ତ୍ବରିତ ସେବା ପାଇଁ ୧୦୯୮ଟି ପଦବୀ ମଧ୍ୟ ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ବର : ରାଜ୍ୟରେ ପୋଲିସ ପକ୍ଷରୁ ଯୋଗାଇ ଦିଆଯାଉଥିବା ସବୁ ଜରୁରୀ ସହାୟତା ପାଇଁ ଏଣିକି ଗୋଟିଏ ନମ୍ବର, ତାହା ହେଉଛି ୧୧୨ । ଏହା ତୁରନ୍ତ କାର୍ଯ୍ୟକାରୀ ହେବ । ପୋଲିସ ଆମ୍ବୁଲାନ୍ସ, ଦମକଳ ତଥା ମହିଳା ହେଲ୍ପ ଲାଇନ ଭଳି ବିଭିନ୍ନ ଜରୁରୀ ସେବା ପାଇଁ ଆଉ ଭିନ୍ନ ଭନ୍ନ ନମ୍ବରକୁ ଡାଏଲ କରିବାକୁ ପଡିବ ନାହିଁ ।
୧୧୨ ରେ ପୋଲିସ ପକ୍ଷରୁ ସବୁ ଜରୁରୀ ସହାୟତା ତୁରନ୍ତ ମିଳିପାରିବ। ଜନସାଧାରଣଙ୍କ ସୁବିଧା ତଥା ତ୍ବରିତ ସେବା ଯୋଗାଣକୁ ଦୃଷ୍ଟିରେ ରଖି ସରକାରଙ୍କ ତରଫରୁ ବିଭିନ୍ନ ସହାୟତା ନମ୍ବର ଯଥା ୧୦୦, ୧୦୧, ୧୦୨, ୧୦୪, ୧୦୮, ୧୮୧ ଓ ୧୦୯୮ ଏସବୁକୁ ଏକୀଭୂତ କରି ଗୋଟିଏ ନମ୍ବର ଯଥା ୧୧୨ ରେ ପରିଣତ କରାଯାଇଛି ।
୧୧୨ ଜରିଆରେ ସାଧାରଣ ଲୋକଙ୍କୁ ଦକ୍ଷତାର ସହ ତ୍ବରିତ ସେବା ଯୋଗାଇବା ପାଇଁ ମୁଖ୍ୟମନ୍ତ୍ରୀ ପୋଲିସ ବିଭାଗର ୧୦୯୮ଟି ବିଭିନ୍ନ ପଦବୀ ସୃଷ୍ଟିକୁ ମଧ୍ୟ ଅନୁମୋଦନ କରିଛନ୍ତି।
୧୧୨ ସେବା ପାଇଁ ୪-ଡି.ଏସ୍.ପି, ୧୫୧-ସବ୍ଇନ୍ସପେକ୍ଟର, ୨୦୩- ସହକାରୀ ସବ୍ ଇନ୍ସପେକ୍ଟର ଏବଂ ୭୪୦ ଜଣ କନେଷ୍ଟବଳ ନିୟୋଜିତ ହେବେ ।
ଏତଦ୍ବ୍ୟତୀତ outsourcing ଜରିଆରେ ୧୯୮ଜଣ Call Taker Executive ଏବଂ ୨୩୬ଟି ଗାଡି ମଧ୍ୟ ନିୟୋଜିତ ହେବେ ।
ପୋଲିସ ପକ୍ଷରୁ ଜନସାଧାରଣଙ୍କୁ ଯୋଗାଇ ଦିଆଯାଉଥିବା ବିଭିନ୍ନ ଜରୁରୀ ସହାୟତା ଗୋଟିଏ ନମ୍ବର ୧୧୨ ରେ ଉପଲବ୍ଧ ହେବା ଦ୍ବାରା ଜନସାଧାରଣଙ୍କୁ ଅଧିକ ଦକ୍ଷତାର ସହ ଉତ୍ତମ ସେବା ଯୋଗାଇ ଦେବାରେ ପୋଲିସ ସଫଳ ହେବ ଏବଂ ବ୍ୟବସ୍ଥା ପ୍ରତି ଲୋକଙ୍କ ଆସ୍ଥା ଅଧିକ ମଜବୁତ ହେବ ବୋଲି ମୁଖ୍ୟମନ୍ତ୍ରୀ ଆଶାବ୍ୟକ୍ତ କରିଛନ୍ତି।