ସମ୍ବଲପୁର (ରମାକାନ୍ତ ବିଶ୍ବାଳ ) କୋଭିଡ-୧୯ ଯୋଗୁଁ ଉପୁଜିଥିବା ପରିସ୍ଥିତି ଯୋଗୁଁ ସମଗ୍ର ବିଶ୍ୱ ବର୍ତ୍ତମାନ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛି । ବ୍ୟକ୍ତି ବିଶେଷ ଠୁ ଆରମ୍ଭ କରି ବ୍ୟବସାୟିକ ପ୍ରତିଷ୍ଠାନ, ବୃହତ ଶିଳ୍ପାନୁଷ୍ଠାନ ସହିତ ରାଜ୍ୟ ଦେଶ ଓ ବିଶ୍ୱ ର ଆର୍ଥିକ ମେରୁଦଣ୍ଡ କୁ ଦୋହଲାଇ ଦେଇଛି ଏହି ବିଶ୍ୱ ମହାମାରୀ । ମଣିଷ ଜୀବନ ସହିତ ଜଡିତ ପ୍ରତ୍ୟେକ ବିଷୟରେ ପଡିଛି କିଛି ନା କିଛି ପ୍ରଭାବ । କେଉଁଠି ପଡିଛି ସକାରାତ୍ମକ ପ୍ରଭାବ ତ ଆଉ କେଉଁଠି ପ୍ରତିଫଳିତ ହେଇଛି ନକାରାତ୍ମକତା । ଏହି ମହାମାରୀ ଯୋଗୁଁ ସବୁଠୁଁ ଅଧିକ ଅସୁବିଧା ଭୋଗ କରୁଛନ୍ତି ଗରିବ ଦରିଦ୍ର ଦିନ ମଜୁରିଆ ବସ୍ତି ବାସିନ୍ଦା । ସର୍ବନିମ୍ନ ମୌଳିକ ଆବଶ୍ୟକତା ପୂରଣ ପାଇଁ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ସହିତ ଆର୍ଥିକ ସହାୟତା ଓ ଅନ୍ୟାନ୍ୟ ସୁବିଧା ଯୋଗେଇ ଦେଉଛନ୍ତି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ।
କିନ୍ତୁ, ଏକ ବିଶେଷ ପ୍ରସଙ୍ଗ "ବସ୍ତି ବାସିନ୍ଦା ଛାତ୍ର ଛାତ୍ରୀ ଙ୍କ ଶିକ୍ଷା" ପ୍ରତି କାହାରି ଧ୍ୟାନ ଯାଉନାହିଁ । ବିଭିନ୍ନ ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନ ଏଇ ଲାକଡାଉନ ସମୟରେ ଅନଲାଇନ ଜରିଆରେ ପାଠ୍ୟକ୍ରମ ସମ୍ପୂର୍ଣ୍ଣ କରିବାରେ ବ୍ୟସ୍ତ । କିନ୍ତୁ ଏମିତି ବହୁତ ଛାତ୍ର ଛାତ୍ରୀ ଅଛନ୍ତି ଯେଉଁମାନେ କି ଏହି ବ୍ୟବସ୍ଥାର ବହୁ ଦୂରରେ । ବିଶେଷ କରି ବିଭିନ୍ନ ବସ୍ତି ଅଞ୍ଚଳରେ ବସବାସ କରୁଥିବା ଗରିବ ଦିନ ମଜୁରିଆ ପରିବାର ଯେତେବେଳେ ଆଜି ବେରୋଜଗାର ହୋଇଛନ୍ତି ସେତେବେଳେ ସେମାନେ ଏଇ ଏଣ୍ଡରୟଡ଼ ମୋବାଇଲ ବା ଆଣିବେ କେଉଁଠୁ । ତେଣୁ ସେଭଳି ପରିବାର ର ଛୁଆ ମନେ ଏଇ ସମୟରେ ଶିକ୍ଷା ଗ୍ରହଣ ରୁ ବଞ୍ଚିତ ରହି ଯାଉଛନ୍ତି ।
ରକ୍ତଦାନ, ଅନ୍ନଦାନ ଓ ଶିକ୍ଷା ଦାନ କୁ ମହତ ଦାନ ବୋଲି ବିବେଚନା କରାଯାଏ । ଏଭଳି ଘଡିଶନ୍ଧି ସମୟରେ ମାନବ ସମାଜ ରେ ଦେଖିବାକୁ ମିଳିଛି ବହୁତ ସକାରାତ୍ମକତା ର ନିଆରା ଉଦାହରଣ ସବୁ । ବ୍ୟକ୍ତି ବିଶେଷ ଠୁଁ ଆରମ୍ଭ କରି ସାମାଜିକ, ସାଂସ୍କୃତିକ, ସ୍ବେଚ୍ଛାସେବୀ ତଥା ରାଜନୈତିକ ସଙ୍ଗଠନ ମାନେ ଭିନ୍ନ ଭିନ୍ନ ଢଙ୍ଗରେ ଲାଗିପଡିଛନ୍ତି ସମାଜ ସେବା କାର୍ଯ୍ୟରେ ।
"ଆୱାର ହେଲପିଙ୍ଗ ହେଣ୍ଡ" ସହରର ଏଭଳି ଏକ ସାମାଜିକ ଓ ସ୍ବେଚ୍ଛାସେବୀ ଅନୁଷ୍ଠାନ ଯିଏ କି ଲାକଡାଉନ ସମୟରେ ବିଭିନ୍ନ ଦୃଷ୍ଟାନ୍ତମୂଳକ ସେବା କାର୍ଯ୍ୟ କରିଚାଲିଛି । କେତେବେଳେ ସଚେତନତା ଅଭିଯାନ ତ ଆଉ କେତେବେଳେ ଖାଦ୍ୟ ସାମଗ୍ରୀ ବଣ୍ଟନ । କେତେବେଳେ ମାସ୍କ, ସାବୁନ ବଣ୍ଟନ ତ ଆଉ କେତେବେଳେ କୋଭିଡ ଯୋଦ୍ଧା ଙ୍କୁ ସମ୍ମାନ ।
ବର୍ତ୍ତମାନ ବସ୍ତି ବାସିନ୍ଦା ଛାତ୍ର ଛାତ୍ରୀ ଙ୍କୁ କୋଳେଇ ନେଇଛି "ଆୱାର ହେଲପିଙ୍ଗ ହେଣ୍ଡ" । ସମ୍ବଲପୁର କ୍ଷେତରାଜପୁର ଅଞ୍ଚଳର ଦଲଦଲିପଡା ର ୫୦ ରୁ ଅଧିକ ଛାତ୍ର ଛାତ୍ରୀ ଙ୍କୁ ମାଗଣାରେ ଶିକ୍ଷାଦାନ କରାଯାଉଛି ଅନୁଷ୍ଠାନ ପକ୍ଷରୁ । ଅନୁଷ୍ଠାନ ର ସଂଯୋଜିକା ଅନିତା ବାଗ ନିଜ ଘରେ ସ୍ୱଳ୍ପ ସ୍ଥାନରେ ମୁହଁରେ ମାସ୍କ ଲଗେଇ ସାମାଜିକ ଦୂରତା ରକ୍ଷା କରି ପାଳି ପାଳି କରି ଅଲଗା ଅଲଗା ଶ୍ରେଣୀର ଛାତ୍ର ଛାତ୍ରୀଙ୍କୁ ଟିଉସନ ପଢ଼ାଉଛନ୍ତି । ଅନୁଷ୍ଠାନ ର ସହ ସଂଯୋଜିକା କବିତା ବାଗ, ତାଙ୍କ ପୁତ୍ର ଆଶିଷ ନାଏକ, ଅନିତା ବାଗ ଙ୍କ ଦୁଇ ଝିଅ ବଂଶୀକା ସୁନା ଓ ତମନ୍ନା ସୁନା ଏହି ମହତ କାର୍ଯ୍ୟ ରେ ମୁଖ୍ୟ ଭୂମିକା ଗ୍ରହଣ କରୁଛନ୍ତି ।











