ହେଡଲାଇନସ୍:

ଗୋଷ୍ଠୀ କନ୍ଦଳ, ସବୁ ଦଳ ପାଇଁ ସାଜିଛି କାଳ 

User Rating: 3 / 5

Star ActiveStar ActiveStar ActiveStar InactiveStar Inactive
 

ରାଇରଙ୍ଗପୁର ସିଂହାସନ : କିଏ କିଣିବ ଭୋଟର ଈଶ୍ୱରଙ୍କ ମନ 

ବିଜେପି ଓ ବିଜେଡ଼ି ପାଇଁ ସମ୍ମାନର ପ୍ରଶ୍ନ 

ନିର୍ଣ୍ଣାୟକ ହେବେ ହୋ ଓ ମହାନ୍ତ ସମ୍ପ୍ରଦାୟ

ବାରିପଦା(ଦିଲ୍ଲୀପ ମହାନ୍ତି )-  ରାଜନୀତି ଦୃଷ୍ଟି କୋଣରୁ ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ପୌରପରିଷଦର ୧୫ଟି ୱାଡର଼୍, ରାଇରଙ୍ଗପୁର ବ୍ଲକର ୧୨୪ଟି ୱାଡର଼୍, ବହଳଦା ବ୍ଲକର ୧୮୦ଟି ୱାଡର଼୍, ତିରିଙ୍ଗ ବ୍ଲକର ୧୨୨ଟି ୱାଡର଼୍ ଓ ଜାମଦା ବ୍ଲକର ୧୫୦ଟି ୱାଡର଼୍ ସହ ୨୦୧୯ ଜାନୁଆରୀ ୨୧ରେ ପ୍ରକାଶିତ ଭୋଟର ତାଲିକା ଅନୁସାରେ ୧,୧୨,୮୭୮ ପୁରୁଷ, ୧,୧୫,୬୩୬ ମହିଳା ଓ ୮ ଅନ୍ୟାନ୍ୟ ଏହିପରି ମୋଟ ୨,୨୮,୫୨୨ ଭୋଟରକୁ ନେଇ ଗଠିତ ୨୮ନଂ-ରାଇରଙ୍ଗପୁର(ସଂ) ଆସନ ଅନେକ ଗୁରୁତ୍ୱ ବହନ କରିଥାଏ । କେନ୍ଦ୍ର ମୁଖ୍ୟ ନିର୍ବାଚନ କମିଶନର ଗତ ମାର୍ଚ୍ଚ ୧୦ରେ ନିର୍ବାଚନୀ ବିଗୁଲ୍ ବଜାଇବା ପରେ ରାଇରଙ୍ଗପୁର ନିର୍ବାଚନ ମଣ୍ଡଳୀରେ ରାଜନୈତିକ ଉଷ୍ମତା ବୃଦ୍ଧିପାଇଥିବାର ପରିଲକ୍ଷିତ ହୋଇଛି ।  ଏଠାରେ ଆସନ୍ତା ଏପି୍ରଲ ୨୯ରେ ଚତୁର୍ଥ ପର୍ଯ୍ୟାୟରେ ନିର୍ବାଚନ ଅନୁÂିତ ହେଉଥିବା ସମୟରେ ନାମାଙ୍କନ ପତ୍ର ଦାଖଲ ଏପ୍ରିଲ ୨ରୁ ଆରମ୍ଭÿ ହୋଇ ୯ରେ ଶେଷ ହେବ ଏବଂ ଭୋଟ ଗଣନା ମେ ୨୩ରେ ହେବ । ଫଳରେ ଉକ୍ତ ବିଧାନସଭା କ୍ଷେତ୍ର ଉଭୟ ବିଜେଡ଼ି ଓ ବିଜେପି ନିମନ୍ତେ ସମ୍ମାନର ପ୍ରଶ୍ନ ପାଲଟି ଯାଇଛିଥିବା କାରଣରୁ ବିଜେପି ପକ୍ଷରୁ ଦୁର୍ଗକୁ ଜୟ କରିବା ଓ ବିଜେଡ଼ି ରକ୍ଷା କରିବା ନିମନ୍ତେ ସ୍ୱତନ୍ତ୍ର ରଣକୌଶଳ  ଓ ରଣନୀତି ପ୍ରସ୍ତୁତି ମାଧ୍ୟମରେ ସମରସଜ୍ଜା କରିବାରେ ଲାଗିଛନ୍ତି । ପଛରେ ପଡ଼ିଯାଇ ନାହାନ୍ତି କଂଗ୍ରେସ ଓ ଜେଏମ୍ଏମ୍  ମେଣ୍ଟ ଧର୍ମକୁ ପାଳନ କରିବା ସହ ବିଜୟର ଧ୍ୱଜା ଉଡ଼ାଇବା ନିମନ୍ତେ ଆଶାବାଦୀ ହୋଇପଡ଼ିଛନ୍ତି । ପ୍ରାର୍ଥୀ ତାଲିକା  ଘୋଷଣାକୁ କେବଳ ଅପେକ୍ଷାରେ ରହିଥିବା ସମୟରେ ସମସ୍ତ ଦଳରେ ଗୋଷ୍ଠୀ  କନ୍ଦଳ ମୁଣ୍ଡବ୍ୟଥାର କାରଣ ପାଲଟି ଯାଇଛି । ସେହିପରି ନିର୍ବାଚନ ମଣ୍ଡଳୀରେ ଭୋଟରଙ୍କ ମୋଡ଼କୁ ପରଖିବା ସହଜ ମନେ ହେଉନାହିଁ । ସେମାନେ  କେଉଁ ଆଡ଼କୁ ଢ଼ଳିବେ ତାହା ମଧ୍ୟ ଏକ ସସପେନ୍ସ ହୋଇପଡ଼ିଛି । ତେବେ ନିର୍ବାଚନ ମଣ୍ଡଳୀରେ ବିଜେଡ଼ି,  ବିଜେପି ଓ କଂଗ୍ରେସ-ଜେଏମଏମ ମେଣ୍ଟ ମଧ୍ୟରେ ତୀବ୍ର ପ୍ରତିଦ୍ୱନ୍ଦିତା ହେବାର ଯଥେଷ୍ଟ ସମ୍ଭାବନା ଦେଖାଦେଇଛି ।

                 ୨୦୦୦ରୁ ୨୦୦୯ ମଧ୍ୟରେ ଓଡ଼ିଶାରେ ବିଜେଡ଼ି ଓ ବିଜେପି ମଧ୍ୟରେ ମେଣ୍ଟ ସରକାର ଚାଲିଥିବା ବେଳେ ରାଇରଙ୍ଗପୁର ବିଧାନସଭା ଆସନ ବିଜେପିକୁ ଛାଡ଼ି ଦେଇଥିଲା ବିଜେଡ଼ି ଏବଂ ଏଠାରୁ ବର୍ତ୍ତମାନର ଝାଡ଼ଖଣ୍ଡ ରାଜ୍ୟପାଳ ଦ୍ରୌପଦୀ ମୁର୍ମୁ ଦୁଇ ଥର ବିଜୟୀ ହୋଇଥିଲେ ଏବଂ ମନ୍ତ୍ରୀ ମଣ୍ଡଳରେ ମଧ୍ୟ ସାମିଲ ହୋଇଥିଲେ । ଏହାପରେ ୨୦୦୮ରେ ଓଡ଼ିଶା ବିଧାନସଭା ପୁର୍ନଗଠନ ସମୟରେ ବହଳଦା ନିର୍ବାଚନ ମଣ୍ଡଳୀ ଉଚ୍ଛେଦ ହୋଇଥିଲା ଏବଂ ବହଳଦା ବ୍ଲକ ରାଇରଙ୍ଗପୁର ନିର୍ବାଚନ ମଣ୍ଡଳୀରେ ସାମିଲ ହୋଇଥିଲା । ୨୦୦୯ ନିର୍ବାଚନ ପୂର୍ବରୁ ଆସନ ବୁଝାମଣାକୁ କେନ୍ଦ୍ରକରି  ବିଜେଡ଼ି ଓ ବିଜେପି ମଧ୍ୟରେ ଗଢ଼ି ଉଠିଥିବା ମଧୁଚନ୍ଦ୍ରିକାରେ ଭଟ୍ଟା ପଡ଼ିବାରୁ ବିଜେଡ଼ି ନିର୍ବାଚନ ମଣ୍ଡଳୀରେ ନିଜର ବଳ , ଶକ୍ତି ଓ ଲୋକପ୍ରିୟତାକୁ ଆକଳନ କରିନପାରି ନିର୍ବାଚନ ମଣ୍ଡଳୀକୁ ତାର ଭାଗୁଆଳି ଦଳ ଏନସିପି ହାତରେ ଟେକି ଦେଇଥିଲା ଏବଂ ଏନସିପି ପ୍ରାର୍ଥୀ କାଶିନାଥ ହେମ୍ବ୍ରମ ୧୨.୮୮ ପ୍ରତିଶତ ହାରରେ ୧୪,୮୨୮ ଖଣ୍ଡ ଭୋଟ ପାଇ ଚତୃର୍ଥ ସ୍ଥାନରେ ରହିଥିବା ବେଳେ କଂଗ୍ରେସ ପ୍ରାର୍ଥୀ ଶ୍ୟାମ ଚରଣ ହାଁସଦାଃ ୨୧.୫୩ ପ୍ରତିଶତ ହାରରେ ୨୪,୭୯୨ ଖଣ୍ଡ ଭୋଟ ପାଇ ୫ମୁଖୀ ପ୍ରତିଦ୍ୱନ୍ଦିତାରେ ବିଜୟୀ ହୋଇଥିଲେ । ସେହିପରି ଜେଏମଏମ ପ୍ରାର୍ଥୀ ୧୭.୫୩ ପ୍ରତିଶତ ହାରରେ ୨୦,୧୯୦ ଖଣ୍ଡ ଭୋଟ ପାଇ ଦ୍ୱିତୀୟ ଓ ବିଜେପି ପ୍ରାର୍ଥୀ ୧୫.୫୪ ପ୍ରତିଶତ ହାରରେ ୧୭,୮୯୮ ଖଣ୍ଡ ଭୋଟ ପାଇ ତୃତୀୟ ସ୍ଥାନରେ ରହିଥିବା ସମୟରେ ୨୦୦୯ସ୍ୱାଧୀନ ପ୍ରାର୍ଥୀ ତଥା ଗତ ମାର୍ଚ୍ଚ ୧୫ରେ ନବୀନ ନିବାସରେ ବିଜେଡ଼ିର ହାତ ଧରିଥିବା ଓ ବହଳଦା ଆସନରୁ ୧୯୯୦ରେ ଆଜସୁ , ୧୯୯୫ରେ ଜେପିପିରୁ ନିର୍ବାଚିତ ହୋଇଥିବା ପୂର୍ବତନ ବିଧାୟକ ଖେଲାରାମ ମାହାଲି ୧୦.୮୬ ପ୍ରତିଶତ ହାରରେ ୧୨,୫୦୪ ଖଣ୍ଡ ଭୋଟ ପାଇ ପଞ୍ଚମ ସ୍ଥାନରେ ରହିଥିଲେ । ସେହିପରି ୨୦୧୪ ବିଧାନସଭା ନିର୍ବାଚନରେ ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ନିଜ ଦଳର ନେତାଙ୍କ ଉପରେ ଆସ୍ଥା ହରାଇ କଂଗ୍ରେସ ଦଳରୁ ଆମଦାନୀ କରାଇ ସାଇବା ସୁଶୀଳ ହାଁସଦାଃଙ୍କୁ ପ୍ରାର୍ଥୀ କରାଇବା ପରେ ଚତୁର୍ମୁଖୀ  ପ୍ରତିଦ୍ୱନ୍ଦିତାରେ ଶ୍ରୀହାଁସଦାଃ ୩୨.୭୨ ପ୍ରତିଶତ ହାରରେ ୫୧,୦୬୨ ଖଣ୍ଡ ଭୋଟ ପାଇ ଏବଂ ୧୫,୫୫୬ ଖଣ୍ଡ ଭୋଟ ବ୍ୟବଧାନରେ ବିଜେପି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ପରାସ୍ତ କରିଥିଲେ । ଶ୍ରୀମତୀ ମୁର୍ମୁ ୨୨.୭୬ ପ୍ରତିଶତ ହାରରେ ୩୫,୫୦୬ ଖଣ୍ଡ ଭୋଟ ପାଇ ଦ୍ୱିତୀୟ, ଜେଏମଏମ ୧୮.୪୮ ପ୍ରତିଶତ ହାରରେ ୨୮,୮୩୮ ଖଣ୍ଡ ଭୋଟ ପାଇ ତୃତୀୟ ଓ କଂଗ୍ରେସ ୧୨.୨୨ ପ୍ରତିଶତ ହାରରେ ୧୯,୦୭୫ ଖଣ୍ଡ ଭୋଟ ପାଇ ୪ର୍ଥ ସ୍ଥାନରେ ରହିଥିଲେ । ୨୦୧୯ରେ ଓଡ଼ିଶାରେ ମୁଖ୍ୟମନ୍ତ୍ରୀ ନବୀନଙ୍କ ସପକ୍ଷରେ ଅନ୍ତସ୍ରୋତ ପ୍ରବାହିତ ହେଉଥିବା କାରଣରୁ ରାଇରଙ୍ଗପୁର ଆସନରୁ ବିଜେଡ଼ି ପ୍ରାର୍ଥୀ ସାଇବା ସୁଶୀଳ ହାଁସଦାଃଙ୍କୁ ବିଧାୟକ ହେବାର ସୌଭାଗ୍ୟ ମିଳିପାରିଥିଲା । କିନ୍ତୁ ପରବର୍ତ୍ତୀ  ସମୟରେ ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନଙ୍କ ବାରମ୍ବାର ତାଗିଦ ସତ୍ୱେ ବିଧାୟକ ଶ୍ରୀହାଁସଦାଃ ନିଜର ଅପାରଗତା କାରଣରୁ ନିର୍ବାଚନ ମଣ୍ଡଳୀରେ ଭୋଟରଙ୍କ ସୁଖଦୁଃଖରେ ସାମିଲ ହୋଇ ନପାରିବା ଫଳରେ ଜନତା ଜନାର୍ଦ୍ଦନ  ତାଙ୍କ ପ୍ରତି ପ୍ରକଟ କରିଥିବା  ଆସ୍ଥା ଓ ବିଶ୍ୱାସକୁ ହରାଇ ବସିଲେ ଏବଂ ଜନସାଧାରଣ ଆସ୍ତେଆସ୍ତେ ତାଙ୍କ ନିକଟରୁ ଦୂରେଇ ଯିବାକୁ ବସିଲେ । ଦଳ ମଧ୍ୟରେ ଦେଖା ଦେଲା ଅସନ୍ତୋଷ ଓ ଏହା ଗୋଷ୍ଠୀ କନ୍ଦଳର ରୂପ ନେଲା । ବର୍ତ୍ତମାନ ବିଜେଡ଼ିର ନେତାମାନେ ତାଙ୍କ ବିରୋଧରେ ସ୍ୱର ଉଠାଇବା ସହ ନୂଆ ମୁହଁ ସପକ୍ଷରେ ମତପୋଷଣ କରିଛନ୍ତି । ପୁଣି ବହଳଦା ବ୍ଲକର ବିଜେଡ଼ିର ଟାଣୁଆ ନେତା ଭାବେ ପରିଚିତ ଇଶାନ ମିଶ୍ର ବିଧାୟକଙ୍କୁ ବିରୋଧ କରି ବୈଠକ ଆୟୋଜନ କରୁଥିବା ବିଷୟକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ୨୦୧୯ ନିର୍ବାଚନରେ ମୟୂରଭଞ୍ଜ ଜିଲ୍ଲାରେ ନା ରହିଛି ନବୀନ ସୁନାମୀ ଅଥବା ମୋଦୀ ଲହରୀ  । ଭୋଟରମାନେ ପ୍ରାର୍ଥୀ ଚୟନ, ପ୍ରାର୍ଥୀର ବ୍ୟକ୍ତିତ୍ୱ, ନେତୃତ୍ୱ , ଲୋକପ୍ରିୟତା ଓ ସ୍ୱଚ୍ଛତା ଉପରେ ଅଧିକ ଗୁରୁତ୍ୱାରୋପ କରିବା ସାଙ୍ଗକୁ ନୂଆ ମୁହଁ ଓ ଯୁବ ପ୍ରାର୍ଥୀଙ୍କୁ ପ୍ରଥମ ପସନ୍ଦ ଭାବେ ଗ୍ରହଣ କରୁଥିବା ବିଷୟକୁ ନେଇ ନିର୍ବାଚନ ମଣ୍ଡଳୀରେ ହେଉଥିବା ଚର୍ଚ୍ଚାରୁ ଜଣାପଡ଼ିଛି । ଏହି ଭଳି ପରିସ୍ଥିତିରେ ସଠିକ୍ ଓ ଯୋଗ୍ୟ ପ୍ରାର୍ଥୀ ଚୟନ ବିଜୟର ମାପକାଠି ବୋଲି ରାଜନୈତିକ ବିଶେଷଜ୍ଞମାନେ ମତପୋଷଣ କରିଛନ୍ତି । ଏହି ସମୟରେ ରାଇରଙ୍ଗପୁର ନିର୍ବାଚନ ମଣ୍ଡଳୀରେ ବିଜେଡ଼ିରୁ ଟିକଟ ହାତେଇବା ଲବିର ତାଲିକା ଲମ୍ବିବାରେ ଲାଗିଛି । ଆଶାୟୀମାନଙ୍କ ମଧ୍ୟରେ ବାମନଘାଟି ଉପଖଣ୍ଡର ହୋ ସମ୍ପ୍ରଦାୟର ଟାଣୁଆ ନେତା ତଥା ୨୦୧୪ ନିର୍ବାଚନ ବେଳେ ଆଶାୟୀ ତାଲିକାରେ ରହିଥିବା ପୂର୍ବତନ ଜିଲ୍ଲାପରିଷଦ ସଦସ୍ୟ ଜଲେନ ନାଏକଙ୍କ ନାମ ସର୍ବାଗ୍ରେ ରହିଥିବା ବେଳେ ପୂର୍ଣ୍ଣଚନ୍ଦ୍ର ମାର୍ଣ୍ଡି, ପୂର୍ବତନ ବିଧାୟକ ଖେଲାରାମ ମାହାଲି(ଯେ କି ନିକଟରେ ନବୀନ ନିବାସରେ ବିଜେଡିରେ ଯୋଗ ଦେଇଛନ୍ତି)  ଓ କାଶିନାଥ ହେମ୍ବ୍ରମ ପ୍ରମୁଖଙ୍କ ନାମ ଚର୍ଚ୍ଚା ପରିସରରେ ରହିଆସିଛି । ତେବେ ଏକ ଆକଳନରୁ ଜଣାଯାଏ ନିର୍ବାଚନରେ ମହାନ୍ତ ଓ ହୋ ସମ୍ପ୍ରଦାୟର ଭୋଟର ନିର୍ଣ୍ଣାୟକ ଭୂମିକା ନେବ ବୋଲି ଜଣାପଡ଼ିଛି । 

             ସେହିପରି ବିଜେପି ପଛରେ ପଡ଼ିଯାଇ ନାହିଁ । ଝାଡ଼ଖଣ୍ଡ ରାଜ୍ୟର ରାଜ୍ୟପାଳ ତଥା ପୂର୍ବତନ ମନ୍ତ୍ରୀ ଦୌପଦୀ ମୁର୍ମୁଙ୍କ ନିଜସ୍ୱ ନିର୍ବାଚନ ମଣ୍ଡଳୀ ହେଉଛି ରାଇରଙ୍ଗପୁର । ବିଭିନ୍ନ ସମୟରେ ରାଇରଙ୍ଗପୁର ଗସ୍ତରେ ଆସି ସ୍ଥାନୀୟ ଜନସାଧାରଣଙ୍କ ସହିତ ସୌହାର୍ଦ୍ଦ୍ୟପୂର୍ଣ୍ଣ ସମ୍ପର୍କସ୍ଥାପନ କରିଆସୁଛନ୍ତି । ପୁଣି ବିଜେପିର ଟାଣୁଆ ନେତା ରାଜକିଶୋର ଦାସ ଓ ମୟୂରଭଞ୍ଜ ପଶ୍ଚିମ ସଭାପତି ନବୀନ ରାମ ଦଳୀୟ ସଙ୍ଗଠନକୁ ସଜାଡ଼ି ରଖିଛନ୍ତି । ନିର୍ବାଚନ ମଣ୍ଡଳୀରେ ରହିଥିବା ରାଇରଙ୍ଗପୁର ପୌରପରିଷଦ ସହ ୪ଟି ବ୍ଲକ ମଧ୍ୟରୁ ୨ଟି ବ୍ଲକ ଓ ୮ଟି ଜିଲ୍ଲାପରିଷଦ ଜୋନରୁ ୭ଟି ଜୋନକୁ ନିଜ ଦଖଲରେ ରଖିଛି । ତେଣୁ ସମସ୍ତ ଦୃଷ୍ଟିକୋଣରୁ ତର୍ଜମା କଲେ ବିଜେପି ନିର୍ବାଚନ ମଣ୍ଡଳୀରେ ସହଜ ସ୍ଥିତିରେ ରହିଥିବାର ସୂଚନା ମିଳିଥିବା ବେଳେ ଦଳରେ ଆଶାୟୀମାନଙ୍କ ସଂଖ୍ୟା ମଧ୍ୟ କମ୍ ନୁହେଁ । ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ନବ ଚରଣ ମାଝିଙ୍କ ନାମ ସମ୍ମୁଖ ଭାଗରେ ରହିଥିବା ବେଳେ ତଳକୁ ଜୟପାଲ ସିଂ ନାଏକ, ରାମଚନ୍ଦ୍ର ହାଁସଦାଃ, ଫାଗରାମୁ ମାର୍ଣ୍ଡି, ବିଜୟ ନାଏକ, ଯଦୁରାମ ମୁର୍ମୁ, ସାବିତ୍ରୀ ମାଝି ଓ ମିନତୀ ବାଗେ ପ୍ରମୁଖ ଦଳୀୟ ଟିକଟ ଲବିରେ ରହିଛନ୍ତି । ନିର୍ବାଚନ ମଣ୍ଡଳୀରେ କଂଗ୍ରେସର ଦଳୀୟ ସଙ୍ଗଠନ ବିଜେଡ଼ି ଓ ବିଜେପି ପରି ଅଧିକ ସୁଦୃଢ଼ ନଥିବା ସମୟରେ ଆଶାୟୀମାନଙ୍କ ସଂଖ୍ୟା ଲମ୍ବିବାରେ ଲାଗିଛି । ପୂର୍ବତନ ବିଧାୟକ ଶ୍ୟାମ ଚରଣ ହାଁସଦାଃଙ୍କ ସହିତ ପୂର୍ବତନ ବିଧାୟକ ଲକ୍ଷ୍ମଣ ମାଝି ଓ ତାଙ୍କ ପୁତ୍ର ଅମର ପ୍ରସାଦ ହେମ୍ବ୍ରମ ପ୍ରମୁଖଙ୍କ ସହ ବିଜେପି ତ୍ୟାଗ କରି  କଂଗ୍ରେସର ହାତ ଧରିଥିବା ପଣ୍ଡିତ ରଘୁନାଥ ମୁର୍ମୁଙ୍କ ନାତି ଡ଼ାକ୍ତର ନେପୋଲ ରଘୁ ମୁର୍ମୁ ପ୍ରମୁଖ ଟିକଟ ପାଇବା ଦୌଡ଼ରେ ରହିଛନ୍ତି । ଏଥି ସହିତ ଜେଏମଏମରୁ ପୂର୍ବତନ ବିଧାୟକ ପ୍ରହଲ୍ଲାଦ ପୁର୍ତ୍ତି, ସାରସକଣା ନିର୍ବାଚନ ମଣ୍ଡଳୀର ପୂର୍ବତନ ପ୍ରାର୍ଥୀ ରାମଚନ୍ଦ୍ର ମୁର୍ମୁ ପ୍ରମୁଖ ଆଶାୟୀ ତାଲିକାରେ ରହିଥିବା ବିଷୟକୁ ନେଇ ଚର୍ଚ୍ଚା ହେଉଛି । 

0
0
0
s2sdefault