ହେଡଲାଇନସ୍:

ବାରିପଦା ପିଆରଏମ ମେଡ଼ିକାଲ କଲେଜ ଓ ହସପିଟାଲରେ ରୋଗୀସେବାରେ ଅବହେଳା ପ୍ରସଙ୍ଗ :  ଅଭିଯୋଗର ୩୪ ଦିନ ପରେ ବି କାର୍ଯ୍ୟାନୁଷ୍ଠାନ  ଶୂନ, ଅଭିଯୋଗକାରୀ ନିରାଶ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 

ବାରିପଦାରୁ ଦିଲ୍ଲୀପ ମହାନ୍ତିଙ୍କ ରିପୋର୍ଟ - ମୟୂରଭଞ୍ଜ ଏକ ଆଦିବାସୀ ବହୁଳ ପଛୁଆ ଜିଲା ଭାବେ ଓଡ଼ିଶା ରାଜ୍ୟରେ ନିଜର ପରିଚୟ ରହିଛି । ଏହି ଜିଲାରେ ବସବାସ କରୁଥିବା ଜନସାଧାରଣଙ୍କୁ ଅତ୍ୟାଧୁନିକ ଚିକିତ୍ସା ଯୋଗାଇ ଦେବା ନିମନ୍ତେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାରିପଦାଠାରେ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ନାମରେ ଏକ ସରକାରୀ ମେଡ଼ିକାଲ କଲେଜ ଓ ହସପିଟାଲ ପ୍ରତିଷ୍ଠା କରିଥିବାର ବିଜେଡ଼ି ପକ୍ଷରୁ ଜିଲାରେ ନାଗରା ବାଜୁଛି । ମାତ୍ର ଦୁଃଖର ବିଷୟ ଉକ୍ତ ମେଡ଼ିକାଲ କଲେଜ ଓ ହସପିଟାଲରେ ବିଭିନ୍ନ ସମୟରେ ରୋଗୀଙ୍କୁ ଅତ୍ୟାଧୁନିକ ସ୍ୱାସ୍ଥ୍ୟସେବା ମିଳିବା ବଦଳରେ ଜୁଲୁମର ଶିକାର ପାଲଟୁଛନ୍ତି । ମେଡ଼ିକାଲ କଲେଜ ଓ ହସପିଟାଲର ସୁପାରିନଟେଣ୍ଡେଣ୍ଟଠାରୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ନିକଟରେ ଅଭିଯୋଗ କରାଯାଇଥିଲେ ମଧ୍ୟ ଅଭିଯୋଗ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ  ଗ୍ରହଣ କରାଯାଉନଥିବାରୁ ତାହା ଅଭିଯୋଗକାରୀକୁ ନିରାଶ କରାଇଛି । 

           ମୟୂରଭଞ୍ଜ ଜିଲା ଶାମାଖୁଣ୍ଟା ବ୍ଲକ ଅଧୀନରେ ରହିଥିବା ପୋଡ଼ାଅସ୍ତିଆ ଗ୍ରାମର ଭାନୁମତୀ ସେଠୀଙ୍କ କହିବା ଅନୁସାରେ ପଣ୍ଡିତ ରଘୁନାଥ ମୁର୍ମୁ ସରକାରୀ ମେଡ଼ିକାଲ କଲେଜ ଓ ହସପିଟାଲରେ ରୋଗୀସେବା ନାମରେ ଡ଼ାକ୍ତରଙ୍କ ଦାଦାଗିରି ଚାଲିଛି । ଗତ ୨୮/୦୮/୨୦୧୭ରେ ତାଙ୍କର ୭୫ ବର୍ଷୀୟା ମା ସାବିତ୍ରୀମଣି ବେହେରା ହଠାତ୍ ଅସୁସ୍ଥ ହୋଇପଡ଼ିବାରୁ ତାଙ୍କୁ ବାରିପଦା ମେଡ଼ିକାଲ ପଣ୍ଡିତ ରଘୁନାଥ ମୁର୍ମୁ ମେଡ଼ିକାଲ କଲେଜ ଓ ହସପିଟାଲରେ ଭର୍ତ୍ତି କରାଇଥିଲେ । ରାତିରେ ଡ଼ାକ୍ତର ଆସି ରୋଗୀକୁ ଦେଖି ଔଷଧ ଲେଖି ଦେବା ସାଂଗକୁ କେତେକ ପରୀକ୍ଷା କରାଇବାକୁ କହିଥିଲେ । ତେଣୁ ୨୯/୦୮/୨୦୧୭ ପୂର୍ବାହ୍ନରେ ଶ୍ରୀମତୀ ଭାନୁମତୀ ସେଠୀ ତାଙ୍କ ମା ସାବିତ୍ରୀମଣିଙ୍କୁ ଧରି ରେଡ଼ିଓଲୋଜି ବିଭାଗରେ ପହଁଞ୍ଚିଥିଲେ । ସେଠାରେ କାର୍ଯ୍ୟରତ ଡ଼ାକ୍ତର ବି ଏନ ନାୟକ ଏବଂ ନର୍ସ ଏମାନଙ୍କ ସହିତ ଅତି ଅଭଦ୍ର ବ୍ୟବହାର ପ୍ରଦର୍ଶନ କରିବାରୁ ଏହାର ପ୍ରତିବାଦ ମଧ୍ୟ ଶ୍ରୀମତୀ ସେଠୀ କରିଥିଲେ । ଏଥିରେ ରେଡ଼ିଓଲୋଜି ବିଭାଗରେ କାର୍ଯ୍ୟରତ ଡ଼ାକ୍ତର ବି ଏନ ନାୟକ ରୋଗୀର ପରୀକ୍ଷା କରାଇ ନେଲି ; ମାତ୍ର ରିପୋର୍ଟ ଦେବି ନାହିଁ, ତୁ ମୋର କଣ କରିପାରିବୁ କର ବୋଲି କହିଥିଲେ । ପ୍ରାୟ ଘଣ୍ଟାଏ ପରେ ଶ୍ରୀମତୀ ସେଠୀ ରିପୋର୍ଟ ଆଣିବା ପାଇଁ ରେଡ଼ିଓଲୋଜି ବିଭାଗରେ ପହଁଞ୍ଚିଥିଲେ ମଧ୍ୟ ତାଙ୍କୁ ରିପୋର୍ଟ ନ ଦେଇ ପୁଣି ଥରେ ଗାଳି ଗୋଲଜ କରିଥିଲେ । ଫଳରେ ଡ଼ାକ୍ତର ରାଉଣ୍ଡରେ ଆସିବା ପୂର୍ବରୁ ଫିମେଲ ୱାଡର଼୍କୁ ରିପୋର୍ଟ ପଠାଇ ଦେଇପାରନ୍ତି ବୋଲି ବିଶ୍ୱାସ ରଖି ନୀରବରେ ଫେରି ଆସିବାକୁ ବାଧ୍ୟ ହୋଇଥିଲେ । ସନ୍ଧ୍ୟା ୭ଟାରେ ଡ଼ାକ୍ତର ରାଉଣ୍ଡରେ ଆସି ରୋଗୀର ରିପୋର୍ଟ ମାଗିଥିଲେ । ଶ୍ରୀମତୀ ସେଠୀ ରେଡ଼ିଓଲୋଜି ବିଭାଗ ରିପୋର୍ଟ ଦେଉ ନାହିଁ ବୋଲି କହିବାରୁ ରାଉଣ୍ଡରେ ଆସିଥିବା ଡ଼ାକ୍ତର ରିପୋର୍ଟ ନ ଦେଖିଲେ ଔଷଧ ଲେଖି ପାରିବେ ନାହିଁ ବୋଲି ପରାମର୍ଶ ଦେଇଥିଲେ । ଏଣେ ରେଡ଼ିଓଲୋଜୀ ବିଭାଗରେ ଡ଼ାକ୍ତର ରୋଗୀର ରିପୋର୍ଟ ଦେବେନାହିଁ ବୋଲି ରୋକଠୋକ ମନା କରି ଦେଲେ ତେଣେ ଚିକିତ୍ସା କରୁଥିବା ଡ଼ାକ୍ତର ରିପୋର୍ଟ ନ ଦେଖିଲେ ମେଡ଼ିସିନ ଲେଖି ପାରିବେ ନାହିଁ ବୋଲି କହୁଛନ୍ତି । ଏହା ମଝିରେ ରୋଗୀ ଓ ତାଙ୍କର ଆଟେଣ୍ଡେଣ୍ଟ ପଡ଼ି ଛଟପଟ ହେଲେ । ଯାହାଫଳରେ ରୋଗୀର ନିରାପତ୍ତା ଓ ପରବର୍ତ୍ତି ଚିକିତ୍ସା ନିମନ୍ତେ ରୋଗୀକୁ ମେଡ଼ିକାଲ କଲେଜରୁ ବାହାରକୁ ନେଇ ଯିବାକୁ ଚାହିଁଥିଲେ ଏବଂ ରୋଗୀର ଡ଼ିସଚାର୍ଯ୍ୟ ସାର୍ଟିଫିକେଟ କାଟି ଦେବା ପାଇଁ ଡ଼ାକ୍ତରଙ୍କୁ ଅନୁରୋଧ କରି ଅଣ୍ଡର ଟେକିଂ ଲେଖି ଶେଷରେ ପଣ୍ଟିତ ରଘୁନାଥ ମୁର୍ମୁ ସରକାରୀ ମେଡ଼ିକାଲ କଲେଜ ଓ ହସପିଟାଲରୁ ରୋଗୀଙ୍କୁ ନେଇଯାଇଥିଲେ । ରୋଗୀର ପରୀକ୍ଷା ରିପୋର୍ଟ ନ ଦେବା ଏକ ମସ୍ତ ବଡ଼ ଅପରାଧ ହୋଇଥିବା ବେଳେ ରେଡ଼ିଓଲୋଜି ବିଭାଗର ଡ଼ାକ୍ତର ସମସ୍ତ ଆଇନକାନୁନକୁ ବେଖାତିର କରିବା ଏବଂ ତାଙ୍କ ଦ୍ୱାରା ଏହି ପ୍ରକାରର ବ୍ୟବହାରରେ ମର୍ମାହତ ହୋଇ ଶ୍ରୀମତୀ ସେଠୀ ହସପିଟାଲ ସୁପାରିନଟେଣ୍ଡେଣ୍ଟ ଡ଼ା. ସୋରେନ , ମୟୂରଭଞ୍ଜ ଜିଲାପାଳ ସୁରେନ୍ଦ୍ର କୁମାର ମୀନା, ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ମାନବିକ ଅଧିକାର କମିଶନ ପ୍ରମୁଖଙ୍କ ନିକଟରେ ଅଭିଯୋଗ ଆଣିଥିଲେ । ଏହି ଘଟଣାରେ ତାଙ୍କୁ ନ୍ୟାୟ ମିଳିବ ଏବଂ ତାଙ୍କ ପ୍ରତି ଅନ୍ୟାୟ କରିଥିବା ଡ଼ାକ୍ତଙ୍କୁ ଦଣ୍ଡ ମିଳିବ ବୋଲି ଶ୍ରୀମତୀ ସେଠୀ ଆଶାବାଦୀ ରହିଥିଲେ । କିନ୍ତୁ ଏହା ମଧ୍ୟରେ ଏକ ମାସରୁ ଅଧିକ ସମୟ ଅତୀତ ହୋଇସାରିଥିଲେ ମଧ୍ୟ ଅଭିଯୋଗ କେବଳ ଅଭିଯୋଗ ଭିତରେ ସୀମିତ ରହିଯାଇଛି । କେବଳ ଭାନୁମତୀ ସେଠୀ ନୁହନ୍ତି ବାରିପଦା ପିଆରଏମ୍ ମେଡ଼ିକାଲ କଲେଜରେ ଏହା ନିତିଦିନିଆ ଘଟଣାରେ ପରିଣତ ହୋଇସାରିଥିବା ବେଳେ ଜିଲା ପ୍ରଶାସନଠାରୁ ଆରମ୍ଭ କରି ସ୍ୱାସ୍ଥ୍ୟ ବିଭାଗର ମନ୍ତ୍ରୀ ଓ ଖୁଦ ମୁଖ୍ୟମନ୍ତ୍ରୀ ପର୍ଯ୍ୟନ୍ତ ସମସ୍ତେ କିଛି ନ ଜାଣିବା ଭଳି ଅଭିନୟ କରିଚାଲିଛନ୍ତି । ରୋଗୀମାନଙ୍କ ସେବା କରିବା ଡ଼ାକ୍ତରଙ୍କ ଧର୍ମ । ତେଣୁ ଡ଼ାକ୍ତରମାନଙ୍କୁ ଦ୍ୱିତୀୟ ଭଗବାନ ବୋଲି କୁହାଯାଏ । ସରକାରୀ ଡ଼ାକ୍ତରମାନେ ଯେଉଁ ଦରମା ନେଉଛନ୍ତି ତାହା ସେହି ରୋଗୀମାନଙ୍କର ପଇସା । ରୋଗି ଚିକିତ୍ସାରେ ଅବହେଳା ପ୍ରଦର୍ଶନ କାରଣରୁ ବିଭିନ୍ନ ସମୟରେ ଅବହେଳା ପ୍ରଦର୍ଶନ କରୁଥିବା ଡ଼ାକ୍ତରଙ୍କ ଉପରେ ଜନସାଧାରଣ ଆକ୍ରମଣ ହେଉଥିବାର ଅଭିଯୋଗ ହେଉଥିବାରୁ ନିଜ କର୍ତ୍ତବ୍ୟରେ ଅବହେଳା ପ୍ରଦର୍ଶନ କରୁଥିବା ଡ଼ାକ୍ତରଙ୍କ ସମେତ ସମସ୍ତ ଡ଼ାକ୍ତରଙ୍କୁ ସୁରକ୍ଷା ଦେବା ପାଇଁ ସରକାର ସ୍ୱତନ୍ତ୍ର ବିଧେୟକ ପାଶ କରାଇଛନ୍ତି । ମାତ୍ର ରୋଗୀମାନଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ଡ଼ାକ୍ତରଙ୍କ ଧର୍ମ ହୋଇଥିବା ବେଳେ ତାହା ନ କରି ରୋଗୀଙ୍କୁ ଶୋଷଣ କରିବା, ଚିକିତ୍ସାରେ ଅବହେଳା କାରଣରୁ ରୋଗୀର ମୃତୁ୍ୟ ଭଳି ସଙ୍ଗୀନ ଅଭିଯୋଗ ହେଉଥିଲେ ମଧ୍ୟ ଭୋଟ ଦେଇ ତିଆରି ନେତା ମନ୍ତ୍ରୀ ତିଆରି କରୁଥିବା ସାଧାରଣ ଜନତାଙ୍କ ନିରାପତ୍ତା, ସ୍ୱାର୍ଥ ସାଧନ ନିମନ୍ତେ ସରକାର ଆଖି ବନ୍ଦ କରିଦେବା କେତେ ଦୂର ଗ୍ରହଣୀୟ ବୋଲି ପ୍ରଶ୍ନ କରିଛନ୍ତି ଶ୍ରୀମତୀ ସେଠୀ । ମୁଖ୍ୟମନ୍ତ୍ରୀଙ୍କ ଉପରେ ତାଙ୍କର ସମ୍ପୂର୍ଣ୍ଣ ଆସ୍ଥା ରହିଛି । ସେ ନିଶ୍ଚିତ ଭାବେ ତାଙ୍କୁ ନ୍ୟାୟ ଦେବେ ବୋଲି ସେ ଆଶାବାଦୀ ରହିଛନ୍ତି । ଯଦି ଏପରି କିଛି ନ ହେଲା ତେବେ ଦୁନିଆରେ ସତ୍ୟ, ଧର୍ମ ଓ ନ୍ୟାୟ ବୋଲି କିଛି ନ ଥିବାର ବୁଝି ନେବାକୁ ପଡ଼ିବ ଏବଂ ନିଜର କପାଳକୁ ଆଦରି ପଥର ଭଳି ସମସ୍ତ ଦୁଃଖ ଯନ୍ତ୍ରଣାକୁ ଆଦରି ନେବାକୁ ପଡ଼ିବ ବୋଲି ଶ୍ରୀମତୀ ସେଠୀ ଆମର ମୟୂରଭଞ୍ଜ ଜିଲା ପ୍ରତିନିଧିଙ୍କୁ ସୂଚନା ଦେଇଥିଲେ । 

 

0
0
0
s2sdefault