ଟିଟିଲାଗଡ, (ଗୌରବ ଦର୍ଜୀ)- ଟିଟିଲାଗଡ ସ୍ଥିତ ଟ୍ୟାନେରୀ ନିକଟରେ ଏକ ୩୫ ଡିସିମିଲ ଜମିରୁ ୧୫ ଡିସିମିଲ ଜମି ଜଣେ ବ୍ୟକ୍ତି ତିନି ଜଣ ବ୍ୟକ୍ତିଙ୍କୁ ବିକ୍ରି କରିଛି। ଏହା ବିରୋଧରେ ଜମିର ପ୍ରକୃତ ମାଲିକର ପୁଅ ଅଭିଯୋଗ ଆଣିଛନ୍ତି। ଟ୍ୟାନେରୀ ନିକଟରେ ବାଘୁଆ ଗଣ୍ଡା ନାମକ ଜଣେ ବ୍ୟକ୍ତି ୧୯୫୦ ମସିହାରୁ ୩୫ ଡିସିମିଲ ଜମି ଅଧିକାର କରି ରଖିଥିଲେ। ତାଙ୍କ ନାମରେ ଜମିର ପଟ୍ଟା ଅଛି ଓ ସେ ଖଜଣା ମଧ୍ୟ ଭରି ଆସୁଥିଲେ ଓ ତାଙ୍କ ମୃତ୍ୟୁ ପରେ ତାଙ୍କ ପୌଷ୍ୟ ପୁତ୍ର ବୈକୁଣ୍ଠ ସୁନା ସେହି ସ୍ଥାନର ଖଜଣା ପୈଠ କରି ଆସୁଛନ୍ତି। ବୈକୁଣ୍ଠ ସୁନା ପରିବାର ପ୍ରତିପୋଷଣ ପାଇଁ ବଲାଙ୍ଗୀର ସ୍ଥିତ ହାତିସାଲ୍ ପଡାରେ ଅସ୍ଥାୟୀ ରହୁଛନ୍ତି।
କିନ୍ତୁ ତାଙ୍କ ଅନୁପସ୍ଥିତି ରେ ଟଙ୍କ ହରପାଲ୍ ନାମକ ବ୍ୟକ୍ତି ତିନି ଜଣ ଲୋକଙ୍କୁ ୫ଡିସିମିଲ ଲେଖାଏଁ ଜମି ବିକ୍ରି କରି ପଟ୍ଟା ମଧ୍ୟ ପ୍ରସ୍ତୁତ କରି ଦେଇଛି। ବାଘୁଆ ଗଣ୍ଡାଙ୍କର ପରିବାର ସଦସ୍ୟ କେହି ନାହାନ୍ତି ଓ ସେ ନିଃସନ୍ତାନ ବୋଲି ଦର୍ଶାଇ ଟଙ୍କ ହରପାଲ ଆର୍ ଆଇ କାର୍ଯ୍ୟାଳୟ ଓ ତହସିଲ କାର୍ଯ୍ୟାଳୟ ର କିଛି ଅଧିକାରୀ ଙ୍କ ସହ ମିଶି ବିଭିନ୍ନ ଜାଲିଆତି କାଗଜ ପତ୍ର ତିଆରି କରି ବିକ୍ରି କରିଥିବା ପ୍ରକୃତ ଜମି ମାଲିକ ଙ୍କ ପୁଅ ଅଭିଯୋଗ କରିଛନ୍ତି। ଏହି ଘଟଣା ର ସମାଧାନ କରି ନିଜ ଜମି ଫେରି ପାଇବାକୁ ନେଇ ଓ ଜାଲିଆତି କାର୍ଯ୍ୟ ରେ ସାମିଲ୍ ଥିବା ବ୍ୟକ୍ତି ମାନଙ୍କ ବିରୋଧ ରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ବୈକୁଣ୍ଠ ସୁନା ଆଜି ଟିଟିଲାଗଡ ଉପ ଜିଲ୍ଲାପାଳ ଶ୍ରୀ ସୋମେଶ ଉପାଧ୍ୟାୟ ଙ୍କ ନିକଟେ ଏକ ଦାବିପତ୍ର ଦେଇ ଦୃଷ୍ଟି ଆକର୍ଷଣ କରିଛନ୍ତି। ଉପଜିଲ୍ଲାପାଳ ତଦନ୍ତ କରି ଶୀଘ୍ର ସମାଧାନ କରିବାକୁ ଆଶ୍ୱାସନା ଦେଇଥିବା କହିଛନ୍ତି।