ହେଡଲାଇନସ୍:

 ମୟୂରଭଞ୍ଜ  ଭୋଟରଙ୍କ ଦିଲ ଜିତି କିଏ ଯିବ ଦିଲ୍ଲୀ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ତ୍ରିମୁଖୀ ପ୍ରତିଦ୍ବନ୍ଦ୍ବିତା ନିଶ୍ଚିତ, ପ୍ରାର୍ଥୀତ୍ୱକୁ ନେଇ ବିଜେପି ବିଜେଡି ଚିନ୍ତିତ  

ବାରିପଦା(ଦିଲ୍ଲୀପ ମହାନ୍ତି)- ୫ ନମ୍ବର ମୟୂରଭଞ୍ଜ(ସଂ) ଲୋକସଭା ନିର୍ବାଚନ ମଣ୍ଡଳୀ । ୧୭ତମ ଲୋକସଭା ନିର୍ବାଚନ ନିମନ୍ତେ ୨୦୧୯ ମେ ୨ରୁ ୯ ମଧ୍ୟରେ ନାମାଙ୍କନ ପତ୍ର ଦାଖଲ ପରେ ଏପ୍ରିଲ ୨୯ରେ ହେବ ମତଦାନ । ନିର୍ବାଚନରେ ବିଜେଡ଼ିକୁ ମୁହଁତୋଡ଼ ଜବାବ ଦେବା ନିମନ୍ତେ ବିଜେପି ଓ କଂଗ୍ରେସ-ଜେଏମଏମ ମେଣ୍ଟ ପ୍ରସ୍ତୁତ ରହିଛନ୍ତି । ନୂଆ ମୁହଁକୁ ନେଇ ଲଢ଼ାଇ ଦମଦାର ହେବ । ଜମିବ ପଶାପାଲିର ଖେଳ । ଏଠାରେ କଂଗ୍ରେସ ନିର୍ବାଚନରେ ନିଜେ ନ ଲଢ଼ି ଜେଏମଏମକୁ ଛାଡ଼ି ଦେଇଥିବାରୁ ତ୍ରିମୁଖୀ ପ୍ରତିଯୋଗିତାର ପଥ ପରିଷ୍କାର ହୋଇଯାଇଛି ଓ  କଣ୍ଟାକି ବରାବର ଟକ୍କାରା ଟକ୍କିରି ଚାଲିବାର ସମ୍ଭାବନା ସୃଷ୍ଟି କରିଛି । ତେବେ ବିଜେପିର ଘାଟି ଏପାଖ ସେପାଖ ରାଜନୀତି ପରିସ୍ଥିତିକୁ ଗୋଳମାଳିଆ କରିପକାଇବାର ଯଥେଷ୍ଟ ସମ୍ଭାବନା ସୃଷ୍ଟି କରିଛି ।  ସେହିପରି ଲୋକସଭା ନିର୍ବାଚନରେ ସମସ୍ତ ରାଜନୈତିକ ଦଳ ସାନ୍ତାଲ ସମ୍ପ୍ରଦାୟରୁ ପ୍ରାର୍ଥୀ ଛିଡ଼ା କରାଇ ଆସୁଥିବାକୁ ନେଇ ଅନ୍ୟ ସମ୍ପ୍ରଦାୟରେ ଏହାର ପ୍ରଭାବ ପ୍ରତିଫଳିତ ହେଉଥିବାର ପରିଲକ୍ଷିତ ହୋଇଛି ।           

                        ମୟୂରଭଞ୍ଜ ଜିଲ୍ଲାର ୯ଟି ବିଧାନସଭା କ୍ଷତ୍ରେ ମଧ୍ୟରୁ ୨୬ ନଂ ଯଶୀପୁର(ସଂ), ୨୭ ନଂ ସାରସକଣା(ସଂ), ୨୮ ନଂ ରାଇରଙ୍ଗପୁର(ସଂ), ୨୯ ନଂ ବାଙ୍ଗ୍ରିପୋଷି(ସଂ), ୩୧ ନଂ ଉଦଳା(ସଂ), ୩୩ନଂ ବାରିପଦା(ସଂ) ଓ ୩୪ନଂ ମୋରଡ଼ା(ଅଣସଂରକ୍ଷିତ) ଏହିପରି ୭ଟି ବିଧାନସଭା କ୍ଷେତ୍ରକୁ ନେଇ ମୟୂରଭଞ୍ଜ ଲୋକସଭା ନିର୍ବାଚନ ମଣ୍ଡଳୀ ଗଠିତ । ୨୦୧୯ ଜାନୁଆରୀ ୨୧ ତାରିଖରେ ପ୍ରକାଶିତ ଭୋଟର ତାଲିକା ଅନୁସାରେ ନିର୍ବାଚନ ମଣ୍ଡଳୀରେ ପୁରୁଷ ଭୋଟର ସଂଖ୍ୟା ୯,୧୫,୦୩୧ ରହିଥିବା ବେଳେ ମହିଳା ଭୋଟର ସଂଖ୍ୟା ୯,୧୬,୯୩୮ ଓ ଅନ୍ୟାନ୍ୟ ସଂଖ୍ୟା ୫୪କୁ ମିଶାଇ ମୋଟ ୧୮ଲକ୍ଷ ୩୨ହଜାର ୨୩ ରହିଅଛି । ୨୦୦୯ ନିର୍ବାଚନଠାରୁ ମୟୂରଭଞ୍ଜ ଲୋକସଭା ଆସନ ବିଜେଡ଼ି ଦଖଲରେ ରହିଆସିଛି । ୨୦୦୯ରେ ବିଜେଡ଼ିରୁ ଲକ୍ଷ୍ମଣ ଟୁଡ଼ୁ ୩୧.୧୨ ପ୍ରତିଶତ ହାରରେ ୨,୫୬,୬୪୮ ଖଣ୍ଡ ଭୋଟ ପାଇ ନିକଟତମ ପ୍ରତିଦ୍ୱନ୍ଦି ଜେଏମଏମର ତକ୍ରାଳୀନ ରାଜ୍ୟ ସଭାପତି ତଥା ବର୍ତ୍ତମାନର ବାଙ୍ଗିରିପୋଷି ବିଧାୟକ ସୁଦାମ ମାର୍ଣ୍ଡିଙ୍କୁ ୫୬,୧୭୮ରୁ ଅଧିକ ଭୋଟ ବ୍ୟବଧାନରେ ହରାଇଥିବା ସମୟରେ ଶ୍ରୀମାର୍ଣ୍ଡି ୨୩.୦୯ ପ୍ରତିଶତ ହାରରେ ୧,୯୦,୪୭୦ ଖଣ୍ଡ ଭୋଟ ପାଇପରାସ୍ତ ହୋଇଥିଲେ । ସେହିପରି ବିଜେପି ପ୍ରାର୍ଥୀ ତଥା ବର୍ତ୍ତମାନର ଝାଡ଼ଖଣ୍ଡ ରାଜ୍ୟପାଳ ଦ୍ରୌପଦୀ ମୁର୍ମୁ ୧୮.୨୯ ପ୍ରତିଶତ ହାରରେ ୧,୫୦,୮୨୭ ଖଣ୍ଡ ଭୋଟ ପାଇ ତୃତୀୟ ସ୍ଥାନ ଓ ଜାତୀୟ କଂଗ୍ରେସ ପ୍ରର୍ଥୀ  ଲକ୍ଷ୍ମଣ ମାଝି ୧୭.୦୭ ପ୍ରତିଶତ ହାରରେ ମୋ; ୧,୪୦,୭୭୦ ଖଣ୍ଡ ଭୋଟ ପାଇ ଚତୃର୍ଥ ସ୍ଥାନରେ ରହିଥିଲେ । ସେହିପରି ୨୦୧୪ ନିର୍ବାଚନରେ ସମଗ୍ର ଭାରତରେ ମୋଦିଙ୍କ ଲହରୀ ଚାଲୁଥିବା ସମୟରେ ବିଜେଡ଼ିରୁ ଇଂ ରାମଚନ୍ଦ୍ର ହାଁସଦାଃ ୩୭.୩୮ ପ୍ରତିଶତ ହାରରେ ୩,୯୩,୭୭୯ ଖଣ୍ଡ ଭୋଟ ପାଇ ନିକଟତମ ପ୍ରତିଦ୍ୱନ୍ଦି ତଥା କଟକ ଶ୍ରୀରାମଚନ୍ଦ୍ର ସରକାରୀ ମେଡ଼ିକାଲ କଲେଜରେ ପ୍ରଫେସର ଚାକିରୀ ତ୍ୟାଗ କରି ବିଜେପିରୁ ନିର୍ବାଚନ ଲଢ଼ିଥିବା  ପଣ୍ଡିତ ରଘୁନାଥ ମୁର୍ମୁଙ୍କ ନାତି ଡ଼ା. ନେପଲ ରଘୁ ମୁର୍ମୁଙ୍କୁ ୧,୨୨,୮୬୬ ଖଣ୍ଡରୁ ଅଧିକ ଭୋଟ ବ୍ୟବଧାନରେ ପରାସ୍ତ କରିଥିଲେ । ନିର୍ବାଚନରେ ଡ଼ାକ୍ତର ନେପଲ ରଘୁ ମୁର୍ମୁ  ୨୫.୭୨ ପ୍ରତିଶତ ହାରରେ ୨,୫୬,୬୪୮ ଖଣ୍ଡ ଭୋଟ ପାଇଥିଲେ । ୨୦୧୪ ନିର୍ବାଚନ ନିମନ୍ତେ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଚାଲୁ ରହିଥିବା ସମୟରେ ଜେଏମଏମର ରାଜ୍ୟ ସଭାପତି ସୁଦାମ ମାର୍ଣ୍ଡିଙ୍କ ସମେତ ଜିଲ୍ଲାସଭାପତି ତଥା ବର୍ତ୍ତମାନର ସାରସକଣା ବିଧାୟକ ଭାଦବ ହାଁସଦାଃ, ପ୍ରବକ୍ତା କୃଷ୍ଣାନନ୍ଦ ମହାନ୍ତି ପ୍ରମୁଖ ଶତାଧିକ ଆଗଧାଡ଼ିର ମୟୂରଭଞ୍ଜ ଜିଲ୍ଲାର ଜେଏମଏମ ନେତା ଓ କର୍ମୀ ଦଳ ତ୍ୟାଗ କରି ବିଜେଡ଼ିରେ ଲୀନ ହୋଇଗଲେ । ଫଳରେ ଜେଏମଏମ ସଙ୍ଗଠନ ଭୁଷୁଡ଼ି ପଡ଼ିଥିଲା । ଏହି ଭଳି ଘଡ଼ି ସନ୍ଧି ମୂହୁର୍ତ୍ତରେ ଜେଏମଏମ ଏକାକୀ ନିର୍ବାଚନ ଲଢ଼ି  ୧୬.୪୨ ପ୍ରତିଶତ ହାରରେ ମୋଟ ୧,୭୨,୯୮୪ ଖଣ୍ଡ ଭୋଟ ପାଇ ତୃତୀୟ ସ୍ଥାନରେ ରହିଥିଲା । ସୁଦାମ ସଦଳବଳେ ଦଳ ତ୍ୟାଗ କରିଥିଲେ ମଧ୍ୟ ଦଳ ଉପରେ ସେଭଳି ପ୍ରଭାବ ପକାଇ ପାରି ନଥିବା ବିଷୟ ଜେଏମଏମକୁ ମିଳିଥିବା ଭୋଟ ପ୍ରମାଣିତ କରାଇ ଦେଇଥିଲା । ସୁଦାମ ନିଜକୁ କିଙ୍ଗ ମେକାର ବୋଲି ଉପସ୍ଥାପନ କରିବାକୁ ଭୂଲ ବୋଲି ମଧ୍ୟ ପ୍ରମାଣିତ କରାଇଥିଲା । ତେବେ ସୁଦାମଙ୍କ ଦିକୁ ହୋନ୍ତାମ ପେଳାମ୍, ଜାନୁମ୍ ହୋନ୍ତାମ୍ ଝାଣ୍ଟି ଗୁରୁମନ୍ତ୍ର ଜେଏମଏମ ଦଳକୁ ବିପର୍ଯ୍ୟୟରୁ ରକ୍ଷା କରିବା ସଂଗେସଂଗେ ଏକତା ସୂତ୍ରରେ ବାନ୍ଧି ରଖିପାରିଥିଲା । ଅନ୍ୟମାନଙ୍କ ମଧ୍ୟରେ ଜାତୀୟ କଂଗ୍ରେସ ୧୩.୫ ପ୍ରତିଶତ ହାରରେ ୧,୪୨,୧୬୫ ଖଣ୍ଡ ଭୋଟ ପାଇ ଚତୃର୍ଥ ସ୍ଥାନରେ ରହିଥିଲେ । 

                 ୨୦୧୪ରେ ମୟୂରଭଞ୍ଜ ଲୋକସଭା ଆସନରୁ ବିଜେଡ଼ିରୁ ଇଂ ହାଁସଦାଃ ନିର୍ବାଚିତ ହୋଇଥିଲେ ମଧ୍ୟ ଏମପିର ସୁଖ ବେଶୀ ଦିନ ତାଙ୍କ ଭାଗ୍ୟରେ ମିଳିନଥିଲା । ସେହି ୨୦୧୪ରେ ନବ ଦିଗନ୍ତ ଚିଟଫଣ୍ଡ ମାମଲାରେ ସିବିଆଇ ଦ୍ୱାରା ଗିରଫ ହୋଇ ଜେଲ ମଧ୍ୟରେ ୩ ବର୍ଷ ୮ ମାସ କଟାଇ ସର୍ତ୍ତ ମୂଳକ ଜାମିନରେ କିଛି ମାସ ପୂର୍ବେ ବାହାରକୁ ଆସିଲେ । ସାଂସଦ ହାଁସଦାଃଙ୍କ ନିକଟରୁ ଜିଲ୍ଲା ସହ ନିର୍ବାଚନ ମଣ୍ଡଳୀର ଜନସାଧାରଣ ବହୁତ କିଛି ଆଶା କରିଥିଲେ ମଧ୍ୟ ତାହା ସମ୍ଭବ ହୋଇପାରି ନଥିଲା । ଲୋକସଭାରେ ଜିଲ୍ଲାର ଦାବି ଉପସ୍ଥାପନ ଉପସ୍ଥାପନ କରାଇବାରୁ ସେ ବଞ୍ଚିତ ହୋଇଥିଲେ । ଏଥି ନିମନ୍ତେ ସେ ସିଧାସଳଖ ଭାବେ ବିଜେପିକୁ ଉତ୍ତରଦାୟୀ କରାଇଛନ୍ତି । ତାଙ୍କର ଦକ୍ଷତା ଓ ଲୋକପ୍ରିୟତାରେ ଭୟଭିତ ହୋଇ ବଦନାମ କରାଇବା ଉଦେ୍ଧଶ୍ୟରେ ବିଜେପି ଜାଣିଶୁଣି ଫସାଇ ଦେଇଛି ବୋଲି ଅଭିଯୋଗ ବାଢ଼ିଛନ୍ତି । ସାଂସଦ ଇଂ ହାଁସଦାଃଙ୍କ ଚିଟଫଣ୍ଡ ମାମଲାରୁ ଫାଇଦା ନେବା ନିମନ୍ତେ ଦୁଇ ପାଦ ଆଗକୁ ଆଗେଇ ଆସିଥିଲା ବିରୋଧୀ କଂଗ୍ରେସ, ଜେଏମଏମ ଓ ବିଜେପି । ଏମାନେ ଏହାକୁ ଏକ ଇସୁ୍ୟ ଭାବେ ଗ୍ରହଣ କରି ବିଜଡେ଼ିକୁ ଘେରିବାରେ ଲାଗିଲେ । ଏହି ସମୟରେ ମୟୂରଭଞ୍ଜ ଲୋକ ସଭା ମଣ୍ଡଳୀରେ ଦଳୀୟ ସଙ୍ଗଠନକୁ ସଜାଡ଼ିବା ନିମନ୍ତେ ବିଜେଡ଼ି ସୁପ୍ରିମୋ ପୂର୍ବତନ ବାଙ୍ଗିରିପୋଷି ବିଧାୟକ ତଥା ବର୍ତ୍ତମାନର ରାଜ୍ୟସଭା ସାଂସଦ ସରୋଜିନୀ ହେମ୍ବ୍ରମଙ୍କ ଉପରେ ନ୍ୟସ୍ତ କରାଇଥିଲେ । ବର୍ତ୍ତମାନ ମୁଖ୍ୟମନ୍ତ୍ରୀ ନବୀନଙ୍କ ୩୩ ପ୍ରତିଶତ ମହିଳାଙ୍କୁ ଲୋକସଭା ନିର୍ବାଚନରେ ଟିକେଟ ଦେବାର ଘୋଷଣା ଶ୍ରୀମତୀ ହେମ୍ବ୍ରମଙ୍କୁ ମୟୂରଭଞ୍ଜ ଲୋକସଭା ଆସନ ନିମନ୍ତେ ପ୍ରାର୍ଥୀ କରାଇବାର ଆଶା ସୃଷ୍ଟି କରାଇଛି । ପୁଣି ଜେଏମଏମ ତ୍ୟାଗ କରି ବିଜେଡ଼ିରେ ସାମିଲ ହୋଇଥିବା ୨୦୧୪ ଲୋକସଭା ପ୍ରାର୍ଥୀ ଡ଼ା. ଦେବାଶିଷ ମାର୍ଣ୍ଡିଙ୍କୁ ଜିଲ୍ଲା ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ କରାଇ ସଙ୍ଗଠନ ସଜାଡ଼ିବା ଦାୟିତ୍ୱ ଦେଇଥିଲେ । ଏହାପଛରେ ଡ଼ା.ମାର୍ଣ୍ଡିଙ୍କୁ ୨୦୧୯ ନିର୍ବାଚନରେ ମୟୂରଭଞ୍ଜ ଲୋକସଭା କ୍ଷେତ୍ରରୁ ପ୍ରାର୍ଥୀ କରାଇବାର ଚିନ୍ତାଧାରା ମଧ୍ୟ ରହିଥିଲା ବିଜଦ ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନଙ୍କ । ମୟୂରଭଞ୍ଜ ଲୋକସଭା ମଣ୍ଡଳୀରେ ଆଦିବାସୀ ଭୋଟର ସଂଖ୍ୟା ସର୍ବାଧିକ ରହିଥିବା ବେଳେ ଏମାନଙ୍କ ମଧ୍ୟରୁ ସାନ୍ତାଲ ସମ୍ପ୍ର୍ଦାୟଙ୍କ ସଂଖ୍ୟା ପ୍ରାୟ ୬୦ ପ୍ରତିଶତରୁ ଅଧିକ । ଏହା ପଛକୁ ରହିଛି ହୋ, ଭୂମିଜ, ମୁଣ୍ଡାରୀ, ବାଥୁଡ଼ି ଆଦି ସମ୍ପ୍ରଦାୟ । ୨୦୧୪ ନିର୍ବାଚନର ଅନୁଭୁତିକୁ ପାଥେୟ କରି ଡ଼ା. ମାର୍ଣ୍ଡି ମୟୂରଭଞ୍ଜ ଜିଲ୍ଲା ସହ ମୟୂରଭଞ୍ଜ ଲୋକସଭା ମଣ୍ଡଳୀରେ ବିଜେଡ଼ି ସଙ୍ଗଠନକୁ ତୃଣମୂଳସ୍ତରରୁ ମଜବୁତ କରାଇବା ସହ ମୁଖ୍ୟମନ୍ତ୍ରୀଙ୍କ ଜନକଲ୍ୟାଣକାରୀ ଯୋଜନାର ସଫଳତାର ବାର୍ତ୍ତା ପୂରପଲ୍ଲୀରେ ପହଁଞ୍ଚାଇବାର ପ୍ରୟାସ ଚଳାଇଲେ । 

           ଗତ ପଞ୍ଚାୟତ ନିର୍ବାଚନରେ ବିଜେପିକୁ ଆଶାତୀତ ସଫଳତା ମିଳିବା ଦଳୀୟ ନେତା ଓ କର୍ମୀ ଅଧିକ ଉତ୍ସାହିତ ହୋଇପଡ଼ିଥିବାରୁ ଦଳରେ ଆଶାୟୀଙ୍କ ତାଲିକା ଲମ୍ବି ଲମ୍ବି ଚାଲିଛି । ବିଜେପି ମୟୂରଭଞ୍ଜ ଜିଲ୍ଲାକୁ ଦଖଲ କରିବା ନିମନ୍ତେ ବିଭିନ୍ନ ପ୍ରକାରର ରଣକୌଶଳ ଆପଣେଇବାରେ ଲାଗିଛି । ପ୍ରଥମେ ଓଡ଼ିଶାରେ ବିକାଶର ସୂର୍ଯେ୍ୟାଦୟ ମୟୂରଭଞ୍ଜରୁ ଆରମ୍ଭ ହେବାର ନାରା ସହ ବାରିପଦାରେ ରାଜ୍ୟ କାର୍ଯ୍ୟକାରିଣୀ ବୈଠକର ଆୟୋଜନ ପରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ବାରିପଦା ଗସ୍ତ ଆଦି ବିଭିନ୍ନ କାର୍ଯ୍ୟକ୍ରମ ରହିଛି । ବିଜେପିରୁ ପ୍ରଧାନମନ୍ତ୍ରୀଙ୍କ ସଚିବ ତଥା ବାରିପଦା ବ୍ଲକ ଅଞ୍ଚଳର ଗରିଶ ଚନ୍ଦ୍ର ମୁର୍ମୁ, ବାରିପଦା ଏଲଆଇସି କାର୍ଯ୍ୟାଳୟରେ ଡ଼ିଓ ଭାବେ କାର୍ଯ୍ୟ କରୁଥିବା ତପନ ହେମ୍ବ୍ରମ, ଇଂ ବିଶେଶ୍ୱର ଟୁଡ଼ୁ, ବାରିପଦା ବିଧାନସଭା ଆସନରୁ ୨୦୧୪ରେ କଂଗ୍ରେସ ଟିକଟରେ ନିର୍ବାଚନ ଲଢ଼ି ପରାସ୍ତ ହେବାପରେ କଂଗ୍ରେସର ହାତ ଛାଡ଼ି ବିଜେପିର ହାତ ଧରିଥିବା ପ୍ରିୟବ୍ରତ ମାଝି, ରାଇରଙ୍ଗପୁର ପୌରପରିଷଦର ପୂର୍ବତନ ପୌରପାଳ ନବ ମାଝି, ଜୟପାଲ ସିଂ ନାଏକ, ରେଳବାଇରୁ ଅବସର ଗ୍ରହଣ କରିଥିବା ଦୟାନିଧି ମାର୍ଣ୍ଡି ପ୍ରମୁଖ ଚର୍ଚ୍ଚା ପରିସରରେ ରହିଛନ୍ତି । ତେବେ ବିଜେପିରେ ମୟୂରଭଞ୍ଜ ଲୋକସଭା ଆସନ ନିମନ୍ତେ ମୟୂରଭଞ୍ଜ ପଶ୍ଚିମ ଜିଲ୍ଲାରୁ ପ୍ରାର୍ଥୀ କରାଯିବା ଦାବି ଜୋର ଧରିଛି ଏବଂ ପ୍ରାର୍ଥୀତ୍ୱ ହିଁ ବିଜେପି ବିଜୟର ମାପକାଠି ଉପରେ ଅଧିକ ଗୁରୁତ୍ୱ ଦିଆଯାଉଛି ।  

 ସେହିପରି କଂଗ୍ରେସ-ଜେଏମଏମ ମଧ୍ୟରେ ମେଣ୍ଟ ହେଲେ ଜେଏମଏମ ଦଳରୁ ଦଳର ସୁପ୍ରିମୋ ଶିବୁ ସୋରେନଙ୍କ କନ୍ୟା ଅଞ୍ଜନୀ ସୋରେନ ପ୍ରତିଦ୍ୱନ୍ଦିତାରେ ଅବତ୍ତୀର୍ଣ୍ଣ ହେବେ ବୋଲି ସ୍ୱସ୍ତି ହୋଟେଲ ସମ୍ମିଳନୀ ହଲରେ ଗଣମାଧ୍ୟମକୁ କେନ୍ଦ୍ରୀୟ କମିଟି ଅଧ୍ୟକ୍ଷ ତଥା ଝାଡ଼ଖଣ୍ଡ ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ  ହେମନ୍ତ ସୋରେନ ସୂଚନା ଦେଇଥିଲେ । ମେଣ୍ଟ ନହେଲେ କଂଗ୍ରେସ ଦଳରୁ ୨୦୧୪ରେ ପରାଜତ ପ୍ରାର୍ଥୀ ଶ୍ୟାମସୁନ୍ଦର ହାଁସଦା, ପୂର୍ବତନ ସାଂସଦ ସୁଶୀଳା ତିରିଆ ପ୍ରମୁଖ ଆଶାୟୀ ତାଲିକାରେ ରହିଛନ୍ତି ।

                  ୨୦୧୯ ନିର୍ବାଚନରେ ବିଜେଡ଼ି ରାଜ୍ୟରେ ଜାରି ରହିଥିବା ବିକାଶର ଧାରା, ଜନସାଧାରଣଙ୍କ ହିତରେ କାର୍ଯ୍ୟକାରୀ କରାଯାଇଥିବା ଜନକଲ୍ୟାଣକାରୀ ଯୋଜନାର ସଫଳତା ସହ କେନ୍ଦ୍ରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ପରିଚାଳିତ ଏନଡ଼ିଏ ସରକାରରେ ଓଡ଼ିଶା ପ୍ରତି ବୈମାତୃକ ମନୋଭାବ, କେନ୍ଦ୍ରିୟ ଅନୁଦାନରେ କାଟଛାଟ, ବଜେଟରେ ଓଡ଼ିଶାକୁ ଅଣଦେଖା ସହ ମୂଲ୍ୟବୃଦ୍ଧି, ଧାନର ସହାୟକ ମୂଲ୍ୟ ବୃଦ୍ଧି, କଳାଧନ ଫେରିବା , ବିମୂଦ୍ରାକରଣ, ବ୍ୟାଙ୍କ ଜମାଖାତାରୁ ସର୍ବନିମ୍ନ ଜମାରାଶି ନାମରେ ଟଙ୍କା ଲୁଟିବା , ବିଦେଶରୁ କଳାଧନ ଫେରାଇ ଆଣିବା, ବ୍ୟାପମ ଦୁର୍ନୀତି, ବର୍ଷକୁ ୨ କୋଟି ନିଯୁକ୍ତି ଆଦିକୁ ନେଇ ବିଜେପି ଏବଂ  ଅତୀତରେ କେନ୍ଦ୍ର ଓ ରାଜ୍ୟରେ କଂଗ୍ରେସ ସରକାର ସମୟରେ ଦୁର୍ନୀତି , ଭ୍ରଷ୍ଟାଚାର, ନାରୀ ନିର୍ଯ୍ୟାତନା, ବାକ୍ ସ୍ୱାଧୀନତା ଅପହରଣ, ଜରୁରୀ କାଳୀନ ପରିସ୍ଥିତି ଇତ୍ୟାଦିକୁ  ମୁଖ୍ୟ ଆୟୁଧ ଭାବେ ନେଇ ଜନତାଜନାର୍ଦ୍ଧନଙ୍କ ଦ୍ୱାରସ୍ଥ ହେଉଥିବା ବେଳେ ପଛରେ ପଡ଼ିଯାଇ ନାହିଁ ବିଜେପି, କଂଗ୍ରେସ ଓ ଜେଏମେମ । ଏମାନେ ଓଡ଼ିଶାରେ ବିଜେଡ଼ି ସରକାରରେ ଦୁର୍ନୀତି, ଭ୍ରଷ୍ଟାଚାର ସମସ୍ତ ସୀମାକୁ ଅତିକ୍ରମ କରିସାରିଥିବାର ଅଭିଯୋଗ ଆଣିଛନ୍ତି । ସେହିପରି ରାଜ୍ୟରେ ଏକ ଅପାରଗ ସରକାର ଚାଲିଛି । ନିଯୁକ୍ତିର ସୁଯୋଗ ସୃଷ୍ଟି କରିପାରୁ ନଥିବା କାରଣରୁ ରାଜ୍ୟରୁ ହଜାର ହଜାର ଜନସାଧାରଣ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଇ ଶୋଷଣର ଶିକାର ହେଉଛନ୍ତି । ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ, କୃଷି, ଜଳସେଚନ ଆଦି ସବୁ କ୍ଷତ୍ରେରେ ରାଜ୍ୟ ବହୁ ପଛକୁ ଠେଲି ହୋଇଯାଇଛି ବୋଲି ପାଲଟା ଅଭିଯୋଗ ଆଣି ଗାଁଗଣ୍ଡାରେ ଭୋଟରମାନଙ୍କୁ ପ୍ରଭାବିତ କରାଇବା ନିମନ୍ତେ ଯୋଜନା ପ୍ରସ୍ତୁତ କରିଛି । 

 

0
0
0
s2sdefault