ନୂଆପଡା(ଅମିତା ପୁରୋହିତ ); ଏନ.ଆର. ଇ.ଜି.ଏସ ଲୋକପାଳ ପଦବିର ପୁନଃନିଯୁକ୍ତି ପାଇଁ ଜିଲ୍ଲା ପ୍ରଶାସନ ଓ ଲୋକପାଳଙ୍କ ମଧ୍ୟରେ ଟଣା ଓଟରା ଦେଖା ଦେଇଛି । ଏନେଇ ପୂବର୍ତ୍ତନ ଏନଆରଇଜିଏସ ଲୋକପାଳ ଏକ ସାମ୍ବାଦିକ ସମ୍ମିଳନୀ ଡକାଇ ନୂଆପଡା ଜିଲ୍ଲା ପ୍ରଶାସନ ଉପରେ ବିଶୋଦଗାର କରିଛନ୍ତି । ଗତ ସେପ୍ଟେମ୍ବର ୧୪ ତାରିଖ ୨୦୧୭ ମସିହାରେ ୨ ବର୍ଷ ପାଇଁ ନୂଆପଡା ଜିଲ୍ଲାରେ ଏନଆରଇଜିଏସ କାମ ତଦନ୍ତ ଓ ରିପୋଟିଙ୍ଗ ପାଇଁ ଲୋକପାଳ ଭାବରେ ଆର ବିଜୟ ରାଜକୁ ରାଜ୍ୟ ସରକାରଙ୍କ ତରଫରୁ ନିଯୁକ୍ତି ପ୍ରଦାନ କରାଯାଇଥିଲା । ତାଙ୍କର ୨ ବର୍ଷ କାର୍ଯ୍ୟକ୍ରମ ସମାପନ ହେବା ପରେ ପୁଣି ତାଙ୍କୁ ଲୋକପାଳ ଭାବରେ ନିଯୁକ୍ତି ଦେବା ପାଇଁ ରାଜ୍ୟ ସରକାର ନିଷ୍ପତି ନେବା ସହ ନୂଆପଡା ଜିଲ୍ଲା ପ୍ରଶାସନର ଏହି ସମ୍ବନ୍ଧୀୟ ମତାମତ ଲୋଡି ଥିଲେ । ହେଲେ ନୂଆପଡା ଜିଲ୍ଲପାଳ ଲୋକପାଳଙ୍କ କାର୍ଯ୍ୟ ଦକ୍ଷତା ଠିକ ନୁହଁ ବୋଲି ରାଜ୍ୟ ସରାକାରଙ୍କୁ ଲିଖିତ ଆକାରରେ ଜଣାଇଛନ୍ତି । ଲୋକପାଳଙ୍କ ଅନୁସାରେ ସେ ତାଙ୍କର ୨ ବର୍ଷର କାର୍ଯ୍ୟକାଳ ମଧ୍ୟରେ ୨୦୧୭-୧୮ ବର୍ଷରେ ୫୮୫ ଜଣ ଶ୍ରମିକଙ୍କ ବର୍ଷ ବର୍ଷ ଧରି କାମ କରି ପାଇ ନ ଥିବା ପାଉଣା ବାବଦକୁ ୨୯ ଲକ୍ଷ ୪୪ ହଜାର ୧୨୫ ଟଙ୍କା ପ୍ରଦାନ କରାଇବା ଓ ୨୦୧୮-୧୯ ବର୍ଷରେ ୩୮୩ ଜଣ ଶ୍ରମିକଙ୍କ ୧୭ ଲକ୍ଷ ୨୪ ଟଙ୍କା ବିଭିନ୍ନ ବିଭାଗରୁ ପ୍ରଦାନ କରାଇବାରେ ସମର୍ଥ ହୋଇଥିବା ପ୍ରକାଶ କରିଥିଲେ । ସେହିଭଳି ମଷ୍ଟରରୋଲରେ ଜାଲିଆତି କରି ଦୁର୍ନିତି କରିଥିବା ଅଫିସର ମାନଙ୍କ ଠାରୁ ରିକୋଭରି ବାବଦକୁ ୩୧ ଲକ୍ଷ ୬୮ ହଜାର ୩୧୭ ଟଙ୍କା ଫେରସ୍ତ କରିବା ନିମନ୍ତେ ରାଜ୍ୟ ସରକାର ତଥା ଜିଲ୍ଲା ପ୍ରଶାସନକୁ ଜଣାଇବା ପରେ ମଧ୍ୟ ଏଯାଏ କୈାଣସି ପଦକ୍ଷେପ ନିଆ ନ ଯାଇଥିବା କଥା ପ୍ରକାଶ କରିଥିଲେ । ଏଥି ସହିତ ଜିଲ୍ଲା ପ୍ରଶାସନ ବିରୁଦ୍ଧରେ ଲୋକପାଳ ଅଯଥା ହସ୍ତକ୍ଷେପ କରୁଥିବା ଚିନ୍ତା କରି ଲୋକପାଳଙ୍କ ବିରୁଦ୍ଧରେ ମିଥ୍ୟା ଅଭିଯୋଗ ଜିଲ୍ଲା ପ୍ରଶାସନ ତରଫରୁ ରାଜ୍ୟ ସରକାରଙ୍କୁ ପତ୍ର ଲେଖିବାରେ ସେ ଅତ୍ୟନ୍ତ ମର୍ମାହତ ବୋଲି ଆହୁତ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଥିଲେ । ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟରେ ଜିଲ୍ଲା ପ୍ରଶାସନ ତରଫରୁ ଲେଖା ଯାଇଥିବା ପତ୍ର ବିରୁଦ୍ଧରେ ପୂର୍ବତ୍ତନ ଲୋକପାଳ ଆଇନର ଆଶ୍ରୟ ନେଇଛନ୍ତି ।
|