ହେଡଲାଇନସ୍:

"କ୍ରୀଡ଼ା ଖବରକାଗଜର ଶେଷ ପୃଷ୍ଠାରେ ସ୍ଥାନ ପାଇଥାଏ ଆଜି ତାହା ପ୍ରଥମ ପୃଷ୍ଠାରେ ସ୍ଥାନିତ ହେବା ଶୁଭଙ୍କର"

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଝାରସୁଗୁଡ଼ାରେ ଜାତୀୟ କ୍ରୀଡ଼ା ଦିବସ

ଝାରସୁଗୁଡ଼ା(କୁମାର ଅଭିଶେଖ) : କ୍ରୀଡ଼ା ଓ କ୍ରୀଡ଼ାବିତଙ୍କ  ଖବରକୁ ଗଣମାଧ୍ୟମ ଗୌଣ ମନେ ନ କରୁ । ଅବହେଳିତ ଓ ଲୁକ୍କାୟିତ କ୍ରୀଡ଼ାବିତ୍ ଏବଂ ପ୍ରତିଭାଙ୍କ ସଂପର୍କରେ ଖବର ପ୍ରକାଶନ ଦ୍ୱାରା ଅନେକ କିଛି ସମସ୍ୟା ଦୂର ହୋଇ ପାରିବ । ପୂର୍ବରୁ ଜାତୀୟ ଫୁଟବଲ ଦଳର ପ୍ରତିନିଧିତ୍ୱ କରିଥିବା ଗୋଲ୍କିପର୍ ତନୁଜା ବାଗେଙ୍କ ଦୁଃଖ ଦୁର୍ଦ୍ଧଶାର କାହାଣୀକୁ ପ୍ରମୁଖତାର ସହ ପ୍ରକାଶ କରି ଗଣମାଧ୍ୟମ ଆଜି କ୍ରୀଡ଼ା ଓ କ୍ରୀଡ଼ାବିତଙ୍କ  ପାଇଁ ଯେଉଁ ଦାୟିତ୍ୱ ନିର୍ବାହ କରିଛି ତାହା ପ୍ରଶଂସନୀୟ । କ୍ରୀଡ଼ା ଓ କ୍ରୀଡ଼ାବିତଙ୍କ  ବିକାଶ ଲାଗି ଦୋଷ ଲଦାଲଦି ନ କରି ପ୍ରତ୍ୟେକେ ନିଜର ଦାୟିତ୍ୱ ଓ କର୍ତ୍ତବ୍ୟ ସଂପାଦନ କରିବା ଆବଶ୍ୟକ । ଖାସକରି କ୍ରୀଡ଼ାର ବିକାଶ ପାଇଁ ମାନସିକତା, ଆଭିମୁଖ୍ୟ ଏବଂ କ୍ରୀଡ଼ା ସଂସ୍କୃତିରେ ପରିବର୍ତ୍ତନ ଆବଶ୍ୟକତା ରହିଛି ବୋଲି ମତ ପ୍ରକାଶ ପାଇଛି । 

ଝାରସୁଗୁଡ଼ା ପ୍ରେସ କ୍ଲବ, ଅପର୍ଣ୍ଣା ୱାର୍ଲଡ୍ ସ୍କୁଲର ସହାୟତାରେ ଓଡ଼ିଶା କ୍ରୀଡ଼ା ସାମ୍ବାଦିକ ସଂଘ ଆନୁକୂଲ୍ୟରେ ଝାରସୁଗୁଡ଼ା ଅପର୍ଣ୍ଣା ୱାର୍ଲଡ  ସ୍କୁଲ ପରିସରରେ ଆଜି ଜାତୀୟ କ୍ରୀଡ଼ା ଦିବସ ପାଳନ କରାଯାଇଥିଲା । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଓଏସ୍ଏପି ଦ୍ୱିତୀୟ ବାଟାଲିୟନର କମାଣ୍ଡେଣ୍ଟ ମହମ୍ମଦ ଜାହିଦ ଯୋଗ ଦେଇ ‘ତୃଣମୂଳ ସ୍ତରରେ ଫୁଟବଲର ବିକାଶ' ଶୀର୍ଷକ ବିଷୟ ବସ୍ତୁ ଉପରେ ନିଜର ମତ ବ୍ୟକ୍ତ କରି ପ୍ରୋତ୍ସାହନ ନ ଅଭାବରୁ କ୍ରୀଡ଼ା ପ୍ରତିଭା ମଉଳି ଯିବା ନେଇ ଦୁଃଖ ପ୍ରକାଶ କରିଥିଲେ । ଫୁଟବଲ୍ର ବିକାଶ ଲାଗି ଭିତ୍ତିଭୂମିର ବିକାଶ ସହ ଖେଳାଳୀ ମାନଙ୍କୁ ପ୍ରୋତ୍ସାହନ  ଯୋଗାଇବା ଦିଗରେ ସମ୍ମିଳିତ ପ୍ରୟାସ ଉପରେ ଗୁରୁତ୍ୱାରୋପ କରିଥିଲେ । ଝାରସୁଗୁଡ଼ା ବେଦାନ୍ତ ଲିଃର ଜେନେରାଲ ମ୍ୟାନେଜର(ପିଆର୍) ସଞ୍ଜିବ ପଟ୍ଟନାୟକ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇ କହିଥିଲେ ଲୋକଙ୍କ ମାନସିକତା ସହ କ୍ରୀଡ଼ା ସଂସ୍କୃତିର ପରିବର୍ତ୍ତନ ଦ୍ୱାରା କ୍ରୀଡ଼ାର ବିକାଶ ସମ୍ଭବ । ଯେଉଁ କ୍ରୀଡ଼ା ଖବରକାଗଜର ଶେଷ ପୃଷ୍ଠାରେ ସ୍ଥାନ ପାଇଥାଏ ଆଜି ତାହା ପ୍ରଥମ ପୃଷ୍ଠାରେ ସ୍ଥାନିତ ହେବା ଶୁଭଙ୍କର । ଖାସକରି ଝାରସୁଗୁଡ଼ାରେ ଜନ୍ମିତ ଜାତୀୟ ଫୁଟବଲ୍ ଖେଳାଳୀ ତନୁଜା ବାଗେଙ୍କୁ ଉପେକ୍ଷାର କାହାଣୀକୁ ଆଜିର ଦିନରେ ଗଣମାଧ୍ୟମ ପ୍ରମୁଖତାର ସହ ପ୍ରକାଶ କରିବା ସ୍ୱାଗତଯୋଗ୍ୟ । ବେଦାନ୍ତ ଭଳି କର୍ପୋରେଟ୍ ସଂସ୍ଥା ନିଜର ସାମାଜିକ ଦାୟିତ୍ୱବୋଧ ପ୍ରତି ସଚେତନ । ଆଗକୁ ରାଉରକେଲାର ଜାତୀୟ ଫୁଟବଲ ଖେଳାଳୀ ପ୍ୟାରୀ ଖାଖାଙ୍କ ପ୍ରତିଭା ଏବଂ ଦକ୍ଷତାକୁ ବିନିଯୋଗ କରି ଝାରସୁଗୁଡ଼ାରେ ମହିଳା ଫୁଟବଲର ବିକାଶ ଦିଗରେ ତାଙ୍କୁ ନିୟୋଜିତ କରାଯିବ । ଆମ୍ବାସେଡର୍ ଭାବେ ବେଦାନ୍ତ ଘୋଷଣା କରିବାକୁ ପଛଘୁଞ୍ଚା ଦେବ ନାହିଁ ବୋଲି ଶ୍ରୀ ପଟ୍ଟନାୟକ ମତ ରଖିଥିଲେ । ଅବହେଳିତ ତନୁଜା ବାଗେଙ୍କୁ ଅପର୍ଣ୍ଣା ୱାର୍ଲଡ ସ୍କୁଲ ଆର୍ଥିକ ଦୃଷ୍ଟିରୁ ଥଇଥାନ କରିବା ଦିଗରେ ପଦକ୍ଷେପ ନେବାକୁ ସ୍କୁଲର ଚେୟାରମେନ ଅଜୟ ପୋଦ୍ଧାର ଘୋଷଣା କରିଥିଲେ । ଜିଲ୍ଲା କ୍ରୀଡ଼ା ସଂଘର ସାଧାରଣ ସଂପାଦକ ତାପସରାୟ ଚୌଧୁରୀ ସମ୍ବୋଧନ କରି ଝାରସୁଗୁଡ଼ାରେ ଫୁଟବଲ୍ର ଇତିବୃତ୍ତ ସଂପର୍କରେ ବ୍ୟାଖ୍ୟା କରିଥିଲେ । ସରକାରୀ ଉଦାସୀନତାରୁ କ୍ରୀଡ଼ାର ବିକାଶ ହେଉନାହିଁ । ଖେଳାଳୀଙ୍କ ପ୍ରୋତ୍ସାହନ ମିଳିଲେ ଅନ୍ୟମାନେ ଫୁଟବଲ ପ୍ରତି ଆକର୍ଷିତ ହେବେ ବୋଲି ଶ୍ରୀ ରାୟଚୌଧୁରୀ ମତ ଦେଇଥିଲେ । ‘ଉକôଳମେଲ୍'ର ସଂପାଦକପୀତବାସ ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ  ସଭାରେ ସଂଗଠନର କାର୍ଯ୍ୟକାରୀ ସଭାପତି ଜୀବନ ମହାନ୍ତି, ସଂଗଠକ ବିଜୟ ବେହେରା, ସଂପାଦକ ଆଲ୍ହାଦ ମହାନ୍ତି ପ୍ରମୁଖ ଉଦବୋଧନ ଦେଇ ଫୁଟବଲ୍ର ବିକାଶ ଦିଗରେ ନିଜର ମତ ବ୍ୟକ୍ତ କରିଥିଲେ । ମେହବୁବ ମାହତାବ ସ୍ୱାଗତ ଭାଷଣ, ସଂଗଠନର ସଭାପତି ସୁଶାନ୍ତ ବେହେରା ବିବରଣୀ ଉପସ୍ଥାପନ ଏବଂ ଅଜୟ ପୋଦ୍ଧାର ଧନ୍ୟବାଦ ଅର୍ପଣ କରିଥିଲେ । ସ୍କୁଲର ଅଧ୍ୟକ୍ଷା ମମତା ନାଏକ ଏବଂ ଶିକ୍ଷୟତ୍ରୀ ଜୟଶ୍ରୀ ସାକୁନିଅାଁ ସଂଯୋଜନା କରିଥିଲେ । ପ୍ର୍ରାରମ୍ଭରେ ହକିର ଯାଦୁଗର ମେଜର୍ ଧ୍ୟାନଚାନ୍ଦଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରାଯାଇଥିଲା । ସାମ୍ବାଦିକ କୁଲଦିପ ନାୟର୍ଙ୍କ ସ୍ମୃତିରେ ନୀରବ ପ୍ରାର୍ଥନା କରାଯାଇଥିଲା । କ୍ରୀଡ଼ା କ୍ଷେତ୍ରରେ ଅବଦାନ ପାଇଁ ମୋହନ ମିଶ୍ର, ଶୋଭନ ଦେବ,  ଶୀତଳ ଗୁରୁଙ୍ଗ, ଗିରିଶ ଜୟପୁରିଆ, ସିଦେ୍ଧଶ୍ୱର ନାଗ, କୁଳବାହାଦୁର ରାଣା, ଭରତ ବାହାଦୁର ନେୱାର, ମେହତାବ ଖାନ, ଗୋପାଳ ଦତ୍ତ, ତନୁଜା ବାଗେ, ତାପସରାୟ ଚୌଧୁରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ରାଜ୍ୟର ବିଭିନ୍ନ ସ୍ଥାନରୁ ପଦ୍ମଲୋଚନ ମିଶ୍ର, ଅଜୟ ବେହେରା, ଚିତ୍ତରଞ୍ଜନ ମହାନ୍ତି, କୁମାର ଅଭିଷେକ, ସଂଜୀବ ସାହୁ ପ୍ରମୁଖ କ୍ରୀଡ଼ା ସାମ୍ବାଦିକ ଯୋଗ ଦେଇଥିଲେ । ଏକେ ସ୍ପୋର୍ଟସ୍ ଝାରସୁଗୁଡ଼ା, ଅପର୍ଣ୍ଣା ୱାର୍ଲଡ୍ ସ୍କୁଲ, ମେହେର ସମାଜ ଆଦି ସଂଗଠନ ଆୟୋଜନରେ ସହାୟକ ଭୂମିକା ଗ୍ରହଣ କରିଥିଲେ । 

 

0
0
0
s2sdefault