ଝାରସୁଗୁଡ଼ା :(ସୁଭାଷ ସହାରେ) ଝାରସୁଗୁଡ଼ା ଜିଲ୍ଲାର ଦୁର୍ଲଗା ଗ୍ରାମର ଅଭିରାମ ଶତପଥୀ ୬୪ ବର୍ଷ ବୟସରେ ଏକ ସାହସିକ କାର୍ଯ୍ୟ କରି ଚର୍ଚ୍ଚାର କେନ୍ଦ୍ରବିନ୍ଦୁ। ଗତ ଜାନୁୟାରୀ ମାସ ୬ ତାରିଖରେ ସେ ଝାରସୁଗୁଡ଼ା ବିମାନବନ୍ଦରରୁ ପୁରୀ ପର୍ଯ୍ୟନ୍ତ ଏକ ସଚେତନତା ମୂଳକ ବାର୍ତ୍ତା ନେଇ ପଦଯାତ୍ରା କରିଥିଲେ। ଉଦ୍ଦେଶ୍ୟ ଥିଲା ଲୋକଙ୍କୁ ସୁସ୍ଥ ରହିବା ପାଇଁ ଓ ନିଶାଦ୍ରବ୍ୟ ସେବନକୁ ବର୍ଜନ କରିବା ପାଇଁ ପ୍ରେରଣା ଦେବା। ଦୀର୍ଘ ୪୨୫ କିଲୋମିଟର ପଦଯାତ୍ରା କରି ସେ ଜାନୁଆରୀ ୧୯ ତାରିଖରେ ପୁରୀ ପହଞ୍ଚିବା ଲକ୍ଷ୍ୟ ରଖିଥିଲେ। ମଝିରେ ପୋଲିସଙ୍କ ମାଧ୍ୟମରେ ସେ ମୂଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ। ପରେ ସେ ପୁରୀକୁ ମଧ୍ୟ ପଦଯାତ୍ରା କରିଥିଲେ।
କିନ୍ତୁ ଏତିକିରେ ଅଟକି ଯାଇ ନଥିଲେ ଅଭିରାମ। ପୁରୀରୁ ପଦଯାତ୍ରାରେ ସେ ବାହାରି ଯାଇଥିଲେ ଦିଲ୍ଲୀ ଅଭିମୁଖେ। ଓଡ଼ିଶା ସୀମା ପାର ହୋଇ ସେ ଛତିଶଗଡ଼, ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ, ରାଜସ୍ଥାନ ହୋଇ ୨୫୪୪ କିମି ପଥ ଅତିକ୍ରମ କରି ଦିଲ୍ଲୀରେ ପହଞ୍ଚିଥିଲେ ୨୬ ମାର୍ଚ୍ଚରେ। ବାଟସାରା ତାଙ୍କୁ ଅନେକ ବ୍ୟକ୍ତିବିଶେଷ ଓ ସଂଗଠନ ସହଯୋଗ କରିଥିଲେ। ଦିଲ୍ଲୀରେ ଉପ ରାଜ୍ୟପାଳ ଓ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟରେ ନିଜର ସ୍ମାରକପତ୍ର ପ୍ରଦାନ କରିବା ପରେ ସେ ଗତକାଲି ଝାରସୁଗୁଡ଼ା ବିମାନବନ୍ଦରରେ ପହଞ୍ଚିଥିଲେ।
ସାରା ଦେଶର ଲୋକେ ସୁସ୍ଥ ରହନ୍ତୁ ଓ ନିଶାଦ୍ରବ୍ୟ ବ୍ୟବହାରରୁ ଦୂରରେ ରୁହନ୍ତୁ, ଏହି ବାର୍ତ୍ତା ନେଇ ପଦଯାତ୍ରା କରିଥିବା ଅଭିରାମ ଆଗାମୀ ସମୟରେ ମଧ୍ୟ ଏହା ଉପରେ କାର୍ଯ୍ୟ କରିବେ ବୋଲି ଜଣାଇଛନ୍ତି। ଗତକାଲି ଦୁର୍ଲଗା ଗ୍ରାମବାସୀ ତରଫରୁ ତାଙ୍କୁ ସ୍ବାଗତ କରାଯାଇଥିଲା। ଦୁର୍ଲଗା ଗ୍ରାମର ଅଶୋକ ମହାପାତ୍ର, ପ୍ରତିଭା ମହାପାତ୍ର, ଦମ୍ବୋଦର ପାତ୍ର, ଡୁଲାମଣି ବେସନ, ରାଜକୁମାର ବେନାର୍ଜି, ନିର୍ମଳ ପଣ୍ଡା, ଦୀପକ ପାତ୍ର, ବିଭୁତି ଶତପଥି ପ୍ରଭୃତି ତାଙ୍କୁ ସ୍ବାଗତ ଜଣାଇଥିଲେ।