ହେଡଲାଇନସ୍:

ସିବିଆଇ ତଦନ୍ତ ପ୍ରକ୍ରିୟାର ଗତି ଓ ପ୍ରକୃତି ମନ୍ଦ ଉଦ୍ଦେଶ୍ୟ ପ୍ରଣୋଦିତ : ରାଜନୈତିକ ଫାଇଦା ଉଠାଇବାକୁ ଚେଷ୍ଟା କରୁଛି ବିଜେପି

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର : ସିବିଆଇ ଚିଟ୍‍ଫଣ୍ଡ ତଦନ୍ତ ବ୍ୟାପାରରେ ଯେଉଁଭଳି ଭାବରେ ଗତି କରୁଛି, ତାହା ସାଧାରଣରେ ସନ୍ଦେହ ସୃଷ୍ଟି କରୁଛି । ଚିଟ୍‍ଫଣ୍ଡ ଜମାକାରୀଙ୍କ ସ୍ୱାର୍ଥର ସୁରକ୍ଷା ତଥା ସେମାନେ କିଭଳି କଷ୍ଟ ଉପାର୍ଜିତ ଅର୍ଥ ଫେରିପାଇବେ ସେଥିପାଇଁ ସିବିଆଇର କୌଣସି ନିଘା ନାହିଁ । ଗତ ୩ବର୍ଷ ଧରି ସିବିଆଇର ତଦନ୍ତର ଗତିକୁ ଦେଖିଲେ ଜଣାପଡୁଛି ଯେ ସିବିଆଇ ତଦନ୍ତ କରୁନାହିଁ ବରଂ ରାଜନୈତିକ ଅସ୍ତ୍ର ଭାବରେ ବ୍ୟବହୃତ ହୋଇଛି । ସାଧାରଣ ଲୋକମାନେ ବର୍ତ୍ତମାନ ପ୍ରଶ୍ନ କରୁଛନ୍ତି, ଗତ ୩ବର୍ଷ ଧରି ସିବିଆଇ ଜମାକାରୀ ତାଙ୍କ ଅର୍ଥ କିଭଳି ଫେରିପାଇବେ ସେଥିପାଇଁ କରିଛି କ’ଣ? ମୋଟାମୋଟି ଭାବରେ ସିବିଆଇର ତଦନ୍ତ ବାଟବଣା ହୋଇଛି । ଏହା କେବଳ ରାଜନୈତିକ ପ୍ରତିପକ୍ଷଙ୍କୁ ଅସୁବିଧାରେ ପକାଇବା ପାଇଁ କେନ୍ଦ୍ର ସରକାର ବ୍ୟବହାର କରୁଛନ୍ତି । ସିବିଆଇର ତଦନ୍ତକାରୀ ଦଳ ହାଇକୋର୍ଟର ମାନ୍ୟବର ବିଚାରପତିଙ୍କ ଘରେ ପଶିବା ସିବିଆଇ ବାଟବଣାର ଅନ୍ୟ ଏକ ଉଦାହରଣ । ଏଭଳି ସ୍ଥିତି ସିବିଆଇଠାରୁ ଆଶା କରାଯାଇ ନପାରେ । ବରଂ ରାଜ୍ୟ ସରକାର ଜମାକାରୀଙ୍କ ସ୍ୱାର୍ଥର ସୁରକ୍ଷା ତଥା ସେମାନେ କିଭଳି ତାଙ୍କ ଟଙ୍କା ଫେରିପାଇବେ ସେଥିପାଇଁ ଅନେକ କାର୍ଯ୍ୟ କରିଛନ୍ତି । ବାସ୍ତବରେ ଏହି ପ୍ରକ୍ରିୟାରେ ସିବିଆଇ ବାଧକ ସାଜିଛି । ବର୍ତ୍ତମାନ ସିବିଆଇ ତଥା କେନ୍ଦ୍ର ସରକାର ବିରୋଧରେ ଜନଅସନ୍ତୋଷ ବଢ଼ିବାରେ ଲାଗିଛି । ଏହା ଭବିଷ୍ୟତରେ ବିସ୍ଫୋରକ ରୂପ ନେଇପାରେ । ତୃଣମୂଳ ବାସ୍ତବତା ପ୍ରତି ଧ୍ୟାନ ନଦେଇ ସିବିଆଇ ଏବଂ ତାଙ୍କର ମାଷ୍ଟର ବିଜେପି ଯେଉଁଭଳି ଆଚରଣ କରୁଛନ୍ତି, ତାହା ଭବିଷ୍ୟତରେ ସେମାନଙ୍କ ପାଇଁ ଘାତକ ପାଲଟିବ ବୋଲି ରାଜ୍ୟ ସଂପାଦକ ବିଜୟ ନାୟକ କହିଛନ୍ତି ।

ନବୀନ ପଟ୍ଟନାୟକ ଜମାକାରୀଙ୍କ ସହିତ ଥିଲେ ଏବେ ବି ଅଛନ୍ତି । ଏଠାରେ ପ୍ରଶ୍ନ ଉଠୁଛି, ବିଜେପି କାହା ସହିତ ଅଛି? ସୁପ୍ରିମକୋର୍ଟ ସିବିଆଇକୁ ଦାୟିତ୍ୱ ଦେଇଥିଲେ ଚିଟ୍‍ଫଣ୍ଡ ଅର୍ଥ ଦେଣନେଣ ଠାବ କରିବା ପାଇଁ, କିନ୍ତୁ ୪ବର୍ଷ ମଧ୍ୟରେ ଏଥିରେ କୌଣସି ଆଖିଦୃଶିଆ ଅଗ୍ରଗତି ହୋଇନାହିଁ । ଯଦି ଉଚିତ୍‍ ପଦକ୍ଷେପ ସିବିଆଇ ଗ୍ରହଣ କରିଥାନ୍ତା, ତେବେ ଜମାକାରୀ ତାଙ୍କ ଅର୍ଥ ଆହୁରି ଶୀଘ୍ର ପାଇପାରିଥାନ୍ତେ । ସେଥିପାଇଁ ଓଡ଼ିଶା ସରକାର ସିବିଆଇ ତଦନ୍ତ ପାଇଁ ଇଚ୍ଛା ପ୍ରକାଶ କରୁନଥିଲେ । ଲୋକମାନଙ୍କର ଅର୍ଥ ଲୁଟ୍‍ କରିଥିବା ବ୍ୟକ୍ତିମାନେ ଦଣ୍ଡ ପାଇବା ସହିତ ଠକାମୀର ଶିକାର ହୋଇଥିବା ଲୋକମାନେ କିଭଳି ସେମାନଙ୍କ ଅର୍ଥ ଫେରିପାଇବେ ତାହାହିଁ ଥିଲା ରାଜ୍ୟ ସରକାରଙ୍କ ପ୍ରାଥମିକତା । କିନ୍ତୁ ୪ବର୍ଷ ମଧ୍ୟରେ ସିବିଆଇ ନା ଜଣେ ଦୋଷୀକୁ ଦଣ୍ଡ ଦେଇପାରିଛି, ନା ଜଣେ ଜମାକାରୀକୁ ତା’ର ଅର୍ଥ ଫେରାଇବାରେ ବ୍ୟବସ୍ଥା କରିଛି । ସିବିଆଇ ତଦନ୍ତ ସଂପୂର୍ଣ୍ଣ ରୂପେ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ଭାବେ ବ୍ୟବହୃତ ହେଉଛି, ଯାହା ସିବିଆଇର କାର୍ଯ୍ୟକ୍ରମ ଦେଖିଲେ ଜଳ ଜଳ ଦିଶୁଛି । ରାଜ୍ୟ ସରକାର କ୍ରାଇମ୍‍ବ୍ରାଞ୍ଚ ଦ୍ୱାରା ତଦନ୍ତ ଜରିଆରେ ଦୋଷୀକୁ ଦଣ୍ଡଦେବା ସହିତ ଜମାକାରୀଙ୍କ ଅର୍ଥ ଶୀଘ୍ର ଫେରାଇ ପାରିଥାନ୍ତେ । ଏବେ ସିବିଆଇର ତଦନ୍ତ ପ୍ରକ୍ରିୟାରେ ଯେଉଁ ଅହେତୁକ ବିଳମ୍ବ ଏବଂ ତଦନ୍ତ ପ୍ରକ୍ରିୟାର ଗତି ଓ ପ୍ରକୃତିକୁ ଅନୁଧ୍ୟାନ କଲେ ଜଣାପଡେ, କେବଳ ବିଜେପି ସେଥିରୁ ରାଜନୈତିକ ଫାଇଦା ଉଠାଇବାକୁ ଚେଷ୍ଟା କରୁଛି ।

ବିଜେପିର ଅଭିଯୋଗ ଯେ ପ୍ରସନ୍ନ ଆଚାର୍ଯ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ଥିବାବେଳେ ଅନେକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଥିଲା । ଲୋକମାନଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇଦେବା ଓ ସ୍ୱାସ୍ଥ୍ୟସେବାର ଉନ୍ନତିକରଣ ପାଇଁ ସରକାର ପିପିପି ମୋଡ୍‍ରେ ଏନ୍‍ଏଚଆର୍‍ଏମ୍‍ଙ୍କ ଗାଇଡ୍‍ ଲାଇନ୍‍ ଅନୁସାରେ ଏମ୍‍ଓୟୁ ସ୍ୱାକ୍ଷର କରିଥିଲେ । ଯାହା କେନ୍ଦ୍ର ସରକାର ମଧ୍ୟ ସେହି ଗାଇଡ୍‍ ଲାଇନ୍‍ ଅନୁସାରେ ଏମ୍‍ଓୟୁ କରିଥାନ୍ତି । ଏହା କୌଣସି ନୂଆକଥା ନୁହେଁ । କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରବର୍ତ୍ତିତ ମାର୍ଗଦର୍ଶିକା ଅନୁସାରେ ସବୁ କାର୍ଯ୍ୟ ହୋଇଛି । ଯେଉଁ ସମୟରେ ଏ କାର୍ଯ୍ୟ ସଂପାଦନ ହୋଇଥିଲା, ସେତେବେଳେ ବିଜେପି ବିଧାନସଭାରେ କିମ୍ବା ବିଧାନସଭା ବାହାରେ କୌଣସି କଥା ଉତ୍‍ଥାପନ କରିନଥିଲା । ଏବେ ଔଷଧ ବିକଳରେ ତାଟିଆ କାମୁଡ଼ିଲା ପରି ବିଜେପି ଏହାକୁ ନେଇ ସାଧାରଣରେ ବିଭ୍ରାନ୍ତି ସୃଷ୍ଟି କରିବା ସହ ତିଳକୁ ତାଳ କରିବାକୁ ଉଦ୍ୟମ କରୁଛି । ବିଜେପି ନେତାମାନଙ୍କର ଉଚ୍ଚାରଣରୁ ଜଣାପଡୁଛି ଯେ ବିଜେପି ସିବିଆଇକୁ ଅସ୍ତ୍ର ଭାବେ ବ୍ୟବହାର କରୁଛି । ଅମିତ ଶାହଙ୍କ ଧମକପୂର୍ଣ୍ଣ ମନ୍ତବ୍ୟ ପରେ ସିବିଆଇ ଅମିତ ଶାହଙ୍କ ଇଙ୍ଗିତରେ କାର୍ଯ୍ୟ କରୁଥିବା ସ୍ପଷ୍ଟ ହୋଇଛି । ବିଜେପିର ଏଭଳି କ୍ଷମତା ଦଖଲ ନିଶାକୁ ଓଡ଼ିଶାବାସୀ କେବେ ବି ଗ୍ରହଣ କରିବେ ନାହିଁ । ବିଜୁ ଜନତା ଦଳ ଦୁର୍ନୀତିକୁ ପ୍ରଶୟ ଦିଏନାହିଁ, ସ୍ୱଚ୍ଛତା ହିଁ ନବୀନ ପଟ୍ଟନାୟକ ସରକାରଙ୍କ ମୂଳ ନୀତି ବୋଲି ସମଗ୍ର ଭାରତରେ ମାନ୍ୟତା ପାଇଛି । ନବୀନ ପଟ୍ଟନାୟକଙ୍କ ସରକାରକୁ ଦୁର୍ନୀତିଗ୍ରସ୍ତ ପ୍ରମାଣ କରିବା ପାଇଁ ବିଜେପି ଯେତେ ଉଦ୍ୟମ କଲେ ମଧ୍ୟ ତାହା କଦାପି ସଫଳ ହେବନାହିଁ । କାରଣ ଓଡ଼ିଶାର ଲୋକମାନେ ନବୀନ ପଟ୍ଟନାୟକଙ୍କୁ ଭଲ ଭାବରେ ଚିହ୍ନନ୍ତି ଓ ଜାଣନ୍ତି । ସେଥିପାଇଁ ପ୍ରତ୍ୟେକ ନିର୍ବାଚନରେ ବିଜୁ ଜନତା ଦଳ ପୂର୍ବାପେକ୍ଷା ଆହୁରି ଲୋକପ୍ରିୟତା ଓ ଗ୍ରହଣୀୟତା ହାସଲ କରିଛି । କ୍ଷମତା ଲୋଭରେ ଭାରତୀୟ ଜନତା ପାର୍ଟି ଯେଉଁ ନୀଚ୍ଚ ସ୍ତରକୁ ଖସିଆସି କାମ କରୁଛି ତାହା ରାଜ୍ୟବାସୀ କଦାପି ଗ୍ରହଣ କରିବେ ନାହିଁ ବୋଲି ଶ୍ରୀ ନାୟକ କହିଛନ୍ତି ।

0
0
0
s2sdefault