ଝାରସୁଗୁଡ଼ା :(ସୁଭାଷ ସହାରେ) -ବରଗଡ଼ ସାଂସଦ ସୁରେଶ ପୂଜାରୀ ଲୋକସଭାରେ କୋଲ ବିୟରିଂ ଖଣିର ଟ୍ରିବ୍ୟୁନାଲକୁ ଢେଙ୍କାନାଳରୁ ଝାରସୁଗୁଡ଼ାକୁ ସ୍ଥାନାନ୍ତରିତ କରିବା ପାଇଁ ଦାବି କରିଛନ୍ତି। ଝାରସୁଗୁଡ଼ା ଜିଲ୍ଲାରେ ସର୍ବବୃହତ କୋଇଲା ଖଣି ଝାରସୁଗୁଡ଼ାରେ ଅବସ୍ଥିତ। ମାତ୍ର ଏ ସଂପର୍କିତ ସମସ୍ତ ମାମଲା ଏଠାରୁ ତିନିଶହ କିଲୋମିଟର ଦୂରରେ ଢେଙ୍କାନାଳରେ ଅବସ୍ଥିତ। ଫଳରେ ଖଣି ବାବଦରେ ସମସ୍ତ ମାମଲା ପାଇଁ ଝାରସୁଗୁଡ଼ା, ସମ୍ବଲପୁର ବା ସୁନ୍ଦରଗଡ଼ ଜିଲ୍ଲାର ଓକିଲ ଓ ଥଇଥାନ ମାମଲା ପାଇଁ ଲୋକଙ୍କୁ ଝାରସୁଗୁଡ଼ାରୁ ସମ୍ବଲପୁର, ସମ୍ବଲପୁରରୁ ଅନୁଗୁଳ ଓ ଅନୁଗୁଳରୁ ଢେଙ୍କାନାଳ ଯିବାକୁ ପଡ଼େ। ସେଠାକାର କୋର୍ଟରେ କାର୍ଯ୍ୟ ବୋଝ ଯୋଗୁଁ ଅନେକ ଥର ମାମଲାକାରୀ ଓ ଓକିଲ ମାନଙ୍କୁ ଖାଲି ହାତରେ ଫେରିବାକୁ ପଡ଼େ। ବର୍ଷ ବର୍ଷ ଧରି କେସ୍ ଗୁଡ଼ିକ ଅସମାଧିତ ହୋଇ ରହିଥିବାରୁ ଲୋକଙ୍କ ଅର୍ଥ, ସମୟ ଓ ଶକ୍ତିର ଅପଚୟ ହୁଏ। ତେଣୁ ଝାରସୁଗୁଡ଼ାରେ ଏହି କୋଲ ବିୟରିଂ ଖଣି ମାମଲା ଗୁଡ଼ିକ ପାଇଁ ସେସନ ଓ ଜିଲ୍ଲା ଜଣଙ୍କୁ ସୂଚିତ କରି ଏହି ମାମଲାଗୁଡିକର ସମାଧାନ ଏଠାରେ କଲେ ଲୋକେ ଉପକୃତ ହେବେ ବୋଲି ସାଂସଦ କହିଛନ୍ତି। ଏ ନେଇ କେନ୍ଦ୍ରୀୟ ଆଇନ ମନ୍ତ୍ରାଳୟ ଓ କୋଇଲା ମନ୍ତ୍ରାଳୟ ପଦକ୍ଷେପ ଗ୍ରହଣ କରିବାକୁ ସେ ଅନୁରୋଧ କରିଛନ୍ତି।
ସୂଚନାଯୋଗ୍ୟ ଯେ ଝାରସୁଗୁଡ଼ା,ସମ୍ବଲପୁର ଓ ସୁନ୍ଦରଗଡ଼ର କୋଇଲା ଖଣି ସଂପର୍କିତ ସମସ୍ତ ମାମଲା ପାଇଁ ଓକିଲ ଓ ଆବେଦନକାରୀମାନଙ୍କୁ ଦୀର୍ଘ ତିନିଶହ କିଲୋମିଟର ଯିବାକୁ ହୁଏ। ଏ ନେଇ ପଦକ୍ଷେପ ନେବାକୁ ଜିଲ୍ଲା ବାର ଏସୋସିଏସନ ବାରମ୍ବାର ସଂପୃକ୍ତ ମନ୍ତ୍ରାଳୟମାନଙ୍କୁ ଓ ଅଧିକାରୀମାନଙ୍କୁ ଦାବି କରି ଆସିଛନ୍ତି।