-
ସମୟୋଚିତ ସଂଶୋଧନ ପାଇଁ ମୁଖ୍ୟମନ୍ତ୍ରୀ ଓ ଉଚ୍ଚଶିକ୍ଷାମନ୍ତ୍ରୀଙ୍କୁ ଜଣାଇଲେ କୃତଜ୍ଞତା
-
ନିଯୁକ୍ତି ପ୍ରକ୍ରିୟାରେ ଆସିବା ସ୍ୱଚ୍ଛତା, ପ୍ରିୟାପ୍ରୀତୀତୋଷଣ ଓ ଫେଭରେଟିଜିମ ହ୍ରାସ ପାଇବ
-
ଅଧ୍ୟାପକ ଚୟନ ଲିଖିତ ପରୀକ୍ଷା ମାଧ୍ୟମରେ କରାଇବାକୁ ସଂଘର ଦୃଢ ଦାବି
ଭୁବନେଶ୍ୱର (ଶାସକ ପ୍ରଶାସକ) : ଓଡ଼ିଶା ବିଧାନସଭାରେ ସଦ୍ୟ ପାରିତ ଓଡ଼ିଶା ବିଶ୍ୱବିଦ୍ୟାଳୟ ସଂଶୋଧନ ଆଇନ ୨୦୨୦ ଏକ ଐତିହାସିକ ଅନନ୍ୟ ସମୟୋଚିତ ଏବଂ ଛାତ୍ର ସପକ୍ଷବାଦୀ ଆଇନ । ସେଥିପାଇଁ ଓଡ଼ିଶା ରିସର୍ଚ୍ଚ ସ୍କୁଲାର ଆସୋସିଏସନ୍ କର୍ମକର୍ତ୍ତାଗଣ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁଙ୍କୁ ଅଭିନନ୍ଦନ ଓ କୃତଜ୍ଞନ୍ତ ଜ୍ଞାପନ କରିଛନ୍ତି । ଏହି ଆଇନ ରାଜ୍ୟର ଅନେକ ଗରିବ ଓ ମେଧାବୀ ଛାତ୍ରଛାତ୍ରୀ ମାନଙ୍କର ସ୍ୱପ୍ନ ଦେଖିବାକୁ ସାହସ ଯୋଗାଇବ ବୋଲି ଆସୋସିଏସନ ତରଫରୁ ମତପୋଷଣ କରାଯାଇଛି ।
ଏଠାରେ କହିବା ବାହୁଲ୍ୟ ଯେ, ସର୍ବଭାରତୀୟ ସ୍ତରରେ ବିଶ୍ୱବିଦ୍ୟାଳୟ ମାନଙ୍କର ରାଙ୍କୀଙ୍ଗରେ ଓଡ଼ିଶାର ବିଶ୍ୱବିଦ୍ୟାଳୟ ମାନଙ୍କରେ ପ୍ରଦର୍ଶନ ନିଶ୍ଚୟ ଭାବରେ କ୍ୟାମ୍ପସରେ ଶୈକ୍ଷିକ ବାତାବରଣର ଅବକ୍ଷୟ ଓ ନିମ୍ନଗାମୀ ଗବେଷଣାକୁ ଦାୟୀ କରୁଛି । ଏଥିପାଇଁ ବିଶ୍ୱବିଦ୍ୟାଳୟମାନଙ୍କରେ ଦୁର୍ବଳ ପରିଚାଳନା ବ୍ୟବସ୍ଥା ଓ ସରକାର ଓ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଭିତରେ ଉତ୍ତମ ସମନ୍ୱୟର ଅଭାବ ଓ ସର୍ବୋପରି କୁଳପତି ଅପାରଦର୍ଶିତା ଓ ଦୂରଦୃଷ୍ଟିର ଅଭାବ ରାଜ୍ୟର ବିଶ୍ୱବିଦ୍ୟାଳୟ ମାନଙ୍କର ଗୌରବ କ୍ଷୁର୍ଣ୍ଣ କରିଛି । ବିଶ୍ୱବିଦ୍ୟାଳୟର ଗରିମା ଏବଂ ପାରଦର୍ଶିତା ମୁଖ୍ୟତଃ ଉତ୍ସର୍ଗୀକୃତ ଅଧ୍ୟାପକ ଅଧ୍ୟାପିକାମାନଙ୍କ ଉପରେ ନିର୍ଭର କରୁଥିଲେ ମଧ୍ୟ ଓଡ଼ିଶାରେ ବିଶ୍ୱବିଦ୍ୟାଳୟ ନିଯୁକ୍ତିରେ ଗୋଟିଏ ପରେ ଗୋଟିଏ କଳଙ୍କିତ ଅଧ୍ୟାୟ ତଥା ପ୍ରିୟାପ୍ରୀତୀ ତୋଷଣ ପରିପ୍ରେକ୍ଷୀରେ ଦୀର୍ଘ ୩୦ବର୍ଷ ପୁରୁଣା ବିଶ୍ୱବିଦ୍ୟାଳୟ ଆଇନର ସଂଶୋଧନର ଆବଶ୍ୟକତା ଅପରିହାର୍ଯ୍ୟ ହୋଇପଡିଥିଲା ।
କିଛି ନ୍ୟସ୍ତ ସ୍ୱାର୍ଥ ବ୍ୟକ୍ତିମାନଙ୍କ ବିରୋଧ ତଥା ବ୍ୟକ୍ତିଗତ ଓ ରାଜନୈତିକ ଉଦ୍ଦେଶ୍ୟମୂଳକ ସମାଲୋଚନା ସତ୍ତ୍ୱେ ଦୀର୍ଘ ୩୦ବର୍ଷ ପରେ ଏହି ଆଇନର ସଂଶୋଧନ ହୋଇଥିବାରୁ ଏହାକୁ ଓଡ଼ିଶାର ସମସ୍ତ ଛାତ୍ର ସମାଜ ଅକୁଣ୍ଠିତ ସମର୍ଥନ ଜଣାଇଛନ୍ତି ।ଏହି ଆଇନ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ସ୍ୱାୟତତାକୁ ତିଳେ ମାତ୍ର ଆଞ୍ଚ ନ ଆଣି ଦାୟିତ୍ୱବୋଧତା ବା ଉତ୍ତର ଦାୟିତ୍ୱ ବଢାଇବ ବୋଲି ଛାତ୍ରମାନେ ଆଶାବ୍ୟକ୍ତ କରିଛନ୍ତି । ବର୍ଷ ବର୍ଷ ଧରି ବିଶ୍ୱବିଦ୍ୟାଳୟ ନିଯୁକ୍ତିରେ ଚାଲି ଆସିଥିବା ବଂଶବାଦ ବା ନେପୋଟିଜମ୍ ଏବଂ ପକ୍ଷପାତିତା ବା ଫେବରଟିଜିମ ସର୍ବୋପରି ପ୍ରିୟାପ୍ରୀତୀତୋଷଣର ଅବସାନ ଘଟାଇବା ସହ ନିଯୁକ୍ତିରେ ନିରପେକ୍ଷତା ରକ୍ଷା କରାଯାଇପାରିବ | ରାଜ୍ୟ ସରକାରଙ୍କ ଏହି ସମୟୋପଜୋଗୀ ତଥା ମହତ୍ୱାକାଂକ୍ଷୀ ସଂଶୋଧନ ସମସ୍ତ ଆଶାୟୀ ଛାତ୍ରଛାତ୍ରୀମାନଙ୍କ ମନରେ ବିଶ୍ୱ ବିଦ୍ୟାଳୟମାନଙ୍କରେ ନିଯୁକ୍ତିର ସୁଯୋଗ ଏକ ନୂତନ ଆଶା ସଞ୍ଚାର କରିଛି । ଏହି ଆଇନ ବିଶ୍ୱବିଦ୍ୟାଳୟମାନଙ୍କର ଏକଛତ୍ରବାଦ ନୀତିର ଅନ୍ତ ଘଟାଇବ ।
ଏହି ସଂଶୋଧିତ ଆଇନ ବଳରେ ଚୟନ ପ୍ରକ୍ରିୟା ଓ ନିଯୁକ୍ତିରେ ସ୍ୱଚ୍ଛତା ଆଣିବା ସହିତ ବହୁ ଗରିବ ଓ ମେଧାବୀ ଆଶାୟୀଙ୍କ ପ୍ରତି ହୋଇ ଆସୁଥିବା ଅବିଚାରରେ ଅନ୍ତ ଘଟିବ । ତତ୍ ସହିତ ଓଡ଼ିଶା ଲୋକସେବା ଆୟୋଗର ପାରଦର୍ଶୀ ଓ ଦକ୍ଷଚୟନ ମଣ୍ଡଳୀ ଦ୍ୱାରା ନିରପେକ୍ଷ ଭାବରେ ପ୍ରାର୍ଥୀ ଚୟନ ହେବା ସହ ଏକ ସୁସ୍ଥ ପ୍ରତିଯୋଗିତାର ବାତାବରଣ ସୃଷ୍ଟି କରିବ । ହେଲେ ଅଧ୍ୟାପକ ଚୟନ ଲିଖିତ ପରୀକ୍ଷା ମାଧ୍ୟମରେ କରାଯାଉ ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ନିକଟରେ ଓଡ଼ିଶା ରିସର୍ଚ୍ଚ ସ୍କଲାର ଆସୋସିଏସନ ଦାବି ଜଣାଇଛି ।