଞପ୍ତି ପ୍ରକାଶ ପାଇଛି । ତେବେ ଏହି ସଂରକ୍ଷଣ ତାଲିକାରେ ଘୋର ଅନିୟମିତତା ହେବା ସହ ଶାସକ ଦଳକୁ ସୁହାଇଲା ଭଳି ହୋଇଛି ବୋଲି ପାରଳାଖେମୁଣ୍ଡି ବିଧାୟକ ତଥା ଗଜପତି ଜିଲ୍ଲା ଭାଜପା ସଭାପତି ଶ୍ରୀ କେ. ନାରାୟଣ ରାଓ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରି କହିଛନ୍ତି । ଏହି ସଂରକ୍ଷଣ ତାଲିକାକୁ ଗୁରୁତ୍ୱ ଦେଇ ଏହାର ପୁନର୍ବିଚାର ଓ ସଂଶୋଧନ କରାଯିବାକୁ ବିଧାୟକ ଶ୍ରୀ ରାଓ , ରାଜ୍ୟ ନିର୍ବାଚନ ଆୟୋଗଙ୍କ ଠାରେ ଦାବି କରିଛନ୍ତି , ଏହା ଯଦି କରା ନ ଯାଏ ତେବେ ଏହାର ବିରୁଦ୍ଧରେ ମାନ୍ୟବର ହାଇକୋର୍ଟଙ୍କ ଦ୍ୱାରସ୍ଥ ହେବେ ବୋଲି ଚେତାବନୀ ଦେଇଛନ୍ତି ବିଧାୟକ ଶ୍ରୀ ରାଓ ।
ବିଧାୟକ ଶ୍ରୀ ରାଓ କହିଛନ୍ତି ଯେ , ଗଜପତି ଜିଲ୍ଲାରେ ୧୪ ଗୋଟି ଜିଲ୍ଲା ପରିଷଦ ଜୋନ୍ ରହିଛି । ତେବେ ଆସନ୍ତା ତ୍ରି-ସ୍ତରୀୟ ପଞ୍ଚାୟତ ନିର୍ବାଚନ ପରିପ୍ରେକ୍ଷୀରେ ସ୍ଥାନ-ସଂରକ୍ଷଣକୁ ନେଇ ଓଡିଶା ସରକାରଙ୍କ ଗାଇଡ଼-ଲାଇନ ପ୍ରକାରେ ୫୦ ଭାଗ ସାଧାରଣ ବର୍ଗଙ୍କ ପାଇଁ , ୧୦ ଭାଗ ପଛୁଆ ବର୍ଗଙ୍କ ପାଇଁ ଏବଂ ବାକି ଥିବା ୪୦ ଭାଗ ଏସଟି: ଓ ଏସସି:ଙ୍କ ପାଇଁ ସଂରକ୍ଷଣର ଉଦ୍ଧିଷ୍ଟ ରହିଛି । କିନ୍ତୁ ଜିଲ୍ଲାରେ ସାଧାରଣ ବର୍ଗଙ୍କ ନିମନ୍ତେ ୫୦ ଭାଗ ସଂରକ୍ଷଣ ରହିଥିବା ପ୍ରକାରେ ଦିଆହୋଇନି । ଏଠାରେ ଜିଲ୍ଲା ପରିଷଦ ଜୋନ୍ ୧୪ ଟି ଥିବା ବେଳେ ଦିଆହୋଇଛି ୫ଟି ।
ଅନ୍ୟପକ୍ଷରେ ଜିଲ୍ଲାରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦବୀ ପାଇଁ ପଛୁଆବର୍ଗ ରହିଥିବା ବେଳେ କୌଣସି ଜିଲ୍ଲା ପରିଷଦ ଜୋନ୍ ପାଇଁ ପଛୁଆବର୍ଗ ପାଇଁ ସଂରକ୍ଷଣ ନାହିଁ । ଏଥିରୁ ଜଣା ପଡୁଛି ଯେ , ସରକାର ଅନ୍ଧକାର ମଧ୍ୟରେ ରହି ଏ ସଂରକ୍ଷଣ ତାଲିକା ବୋଧହୁଏ ପ୍ରକାଶ କରିଛନ୍ତି। ଏଭଳି ସଂରକ୍ଷଣ ତାଲିକା ପ୍ରକାଶ ଦ୍ୱାରା ଜିଲ୍ଲାବାସୀ ଘୋର ଅସୁବିଧାର ସମ୍ମୁଖୀନ ହେବା ସହ କ୍ଷତି ସହିବେ । ସରକାରଙ୍କ ଏଭଳି ନିଷ୍ପତ୍ତି , ଘୋଷଣା ଓ ବିଜ୍ଞପ୍ତି ପ୍ରକାଶ ଅତ୍ୟନ୍ତ ହାସ୍ୟାସ୍ପଦ । ସରକାର ଏହା ଠିକ୍ ଭାବେ ନ କରି ବିଜ୍ଞପ୍ତି ପ୍ରକାଶ କରିଥିବା ଯୋଗୁଁ ଏହାକୁ ମୁଁ ତୀବ୍ର ନିନ୍ଦା କରିଛି ବୋଲି ବିଧାୟକ ଶ୍ରୀ ରାଓ ଅଭିଯୋଗରେ କହିଛନ୍ତି ।
ଏବେ ମଧ୍ୟ ସରକାରଙ୍କ ଠାରେ ଯଥେଷ୍ଟ ସମୟ ରହିଛି ଯେ , ଏହି ତ୍ରୁଟିପୂର୍ଣ୍ଣ ସଂରକ୍ଷଣ ତାଲିକାର ସଂଶୋଧାନ କରିବା ପାଇଁ । ସରକାରଙ୍କୁ ରାଜ୍ୟ ନିର୍ବାଚନ ଆଯୋଗ ଏବଂ ଗଜପତି ଜିଲ୍ଲାପାଳଙ୍କୁ ମଧ୍ୟ ମୁଁ ଏ ସମ୍ପର୍କରେ ଚିଠି ଲେଖି ଅନୁରୋଧ ଜଣାଇଛି ଯେ , ଆଗାମୀ ତ୍ରି-ସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିବା ସ୍ଥାନ ସଂରକ୍ଷଣ ପ୍ରକ୍ରିୟାକୁ ଗାଇଡ଼ ଲାଇନ ପ୍ରକାରେ ଠିକ୍ କରବା ପାଇଁ ।
ଏହି ସ୍ଥାନ ସଂରକ୍ଷଣ ତାଲିକା ଯଦି ସରକାରଙ୍କ ଉଦ୍ଧିଷ୍ଟ ଗାଇଡ଼ଲାଇନ ପ୍ରକାରେ କରା ନ ଯାଏ , ତେବେ ଏହା ବିରୁଦ୍ଧରେ ମୁଁ ମାନ୍ୟବର ହାଇକୋର୍ଟର ଆଶ୍ରୟ ନେବି ବୋଲି ବିଧାୟକ ଶ୍ରୀ ରାଓ , ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି।

0
0
0
s2sdefault