ବାରିପଦା(ଦିଲ୍ଲୀପ ମହାନ୍ତି )-ମାର୍ଚ୍ଚ ୨୭ ତାରିଖରେ ଅନୁଷ୍ଠିତ ମୟୂରଭଞ୍ଜ ବାର ଆସୋସିଏସନ ନିର୍ବାଚନର ଫଳାଫଳ ପ୍ରକାଶ ପାଇଛି ଓ ସଭାପତି ଭାବେ ପ୍ରବୀର ବସା ଦ୍ୱିତୀୟ ଥର ପାଇଁ ନିର୍ବାଚିତ ହୋଇଛନ୍ତି । ଶ୍ରୀବସା ତାଙ୍କର ନିକଟତମ ପ୍ରତିଦ୍ୱନ୍ଦି ଗିରେନ୍ଦ୍ର କୁମାର ଗୋସ୍ୱାମୀଙ୍କୁ ୧୭୭ ଖଣ୍ଡ ଭୋଟ ବ୍ୟବଧାନରେ ପରାସ୍ତ କରି ବିଜୟୀ ହୋଇଛନ୍ତି । ଶ୍ରୀବସା ୩୬୮ ଖଣ୍ଡ ଭୋଟ ପାଇଥିବା ବେଳେ ଶ୍ରୀଗୋସ୍ୱାମୀ ୧୯୧ ଖଣ୍ଡ ଭୋଟ ପାଇଛନ୍ତି ଓ ୭ ଖଣ୍ଡ ଭୋଟ ନାକଚ ହୋଇଛି । ସେହିପରି ସମ୍ପାଦକ ଭାବେ ବସନ୍ତ ଭୋଳ ମଧ୍ୟ ଦ୍ୱିତୀୟ ଥର ନିର୍ବାଚିତ ହୋଇଛନ୍ତି । ପ୍ରଥମ ଭୋଟ ଗଣନାରେ ଶ୍ରୀ ଭୋଲ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦି ବିପ୍ଳବ ବାରିକ ଓ ସରୋଜ କୁମାର ଦାସଙ୍କୁ ପରାସ୍ତ କରିଛନ୍ତି । ଉପସଭାପତି ଭାବେ ସୁଜାତା ମିଶ୍ର ତାଙ୍କର ନିକଟତମ ପ୍ରତିଦ୍ୱନ୍ଦି ସୁଧୀର ମହାନ୍ତିଙ୍କୁ ପରାସ୍ତ କରି ନିର୍ବାଚିତ ହୋଇଥିବା ବେଳେ ଯୁଗ୍ମ-ସମ୍ପାଦକ ଭାବେ ସ୍ୱରୂପ ମିଶ୍ର ତାଙ୍କ ନିକଟତମ ପ୍ରତିଦ୍ୱନ୍ଦି ପ୍ରଭାତ ଦାସଙ୍କୁ ପରାସ୍ତ କରିଛନ୍ତି । କୋଷାଧ୍ୟକ୍ଷ ଭାବେ ଅରବିନ୍ଦ ସାହୁ ନିକଟତମ ପ୍ରତିଦ୍ୱନ୍ଦି ସୁନିଲ ନାୟକଙ୍କୁ ପରାସ୍ତ କରିଛନ୍ତି । ୧୨ ଗୋଟି କାର୍ଯ୍ୟ ନିର୍ବାହୀ ସଦସ୍ୟ ପଦ ନିମନ୍ତେ ଅନୀଲ କୁମାର ବେହେରା, ଅଶୋକ କୁମାର ପଣ୍ଡା, ବଟକୃଷ୍ଣ ପାଢ଼ୀ, ଦିଲ୍ଲୀପ କୁମାର ପାତ୍ର, ଦୁଷ୍ମନ୍ତ କୁମାର ଦାଶ, କୈଳାସ ପ୍ରସାଦ ସାହୁ, ରାଜୀବ କୁମାର ମହାନ୍ତି, ଶାନ୍ତନୁ କୁମାର ପାଲ, ସତ୍ୟବାନ ପାଲ, ସତ୍ୟନାରାୟଣ ମହାନ୍ତି, ସୁଶାନ୍ତ ପଣ୍ଡା ଓ ସ୍ୱପ୍ନା ମହାନ୍ତି ପ୍ରମୁଖ ନିର୍ବାଚିତ ହୋଇଥିବା ସମୟରେ ମନୋଜ କୁମାର ମହାନ୍ତ, ସାଧୁ ମୁର୍ମୁ ଓ ବିଜୟ କୁମାର ଦତ୍ତ ପରାସ୍ତ ହୋଇଛନ୍ତି । ତେବେ ସମ୍ପାଦକ ପଦବୀ ନିମନ୍ତେ ହୋଇଥିବା ଭୋଟ ଗଣନାରେ ପଛରେ ରହିଯାଇଥିବା ବିପ୍ଳବ ବାରିକ ପରାଜୟକୁ ସ୍ୱିକାର ନ କରି ଭୋଟ ପୁର୍ନଗଣନା ନିମନ୍ତେ ନିର୍ବାଚନ ଅଧିକାରୀ ତଥା ବରିଷ୍ଠ ଆଇନଜୀବୀ ବିଜନ ଦାସଙ୍କ ନିକଟରେ ଆବେଦନ କରିଥିଲେ ଏବଂ ନିର୍ବାଚନ ଅଧିକାରୀ ଶ୍ରୀଦାସ ବିପ୍ଳବ ବାରିକଙ୍କ ଆବେଦନକୁ ଗ୍ରହଣ କରି ଭୋଟ ପୁର୍ନଗଣିତି ନିମନ୍ତେ ନିଦେ୍ର୍ଧଶ ଦେଇଛନ୍ତି । ଖବର ଲେଖାଯିବା ପର୍ଯ୍ୟନ୍ତ ଭୋଟ ପୁର୍ନଗଣନା ଜାରି ରହିଛି ।
ସୂଚନା ଯୋଗ୍ୟ ଯେ, ମୟୂରଭଞ୍ଜ ଜିଲ୍ଲା ବାର ଆସୋସିଏସନ ନିର୍ବାଚନ ନିମନ୍ତେ ଆଜି ପୂର୍ବାହ୍ନ ୮ରୁ ମତଦାନ ଆରମ୍ଭ ହୋଇ ଅପରାହ୍ନ ୩ ପର୍ଯ୍ୟନ୍ତ ଜାରି ରହିଥିଲା ଏବଂ ଅପରାହ୍ନ ୪ରୁ ଭୋଟ ଗଣତି ଆରମ୍ଭ ହୋଇ ଫଳାଫଳ ଘୋଷଣା କରାଯାଇଥିଲା । ନିର୍ବାଚନକୁ ନିର୍ବାଚନ ଅଧିକାରୀ ତଥା ବରିଷ୍ଠ ଆଇନଜୀବୀ ବିଜନ ଦାସ ପରିଚାଳନା କରିଥିଲେ ।