ହେଡଲାଇନସ୍:

ଓଡ଼ିଶାରୁ ୨୫ ଜାତୀୟସ୍ତରୀୟ ଭଲିବଲ୍‍ ରେଫ୍‍ରୀ ଉତ୍ତୀର୍ଣ୍ଣ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଭୁବନେଶ୍ୱର,(ଶାସକ ପ୍ରଶାସକ) : ନିକଟରେ ଅନୁଷ୍ଠିତ  ହୋଇଥିବା ଜାତୀୟସ୍ତରୀୟ ଭଲିବଲ୍‍ ରେଫରୀ ପରୀକ୍ଷାରେ ଓଡ଼ିଶାରୁ ସର୍ବାଧିକ ୨୫ଜଣ କୃତକାର୍ଯ୍ୟ ହୋଇଛନ୍ତି । ରବିବାର ଭର୍ଲୁଆଲ୍‍ ମୋଡ୍‍ରେ ଭାରତୀୟ ଭଲିବଲ୍‍ ଫେଡେରେସନ୍‍ (ଭିଏଫ୍‍ଆଇ)ର କାର୍ଯ୍ୟକାରିଣୀ କମିଟି ତଥା ସ୍ୱତନ୍ତ୍ର ସାଧାରଣ ପରିଷଦ ବୈଠକରେ ଭିଏଫ୍‍ଆଇର ସଭାପତି ଅଚ୍ୟୁତ  ସାମନ୍ତ ଏହି ସୂଚନା ଦେଇଛନ୍ତି । ଓଡ଼ିଶାରୁ ପ୍ରଥମ ଥର ଲାଗି ଏତେ ସଂଖ୍ୟକ ଜାତୀୟସ୍ତରୀୟ ଭଲିବଲ୍‍ ରେଫରୀ କୃତକାର୍ଯ୍ୟ ହୋଇଥିବ ସେ ସୂଚନା ଦେଇ କହିଲେ, ଏହା ଓଡ଼ିଶାର ଖେଳାଳି ଓ ଭଲିବଲ୍‍ କ୍ଲବ୍‍ ପାଇଁ ସର୍ବୋପରି ଓଡ଼ିଶା ପାଇଁ ଏକ ଭଲ ସଙ୍କେତ ଦେଉଛି । ଏହି ଅବସରରେ ଭିଏଫ୍‍ଆଇର ସଭାପତି ଶ୍ରୀ ସାମନ୍ତ କନ୍ଧମାଳରେ ଗ୍ରାମ୍ୟ କନିଷ୍ଠ  ବାଳକ ଓ ବାଳିକାଙ୍କ ପାଇଁ ଏକ ଭଲିବଲ୍‍ ଏକାଡେମୀ ଏବଂ କିଟ୍‍ ବିଶ୍ୱବିଦ୍ୟାଳୟରେ ଆଉ ଏକ ଭଲିବଲ୍‍ ଏକାଡେମୀ ଖୋଲିବା ପାଇଁ ପ୍ରସ୍ତାବ ଦେଇଥିଲେ । ଏହା ବ୍ୟତୀତ ଓଡ଼ିଶାରେ ଜାତୟ ଭଲିବଲ୍‍ ଚାମ୍ପିଅନ୍‍ସିପ୍‍, ଜାତୀୟ କୋଚିଂ କ୍ୟାମ୍ପ ଏବଂ କିଟ୍‍ ବିଶ୍ୱବିଦ୍ୟାଳୟରେ ଆନ୍ତର୍ଜାତିକ ଓ ଜାତୀୟ ଭଲିବଲ୍‍ ରେଫରୀ ପରୀକ୍ଷା ଆୟୋଜନ କରିବା ପାଇଁ ସେ ମଧ୍ୟ ପ୍ରସ୍ତାବ ଦେଇଥିଲେ । ଏହି ସବୁ ପ୍ରସ୍ତାବ ଭିଏଫ୍‍ଆଇର କାର୍ଯ୍ୟକାରିଣୀ କମିଟିରେ ସର୍ବସମ୍ମତି କ୍ରମେ ଗୃହୀତ ହୋଇଥିଲା ।

ଓଡ଼ିଶାରେ ଭଲିବଲ୍‍ର ପ୍ରଚାର ଓ ପ୍ରସାର କ୍ଷେତ୍ରରେ ନିଆଯାଇଥିବା ପ୍ରୟାସ ସଂପର୍କରେ ଶ୍ରୀ ସାମନ୍ତ ସୂଚନା ପ୍ରଦାନ କରି କହିଲେ, ଓଡ଼ିଶାର ବିଭିନ୍ନ ଭଲିବଲ୍‍ କ୍ଲବ୍‍ ବିଶେଷ କରି କନ୍ଧମାଳ ଜିଲ୍ଲାର ଭଲିବଲ୍‍ କ୍ଲବ୍‍ଗୁଡ଼ିକୁ ଭଲିବଲ୍‍ ଓ ନେଟ୍‍ ଆଦି ଭଲିବଲ୍‍ କ୍ରୀଡ଼ା ସାମଗ୍ରୀ ଯୋଗାଇ ଦିଆଯାଇଛି । ଓଡ଼ିଶାର ଗ୍ରାମାଞ୍ଚଳରେ ରହିଥିବା ଭଲିବଲ୍‍ ଭିତ୍ତିଭୂମିର ବିକାଶ ପାଇଁ ପଦକ୍ଷେପ ନିଆଯାଉଛି । ଏପରିକି କେତେକ ସ୍ଥାନରେ ଫ୍ଲଡ୍‍ ଲାଇଟ୍‍ର ବ୍ୟବସ୍ଥା କରାଯିବା ଲାଗି ଯୋଜନା ରହିଛି ବୋଲି ବୈଠକରେ ଶ୍ରୀ ସାମନ୍ତ କହିଥିଲେ । ସେହିପରି ନିଜ ନିଜ ରାଜ୍ୟରେ ତଳସ୍ତରରେ ଭଲିବଲ୍‍କୁ ଲୋକପ୍ରିୟ କରାଇବା ପାଇଁ ସେ ବୈଠକରେ ଉପସ୍ଥିତ ଥିବା ଭିଏଫ୍‍ଆଇର ସଦସ୍ୟମାନଙ୍କୁ ଅନୁରୋଧ କରିଥିଲେ । ଏଥିରେ ଉପସ୍ଥିତ ସଦସ୍ୟମାନେ ସହମତି ପ୍ରକାଶ କରିଥିଲେ । ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଭିଏଫ୍‍ଆଇର କାର୍ଯ୍ୟକାରୀ ଉପସଭାପତି ରାଜକୁମାର, ମହାସଚିବ ଅନୀଲ ଚୌଧୁରୀ, ଚେୟରମ୍ୟାନ୍‍ ତଥା ଉପସଭାପତି ଏସ୍‍ ବାସୁଦେବନ୍‍, ଉପସଭାପତି ରଥିନ୍‍ ରାୟ ଚୌଧୁରୀ, ଆନନ୍ଦଶଙ୍କର ରାଜହଂସ, ସହଯୋଗୀ ଉପସଭାପତି ଶେଖର ବୋଷ, ବ୍ରଜେଶ ପାଠକ, ଭିଏଫ୍‍ଆଇର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ରାମାବତାର ସିଂ ଝାକରଙ୍କ ସମେତ ଭିଏଫ୍‍ଆଇର ସମସ୍ତ କର୍ମକର୍ତ୍ତା ଏବଂ ୩୦ଟି ରାଜ୍ୟ ଭଲିବଲ୍‍ ଆସୋସିଏସନ୍‍ର ସଭାପତି ଓ ସାଧାରଣ ସମ୍ପାଦକ ଉପସ୍ଥିତ ଥିଲେ ।

 

0
0
0
s2sdefault