ସମ୍ବଲପୁର(ରମାକାନ୍ତ ବିଶ୍ବାଳ )- ପବିତ୍ର ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ଅବସରରେ ଆଜି ଭାରତୀୟ ସାମ୍ବାଦିକ ସଂଘର ଆହ୍ବାନ କ୍ରମେ ଓଡିଶା ସାମ୍ବାଦିକ ସଂଘ (ଓଜେୟୁ) ସମ୍ବଲପୁର ଶାଖା ପକ୍ଷରୁ ସାମ୍ବାଦିକ ମାନଙ୍କ ବିଭିନ୍ନ ସମସ୍ୟା ଓ ତାର ସମାଧାନ ଦାବୀ ରେ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ଙ୍କୁ ଜ଼ିଲ୍ଲାପାଳ ଙ୍କ ଜରିଆ ରେ ଦାବୀ ପତ୍ର ପ୍ରଦାନ ପୂର୍ବକ "ପ୍ରତିବାଦ ଦିବସ" ପାଳିତ ହୋଇଥିଲା l କରୋନା କଟକଣା ସାମଜିକ ଦୂରତ୍ୱ ଅବଲମ୍ବନ ପୂର୍ବକ ସ୍ଥାନୀୟ ଜ଼ିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ଭୁଖରେ ଦିବା ୧୧ ଘଟିକା ସମୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ସାମ୍ବାଦିକ ମାନେ ଏକତ୍ରିତ ହୋଇ କେନ୍ଦ୍ର ସରକାର ଓ ରାଜ୍ୟ ସରକାର ସାମ୍ବାଦିକ ମାନଙ୍କ ପ୍ରତି ଅବହେଳା ପ୍ରଦର୍ଶନ କରୁଥିବା ଅଭିଯୋଗ କରିଥିଲେ l ଓଡିଶା ସାମ୍ବାଦିକ ସଂଘ (ଓଜେୟୁ) ସମ୍ବଲପୁର ଶାଖା ସଭାପତି ରମାକାନ୍ତ ବିଶ୍ୱାଳ ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ବରିଷ୍ଠ ସାମ୍ବାଦିକ ପ୍ରମୋଦ ପଟ୍ଟନାୟକ ଯୋଗଦାନ ପୂର୍ବକ ବାରମ୍ବାର ଦାବୀ ସତ୍ଵେ କରୋନା ଯୋଦ୍ଧା ସାମ୍ବାଦିକ ମାନଙ୍କ ଦାବୀ ଗୁଡିକ ଉପରେ ସରକାର କର୍ଣ୍ଣପାତ କରୁ ନ ଥିବା ଅଭିଯୋଗ କରି ମହାତ୍ମା ଗାନ୍ଧୀ ଙ୍କ ଅହିଂସା ର ବାର୍ତ୍ତା ବହ ସାମ୍ବାଦିକ ମାନେ ଆଜି ସବୁ କ୍ଷେତ୍ରରେ ଅବହେଳିତ ବୋଲି ପ୍ରକାଶ କରିଥିଲେ। ସେହିପରି ବରିଷ୍ଠ ସାମ୍ବାଦିକ ସୁଧାଂଶୁ ଶେଖର ମହାରଣା ସରକାରଙ୍କ ଦ୍ୱାରା ଗଠିତ ମାଝିଥିଆ କମିଶନଙ୍କ ପକ୍ଷରୁ କରାଯାଇଥିବା ସୁପାରିଶକୁ ସରକାର କାର୍ଯ୍ୟ କାରୀ କରୁନଥିବାରୁ ଏବଂ ଆଜି ପର୍ଯ୍ୟନ୍ତ ସାମ୍ବାଦିକ ମାନଙ୍କର ଚିହ୍ନଟ ପ୍ରକ୍ରିୟାକୁ ଶେଷ କରି ନ ଥିବାରୁ ସେ କ୍ଷୋଭ ପ୍ରକାଶ କରିଥିଲେ। ପ୍ରଧାନମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀଙ୍କୁ ଦିଆଯାଇଥିବା ଦାବୀ ପତ୍ରରେ ସରକାର ଘୋଷଣା କରିଥିବା କରୋନା ଯୋଦ୍ଧା ଭାବରେ କାର୍ଯ୍ୟରତ ସାମ୍ବାଦିକ ମୃତ୍ୟୁ ବରଣ କଲେ ତାଙ୍କ ପରିବାରକୁ ୫୦ ଲକ୍ଷ ଟଙ୍କା ସାହାଯ୍ୟ ଦେବା, ସାମ୍ବାଦିକ ମାନଙ୍କର ସ୍ବାସ୍ଥ୍ୟବିମା ରାଶି ୨ ଲକ୍ଷରୁ ୫ ଲକ୍ଷ ଟଙ୍କା ବୃଦ୍ଧି କରିବା, ସାମ୍ବାଦିକ ଓ ତାଙ୍କ ପରିବାରର ସଦସ୍ୟ ମାନଙ୍କୁ ଉଚ୍ଚ ମାନର ସ୍ବାସ୍ଥ୍ୟ ସେବା ପାଇଁ ସୁପର ସ୍ପେସାଲିଟି ହସପିଟାଲରେ ସ୍ବାସ୍ଥ୍ୟ ଯୋଗାଇ ଦେବା, ୬୦ ବର୍ଷ ପୁରିଥିବା ସାମ୍ବାଦିକ ମାନଙ୍କୁ ପେନସନ ଯୋଗାଇ ଦେବା, ସରକାର ଘୋଷଣା କରିଥିବା ୬୦% ଟ୍ରେନ୍ ଓ ବସ ଭଡା ଛାଡକୁ ସାମ୍ବାଦିକ ମାନଙ୍କ କ୍ଷେତ୍ରରେ ତୁରନ୍ତ ଲାଗୁ କରିବା ସହ ସାମ୍ବାଦିକ ମାନଙ୍କର ସାମାଜିକ ସୁରକ୍ଷା ଓ ନିରାପତ୍ତାକୁ ସୁନିଶ୍ଚିତ କରିବା ପାଇଁ ସ୍ବତନ୍ତ୍ର ନିୟମ ପ୍ରଣୟନ କରିବା ଆଦି ଉଲ୍ଲେଖ ରହିଛି। ଜିଲ୍ଲାପାଳ ସୁଭମ ସକ୍ସସେନାଙ୍କ ଅନୁପସ୍ଥିତି ରେ ଡେପୁଟି କଲେକ୍ଟର ଜୟଶ୍ରୀ ପାଢୀଙ୍କୁ ଦାବୀ ପତ୍ର ପ୍ରଦାନ କରାଯାଇଥିଲା। ଅନୁଷ୍ଠିତ କାର୍ଯ୍ୟକ୍ରମର ପ୍ରାରମ୍ଭରେ ଗାନ୍ଧୀ ଓ ଲାଲ ବାହାଦୂର ଶାସ୍ତ୍ରୀଙ୍କ ଫଟୋ ଚିତ୍ରରେ ପୁଷ୍ପ ମାଲ୍ଯା ଅର୍ପଣ ପୂର୍ବକ ପୁଜାର୍ଚ୍ଚନା କରାଯାଇଥିଲା। ଏହା ସହ ନିକଟରେ ପରଲୋକର ହୋଇ ଥିବା ସାମ୍ବାଦିକ ତଥା ସର୍ବୋଦୟ ନେତା ଭାଗବତ ନନ୍ଦଙ୍କ ଫଟୋ ଚିତ୍ରରେ ପୁଷ୍ପ ମାଲ୍ଯା ଅର୍ପଣ କରି ତାଙ୍କର ଅମର ଆତ୍ମାର ସଦଗତି କାମନା କରି ଦୁଇ ମିନିଟ୍ ନୀରବ କରାଯାଇଥିଲା। ଶେଷରେ ସଂଘର ରାଜ୍ୟ କାରିଣୀ ସଭ୍ୟ ସରୋଜ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।