ଜୁଏଲ-ବିଜୟ ମୁହାଁମୁହିଁ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 

ବିଜେଡିରେ ଗଣତନ୍ତ୍ର ନାହିଁ : ଜୁଏଲ ଓରାମ୍ 

ଗୋଦରୀ ଲୋ ତୋ ଗୋଡ ତଳକୁ ଟିକେ ଅନା, ଦଳ ଭିତରେ ନିଜ ସ୍ଥିତି ପ୍ରଥମେ ମାପନ୍ତୁ ଜୁଏଲ  : ବିଜୟ 

ଭୁବନେଶ୍ୱର/ ଚକ୍ରଧର ମାଝୀ -  ବିଜେଡିରେ ଆଭ୍ୟନ୍ତରୀଣ ଗଣତନ୍ତ୍ର ନାହିଁ  । ବୈଜୟନ୍ତ ଠିକ୍ କାମ କରୁଥିଲେ  । ଦାମ , ତଥାଗତ , ନଗେନ୍ଦ୍ର , ଭତୃହରି ବିଭିନ୍ନ ସମୟରେ ବିଭିନ୍ନ ମତ ରଖନ୍ତି । ୧୯୯୫ରେ ଯାହା ଘଟିଥିଲା ସେହି ପରିସ୍ଥିତି ବର୍ତ୍ତମାନ ରିପିଟ୍ ହେଉଛି । ସେତେବେଳେ ବିଜୁ ବାବୁଙ୍କୁ  କେହି ଖାତିର କରିନଥିଲେ ଏବଂ ସରକାର ଚାଲିଯାଇଥିଲା  । ଏବେ ମଧ୍ୟ ସେଭଳି ପରିସ୍ଥିତି ହେବ ବୋଲି କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ୍ ପ୍ରକାଶ କରିଛନ୍ତି । ସେ କହିଛନ୍ତି ଯେ  ବିଜେଡିରେ ବିଭିନ୍ନ ସମୟରେ ବିଦ୍ରୋହ ହୋଇଥିଲା  । ମାତ୍ର କିଛି ହୋଇନଥିଲା ।  ମାତ୍ର ଏଥର ବିଦ୍ରୋହରୁ ନିର୍ଣ୍ଣାୟକ ଫଳ ଆସିବ  । ରାଜ୍ୟରେ ଅଫିସରରାଜ ଚାଲିଛି । ନବୀନ ବାବୁ ୨/୩ ଜଣ ଅଫିସରଙ୍କ କଥା ଶୁଣୁଛନ୍ତି  । ଅନ୍ୟପକ୍ଷରେ ବୈଜୟନ୍ତ ବିଜେପିରେ ଯୋଗ ଦେବା ନେଇ ସେ ଜାଣନ୍ତି ନାହିଁ ବୋଲି କହିଛନ୍ତି ।

ଜୁଏଲଙ୍କ ଏହି ମନ୍ତବ୍ୟର  କଡା ଜବାବ ଦେଇଛନ୍ତି ବିଜେଡି ସମ୍ପାଦକ ବିଜୟ ନାୟକ । ସେ କହିଛନ୍ତି ଜୁଏଲ ନିଜର ଗୁରୁତ୍ୱ ମାପନ୍ତୁ, ପରେ ମନ୍ତବ୍ୟ ଦିଅନ୍ତୁ ।  ଶ୍ରୀ ନାୟକ କହିଛନ୍ତି ଯେ, ଜୁଏଲ ବାବୁ୍ଙ୍କ ମନବ୍ୟ ‘କହି ହେଉଥାଇ ପରକୁ, ବୁଦ୍ଧି ନଦିଶଇ ଘରକୁ’ ।  ଜୁଏଲ  ଅନ୍ୟ ଦଳର ଆଭ୍ୟନ୍ତରୀଣ ଗଣତନ୍ତ୍ର ନେଇ ଯେଉଁ ପ୍ରଶ୍ନ ଉଠାଇଛନ୍ତି, ତାହା ସଂପୂର୍ଣ୍ଣ ଭ୍ରମାତ୍ମକ ଓ ଉଦ୍ଦେଶ୍ୟ  ପ୍ରଣୋଦିତ । ସମସ୍ତେ ଜାଣନ୍ତି ନିଜ ଦଳର ଆଭ୍ୟନ୍ତରୀଣ ବ୍ୟାପାରରେ ତାଙ୍କୁ ଗୁରୁତ୍ୱ ଦିଆଯାଏ ନାହିଁ । ନିଜ ଦଳରେ କ’ଣ ହେଉଛି, ତାଙ୍କୁ ଜଣାନାହିଁ!  ଗୋଦରୀଲୋ ତା ଗୋଡ ତଳକୁ ନ ଅନାଇ ଅନ୍ୟକୁ ଗୋଦରୀ କହିଲା ଭଳି ଜୂଏଲ ବାବୁ କହୁଛନ୍ତି  । ସେହିପରି କେନ୍ଦ୍ର ସରକାରରେ ଆଦିବାସୀ ବ୍ୟାପାର ମନ୍ତ୍ରୀ ହୋଇଥିଲେ ମଧ୍ୟ ଭାରତ କଥା ଛାଡନ୍ତୁ, ଓଡ଼ିଶାର ଆଦିବାସୀଙ୍କ ବିକାଶ ସଂପର୍କରେ ତାଙ୍କର କୌଣସି ନୀତି ଓ ନିଷ୍ପତ୍ତି ନାହିଁ । ଓଡ଼ିଶାରେ ବିଜେପିର କୌଣସି ସର୍ବମାନ୍ୟ ନେତା ନାହାନ୍ତି । ନେତା ହେବା ପାଇଁ ବିଜେପିର ସମସ୍ତେ ପାଗ ଭିଡ଼ିଛନ୍ତି । ଦଳ ଭିତରେ ନିଜ ସ୍ଥିତି ଆଗ ସେ ମାପନ୍ତୁ ତା ପରେ ଯାଇ କହିଲେ ସୁନ୍ଦର ହେବ  । ଦଳର ଆଭ୍ୟନ୍ତରୀଣ କନ୍ଦଳ ଦାଣ୍ଡରେ ପଡି ହାଟରେ ଗଡୁଛି । ଏଭଳି ସ୍ଥିତିରେ ଜୁଏଲ ଓରାମ ବିଜେଡି ଭଳି ଦୃଢ଼ ଓ ସଶକ୍ତ ଦଳ ବିପକ୍ଷରେ ମତ ଦେଇ ନିଜକୁ ନ୍ୟୁନ  କରାଇବା ସହିତ ସାଧାରଣରେ ଲୋକହସା ହେଉଛନ୍ତି । ବିଜେଡିରୁ ତଡ଼ାଖାଇଥିବା ନେତାଙ୍କୁ ନେଇ ବିଜେପି ତା’ର ଶକ୍ତି ବୃଦ୍ଧି କରିବା ପାଇଁ ଯେଉଁ ଚେଷ୍ଟା ଚଳାଇଛି ତାହା କଦାପି ସଫଳ ହେବନାହିଁ । ସାଧାରଣରେ ନିନ୍ଦିତ, ଭର୍ତ୍ସିତ ଓ ପ୍ରତ୍ୟାଖ୍ୟାତ ନେତାଙ୍କୁ ନେଇ କୌଣସି ଦଳ ଆଗକୁ ଯାଏନାହିଁ ବୋଲି ଶ୍ରୀ ଓରାମ ମନେ ରଖିବା ଉଚିତ । ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ଆୟୁଧ କରି ବିଜେଡିରେ ବିଶୃଙ୍ଖଳା ସୃଷ୍ଟି କରିବା ପାଇଁ ବିଜେପି ଷଡ଼ଯନ୍ତ୍ର କରୁଥିଲା, ଯାହା ଏବେ ବିଜେପି ନେତାଙ୍କ ବୟାନବାଜିରୁ ସ୍ପଷ୍ଟ ହୋଇଛି । ବିଜେପି ଏଥିପାଇଁ ‘ଔଷଧ ବିକଳରେ ତାଟିଆ କାମୁଡ଼ିଲା’ ଭଳି ଆଚରଣ କରି ନିଜର ଅସଲ ସ୍ୱରୂପ ପଦାରେ ପକାଉଛି ବୋଲି ସେ କହିଛନ୍ତି ।  

0
0
0
s2sdefault