ଭୁବନେଶ୍ୱର/ସମ୍ବଲପୁର (ରମାକାନ୍ତ ବିଶ୍ବାଳ )- ବିଗତ ଛଅ ମାସ ରୁ ଉର୍ଦ୍ଧ୍ବ ସମୟ ଧରି ଚାଲିଛି ବିଶ୍ୱମହାମରି କରୋନା ର ତାଣ୍ଡବଲୀଳା । ସମଗ୍ର ବିଶ୍ୱ ସଙ୍ଗେ ସଙ୍ଗେ ଭାରତ ର ମଧ୍ୟ ଦୋହଲି ଯାଇଛି ଆର୍ଥିକ ମେରୁଦଣ୍ଡ । କେନ୍ଦ୍ର ସରକାର କରୋନା ଲଢେଇ ପାଇଁ ଖର୍ଚ୍ଚ କରୁଛନ୍ତି ହଜାର ହଜାର ଲକ୍ଷ ଲକ୍ଷ କୋଟି ଟଙ୍କା । କରୋନା ମୁକାବିଲା ପାଇଁ ରାଜ୍ୟ ମାନଙ୍କ ପାଇଁ ଖୋଲି ଦେଇଛନ୍ତି ଜାତୀୟ ରାଜକୋଷ ଓ ଜାତୀୟ ରାଜକୋଷ କୁ ହରିଲୁଟ କରିବାରେ ବର୍ତ୍ତି ନାହିଁ ଆମ ରାଜ୍ୟ ଓଡିଶା ।
ରାଜ୍ୟ ରେ ଚାଲୁଥିବା ସ୍ଥାଣୁ, ଅପାରଗ, ଦୁର୍ନୀତିଗ୍ରସ୍ତ, ଭ୍ରଷ୍ଟାଚାରି ସରକାର ର କରୋନା ପରିଚାଳନା କୁ ବିଭିନ୍ନ ସମୟରେ ନେଇ ଆସୁଛି ମାରାତ୍ମକ ଅଭିଯୋଗ । ତା ଉପରେ ପୁଣି କରୋନା ର ଆର୍ଥିକ ପ୍ୟାକେଜ କୁ ନେଇ ଚାଲିଛି ଭ୍ରଷ୍ଟାଚାର, ଦୁର୍ନୀତି ଉପରେ ମହାଦୁର୍ନୀତି । କରୋନା ସଂକ୍ରମଣ ଓ ମୃତ୍ୟୁ ର ସରକାରୀ ଓ ବେସରକାରୀ ହିସାବ ରେ ରହୁ ନାହିଁ କୌଣସି ପ୍ରକାର ତାଳମେଳ ଓ ସରକାର ଙ୍କ ପାଖରେ ନାହିଁ ଏହାର କୌଣସି ଠୋସ ଓ ପକ୍କା ହିସାବ । ଏହାର ପ୍ରମାଣ ମିଳିଛି ଆଜି ଓଡିଶା ବିଧାନସଭା ରେ ମାନ୍ୟବର ସ୍ୱାସ୍ଥ୍ୟ ମନ୍ତ୍ରୀ ଙ୍କ ଉତ୍ତରରୁ । ନିୟମ ଅନୁଯାୟୀ ଗତ ୧୫ ଦିନ ପୂର୍ବରୁ ରେଙ୍ଗାଲି ବିଧାୟକ ନାଉରି ନାଏକ ଙ୍କ ଏକ ଅଣତାରକା ପ୍ରଶ୍ନ ର ଉତ୍ତର ରେ ଆଜି ମାନ୍ୟବର ସ୍ୱାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସ ଙ୍କ ଉତ୍ତର ଯେତିକି ଚିନ୍ତାଜନକ ସେତିକି ସନ୍ଦେହଜନକ ମଧ୍ୟ ।
ପ୍ରଯୁକ୍ତି ବିଜ୍ଞାନ ଓ ଡିଜିଟାଲ କାର୍ଯ୍ୟଶୈଳୀ ଯୋଗୁଁ ଦୁନିଆଁ କେଉଁଠି ଯାଇ କେଉଁଠି ପହଞ୍ଚିଲାଣି । କ୍ଷଣିକ ଭିତରେ କମ୍ପ୍ୟୁଟର ମାଧ୍ୟମରେ କରାଯାଉଛି ଅନେକ ପ୍ରକାର ତଥ୍ୟ ସଂଗ୍ରକ୍ଷଣ ଓ ସଂଗ୍ରହ । ବିଶେଷ କରି ସରକାରୀ ବିଭାଗରେ କୋଟି କୋଟି ଟଙ୍କା ବ୍ୟୟ କରି ସ୍ଥାପିତ କରାଯାଉଛି ଅତ୍ୟାଧୁନିକ କମ୍ପୁଟର ଓ କୋଟି କୋଟି ଟଙ୍କାର ଦରମା ଦେଇ ରଖାଯାଉଛି କର୍ମଚାରୀ । ହେଲେ ଫଳ ଦେଖିଲା ବେଳକୁ ବହୁ ଆଡମ୍ବରେ ଲଘୁ କ୍ରିୟା ସଦୃଶ ।
ରେଙ୍ଗାଲି ବିଧାୟକ ଶ୍ରୀଯୁକ୍ତ ନାଉରି ନାଏକ ଙ୍କ ଦ୍ଵାରା ପ୍ରଶ୍ନ ପଚାରିବାର ଦୀର୍ଘ ୧୫ ଦିନ ସମୟ ପରେ ମଧ୍ୟ କେବଳ ସମ୍ବଲପୁର ଜିଲ୍ଲା ର କରୋନା ସମ୍ପର୍କିତ ସାମାନ୍ୟ ମାତ୍ର ୫ ଟି ପ୍ରଶ୍ନ ର ଉତ୍ତର ଦେବାରେ ମଧ୍ୟ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ବିଫଳ ହୋଇଛି ।
ସରକାର ଙ୍କର ଏଭଳି କାର୍ଯ୍ୟକଳାପ ସାଧାରଣ ରେ ସରକାର ଙ୍କ ପ୍ରତି ରହିଥିବା ସନ୍ଦେହ ଓ ଅଭିଯୋଗ କୁ ଆହୁରି ଦୃଢ଼ୀଭୂତ କରିବ ବୋଲି ବିଧାୟକ ଚିନ୍ତା ପ୍ରକଟ କରିଛନ୍ତି ।
ଗଣତନ୍ତ୍ର ର ମନ୍ଦିର ବିଧାନସଭା ସଭାରେ ଯଦି ଜଣେ ବିଧାୟକ ଙ୍କ ସାମାନ୍ୟ ପ୍ରଶ୍ନ ର ଉତ୍ତର ଦେବାରେ ସରକାର ସକ୍ଷମ ନୁହନ୍ତି ତାହେଲେ ବାକି ମାନଙ୍କ କଥା କିଏ ପଚାରେ ବୋଲି କ୍ଷେତ୍ରିୟ ପ୍ରବକ୍ତା ତଥା ଗଣମାଧ୍ୟମ ସଂଯୋଜକ ମାନସ ରଞ୍ଜନ ବକ୍ସି ପ୍ରଶ୍ନ କରିଛନ୍ତି ।