ରୁଦ୍ର ବିପୁଳ ଭୋଟରେ ଜିତିବ : ପ୍ରତିଭା
ଭୁବନେଶ୍ୱର : ପିତାଙ୍କ ରାଜନୀତିକ ଉତ୍ତରାଧିକାରୀ ଭାବେ ପିପିଲି ପିପିଲି ନିର୍ବାଚନ ରଣାଙ୍ଗନରେ ଅବତୀଣ୍ଣ ହୋଇଥିବା ପ୍ରଦୀପ ମହାରଥୀଙ୍କ ପୁଅ ରୁଦ୍ର ମହାରଥୀ ଆଜି ଭଉଣୀ ପଲ୍ଲବୀଙ୍କ ସହ ନବୀନ ନିବାସ ଆସି ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ଠାରୁ ଟିକଟ ହାସଲ କରିଛନ୍ତି | ଏହାସହିତ ମୁଖ୍ୟମନ୍ତ୍ରୀଙ୍କ ଆଶୀର୍ବାଦ ଗ୍ରହଣ କରିଛନ୍ତି | ଆସନ୍ତା ମଙ୍ଗଳବାର ୩୦ ତାରିଖରେ ରୁଦ୍ର ପ୍ରାର୍ଥିପତ୍ର ଦାଖଲ କରିବେ । ବାପାଙ୍କ ଅଧୁରା ସ୍ୱପ୍ନକୁ ପୂରଣ କରିବେ ବୋଲି ରୁଦ୍ର କହିବା ସହ ଚାଷୀଙ୍କ ଉନ୍ନତି, ପାନୀୟ ଜଳ, ଜଳସେଚନ ଉପରେ ପ୍ରାଥମିକତା ଦେବେ ବୋଲି କହିଛନ୍ତି । ଏଥିସହ ପରିବାରରେ ଟିକେଟ୍ ପାଇଁ ମତଭେଦ ଉପରେ ପ୍ରତିକ୍ରିୟା ରଖି ରୁଦ୍ର କହିଛନ୍ତି ଏହା ବିରୋଧୀ ଦଳର ଏକ ଚାଲ୍ । ପରିବାର ସବୁବେଳେ ଏକାଠି ଅଛି ବୋଲି କହିଛନ୍ତି ରୁଦ୍ର । ନବୀନ ନିବାସରେ ରୁଦ୍ର ଟିକେଟ ହାସଲ କଲାବେଳେ ବରିଷ୍ଠ ନେତା ଦେବୀ ମିଶ୍ର, ବିଧାୟକ ପ୍ରଣବ ବଳବନ୍ତରାୟପ୍ରମୁଖ ଉପସ୍ଥିତ ଥିଲେ \
ରୁଦ୍ର ଟିକେଟ ନେଇ ପହଂଚିବା ପରେ ମା ପ୍ରତିଭା ମହାରଥୀ ଖୁସି ବ୍ୟକ୍ତକରିବା ସହ କହିଛନ୍ତି ଯେ - ‘ସମସ୍ତଙ୍କ ଆଶୀର୍ବାଦରେ ରୁଦ୍ର ନିଶ୍ଚୟ ବିଜୟ ଲାଭ କରିବ ଏବଂ ସ୍ୱର୍ଗତଃ ମହାରଥୀଙ୍କ ସମସ୍ତ ଇଚ୍ଛାକୁ ପୂରଣ କରିବ । ରୁଦ୍ର ମୁଣ୍ଡ ଉପରେ ମୋ ହାତ ଅଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଶୀର୍ବାଦ ରହିଛି । ଆମେ ଗୋଟିଏ ଘରେ ଗୋଟିଏ ସୂତ୍ରରେ ଏକାଠି ବାନ୍ଧି ହୋଇ ରହିଛୁ । ମହାରଥୀଙ୍କ ଭଳି ପୁଅକୁ ସାହାଯ୍ୟ କରିବି ବୋଲି କହିଛନ୍ତି ପ୍ରତିଭା । ସରକାରୀ ଚାକିରି କରିଥିବାରୁ ପ୍ରତିଭା ନିର୍ବାଚନ ପ୍ରଚାର କରିବାକୁ ଯିବେ ନାହିଁ । ଭାଇ ପାଇଁ ଭଉଣୀ ଓ ଭିଣୋଇ ପ୍ରଚାର କରିବେ | ପ୍ରଦୀପ ମହାରଥୀ ପ୍ରଚଣ୍ଡ ହନୁମାନ ଓ ଜଗନ୍ନାଥ ଭକ୍ତ ଥିଲେ । ଜଗନ୍ନାଥଙ୍କ ଆଶୀର୍ବାଦ ମଧ୍ୟ ରୁଦ୍ର ଉପରେ ରହିଛି, ସେ ବିପୁଳ ଭୋଟରେ ଜିତିବ ବୋଲି କହିଛନ୍ତି ପ୍ରତିଭା ।