ହେଡଲାଇନସ୍:

କୁନ୍ଦୁଲି ପୀଡ଼ିତାଙ୍କ ଆତ୍ମହତ୍ୟାକୁ ନେଇ ରାଜନୀତି କରିବା ହତାଶ ଓ ରୁଗ୍‍ଣ ମାନସିକତା : ବିଜୟ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ରାଜନୈତିକ ଅଭିସନ୍ଧି ରଖି ସମାଲୋଚନା-ବିଜେପିର ହୀନମନ୍ୟତା

ଭୁବନେଶ୍ୱର : ରାଜନୈତିକ ଅଭିସନ୍ଧି ରଖି ସମାଲୋଚନା କରି ବିଜେପି ଓ ତାର ନେତାମାନେ ସେମାନଙ୍କ ହୀନମାନସିକତା ବା ହୀନମନ୍ୟତା ପ୍ରମାଣିତ କରିଛନ୍ତି ବୋଲି ବିଜେଡି ରାଜ୍ୟ ସମ୍ପାଦକ ବିଜୟ ନାୟକ କହିଛନ୍ତି | ସେହିପରି କୁନ୍ଦୁଲି  ପୀଡ଼ିତାଙ୍କ ଆତ୍ମହତ୍ୟାକୁ ନେଇ ରାଜନୀତି କରିବା ହତାଶ ଓ ରୁଗ୍‍ଣ ମାନସିକତା ପରିଚାୟକ ବୋଲି ଶ୍ରୀ ନାୟକ ଦୋହରାଇଛନ୍ତି ` |

ଶ୍ରୀ ନାୟକ କହିଛନ୍ତି କି ନବୀନ ପଟ୍ଟନାୟକ ହେଉଛନ୍ତି ଦେଶର ଜଣେ ଲୋକପ୍ରିୟ ନେତା । ଗଭୀର ନିଷ୍ଠା , ଦୂରଦୃଷ୍ଟି ଏବଂ ଜନପ୍ରିୟ ଯୋଜନାର ପ୍ରଣୟନ ଓ ସଫଳ କାର୍ଯ୍ୟକାରିତା ପାଇଁ ସେ ସାଧାରଣ ଲୋକଙ୍କ ନିକଟରେ ପ୍ରିୟ ନେତା ହୋଇପାରିଛନ୍ତି । ନବୀନ ପଟ୍ଟନାୟକ ଜଣେ ସ୍ୱଚ୍ଛ ରାଜନେତା ହୋଇଥିବାରୁ ତାଙ୍କୁ ଆଦର୍ଶ ମୁଖ୍ୟମନ୍ତ୍ରୀ ଭାବରେ ଓଡ଼ିଶା ବାହାରର ଏକ ପ୍ରତିଷ୍ଠିତ ଅନୁଷ୍ଠାନ ସମ୍ମାନିତ  କରିଛନ୍ତି ଯାହାକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି । ଏହା ପ୍ରତ୍ୟେକ ଓଡ଼ିଆଙ୍କ  ପାଇଁ ଗର୍ବ ଓ ଗୌରବର କଥା । କିନ୍ତୁ ଏଥିରେ ରାଜନୈତିକ ଅଭିସନ୍ଧି ରଖି ରାଜ୍ୟ ବିଜେପି ପ୍ରବକ୍ତା ପିତାମ୍ବର ଆଚାର୍ଯ୍ୟ ଯେଉଁଭଳି ବିବୃତି ରଖିଛନ୍ତି ତାହା ଘୋର ନିନ୍ଦାର ବିଷୟ । ଶ୍ରୀ ଆଚାର୍ଯ୍ୟ  ବହୁ ଘାଟରେ ପାଣି ପିଇଛନ୍ତି । ତାଙ୍କର ରାଜନୈତିକ ଆଦର୍ଶବୋଧ ବୋଲି କିଛିନାହିଁ । ନବୀନ ପଟ୍ଟନାୟକ ଜାତୀୟ ସ୍ତରରେ ଜଣେ ସମ୍ମାନସ୍ପଦ ନେତା । ତାଙ୍କୁ ସମ୍ବର୍ଦ୍ଧିତ କରି ବିଜେପିର ବରିଷ୍ଠ ନେତା ମୁରଲୀ ମନୋହର ଯୋଶୀ ତାଙ୍କ ବକ୍ତବ୍ୟରେ ନବୀନ ପଟ୍ଟନାୟକଙ୍କ ସରଳତା, ଶାନ୍ତ ସ୍ୱଭାବ ଓ କାର୍ଯ୍ୟଦକ୍ଷତା ଉଲ୍ଲେଖନୀୟ ବୋଲି ଦର୍ଶାଇ ଓଡ଼ିଶାରେ ବିକାଶ ପ୍ରକ୍ରିୟାର ତ୍ୱାରନ୍ୱିତ ପାଇଁ ଶ୍ରୀ ପଟ୍ଟନାୟକ ୨୦୧୯ରେ ଆଉଥରେ ମୁଖ୍ୟମନ୍ତ୍ରୀ ହୁଅନ୍ତୁ ବୋଲି ଯେଭଳି ଆଶା ପ୍ରକାଶ କଲେ, ତାହାବୋଧେ ଶ୍ରୀ ଆଚାର୍ଯ୍ୟ ହଜମ କରିପାରୁନାହାନ୍ତି । ଏହାହିଁ ବାସ୍ତବତା, ଏହାକୁ ଶ୍ରୀ ଆଚାର୍ଯ୍ୟ ଏବଂ ତାଙ୍କର ନିଯୁକ୍ତିଦାତାଙ୍କୁ ଗ୍ରହଣ କରିବାକୁ ପଡ଼ିବ । ଓଡ଼ିଶାର ଗର୍ବ ଓ ଭାରତର ଗୌରବ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଯେଉଁଭଳି ସମଗ୍ର ଭାରତବର୍ଷରେ ଉଚ୍ଛ୍ୱସିତ ପ୍ରଂଶସା କରାଯାଉଛି ସେଥିରେ ପ୍ରତ୍ୟେକ ଓଡ଼ିଆ ଗର୍ବ କରିବାର କଥା । କିନ୍ତୁ ଶ୍ରୀ ଆଚାର୍ଯ୍ୟ ଯେଉଁଭଳି ଭାବରେ ବକ୍ତବ୍ୟ ରଖି ହୀନମନ୍ୟତାର ପରିଚୟ ଦେଇଛନ୍ତି ତାହାକୁ କୌଣସି ଓଡ଼ିଆ ଗ୍ରହଣ କରିବେ ନାହିଁ ବୋଲି ବିଜୁ ଜନତା ଦଳ ରାଜ୍ୟ ସଂପାଦକ ଶ୍ରୀ ବିଜୟ ନାୟକ କହିଛନ୍ତି ।

କୁନ୍ଦୁଲି ପୀଡ଼ିତା ଆଜି ଆତ୍ମହତ୍ୟା କରିବା ଏକ ଦୁଃଖଦାୟକ ଘଟଣା । ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକ ପ୍ରକାଶ କରିଛନ୍ତି । ଏହାକୁ ନେଇ ଉଭୟ ବିଜେପି ଓ କଂଗ୍ରେସ ରାଜନୀତି କରିବା ସର୍ବଦୌ ନିନ୍ଦନୀୟ । ଏହି ଘଟଣାର କ୍ରାଇମ୍‍ବ୍ରାଞ୍ଚ ତଦନ୍ତ ଓ ନ୍ୟାୟିକ ତଦନ୍ତ ସମାନ୍ତରାଳ ଭାବେ କରିବା ଲାଗି ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ  ଦେବା ପରେ ଏନେଇ ତଦନ୍ତ ଜାରି ରହିଛି । ଆଜି ଯେପରି ଭାବେ କୁନ୍ଦୁଲି ପୀଡ଼ିତାଙ୍କ ଆତ୍ମହତ୍ୟା ଜନିତ ମୃତୁ୍ୟର ମାତ୍ର ଅଳ୍ପ ସମୟ ପରେ ବିରୋଧୀ ଦଳ ବିଜେପି ଓ କଂଗ୍ରେସ ପକ୍ଷରୁ ଏହାକୁ ନେଇ ପ୍ରତିକି୍ରୟା ପ୍ରକାଶ ପାଇଲା, ସେଥିରୁ ଜଣାପଡୁଥିଲା ଯେ ଉଭୟ ଦଳ ଏପରି ଏକ ସୁଯୋଗ ପାଇଁ ଅପେକ୍ଷାରେ ଥିଲେ । 

ପୀଡ଼ିତାଙ୍କ ଆତ୍ମହତ୍ୟା ନେଇ କଂଗ୍ରେସ ସିବିଆଇ ତଦନ୍ତ ଦାବି କରିଛି । ଏହି ସମ୍ବେଦନଶୀଳ ଘଟଣାରୁ ରାଜ୍ୟରେ ଲୋକପ୍ରିୟତା ହରାଇଥିବା କଂଗ୍ରେସ ରାଜନୈତିକ ଫାଇଦା ପାଇଁ ଏପରି ଉଦ୍ୟମ କରିନାହିଁ କି? ବିଜେପି ପକ୍ଷରୁ ରାଜ୍ୟରେ ୨ଦିନ ଆନେ୍ଦାଳନ କରାଯିବାକୁ ଘୋଷଣା କରାଯାଇ ଏହି ଘଟଣାର ରାଜନୀତିକରଣ ଉଦ୍ୟମ କରାଯାଇଛି । ଜଣେ କେନ୍ଦ୍ରମନ୍ତ୍ରୀ ମୁଖ୍ୟମନ୍ତ୍ରୀଙ୍କ ନୈତିକ ଦାୟିତ୍ୱ ନେଇ ପ୍ରଶ୍ନ ଉଠାଇଥିଲା ବେଳେ ସେ ପ୍ରଥମେ ଏହା କହିବା ପୂର୍ବରୁ ହରିଆନା ଓ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ନୈତିକ ଦାୟିତ୍ୱ ନେଇ ପ୍ରଶ୍ନ କରିବା ଉଚିତ୍‍ । ଉଭୟ ମଧ୍ୟପ୍ରଦେଶ ଓ ହରିଆନାରେ ନାବାଳିକାଙ୍କୁ ଦୁଷ୍କର୍ମ ଓ ହତ୍ୟା ସଂଖ୍ୟା ବିଜେପି ରାଜ୍ୟରେ କ୍ଷମତାକୁ ଆସିବା ପରେ ବଢ଼ିବାରେ ଲାଗିଛି । ସେହିପରି ଆଉ ଜଣେ କେନ୍ଦ୍ର ମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସମ୍ବେଦନହୀନତା ନେଇ ପ୍ରଶ୍ନ କରିବା ସହ ତାତ୍ସଲ୍ୟ କରି ପ୍ରାଇଭେଟ୍‍ କଲେଜ୍‍ଗୁଡିକରୁ ପୁରସ୍କାର ନେଇଥିବା କଥା ଉଠାଇଛନ୍ତି । ‘ଚେଇଁ ଶୋଇଥିବ ଯିଏ, ତାକୁ ଉଠାଇବ କିଏ’ ଉକ୍ତି ବିଜେପିର ଏହି କେନ୍ଦ୍ରମନ୍ତ୍ରୀଙ୍କ ପାଇଁ ଅଧିକ ପ୍ରଯୁଜ୍ୟ । ସେ କ’ଣ ଜାଣିନାହାନ୍ତି, ଏହି ଆଦର୍ଶ ମୁଖ୍ୟମନ୍ତ୍ରୀ ସମ୍ମାନ ଉତ୍ସବରେ ବିଜେପିର ଅନ୍ୟତମ ମାର୍ଗଦର୍ଶକ ମୁରଲୀ ମନୋହର ଯୋଶୀ ଯୋଗଦେଇଥିଲେ । କେବଳ ସେତିକି ନୁହେଁ, ମୁଖ୍ୟମନ୍ତ୍ରୀଙ୍କୁ ଏହି ସମ୍ବେଦନହୀନତା କେତେଦିନ ଚାଲିବ ବୋଲି ଉଠାଇବା ପ୍ରଶ୍ନର ଉତ୍ତର ଚାହିଁଥିଲା ବେଳେ ସେ ଥରେ ଶ୍ରୀ ଯୋଶୀ ଆଦର୍ଶ ମୁଖ୍ୟମନ୍ତ୍ରୀ ସମ୍ମାନ ଉତ୍ସବରେ ଯାହା କହିଛନ୍ତି, ତାହା ପଢ଼ିଲେ ସେଥିରୁ ଉତ୍ତର ପାଇଯିବେ । ଶ୍ରୀ ଯୋଶୀ କହିଛନ୍ତି, ଭଗବାନଙ୍କ ପାଖରେ ମୁଁ ପ୍ରାର୍ଥନା କରୁଛି, ନବୀନ ପଟ୍ଟନାୟକ ଆଉଥରେ ମୁଖ୍ୟମନ୍ତ୍ରୀ ହୁଅନ୍ତୁ । ଅବଶ୍ୟ କୁନ୍ଦୁଲି ପୀଡ଼ିତା ତଦନ୍ତ ସରିବା ପୂର୍ବରୁ ଆତ୍ମହତ୍ୟା କରିଥିବା ନିଶ୍ଚିତ ଭାବେ ଦୁଃଖଦାୟକ ଘଟଣା । କିନ୍ତୁ ପୀଡ଼ିତାଙ୍କୁ ମୁଖ୍ୟମନ୍ତ୍ରୀ ନ୍ୟାୟ ଦେବା ପାଇଁ ସବୁ ପ୍ରକାର ପଦକ୍ଷେପ ନେଇଛନ୍ତି । ଏହି ମାମଲାକୁ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଇ କ୍ରାଇମ୍‍ବ୍ରାଞ୍ଚ ତଦନ୍ତ ପାଇଁ ନିର୍ଦ୍ଦେଶ  ଦେଲେ । ପୁନଶ୍ଚ ସେ ନଭେମ୍ବର ୮ରେ କ୍ରାଇମ୍‍ବ୍ରାଞ୍ଚ ତଦନ୍ତ ସହ ସମାନ୍ତରାଳ ଭାବେ ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ୧୦ ତାରିଖ ଦିନ ୫୦ ହଜାର ଟଙ୍କାର ସହାୟତା ରାଶି ପ୍ରଦାନ ପାଇଁ ଘୋଷଣା କରିଛନ୍ତି । ଏବେ ଦୁଇ ବିରୋଧୀ ଦଳ କଂଗ୍ରେସ ଓ ବିଜେପି ପକ୍ଷରୁ ସିବିଆଇ ତଦନ୍ତ ପାଇଁ ଦାବି କରାଯାଉଥିଲା ବେଳେ ଏହି ଦୁଇଦଳର ନେତାମାନେ ଇତିଶ୍ରୀ ହତ୍ୟା ମାମଲାରେ ତଦନ୍ତ କରି ସିବିଆଇ କିପରି ବିଫଳ ହେବା ସ୍ୱୀକାର କଲା ତାହା ଜାଣିନାହାନ୍ତି କି? ବରଂ କୁନ୍ଦୁଲି ପୀଡ଼ିତାଙ୍କ ମାମଲାରେ କ୍ରାଇମ୍‍ବ୍ରାଞ୍ଚ ଓ ନ୍ୟାୟିକ ତଦନ୍ତ ଚାଲିଥିବାରୁ ଖୁବ୍‍ଶୀଘ୍ର ଆଇନ୍‍ ତା’ବାଟରେ ଯାଇ ନିର୍ଯାସ ବାହାରିବା ନିଶ୍ଚିତ ବୋଲି ଆମର ଆଶା ଓ ଦୃଢ଼ ବିଶ୍ୱାସ ବୋଲି ଶ୍ରୀ ନାୟକ ଆଶାବ୍ୟକ୍ତ କରିଛନ୍ତି |

 

0
0
0
s2sdefault