ହେଡଲାଇନସ୍:

ଭାଇଜିଉନ୍ତିଆ ଓଷା ପାଇଁ ଜିଲ୍ଲା ଉତ୍ସବମୁଖର  

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ସୁନ୍ଦରଗଡ଼/ହୋରାଚାନ୍ଦ ଦେଉରିଆ- କରୋନାର କଠିନ ପରିସ୍ଥିତି ମଧ୍ୟରେ ବି ଭାଇଜିଉଁନ୍ତିଆ ଓଷା ପାଇଁ ଆଜି ସୁନ୍ଦରଗଡ଼ ଜିଲ୍ଲା ଉତ୍ସବମୁଖର ହୋଇଯାଇଥବାର ଦୃଷ୍ଟିଗୋଚର ହୋଇଛି | ଜିଲ୍ଲାର ପ୍ରାୟ ଘରେ ଘରେ ଆଜି ଭାଇଜିଉନ୍ତିଆ ଓଷା ପାଳନ  ହୋଇଯାଇଛି । ଏହି ଓଷାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଭଉଣୀମାନେ ଭାଇର ମଙ୍ଗଳ ମନାସି ଦୁର୍ଗାଷ୍ଟମୀ ଦିନ ନିର୍ଜଳା ଉପବାସ ରହିଥାନ୍ତି । ସନ୍ଧ୍ୟା ସାତଟାରୁ ଆରମ୍ଭ ହୋଇଥାଏ ଭାଇଜିଉନ୍ତିଆ ପୂଜା ପର୍ବ । ପ୍ରାୟତଃ ଗ୍ରାମରେ ଗୋଟିଏ ସ୍ଥାନରେ ହେଉ ବା ଦେବୀ ମନ୍ଦିର ସମ୍ମୁଖରେ ଏହା ପାଳନ କରାଯାଇଥାଏ । ଯେଉଁଠାରେ ମନ୍ଦିର ନଥାଏ, ସେଠାରେ କୋଠି ବା ପୂଜା ମଣ୍ଡପ ନିର୍ମାଣ କରାଯାଇଥାଏ । ଚାରିଟି ଖୁଣ୍ଟ ପୋତି ନୂଆ ଚାନ୍ଦୁଆ ଓ ଆମ୍ବ ତୋରଣ କରି ନୁଆ ବସ୍ତ୍ର ପକାଇ ତା’ଉପରେ ମା’ ଦୁର୍ଗାଙ୍କ ଫଟୋ ରଖି ପୂଜା କରିଥାନ୍ତି ବ୍ରତଧାରି ମା’ ଓ ଭଉଣୀମାନେ । ତାପରେ ଭାଇଘର ଦେଇଥିବା ନୁତନ ଶାଢ଼ୀ ପରିଧାନ କରି ଏହି ବ୍ରତ କରି ବ୍ରାହ୍ମଣଙ୍କ ଠାରୁ ଭାଇଜିଉନ୍ତିଆ ଓଷାର ମାହାତ୍ମ୍ୟ କଥା ଶୁଣିଥାନ୍ତି । ୧୦୮ ଦୁବକୁ ଏକ ଶାଳ ପତ୍ରରେ ବିଡ଼ା ବାନ୍ଧି ତା’ପରେ ଜିଉନ୍ତିଆକୁ ବାନ୍ଧିଥାଆନ୍ତି । ତାକୁ ଓଷା ସମୟରେ ପ୍ରଥମେ ମା’ ଦୁର୍ଗାଙ୍କୁ ଏହି ଦୁବ ଅର୍ପଣ କରିଯାଇଥାଏ | ତାପରେ ଭାଇର ମଙ୍ଗଳ କାମନା କରିବା ସହିତ ୧୦୮ ବର୍ଷର ଆୟୁଷ ମାଗିଥାନ୍ତି ଭଉଣୀମାନେ । ଏଥିରେ ଦଶ ପ୍ରକାର ଫୁଲ ଓ ଦଶ ପ୍ରକାର ଫଳ ଅର୍ପଣ କରିଥାନ୍ତି ମା’ ଦୁର୍ଗାଙ୍କୁ । ଏଥିରେ ବିଶେଷ ଭାବରେ କଖାରୁ ଫୁଲକୁ ଗୁରୁତ୍ବ ଦିଆଯାଇଥାଏ। ପୁରାଣରେ ଲେଖା ଅଛି ପ୍ରଭୁ ଶ୍ରୀରାମଚନ୍ଦ୍ର ମହାନବମୀ ତିଥିରେ ଏକଲକ୍ଷ ଆଠ ପଦ୍ମଫୁଲ ମା’ ଦୁର୍ଗାଙ୍କୁ ଅର୍ପଣ କରି ବର ପାଇ ଦଶହରା ଦିନ ରାବଣ ବଧ କରିଥିଲେ । ଯେଉଁମାନେ ଏକ ଲକ୍ଷ ଆଠ ପଦ୍ମଫୁଲ ପାଇବେ ନାହିଁ, ସେମାନେ ମହାଷ୍ଟମୀ ଦିନ ଗୋଟିଏ କଖାରୁ ଫୁଲ ମା’ଙ୍କୁ ଅର୍ପଣ କଲେ ଏହି ଫଳ ପ୍ରାପ୍ତି ହୋଇଥାଏ । ଏହାସହିତ ସୀତାଫଳକୁ ମା’ଙ୍କୁ ଅର୍ପଣ କରାଯାଏ । ଏହି ଓଷା ସରିଲା ପରେ ସମସ୍ତ ଓଷାଇତିମାନେ ନଦୀ ବା ନାଳକୁ ଯାଇ କାଠି ଗାଡ଼ି ଚଣା ଗିଳିଥାନ୍ତି । ସେଠାରୁ ଫେରିବା ପରେ ଘରେ ଜାଗର ଜାଳି ସେହି ଦୁବକୁ ଭାଇର ମୁଣ୍ଡରେ ସାତ ଥର ଛୁଆଁଇ ଭାଇର ମଙ୍ଗଳ କାମନା କରିଥାନ୍ତି । ଏହାସହିତ ଭଉଣୀମାନେ ଭାଇକୁ ଖାଇବାପାଇଁ କିଛି ମିଷ୍ଟାନ୍ନ ଦେଇଥାନ୍ତି । ତା’ଛଡ଼ା କିଛି ନୁଆ ବସ୍ତ୍ର ଦେଇଥାନ୍ତି । ଏହାପରେ ଏହି ବ୍ରତ ପାଳନ ସମ୍ପୂର୍ଣ୍ଣ ହୋଇଥାଏ । ଏହା ଆଦିବାସୀ ବହୁଳ ସୁନ୍ଦରଗଡ଼ ଜିଲ୍ଲାର ଘରେ ଘରେ ପାଳନ କରାଯାଇଥାଏ।

0
0
0
s2sdefault