ଏତଲା ପଞ୍ଜୀକରଣ ପରେ ଫଳ ଶୂନ, ଏତଲାକାରୀଙ୍କ ଉଣା ହେଉଛି ମନ
ପଦ୍ମପୁର(ଶାସକ ପ୍ରଶାସକ)- ବଡ଼ବଡ଼ ଅକ୍ଷର ସାଇନ ବୋର୍ଡ ଲେଖାହୋଇଛି, ଆଦର୍ଶ ଥାନା ପଦ୍ମପୁର ଜିଲ୍ଲା -ବରଗଡ଼ | ଭାରି ସୁନ୍ଦର ଦେଖିବାକୁ ବି ଲାଗୁଛି | ଆହୁରି ବଡ଼ବଡ଼ ଅକ୍ଷରରେ ଲେଖା ହୋଇଛି ଆପଣଙ୍କ ସେବାରେ ପଦ୍ମପୁର ଥାନା | ଦେଖିଲେ ଆଖି ପୂରିଯାଉଛି | ହେଲେ କାହିଁକି କେଜାଣି ପଦ୍ମପୁର ପୋଲିସକୁ କିଛି ଅପରାଧୀ ଟିକେ ଖାତିର କରୁନଥିଲା ଭଳି ଲାଗୁଛି | ଖୋଦ କଚେରୀ ଭଳି ଜାଗାରୁ କିଛି ଚୋର ଅନାୟାସରେ ଚୋରି କରିନେଉଛନ୍ତି | କଚେରୀ ଭଳି ଜାଗା ଯେତେବେଳେ ଅସୁରକ୍ଷିତ ହୋଇପଡିଛି ସେତେବେଳେ ଅନ୍ୟ ଜାଗା କେତେ ସୁରକ୍ଷିତ ବୋଲି ଲୋକଙ୍କ ମଧ୍ୟରେ ପ୍ରଶ୍ନ ହେବ ସ୍ୱାଭାବିକ | ସବୁଠୁ ବଡ଼କଥା ହେଲା ଚୋରି ତ ହେଉଛି, ହେଲେ ଚୋରା ଧରା ପଡୁନଥିବାରୁ ଲୋକଙ୍କ ଭିତରେ ଟିକେ ନିରାଶା ପ୍ରକାଶ ପାଇଛି |
ନିଃସନ୍ଦେହ, ସହର ତଥା ଗ୍ରାମାଞ୍ଚଳରେ ଶାନ୍ତି ଶୄଙ୍ଖଳା ବଜାୟ ରଖିବା ପାଇଁ ପୋଲିସ ପ୍ରଶାସନ କାର୍ଯ୍ୟ କରୁଛନ୍ତି । ଜନସାଧାରଣ ମଧ୍ୟ ଶାନ୍ତି ଶୄଙ୍ଖଳା ତଥା ସୁରକ୍ଷା ପାଇଁ ପୋଲିସ ଉପରେ ବିଶ୍ୱାସ କରିଥାନ୍ତି । ପୋଲିସ ଉପରେ ଲୋକଙ୍କ ପ୍ରଚଣ୍ଡ ଆସ୍ଥା | ପଦ୍ମପୁର ସହରର ସବୁଠାରୁ ସୁରକ୍ଷିତ ସ୍ଥାନ ହେଉଛି କଚେରୀ ପରିସର । ଏହି ସ୍ଥାନରେ ଆଇନ ଶୃଙ୍ଖଳାର ବରିଷ୍ଠ ଅଧିକାରୀ ମାନଙ୍କ କାର୍ଯ୍ୟାଳୟ ରହିଛି । ହେଲେ ଏହି କଚେରୀ ପରିସର ମଧ୍ୟରେ ଆଇନ ଶୃଙ୍ଖଳା ଭଙ୍ଗ ହେଲାଭଲି ଘଟଣା ସାମନାକୁ ଆସିଥିଲେ ମଧ୍ୟ କାର୍ଯ୍ୟଅନୁଷ୍ଠାନ ଗତ ନଭେମ୍ବର ମାସ ଠାରୁ ଆଜି ପର୍ଯ୍ୟନ୍ତ ତିନିଗୋଟି ମୋଟର ସାଇକେଲ ଚୋରି ହୋଇଥିବା ପଦ୍ମପୁର ଥାନାରେ ଅଭିଯୋଗ ହୋଇଛି । କଚେରୀ ପରିସରରୁ ଗତ ନଭେମ୍ବର ମାସ ୨୩ ତାରିଖ ଦିନ ଆଡ଼ଭୋକେଟ ଲକ୍ଷ୍ମଣ ସାହୁଙ୍କ ମୋଟର ସାଇକେଲ (OD-17-A-4811) ଚୋରି ହୋଇଥିବା ଲକ୍ଷ୍ମଣ ସାହୁ ଲିଖିତ ଅଭିଯୋଗ କରିଥିଲେ । ପୁଣି ତିନିମାସ ଛାଡିକି ଆଉ ଗୋଟେ ବାଇକ ଚୋରି | ଫେବୃଆରୀ ମାସ ୧୩ ତାରିଖ ଦିନ କଚେରୀ ପରିସରରୁ ବୁଧାପାଲି ଗ୍ରାମର ବାଳ ଗୋପାଲ ସାହୁଙ୍କ ମୋଟର ସାଇକେଲ (OD-17-J-4476) ଚୋରି ହୋଇଥିଲା | ସେଇଟା ବି ଏତଲା ହେଲା | ବାଳ ଗୋପାଳ ସାହୁ ଲିଖିତ ଭାବେ ଅଭିଯୋଗ କରିଥିଲେ । ସେହିପରି ଆଉ ୫ ମାସ ବ୍ୟବଧାନରେ କାଲି ଆଉ ଗୋଟେ ବାଇକ ଗାଏବ କୋର୍ଟ ପରିସରରୁ | ଜୁଲାଇ ୧୯ ତାରିଖ ଦିନ ଦହିଗାଁ ଗ୍ରାମର ରିଙ୍କୁ ପ୍ରଧାନଙ୍କ ମୋଟର ସାଇକେଲ (OD-17-P-0818) ଚୋରି ହୋଇଥିବା ନେଇ ଲିଖିତ ଅଭିଯୋଗ କରିଛନ୍ତି । ସମସ୍ତଙ୍କ ଅଭିଯୋଗକୁ ଗ୍ରହଣ କରି ତିନୋଟି ମାମଲା ରୁଜୁ କରାଯାଇଛି । ବିଗତ ଆଠ ମାସ ମଧ୍ୟରେ କଚେରୀ ପରିସରରୁ ଦିନଦ୍ବିପହରରେ ତିନିଗୋଟି ମୋଟର ସାଇକେଲ ଚୋରି ହେବା ପୋଲିସ ପାଇଁ ଏକ ଚ୍ୟାଲେଞ୍ଜ । ଦୀର୍ଘ ଆଠମାସ ହୋଇଯାଇଥିଲେ ମଧ୍ୟ ପଦ୍ମପୁର ପୋଲିସ ଆଜିଯାଏଁ ପ୍ରଥମ ବାଇକକୁ ଉଦ୍ଧାର କରି ପାରିନାହିଁ | ଧରିବାକୁ ସମୟ ଲାଗିପାରେ, ହେଲେ ଏତେ ସମୟ ନଲାଗୁ, ଯେମିତିକି ଅପରାଧୀଙ୍କ ମନୋବଳ ବଢିବା ଓ ଗୋଟିଏ ପରେ ଗୋଟିଏ ଚୋରି ସେମାନେ ଭିଆଇ ଚାଲିଥିବେ ଓ ପଦ୍ମପୁର ପୋଲିସ ଉପରେ ଲୋକଙ୍କ ଆସ୍ଥା ସନ୍ଦିହାନ ହୋଇପଡିବ । "ଆଦର୍ଶ ଥାନା" ଓ "ଆପଣଙ୍କ ସେବାରେ" କେବଳ ସାଇନ ବୋର୍ଡ ଭିତରେ ଯେମିତି ସୀମିତ ରହିନଯିବ ଓ ଲୋକଙ୍କ ଆସ୍ଥା ପୋଲିସ ପ୍ରତି ମଜଭୁତ ହେବ ସେଥିପାଇଁ ପାଇଁ ପୋଲିସ ପ୍ରଶାସନ ଦୃଷ୍ଟି ଦେବେ ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଉଛି | ପୋଲିସ ଟିକେ କ୍ରିୟାଶୀଳ ହୋଇ ନିଜ ଦମ ଦେଖାଇଲେ ଅପରାଧୀଙ୍କ ଛାତିରେ ଟିକେ ଛନକା ପଶନ୍ତା ଓ ଲୋକଙ୍କ ଭରସା ଜିତି ପାରନ୍ତା |