ଜିଲ୍ଲା ମୂଖ୍ୟ ଚିକିତ୍ସାଳୟ ସମ୍ମୁଖରେ ଗର୍ଭବତୀ ଛଟପଟ ହୋଇ ପଡ଼ି ରହିଲେ ୩ ଘଣ୍ଟା।
ଝାରସୁଗୁଡ଼ା :(ସୁଭାଷ ସହାରେ) :ଖୋଦ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ବିଧାନସଭା ନିର୍ବାଚନ ମଣ୍ଡଳୀର ମୂଖ୍ୟ ଚିକିତ୍ସାଳୟରେ ବାରମ୍ବାର ଅବହେଳାର ଗୋଟିଏ ପରେ ଗୋଟିଏ ଉଦାହରଣ ଦେଖିବାକୁ ମିଳୁଛି। ମାତ୍ର ବେଦାନ୍ତ ଓ ନିଜ ପରିବାରର ସ୍ବାର୍ଥ ବ୍ୟତୀତ ଅନ୍ୟ କୌଣସି ଚିନ୍ତା ଯେପରି ସ୍ବାସ୍ଥ୍ୟମନ୍ତ୍ରୀ କରୁନାହାଁନ୍ତି। ଅନ୍ୟପକ୍ଷରେ କୋଭିଡ ଯୋଦ୍ଧା ଭାବରେ ସମ୍ମାନିତ ହେଉଥିବା ଚିକିତ୍ସକମାନଙ୍କୁ କୋରୋନା ଭୟ ଏପରି ଘାରିଛି ଯେ, ଏଠାରେ ଗର୍ଭକଷ୍ଟରେ ଛଟପଟ ହେଉଥିବା ମହିଳାମାନଙ୍କୁ ଘଣ୍ଟା ଘଣ୍ଟା ହସ୍ପିଟାଲ ବାହାରେ ପଡ଼ି ରହିବାକୁ ପଡ଼ୁଛି ।
ସୂଚନାନୁସାରେ, ଝାରସୁଗୁଡ଼ା ବନ୍ଧବାହାଲ ଅଞ୍ଚଳର ଜଣେ ଗର୍ଭବତୀ ମହିଳା ପ୍ରିତି କୁମରଙ୍କୁ ତାଙ୍କ ବାପା ରାଜେଶ ସୁନା ଓ ମା' ୧୦୮ ଆମ୍ବୁଲାନ୍ସ ଦ୍ବାରା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇ ଆସିଥିଲେ। ସେତେବେଳେ ଡାକ୍ତରଖାନାର ମୂଖ୍ୟ ଗେଟ୍ ବନ୍ଦ ରହିଥିଲା। ମାତ୍ର ଝିଅର କଷ୍ଟକୁ ସହି ନ ପାରି ବାପାମା' ଝିଅକୁ ତୁରନ୍ତ ଭର୍ତ୍ତି କରିବା ପାଇଁ କାକୁତି ମିନତି କରିଥିଲେ। ପ୍ରସବ ବେଦନା ଅସହ୍ୟ ହେବାରୁ ଗର୍ଭବତୀ ମହିଳା ଚିକିତ୍ସାଳୟ ସମ୍ମୁଖରେ ପଡ଼ି ଦୀର୍ଘ ତିନି ଘଣ୍ଟା ଧରି ଛଟପଟ ହେଲେ। ମାତ୍ର କୋରୋନା ଭୟରେ ହସ୍ପିଟାଲ ପକ୍ଷରୁ କୌଣସି ପ୍ରସବ ବେଦନାରେ କଷ୍ଟ ପାଉଥିବା ମହିଳାଙ୍କ ଚିକିତ୍ସାର କୌଣସି ବ୍ୟବସ୍ଥା କରା ଯାଇନଥିଲା। ଏ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ କରିଛି। କୋରୋନା ଭୟରେ ଯଦି ନିଜେ କୋରୋନା ଯୋଦ୍ଧା ରୋଗୀଙ୍କ ଏପରି ଅବହେଳା କରିବେ ତେବେ ସାଧାରଣ ଜନତାଙ୍କ ପାଇଁ ମୃତ୍ୟୁ ଅନିବାର୍ଯ୍ୟ ବୋଲି ଲୋକ ଆଲୋଚନା କରୁଛନ୍ତି।