ଟୀକା ନେଇଥିବା ସ୍ୱାସ୍ଥ୍ୟକର୍ମୀଙ୍କ ସହ କଥା ହୋଇ ଉତ୍ସାହ ବଢ଼ିଲେ ମୁଖ୍ୟମନ୍ତ୍ରୀ
ବୈଜ୍ଞାନିକଙ୍କ ଧନ୍ୟବାଦ ଦେଲେ, ସମସ୍ତଙ୍କ ସହଯୋଗ ଲୋଡିଲେ
ଭୁବନେଶ୍ୱର(ଶାସକ ପ୍ରଶାସକ) : ସାରା ଦେଶ ସହିତ ଆଜି ଓଡ଼ିଶାରେ ମଧ୍ୟ କୋଭିଡ ଟୀକାକରଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ପାଞ୍ଚଗୋଟି ମହାନଗର ନିଗମ ଓ ଏମ୍ସ ସମେତ ରାଜ୍ୟର ୧୬୧ଟି କେନ୍ଦ୍ରରେ ଟୀକାକରଣ କାର୍ଯ୍ୟକ୍ରମ ଆରମ୍ଭ୍ ହୋଇଛି । ଏହି ଅବସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସିଂ ଯୋଗେ ସ୍ୱାସ୍ଥ୍ୟକର୍ମୀମାନଙ୍କ ସହ କଥା ହୋଇଥିଲେ । ଶୁଭେଚ୍ଛା ଦର୍ଶାଇଥିଲେ, ଟୀକା ନେଇଥିବାରୁ ସେମାନଙ୍କୁ ଉତ୍ସାହିତ କରିଥିଲେ ଏବଂ ଟୀକାକରଣ କାର୍ଯ୍ୟକ୍ରମରେ ସମସ୍ତଙ୍କର ସହଯୋଗ କାମନା କରିଥିଲେ ।
ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ୨୦୨୧ ସମସ୍ତ ପାଇଁ ଭଲଖବର ନେଇ ଆସିଛି । ଆଜି ଅପେକ୍ଷାର ଅନ୍ତ ହୋଇଛି । ଗତ ଦଶମାସ ଧରି ଆମର କୋଭିଡ ଯୋଦ୍ଧାମାନେ ଜୀବନକୁ ବାଜି ଲଗାଇ ସେନା କରି ଚାଲିଛନ୍ତି । ସେମାନଙ୍କ ସେନା ଓ ତ୍ୟାଗକୁ ଆମେ କେବେ ଭୁଲିପାରିବୁନାହିଁ ବୋଲି କହିବା ସହିତ ସେମାନଙ୍କ ପାଇଁ ଆମେ ସମସ୍ତେ ଗର୍ବିତ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ଟୀକାକରଣ କାର୍ଯ୍ୟକ୍ରମକୁ ଚଳିତ ବର୍ଷର ସବୁଠାରୁ ବଡ଼ ଓ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମ ଭାବରେ ବର୍ଣ୍ଣନା କରି ଏହାକୁ ସଫଳ କରିବା ଦିଗରେ ମୁଖ୍ୟମନ୍ତ୍ରୀ ସମସ୍ତଙ୍କର ବିଶେଷ କରି ଆମର ସ୍ୱାସ୍ଥ୍ୟକର୍ମୀ ମାନଙ୍କର ସହଯୋଗ କାମନା କରିଥିଲେ । ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ସମସ୍ତଙ୍କ ସହଯୋଗରେ ଓଡ଼ିଶା କୋଭିଡ ମହାମାରୀକୁ ନିୟନ୍ତ୍ରଣ କରିବାରେ ସଫଳ ହୋଇପାରିଛି । ଲୋକଙ୍କ ଜୀବନ ରକ୍ଷା ପାଇଁ ରାଜ୍ୟ ସରକାର ଅନେକ ଅନ୍ୟ ପଦକ୍ଷେପ ନେଇଛନ୍ତି । ବର୍ତ୍ତମାନ ସାରା ଦେଶରେ ଅଧିକ ଆରୋଗ୍ୟ ହାର ଏବଂ କମ୍ ମୃତ୍ୟୁ ହାର ଥିବା ରାଜ୍ୟମାନଙ୍କ ମଧ୍ୟରେ ଓଡ଼ିଶା ଏକ ଆଗୁଆ ରାଜ୍ୟ ।
ଏହି ଅବସରରେ ଆମର ବୈଜ୍ଞାନିକମାନଙ୍କୁ ଅଭିନନ୍ଦନ ଜଣାଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଆମର ବୈଜ୍ଞାନିକ ମାନେ ରେକର୍ଡ ସମୟ ମଧ୍ୟରେ କରୋନା ଟୀକା ଉଦଭାବନ କରି ଦେଶର ଗୌରବ ବୃଦ୍ଧି କରିଛି । ଆଜି ଆମର ଫାର୍ମାକମ୍ପାନୀ ମାନେ ମଧ୍ୟ ବିଶ୍ୱର ବିଭିନ୍ନ ଦେଶକୁ ଟୀକା ଯୋଗାଉଛନ୍ତି । ଟୀକା ନେଇଥିବା ଏବଂ ନେବାକୁ ଥିବା ସମସ୍ତ ସ୍ୱାସ୍ଥ୍ୟକର୍ମୀମାନଙ୍କର ଉତ୍ତମ ସ୍ୱାସ୍ଥ୍ୟ କାମନା କରିବା ସହିତ ଟୀକା ନେବା ପରେ ଅଧିକ ଆତ୍ମବିଶ୍ୱାସ ସହ ସେମାନଙ୍କର ସେବସା କାର୍ଯ୍ୟ ଜାରି ରଖିବେ ବୋଲି ମୁଖ୍ୟମନ୍ତ୍ରୀ ଆଶାବ୍ୟକ୍ତ କରିଥିଲେ । କୋଭିଡ ମହାମାରୀ ପରି ଏକ କଠିନ ପରିସ୍ଥିତିରେ ଆମର କୋଭିଡ ଯୋଦ୍ଧାମାନେ ଯେପରି ସାହସ ସହ କାର୍ଯ୍ୟ କଲେ ସେଥିପାଇଁ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଜଣାଇବା ସହ ସମସ୍ତଙ୍କ ସହଯୋଗରେ ଟୀକାକରଣ କାର୍ଯ୍ୟକ୍ରମ ସଫଳହେବ ବୋଲି କହିଥିଲେ ।
ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ ଝାରସୁଗୁଡ଼ାରୁ ସ୍ୱାଗତ ଭାଷଣ ଦେଇଥିଲେ ଏବଂ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ମୁଖ୍ୟମନ୍ତ୍ରୀଙ୍କ ସଚିବ (୫ଟି) ଭି.କେ. ପାଣ୍ଡିଆନ କାର୍ଯ୍ୟକ୍ରମ ସଂଚାଳନା କରିଥିଲେ ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟୀକା ନେଇଥିବା କ୍ୟାପିଟାଲ ହସପିଟାଲର ସ୍ୱାସ୍ଥ୍ୟକର୍ମୀ, ସୁନ୍ଦରଗଡ଼ର ଜଣେ ମହିଳା ସ୍ୱାସ୍ଥ୍ୟକର୍ମୀ ଏବଂ ବ୍ରହ୍ମପୁର ଜଣେ ଡାକ୍ତର ସହ କଥା ହୋଇଥିଲେ । ସେମାନେ ସମସ୍ତେ ସୁସ୍ଥ ଥିବା ଏବଂ ସେମାନଙ୍କର କୌଣସି ପାଶ୍ୱର୍ ପ୍ରତିକି୍ରୟା ନଥିବା କଥା ସେମାନେ ମୁଖ୍ୟମନ୍ତ୍ରୀଙ୍କୁ ଜଣାଇଥିଲେ । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବ ବରିଷ୍ଠ ଅଧିକାରୀମାନେ ଏବଂ ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳ ମାନେ ଯୋଗ ଦେଇଥିଲେ ।