ଭୁବନେଶ୍ଵର (ଶାସକ ପ୍ରଶାସକ) : ଜଳ ଓ ଭୂସମ୍ପଦର ସମନ୍ଵିତ ପରିଚାଳନା ନିମନ୍ତେ ଉତ୍ସର୍ଗୀକୃତ ପ୍ରମୁଖ ତାଲିମ ଏବଂ ଗବେଷଣା ପ୍ରତିଷ୍ଠାନ (ୱାଲମୀ) ଠାରେଭର୍ଚୁଆଲମାଧ୍ୟମରେ ପ୍ରଶିକ୍ଷଣ ବ୍ୟବସ୍ଥାକୁ ରାଜ୍ୟ ଜଳସଂପଦ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ ଶୁକ୍ରବାର ସନ୍ଧ୍ୟାରେ ବିଭାଗୀୟସର୍ବୋଚ୍ଚ ଯନ୍ତ୍ରୀ ଏବଂ ସର୍ବୋଚ୍ଚ ଯନ୍ତ୍ରୀ (ଯୋଜନା ଓ ନକ୍ସାଙ୍କନ)ଙ୍କ ଉପସ୍ଥିତିରେ ଉଦ୍ଘାଟନ କରିଛନ୍ତି ।ଏହି ବ୍ୟବସ୍ଥାର ଉଦ୍ଘାଟନ ପରିପ୍ରେକ୍ଷୀରେ ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଗର୍ଗ କହିଛନ୍ତି ଯେ,କୋଭିଡ-୧୯ମହାମାରୀ ସ୍ଥିତିରେ,ୱାଲମୀରେ ପ୍ରଶିକ୍ଷଣ ନେଉଥିବା ଜଳସଂପଦ ବିଭାଗ, କୃଷି ଓ କୃଷକ ସଶକ୍ତିକରଣ ବିଭାଗର ଯନ୍ତ୍ରୀ,ଅଧିକାରୀ , ବିଭିନ୍ନ ଜିଲ୍ଲାର କୃଷକ ଓ ପାଣି ପଞ୍ଚାୟତର କର୍ମକର୍ତ୍ତାଙ୍କୁ ତାଲିମ ପ୍ରଦାନ କରୁଥିବା କର୍ତ୍ତୃପକ୍ଷ, ସାଧନ କର୍ମୀ ଓ ପ୍ରଶିକ୍ଷାର୍ଥୀଙ୍କ ମଧ୍ୟରେ ପାରସ୍ପରିକ ଭାବ ବିନିମୟ ମାଧ୍ୟମରେ ପ୍ରସଙ୍ଗ ଭିତ୍ତିକ ଆଲୋଚନା ଓ ପ୍ରଶିକ୍ଷଣ ପାଇଁ ଏହା ବିଶେଷ ଉପଯୋଗୀ ହେବ ।ସାଧାରଣ ଭାବେ ଅନୁଷ୍ଠିତ ହେଉଥିବା କ୍ଲାସ ରୁମ ପ୍ରଶିକ୍ଷଣ ବ୍ୟବସ୍ଥା ଅପେକ୍ଷା ଏହି ବ୍ୟବସ୍ଥାରେ ଶାରୀରିକ ଦୁରତ୍ଵ ବଜାୟ ରଖିବା ଭଳି କୋଭିଡ କଟକଣା ଅନୁପାଳନ କରାଯାଇପାରୁଥିବାରୁ ପ୍ରଶିକ୍ଷଣ ପ୍ରଦାନରେଏହା ବିଶେଷ ସହାୟକ ହେବ ବୋଲି ଶ୍ରୀମତୀ ଗର୍ଗ ପ୍ରକାଶ କରିଛନ୍ତି । ଉପସ୍ଥିତ ଥିବା ଅଧିକାରୀମାନଙ୍କୁ ସେ ମଧ୍ୟ ତାଲିମ ଓ ଗବେଷଣାତ୍ମକ କାର୍ଯ୍ୟର ମାନ ବୃଦ୍ଧିକରି ଏହି ପ୍ରତିଷ୍ଠାନକୁ ଏକ ଉତ୍କର୍ଷ କେନ୍ଦ୍ର ଭାବେ ପ୍ରତିଷ୍ଠିତ କରିବାକୁ ଆବଶ୍ୟକୀୟ ନିର୍ଦ୍ଦେଶ ଓ ପରାମର୍ଶ ଦେଇଥିଲେ ।
ପ୍ରକାଶ ଥାଉକି, ଜଳ ଓ ଭୂମି ପରିଚାଳନା ପ୍ରତିଷ୍ଠାନ(ୱାଲମୀ), ରାଜଧାନୀ ଭୁବନେଶ୍ଵରଠାରୁ ଉତ୍ତରରେ ୧୭ କିଲୋମିଟର ଦୂର ପ୍ରତାପନଗରୀ ଠାରେ ୧୯୮୪ ମସିହାରେ ସ୍ଥାପିତ ହୋଇଥିଲା। ସେତେବେଳେ ଏହା ତତ୍କାଳୀନ ଜଳସେଚନ ଓ ଶକ୍ତି ବିଭାଗ ଦ୍ଵାରା ପରିଚାଳିତ ହେଉଥିଲା ,ଯାହାକି ଏବେ ଜଳସଂପଦ ବିଭାଗ ଅଧୀନରେ କାର୍ଯ୍ୟକାରୀ ହେଉଛି। ଏହି ଅନୁଷ୍ଠାନ ବିଭିନ୍ନ ସମୟରେ ଜଳସଂପଦ ବିଭାଗ ଓ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ନବ ନିଯୁକ୍ତ ଯନ୍ତ୍ରୀ ଓ ଅଧିକାରୀଙ୍କ ସମେତ, ରାଜ୍ୟର କୃଷକ ଏବଂ ପାଣି ପଞ୍ଚାୟତର କର୍ମକର୍ତ୍ତାମାନଙ୍କୁ ଆବଶ୍ୟକତା ଅନୁସାରେ ସେମାନଙ୍କର ଦକ୍ଷତା ବୃଦ୍ଧି ପାଇଁ ପ୍ରଶିକ୍ଷଣ ପ୍ରଦାନ କରିଆସୁଛି । ଏଥିସମେତ ଏହି ଅନୁଷ୍ଠାନ କୃଷି ଓ ଜଳସେଚନ ପ୍ରକଳ୍ପଗୁଡିକରେ ଜଳ ପରିଚାଳନା ସମ୍ପର୍କିତ ପ୍ରୟୋଗାତ୍ମକ ଗବେଷଣା ସମେତ ସେଚାଞ୍ଚଳରେ ପାଣି ପଞ୍ଚାୟତ ଗଠନ, ଜଳ ଆବଣ୍ଟନ କମିଟି ଏବଂ ଜଳ ପ୍ରବେଶ ପଥ କାର୍ଯ୍ୟ ପରିଚାଳନା ପାଇଁ ଅଂଶୀଦାରୀ ଜଳସେଚନ ପରିଚାଳନା ନିମନ୍ତେ ପରାମର୍ଶ କାର୍ଯ୍ୟ କରିଥାନ୍ତି ।
ସୂଚନା ଯୋଗ୍ୟ ଯେ, ଏହି ଭର୍ଚୁଆଲ ବ୍ୟବସ୍ଥା ସହିତୱାଲମୀରେ ପୂର୍ବ ଭଳି କ୍ଲାସ ରୁମ ବ୍ୟବସ୍ଥାରେ ମଧ୍ୟ ଆବଶ୍ୟକତାକୁ ଦୃଷ୍ଟିରେ ରଖି କୋଭିଡ କଟକଣା ଅନୁପାଳନ ପୂର୍ବକ ପ୍ରଶିକ୍ଷଣ ଜାରି ରହିବ । ଏହି ଭର୍ଚୁଆଲ ପ୍ଲାଟଫର୍ମ ପ୍ରଶିକ୍ଷଣ ବ୍ୟବସ୍ଥା ଉଦ୍ଘାଟନ ସମୟରେ ୱାଲମୀର ଅନ୍ୟ ପଦାଧିକାରୀ ଓ କର୍ମଚାରୀମାନେଉପସ୍ଥିତ ଥିଲେ ।








