ହେଡଲାଇନସ୍:

ଏଣିକି ଆଉ ଗୁପଚୁପ ବିକିବା ପାଇଁ ପଡିବନି ମେଧାବୀ ଛାତ୍ର ରାହୁଲଙ୍କୁ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ସହାୟତାର ହାତ ବଢ଼ାଇଲେ ଅଚ୍ୟୁତ,  କିଟ୍ ରେ ପଢିବେ ଆନନ୍ଦପୁରର ଗରିବ ମେଧାବୀ ଛାତ୍ର ରାହୁଳ

ଭୁବନେଶ୍ୱର (ଶାସକ ପ୍ରଶାସକ) :ଏଣିକି ଆଉ ଗୁପଚୁପ ବିକିବା ପାଇଁ ପଡିବ ନାହିଁ ଆନନ୍ଦପୁରର ମେଧାବୀ ଛାତ୍ର ରାହୁଳ ମହତଙ୍କୁ। କିଟ୍ ବିଶ୍ୱବିଦ୍ୟାଳୟରେ ଉଚ୍ଚ ବୈଷୟିକ ଶିକ୍ଷା ପାଇବା ପାଇଁ ସହାୟତାର ହାତ ବଢାଇଛି କିସ ଫାଉଣ୍ଡେସନ। କେନ୍ଦୁଝର ଜିଲ୍ଲା ଆନନ୍ଦପୁର ପୌର ପରିଷଦର ଗରିବ ମେଧାବୀ ଛାତ୍ର ରାହୁଲଙ୍କ ସଂଘର୍ଷମୟ ଜୀବନ ବିଷୟରେ ଗଣମାଧ୍ୟମରେ ପ୍ରସାରଣ ହେବା ପରେ ଏହା କିସ ଫାଉଣ୍ଡେସନର ପ୍ରତିଷ୍ଠାତା ତଥା କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତଙ୍କ ଦୃଷ୍ଟିକୁ ଆସିଥିଲା। ରାହୁଳଙ୍କ ସମ୍ପର୍କରେ ଜାଣିବା ପରେ ତୁରନ୍ତ ଶ୍ରୀ ସାମନ୍ତ ରାହୁଳଙ୍କ ପରିବାର ସହ ନିଜ କର୍ମଚାରୀଙ୍କ ଜରିଆରେ ଯୋଗାଯୋଗ କରିଥିଲେ ଏବଂ ତାଙ୍କୁ କିଟ୍ ବିଶ୍ୱବିଦ୍ୟାଳୟରେ ବିନା ଦେୟରେ ମେକାନିକାଲ ଇଂଜିନିୟରିଂ ପଢାଯିବାର ବ୍ୟବସ୍ଥା କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ଏହା ସହ ଭବିଷ୍ୟତରେ ନିଯୁକ୍ତି ମଧ୍ୟ ସୁନିଶ୍ଚିତ କରିବା ପାଇଁ ଶ୍ରୀ ସାମନ୍ତ ଘୋଷଣା କରିଛନ୍ତି। ମେକାନିକାଲ ଇଞ୍ଜିନିୟରିଂ ପଢିବା ପାଇଁ ରାହୁଳଙ୍କର ଇଚ୍ଛା ଥିବାରୁ ଶ୍ରୀ ସାମନ୍ତ ତାଙ୍କ ଇଚ୍ଛା ପୂରଣ କରିଛନ୍ତି। ଚଳିତ ବର୍ଷ +୨ ପରୀକ୍ଷାରେ ୮୭ ପ୍ରତିଶତ ନମ୍ବର ରଖି ପାସ କରିଛନ୍ତି ରାହୁଳ। ପିତାଙ୍କ ଦେହାନ୍ତ ପରେ ଦାରିଦ୍ର୍ୟ ଯୋଗୁଁ ତାଙ୍କ ପାଠ ପଢାରେ ଡୋରୀ ବନ୍ଧା ହୋଇଥିଲା ଓ ପରିବାର ପ୍ରତିପୋଷଣ ପାଇଁ ସେ ଗୁପଚୁପ ବ୍ୟବସାୟ କରିବାକୁ ବାଧ୍ୟ ହୋଇଥିଲେ। କୌଣସି ପିଲା ଅର୍ଥ ଅଭାବରୁ କିମ୍ବା ଅନ୍ୟ କୌଣସି କାରଣରୁ ଶିକ୍ଷାରୁ ଯେଭଳି ବଞ୍ଚିତ ନ ହୁଏ ସେଥିପାଇଁ କିସ ଫାଉଣ୍ଡେସନ ସର୍ବଦା ଯତ୍ନଶୀଳ ରହି ଆସିଛି ବୋଲି ଶ୍ରୀ ସାମନ୍ତ କହି ଆସିଛନ୍ତି। ଅସମୟରେ ଏହି ସହଯୋଗ ପାଇଁ ରାହୁଳ ଓ ତାଙ୍କ ପରିବାର କିସ୍ ଫାଉଣ୍ଡେସନ ତଥା ସାଂସଦ ଶ୍ରୀ ସାମନ୍ତଙ୍କୁ କୃତଜ୍ଞତା ଜଣାଇଥିବା ବେଳେ ଏଭଳି କାର୍ଯ୍ୟକୁ ସ୍ଥାନୀୟ ଅଞ୍ଚଳରେ ଭୂୟସୀ ପ୍ରଶଂସା କରାଯାଇଛି।

0
0
0
s2sdefault