ହେଡଲାଇନସ୍:

ତିର୍ତ୍ତୋଲ :ଏକାଧିକ ଆଶାୟୀ ବିଜେଡି ପାଇଁ କଣ୍ଟା 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ତିର୍ତ୍ତୋଲ/ପାରାଦ୍ବୀପ:ରମେଶ ମହାନ୍ତି -ଓଡିଶା ରାଜନୀତିରେ ତିର୍ତ୍ତୋଲ ନିର୍ବାଚନମଣ୍ଡଳୀ ସବୁବେଳେ ଚର୍ଚ୍ଚାରେ ରହିଆସିଛି।୨୦୧୯ ସାଧାରଣ ନିର୍ବାଚନ ଏପ୍ରିଲ୍ ୨୯ତାରିଖରେ ହେବବୋଲି ଘୋଷଣା ହେବା ପରେ ସବୁ ରାଜନୈତିକ ଦଳ ମଧ୍ୟରେ ତତ୍ପରତା ପ୍ରକାଶ ପାଇବା ସହିତ ରାଜନୈତିକ ଉଷ୍ମତା ବଢୁଥିବା ଦେଖିବାକୁ ମିଳିଲାଣି।ରାଜ୍ୟ ସରକାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ ନିର୍ମଳ ଭାବମୂର୍ତ୍ତି,ଜନହିତକର କାର୍ଯ୍ୟ ସହିତ ଲୋକପ୍ରିୟତା ପାଇଁ ଚଳିତ ନିର୍ବାଚନରେ ବିଜେଡି ଦଳରୁ ପ୍ରାର୍ଥୀ ହେବା ଆଶାରେ ଆଶାୟୀଙ୍କ ଭିଡ ଲାଗିଛି।ହେଲେ ୨୦୧୯ନିର୍ବାଚନ ବିଜେଡି ପାଇଁ ଜିତିବାର ସୁବିଧା ଥିଲେବି ଆଶାୟୀଙ୍କ ଲମ୍ବା ତାଲିକା ହିଁ ବିଜେଡି ପ୍ରାର୍ଥୀଙ୍କୁ ସଙ୍କଟରେ ପକାଇବ ବୋଲି ଚର୍ଚ୍ଚା ହେଉଛି।ଅତୀତ ୨୦୦୯ମସିହାରେ ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀ ପୁନଃଗଠିତ ହୋଇ ଅନୁସୂଚିତ ଜାତି ବର୍ଗର ପ୍ରାର୍ଥୀଙ୍କ ପାଇଁ ସଂରକ୍ଷିତ ରହିଛି।ଏପରିକି ତିର୍ତ୍ତୋଲ ବ୍ଳକର ୨୧ଟି,ବିରିଡି ବ୍ଲକର ୨୧ଟି ଓ ରଘୁନାଥପୁର ବ୍ଲକର ୧୯ଟି ପଞ୍ଚାୟତକୁ ମିଶାଇ ସମୁଦାୟ ୬୧ଟି ପଞ୍ଚାୟତକୁ ନେଇ ଏହି ନିର୍ବାଚନମଣ୍ଡଳୀ ଗଠିତ ହୋଇଥିଲା। ଏଠାରୁ ବିଜେଡି ଲଗାତାର ତିନିଥର ବିଜୟଲାଭ କରିଛି। ଗତ ୨୦୧୪ ନିର୍ବାଚନରେ ବିଜେଡି ରାଜନୀତିରେ ପାଦ ଥାପିଥିବା ଡ଼ା.ରାଜଶ୍ରୀ ମଲିକ ସମୁଦାୟ ୮୮ହଜାର ୯୫୩ଖଣ୍ଡ ଭୋଟ୍ ପାଇ ଦ୍ବିତୀୟ ସ୍ଥାନରେ ଥିବା କଂଗ୍ରେସ ଠାରୁ ୩୫ହଜାର ୪୪୮ଖଣ୍ଡ ଅଧିକ ଭୋଟ୍ ପାଇ ନିର୍ବାଚିତ ହୋଇଥିଲେ। ବର୍ତ୍ତମାନର ବିଧାୟିକା ଡ଼ା. ରାଜଶ୍ରୀ ମଲିକ ଚଳିତ ନିର୍ବାଚନରେ ପୁନର୍ବାର ବିଜେଡିରୁ ପ୍ରାର୍ଥୀ ହେବା ପାଇଁ ଆଶା ବାନ୍ଧିଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ ଜଗତସିଂହପୁର ଜିଲ୍ଲାର ବିଜେଡି ସଭାପତି ତଥା ରାଜ୍ୟ ଯୋଜନା ବୋର୍ଡ଼ ଉପାଧ୍ୟକ୍ଷ ବିଷ୍ଣୁ ଦାସ,ରାଜ୍ୟ ମହିଳା ବିଜେଡି ସଭାନେତ୍ରୀ ଭାବେ ନିଯୁକ୍ତ ତିର୍ତ୍ତୋଲ ଅଞ୍ଚଳର ଡ଼଼.ମିନତୀ ବେହେରା,ରଘୁନାଥପୁର ଅଞ୍ଚଳର ଯୁଧିଷ୍ଠିର ସେଠୀ ଓ ପୂର୍ବତନ ବିଜେଡି ବିଧାୟକ ବିରିଡି ଅଞ୍ଚଳର ରବିନ୍ଦ୍ରନାଥ ଭୋଇ ପ୍ରମୁଖ ଟିକେଟ୍ ଆଶାୟୀ ଦୌଡ଼ରେ ଅଛନ୍ତି।ସମସ୍ତେ ଟିକେଟ୍ ହାତେଇବାକୁ ନିଜ ନିଜର ଉଦ୍ୟମ ଜାରି ରଖିଛନ୍ତି।ଏହି ନିର୍ବାଚନମଣ୍ଡଳୀରେ ବିଧାୟିକା ଡଃ ମଲିକଙ୍କ ଦ୍ୱାରା ବହୁ ଉନ୍ନୟନମୂଳକ କାର୍ଯ୍ୟ କରାଯାଇଥିଲେ ମଧ୍ୟ ଏବେବି ବହୁ ସମସ୍ୟା ରହିଛି ଏପରିକି ତାଙ୍କ ଉପରେ ନିର୍ବାଚନମଣ୍ଡଳୀର ଅଧିକାଂଶ କର୍ମୀ ଅସନ୍ତୁଷ୍ଟ ଥିବା ଯୋଗୁଁ ତାଙ୍କର ସ୍ଥିତି ଭଲ ନଥିବା କୁହାଯାଉଛି।ଅପରପକ୍ଷରେ ଏହି ନିର୍ବାଚନମଣ୍ଡଳୀରେ ଜଗତସିଂହପୁର ଜିଲ୍ଲାର ବିଜେଡି ଜିଲ୍ଲା ସଭାପତି ବିଷ୍ଣୁ ଦାସଙ୍କ ସମର୍ଥକଙ୍କ ସଂଖ୍ୟା ବୃଦ୍ଧି ପାଇବା ସହିତ ଦିନକୁ ଦିନ ତାଙ୍କର ସଂଗଠନ ମଜବୁତ୍ ହେଉଥିବା ଦେଖିବାକୁ ମିଳିଛି।ସେହିପରି ରାଜ୍ୟ ମହିଳା ସଭାନେତ୍ରୀ ଭାବେ ନିଯୁକ୍ତ ଥିବା ତିର୍ତ୍ତୋଲ ଅଞ୍ଚଳର ମିନତୀ ବେହେରାଙ୍କ ସମର୍ଥକଙ୍କ ସଂଖ୍ୟା ମଧ୍ୟ କମ୍ ନାହାଁନ୍ତି।ଏପରିକି ୨୦୦୯ ଓ ୨୦୧୪ ନିର୍ବାଚନରେ ଟିକେଟ୍ ଦୌଡ଼ରେ ଥିବା ରଘୁନାଥପୁର ଅଞ୍ଚଳର ଯୁଧିଷ୍ଠିର ସେଠୀ ଏଥର ଟିକେଟ୍ ହାତଛଡ଼ା ନକରିବା ପାଇଁ କୁଆଡେ ତୃତୀୟ ମହଲାରେ ଜୋରଦାର ଉଦ୍ୟମ ଚଳାଇଛି ବୋଲି  କୁହାଯାଉଛି।ଏମିତିକି ସେ ନିର୍ବାଚନମଣ୍ଡଳୀର ବିଭିନ୍ନ ପଞ୍ଚାୟତ ଗୁଡ଼ିକରେ ବୁଲି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବା ସହିତ ସଭାସମିତି କରୁଥିବା ଶୁଣିବାକୁ ମିଳୁଛି। ସେହିପରି ଏହି ନିର୍ବାଚନମଣ୍ଡଳୀ ସହିତ ହୃତ ପବୃତ ଭାବେ ଜଡ଼ିତ ଥିବା ପୂର୍ବତନ ବିଧାୟକ ବିରିଡ଼ି ଅଞ୍ଚଳର ରବିନ୍ଦ୍ରନାଥ ଭୋଇ ଚଳିତ ନିର୍ବାଚନରେ ପ୍ରାର୍ଥୀ ହେବା ପାଇଁ ନିଜର ଉଦ୍ୟମ ଚଳାଇଛନ୍ତି।ଏପରିକି ସେ ବିଭିନ୍ନ ପଞ୍ଚାୟତ ଗୁଡ଼ିକରେ ବୁଲି ନିଜର ସମର୍ଥକ ମାନଙ୍କୁ ଭେଟୁଥିବା ଦେଖିବାକୁ ମିଳିଛି।ତେବେ ଏସବୁ ଭିତରେ ବିଜେଡି ସୁବିଧା ଜନକ ସ୍ଥିତିରେ ଥିଲେ ମଧ୍ୟ ଆଶାୟୀଙ୍କ ଲମ୍ବା ତାଲିକା ବିଜେଡି ତଣ୍ଟିରେ କଣ୍ଟା ହୋଇ ଲାଗିବା ନେଇ ରାଜନୈତିକ ବିଶେଷଜ୍ଞଙ୍କ ମଧ୍ୟରେ ଚର୍ଚ୍ଚା ହେଉଛି।

0
0
0
s2sdefault