ହେଡଲାଇନସ୍:

ରାହୁଲଙ୍କ ଓଡିଶା ଗସ୍ତ ନେଇ ଆତଙ୍କିତ ବିଜେଡି ଓ ବିଜେପି

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପିଲାଳିଆମି ଛାଡି ତଥ୍ୟ ଓ ସତ୍ୟକୁ ସାମ୍ନା କରିବାକୁ ପରାମର୍ଶ ଦେଲା କଂଗ୍ରେସ

ଭୁବନେଶ୍ୱର  – ଏଆଇସିସି ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କର ବିଭିନ୍ନ ସମୟରେ ଓଡିଶା ଗସ୍ତକୁ ନେଇ ଆତଙ୍କିତ ହୋଇ ପଡିଥିବା ଉଭୟ ବିଜେଡି ଓ ବିଜେପି ଔଷଧ ବିକଳରେ ତାଟିଆ କାମୁଡିବାକୁ ନେଇ କଟାକ୍ଷ କରିଛି କଂଗ୍ରେସ । ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରଦେଶ କଂଗ୍ରେସ ମିଡିଆ ସେଲ୍ ଅଧ୍ୟକ୍ଷ ସତ୍ୟ ପ୍ରକାଶ ନାୟକ, ବରିଷ୍ଠ  କଂଗ୍ରେସ ନେତା ପଂଚାନନ କାନୁନଗୋ  ଓ ଦଳର ଉପସଭାପତି ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର ବିଜେଡି ଓ ବିଜେପିକୁ ପିଲାଳିଆମି ଛାଡି ସାହସର ସହିତ ତଥ୍ୟ ଓ ସତ୍ୟର ସାମ୍ନା କରିବାକୁ ପରାମର୍ଶ ଦେଇଛନ୍ତି । ରାହୁଲ ଗାନ୍ଧୀଙ୍କ ଗତକାଲିର ବରଗଡ ସମାବେଶରେ ଦେଇଥିବା ବକ୍ତବ୍ୟ ପରିପ୍ରେକ୍ଷୀରେ ଉଠାଇଥିବା ବିଭିନ୍ନ ପ୍ରସଙ୍ଗ ଯଥା ଉକ୍ରଟ ବେକାରୀ ସମସ୍ୟା, ସରକାରୀ ଚାକିରୀ କ୍ଷେତ୍ରରେ ଖାଲି ପଡିଥିବା ଦେଢ ଲକ୍ଷ ପଦବୀ, ଚିଟ୍ଫଣ୍ଡ କ୍ଷତିଗ୍ରସ୍ତଙ୍କୁ ରାଜ୍ୟ ସରକାରଙ୍କ ପ୍ରତାରଣା, ରାଜ୍ୟରେ ୬୦ ହଜାର କୋଟିର ଖଣି ଦୁର୍ନୀତି ଇତ୍ୟାଦିକୁ ନେଇ ପ୍ରତିକ୍ରୀୟାଶୀଳ ହୋଇଥିବା ବିଜେଡି ଓ ଏହାର ପୂର୍ବତନ ସହଯୋଗୀ ବିଜେପିର ହୋମ୍ୱାର୍କ ମନ୍ତବ୍ୟ ଅତ୍ୟନ୍ତ ହାସ୍ୟାସ୍ପଦ ଓ ଶସ୍ତା ରାଜନୀତିର ଜ୍ୱଳନ୍ତ ନମୁନା ବୋଲି କହିଛି କଂଗ୍ରେସ ।

ସତ୍ୟ ପ୍ରକାଶ କଲେ ଜଟା ଛିଣ୍ଡାଇ ମରିବା ନ୍ୟାୟରେ ରାହୁଲ ଗାନ୍ଧୀ ରାଜ୍ୟର ବିଭିନ୍ନ ପ୍ରସଙ୍ଗରେ ଯେଉଁ ତଥ୍ୟର ଅବତାରଣା କଲେ ତାକୁ ନେଇ ରାଜ୍ୟରେ କ୍ରମାଗତ ଭାବେ ଶାସନରେ ଥିବା ବିଜେଡି ଓ ପୂର୍ବରୁ ଭାଗୁଆଳି ସରକାର ଚଳାଇଥିବା ବିଜେପିର ହୃତ୍କମ୍ପ ଜାତ ହେବା ସ୍ୱାଭାବିକ ବୋଲି କହିଛନ୍ତି ମଡିଆ ସେଲ୍ ଅଧ୍ୟକ୍ଷ । ସେ ରାଜ୍ୟରେ ଖାଲି ଥିବା ଡାକ୍ତରଙ୍କ ସଂଖ୍ୟା ଉପରେ ଆଲୋକପାତ କରି କହିଥିଲେ ଯେ ଆଜିର ଦିନରେ ଶିଶୁରୋଗ ବିଶେଷଜ୍ଞ ପଦବୀ ୬୮ ପ୍ରତିଶତ, ଭେଷଜ ବିଭାଗରେ ୬୭ ପ୍ରତିଶତ, ସ୍ତ୍ରୀ ଓ ପ୍ରସୂତିରୋଗ ବିଶେଷଜ୍ଞ ୩୫ ପ୍ରତିଶତ ଓ ରଞ୍ଜନରଶ୍ମି ବିଭାଗରେ ୮୯ ପ୍ରତିଶତ ପଦବୀ ଖାଲିଥିବା ଦର୍ଶାଉଛି ଯେ ରାଜ୍ୟର ସ୍ୱାସ୍ଥ୍ୟ ବିଭାଗର ସ୍ୱାସ୍ଥ୍ୟ ଅତ୍ୟନ୍ତ ଦୁର୍ବଳ । ଏହାବାଦ୍ ଆଜିର ଦିନରେ ରାଜ୍ୟରେ ୭୨୫୮୭ ଅଙ୍ଗନବାଡି କେନ୍ଦ୍ର ମଧ୍ୟରୁ ୩୪୯୪୧ ଅଙ୍ଗନବାଡି କେନ୍ଦ୍ରର ନିଜସ୍ୱ ଘର ନାହିଁ । ପ୍ରଧାନମନ୍ତ୍ରୀ ଗ୍ରାମସଡକ ଯୋଜନା ଅନ୍ତର୍ଭୁକ୍ତ ୧୦୧୬୬ ଗାଁକୁ ଅଦ୍ୟାବଧି ରାସ୍ତା ନାହିଁ । ସମସ୍ତଙ୍କ ପାଇଁ ପକ୍କାଘର ଯୋଜନା ନାଁରେ ୧୯ ଲକ୍ଷରୁ ଉଦ୍ଧ୍ୱର୍ ପକ୍କାଘର ଯୋଗାଇ ଦେଇ ବିଜ୍ଞାପନ ମାଧ୍ୟମରେ ବାହାସ୍ପୋଟ ମାରୁଥିବା ନବୀନ ପଟ୍ଟନାୟକଙ୍କ ଭୟଙ୍କର ମିଛକୁ ସିଏଜି ତାଙ୍କ ରିପୋର୍ଟରେ ଧରିବା ଏବଂ ଅସଲରେ ୧୧ ଲକ୍ଷ ପକ୍କାଘର ତିଆରି ହୋଇଥିବା କଥା ପ୍ରମାଣିତ କରୁଛି ଯେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ମିଥ୍ୟା ତଥ୍ୟର ସୌଦାଗର ପାଲଟିଛନ୍ତି ।

ଓଡିଶାରେ କଂଗ୍ରେସ ସମୟରେ ଉନ୍ନତିମୂଳକ କାର୍ଯ୍ୟର ଅବତାରଣା କରି ବରିଷ୍ଠ  ନେତା ପଂଚାନନ କାନୁନ୍ଗୋ କହିଥିଲେ ଯେ କଂଗ୍ରେସ ସରକାର ସମୟରେ ପାରାଦ୍ୱୀପ ପୋର୍ଟ, ରାଉରକେଲା ଷ୍ଟିଲ୍ ପ୍ଲାଂଟ, ସାର କାରଖାନା, ବିଭିନ୍ନ ଜାଗାରେ ଚିନିକଳ, ତେଲ କାରଖାନା, ଚୌଦ୍ୱାର ଓଟିଏମ୍ କପଡା ମିଲ୍, ଶୀତଳଭଣ୍ଡାର ଇତ୍ୟାଦି ଅନେକ କାର୍ଯ୍ୟ କରାଯାଇଥିଲା । ଆଜି ଯଦି ଓଟିଏମ୍ କପଡା ମିଲ୍ ଓ ରାଜ୍ୟରେ ୧୫ ହଜାରରୁ ଉଦ୍ଧ୍ୱ କ୍ଷୁଦ୍ର ଏବଂ ମଧ୍ୟମ ଶିଳ୍ପ ବନ୍ଦ ହୋଇଛି ତାହା ବିଜେଡି ସରକାରର ଓଡିଶା ପ୍ରତି ଦାନ । ସେ ଏକଥା ମଧ୍ୟ କହିଥିଲେ ଯେ ନବୀନ ବାବୁ କ୍ରମାଗତ ୧୯ ବର୍ଷ ଏବଂ ତା ପୂର୍ବରୁ ତାଙ୍କ ବାପା ୧୪ ବର୍ଷ ସମୁଦାୟ ୩୩ ବର୍ଷ ଓଡିଶାକୁ ଶାସନ କରିଥିବା ଦଳ ଆଜି ନିଜର ନିକମ୍ମା ପଣିଆକୁ ଅନ୍ୟମାନଙ୍କ ମୁଣ୍ଡରେ ବୋଳିବାକୁ ବସିଛି । ଦେଶର ୧୦୮ ଜଣ ପ୍ରମୁଖ ଅର୍ଥନୀତିଜ୍ଞ କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରଦତ ତଥ୍ୟକୁ ନେଇ ନିଜର ସନେ୍ଦହ ପ୍ରକାଶ କରିବା ସହିତ ବିଭିନ୍ନ ବିଭାଗର ତଥ୍ୟକୁ ସରକାରଙ୍କୁ ସୁହାଇଲା ଭଳି ବଦଳାଇବାକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ଏବଂ ଏହାଦ୍ୱାରା ଦେଶବାସୀଙ୍କ ପ୍ରତି ଧୋକା ହେଉଥିବା ପ୍ରକାଶ କରିଛନ୍ତି । ଏଭଳି ସ୍ଥିତିରେ ଉଭୟ ବିଜେଡି ଓ ବିଜେପି ସତ୍ୟ ଓ ତଥ୍ୟ ଉଭୟକୁ ସାମ୍ନା କରିବାକୁ ମାନସିକ ସ୍ତରରେ ପ୍ରସ୍ତୁତ ରହିବା ପାଇଁ ପରାମର୍ଶ ଦେଇଛି କଂଗ୍ରେସ ।

ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ମୁଖପାତ୍ର ଅଶୋକ ସାମଲ, ପ୍ରଶାନ୍ତ ଶତପଥି, ଦୀପକ ମହାପାତ୍ର ଉପସ୍ଥିତ ଥିଲେ ।

 

 

0
0
0
s2sdefault