ଝାରସୁଗୁଡ଼ା : (ସୁଭାଷ ସହାରେ )-ବହୁ ପ୍ରତିକ୍ଷିତ ଓ ଦୀର୍ଘ ଦିନରୁ ଦାବି ହୋଇ ଆସୁଥିବା RTPCR ଟେଷ୍ଟ ବର୍ତ୍ତମାନ ଝାରସୁଗୁଡ଼ାରେ ହୋଇପାରିବ। ଏଥିପାଇଁ ପୂର୍ବରୁ ପଶ୍ଚିମ ଓଡ଼ିଶାର ଲୋକଙ୍କୁ ଭୁବନେଶ୍ବର ଉପରେ ନିର୍ଭର କରିବାକୁ ପଡ଼ୁଥିଲା। ଏ ନେଇ ଝାରସୁଗୁଡ଼ା ଜିଲ୍ଲାପାଳ ଟ୍ବିଟ୍ କରି ମଧ୍ୟ ଜଣାଇଛନ୍ତି।
ସୂଚନାଯୋଗ୍ୟ ଯେ କୋରୋନା ସଂକ୍ରମଣ ବିଷୟରେ ନିଶ୍ଚିତ ହେବାକୁ ସ୍ବାବ ନମୂନା ପ୍ରଥମେ ଭୁବନେଶ୍ବରକୁ ପଠାଯାଉଥିଲା।ଏହାର ଫଳାଫଳ ପାଇଁ ଲୋକଙ୍କୁ ପ୍ରାୟ ତିନି ଚାରି ଦିନ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ୁଥିଲା। ଲୋକ ମାନସିକ ଦୁଶ୍ଚିନ୍ତାର ଶୀକାର ହେବା ସହ ଗୁରୁତର ଥିବା ରୋଗୀଙ୍କ ସମସ୍ୟା ଅନେକାଂଶରେ ବୃଦ୍ଧି ପାଉଥିଲା। ମାତ୍ର ବର୍ତ୍ତମାନ ଝାରସୁଗୁଡ଼ାରେ ଏହି ସ୍ବାବ ନମୂନାର ପରୀକ୍ଷା କାଲିଠାରୁ ଆରମ୍ଭ ହେବାକୁ ଯାଉଥିବାରୁ ଏହାର ଫଳାଫଳ ଲୋକଙ୍କ ପାଖକୁ ପୂର୍ବ ଅପେକ୍ଷା ଶୀଘ୍ର ପହଞ୍ଚି ପାରିବ।
ପଶ୍ଚିମ ଓଡ଼ିଶାରେ ସ୍ବାବ ନମୂନା ପରୀକ୍ଷା କରିବା ପାଇଁ ବିଭିନ୍ନ ରାଜନୈତିକ ଦଳ ଓ ବ୍ୟକ୍ତି ଓଡ଼ିଶା ସରକାରଙ୍କ ଠାରେ ବାରମ୍ବାର ଦାବି ଜଣାଇ ଆସୁଥିଲେ। ରାଜ୍ୟ ବିଜେପି ସଂପାଦକ ଟଙ୍କଧର ତ୍ରିପାଠୀ ମୂଖ୍ୟମନ୍ତ୍ରୀଙ୍କୁ ପାଞ୍ଚମାସ ପୂର୍ବରୁ ଏକ ପତ୍ର ଲେଖି ମଧ୍ୟ ଏଥିପାଇଁ ଦାବି କରୁଥିଲେ। ମାତ୍ର ବିଳମ୍ବରେ ହେଲେ ମଧ୍ୟ ଏହାଦ୍ବାରା ଜନସାଧାରଣ ଲାଭାନ୍ବିତ ହୋଇ ପାରିବେ ବୋଲି ଲୋକେ ଆଶା ପ୍ରକଟ କରିଛନ୍ତି।