ଝାରସୁଗୁଡ଼ା :(ସୁଭାଷ ସହାରେ)-ୱେସ୍କୋ ପକ୍ଷରୁ ୟୁନିଟ୍ ପ୍ରତି ୨୦ ପଇସା ବୃଦ୍ଧି ନେଇ ଲୋକଙ୍କ ମଧ୍ୟରେ ବର୍ତ୍ତମାନ ଚିନ୍ତା ବଢ଼ି ଚାଲିଛି। କୋରୋନା ପ୍ରଭାବ ଯୋଗୁଁ ଯେତେବେଳେ ଦୈନନ୍ଦିନ ସାମଗ୍ରୀର ମୂଲ୍ୟ ପ୍ରବଳ ଭାବରେ ବଢ଼ି ଲୋକଙ୍କ ଆର୍ଥିକ ମେରୁଦଣ୍ଡ ଭାଙ୍ଗି ଦେଇଛି ସେତେବେଳେ ବୋଝ ଉପରେ ନଳିତା ବିଡ଼ା ଭଳି ବିଦ୍ୟୁତ ଶୁଳ୍କ ବଢ଼ାଇବା ଲୋକଙ୍କ ନିମନ୍ତେ ଆହୁରି ସମସ୍ୟା ସୃଷ୍ଟି କରିବା ସ୍ବାଭାବିକ।
ଏହା ନେଇ ଚିନ୍ତା ପ୍ରକଟ କରି ଝାରସୁଗୁଡ଼ା ଟାଉନ ମଣ୍ଡଳର ବିଜେପି ସଭାପତି ନେତାଜୀ ପଟ୍ଟନାୟକ ୱେସ୍କୋର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଏକ ପତ୍ର ଲେଖି ବର୍ଦ୍ଧିତ ବିଦ୍ୟୁତ ଶୁଳ୍କକୁ ପ୍ରତ୍ୟାହାର କରିବା ପାଇଁ ଅନୁରୋଧ କରିଛନ୍ତି। ବର୍ଦ୍ଧିତ ବିଦ୍ୟୁତ ଶୁଳ୍କ ଲୋକଙ୍କ ପାଇଁ ଆର୍ଥିକ ବୋଝ ବଢ଼ାଇବାରେ କାରଣ ହେବ ବୋଲି ସେ ମତ ପୋଷଣ କରିଛନ୍ତି।