ହେଡଲାଇନସ୍:

ମୋରଡ଼ା ସିଂହାସନ , କିଏ କିଣିବ ଭୋଟରଙ୍କ ମନ 

User Rating: 3 / 5

Star ActiveStar ActiveStar ActiveStar InactiveStar Inactive
 

ଏଠି ଗୋଳିଆ ସ୍ଥିତିରେ ଲଢେଇ, କିଏ ନେବ କି ରାଜାଙ୍କ ଗାଦି ଛଡେଇ !!!!

ବଦଳିବ ସମୀକରଣ,  ନୂଆ ମୁହଁ ସପକ୍ଷରେ ସବୁ ଦଳ 

ବାରିପଦା

ମୁଖ୍ୟ ନିର୍ବାଚନ କମିଶନର ଗତ ମାର୍ଚ୍ଚ ୧୦ ରବିବାର ୨୦୧୯ ନିର୍ବାଚନୀ ମହାସଂଗ୍ରାମର ବିଗୁଲୁ ବଜାଇ ସାରିଛନ୍ତି । ଏପ୍ରିଲ ୨୯ରେ ମୟୂରଭଞ୍ଜ ଜିଲ୍ଲା ୩୪ ନମ୍ବର ମୋରଡ଼ା ବିଧାନସଭା ଆସନରେ ୪ର୍ଥ ପର୍ଯ୍ୟାୟରେ ମତଦାନ ହେବ । ଏଥି ନିମନ୍ତେ ସମସ୍ତ ରାଜନୈତିକ ଦଳ ଚଳଚଞ୍ଚଳ ହୋଇଉଠିଛନ୍ତି । ସମୟ ସହିତ ତାଳ ଦେଇ ରାଜନୈତି ସମୀକରଣ ମଧ୍ୟ ବଦଳିବାରେ ଲାଗିଛି । ସମସ୍ତ ରାଜନୈତିକ ଦଳଗୁଡ଼ିକରେ ଦଳ ବଦଳ ସହିତ ଘର ବାହୁଡ଼ା କାର୍ଯ୍ୟ ଜୋର ଧରିଛି  । ଆରମ୍ଭ ହୋଇଯାଇଛି ସମର ସଜ୍ଜା । ଯୁଦ୍ଧ ନିମନ୍ତେ ସେନାପତିମାନେ ପ୍ରସ୍ତୁତ । ସୈନିକମାନେ ସଜାଗ । ଶାସକ ବିଜଦ ଯେତିକି ଶକ୍ତିଶାଳୀ ସେହି ଅନୁପାତରେ ବିରୋଧୀ ଭାଜପା, ଝାମୁମୋ ଓ କଂଗ୍ରେସ ମଧ୍ୟ ମୁକାବିଲା ନିମନ୍ତେ ବ୍ୟସ୍ତ ରହିଥିବା ସମୟରେ ୩ ପ୍ରମୁଖ ଦଳ ବିଜଜେଡ଼ି, ବିଜେପି ଓ କଂଗ୍ରେସରେ ବହୁ ଆଶାୟୀ ଟିକଟ ଦୌଡ଼ରେ ରହିଛନ୍ତି । ନିର୍ବାଚନ ମଣ୍ଡଳୀରେ ରାଜନୈତିକ ସମୀକରଣ ବଦଳିବା ସହ ତ୍ରିମୁଖୀ ଲଢେ଼ଇର  ଯଥେଷ୍ଟ ସମ୍ଭାବନା ଦେଖା ଦେଇଛି । ଏହି ପରିସ୍ଥିତିରେ କେମିତି ରହିବ ବିଜଦ ସୁପ୍ରିମୋ ନବୀନଙ୍କ ପାଇଁ ୨୦୧୯ ମୋରଡ଼ା କ୍ଷେତ୍ର ତାହାକୁ ନେଇ ବାରିପଦାରୁ ଦିଲ୍ଲୀପ ମହାନ୍ତିଙ୍କ ସ୍ୱତନ୍ତ୍ର ଉପସ୍ଥାପନା ।           

             ମୟୂରଭଞ୍ଜ ଜିଲ୍ଲାର ୯ଟି ବିଧାନସଭା କ୍ଷେତ୍ର ମଧ୍ୟରୁ କେବଳ ୩୪ନଂ ମୋରଡ଼ା ନିର୍ବାଚନ ମଣ୍ଡଳୀ ଅଣସଂରକ୍ଷିତ ରହିଥିବାରୁ ରାଜନୈତିକ ଦୃଷ୍ଟିକୋଣରୁ ଏହା ଅନେକ ଗୁରୁତ୍ୱ ବହନ କରିଥାଏ । ୨୦୦୮ ବିଧାନସଭା ଆସନ ପୁର୍ନଗଠନ ସମୟରେ ଶୁଳିଆପଦା, ରାସଗୋବିନ୍ଦପୁର ଓ ମୋରଡ଼ା ବ୍ଲକକୁ ନେଇ ଏହା ପୁଣି ଥରେ ନିର୍ବାଚନ ମଣ୍ଡଳୀ ଭାବେ ସ୍ୱୀକୃତି ପାଇଥିଲା । ୨୦୦୯ରେ ବିଜଦ ଟିକଟରେ ମୟୂରଭଞ୍ଜ ମହାରାଜା ପ୍ରବୀଣ ଚନ୍ଦ୍ର ଭଞ୍ଜଦେଓ ବିଭାନସଭାକୁ ନିର୍ବାଚିତ ହୋଇଥିଲେ । ନିର୍ବାଚନର ଫଳାଫଳ ଅନୁସାରେ ବିଜଦ ୨୮.୮୬ ହାରରେ ମୋଟ ୩୭,୬୦୯ ଖଣ୍ଡ ଭୋଟ ପାଇ ବିଜୟୀ ହୋଇଥିବା ବେଳେ ଝାମୁମୋ ୨୪.୧୦ ପ୍ରତିଶତ ହାରରେ ମୋଟ ୩୧,୪୦୮ ଖଣ୍ଡ ଭୋଟ ପାଇ ଦ୍ୱିତୀୟ, ଭାଜପା ୨୦.୬୯ ହାରରେ ମୋଟ ୨୬,୯୫୫ ଖଣ୍ଡ ଭୋଟ ପାଇ ତୃତୀୟ ଓ କଂଗ୍ରେସ ୧୫.୮୦ ପ୍ରତିଶତ ହାରରେ ମୋଟ ୨୦,୫୮୭ ଖଣ୍ଡ ଭୋଟ ପାଇ ଚତୃର୍ଥ ସ୍ଥାନରେ ରହିଥିଲା । ମୟୂରଭଞ୍ଜ ଗଡ଼ଜାତ ରାଜ୍ୟରେ ମହାରାଜାମାନେ ପ୍ରଜାବତ୍ସଳ ଓ ସୁଶାସକ ରହିଥିବାରୁ ମୋରଡ଼ା ନିର୍ବାଚନ ମଣ୍ଡଳୀର ସାର୍ବଜନୀନ ବିକାଶ ନିମନ୍ତେ ମୋରଡ଼ାବାସୀ ମହାରାଜା ପ୍ରବୀଣଙ୍କ ଉପରେ ଗଭୀର ଆସ୍ଥାପ୍ରକଟ କରିଥିଲେ ; କିନ୍ତୁ ପରବର୍ତ୍ତି ସମୟରେ ମହାରାଜା ପ୍ରବୀଣଙ୍କ ଉପରୁ ଜନସାଧାରଣଙ୍କ ଆଶା ଓ ଭରସା ଆସ୍ତେ ଆସ୍ତେ ତୁଟିବାରେ ଲାଗିଲା । ନିର୍ବାଚନ ମଣ୍ଡଳୀରୁ ତୀବ୍ର ବିରୋଧର ସମ୍ମୁଖୀନ ହେବାରେ ଲାଗିଲେ । ଫଳରେ ୨୦୧୪ ସାଧାରଣ ନିର୍ବାଚନ ବୈତରଣୀ ପାର ହେବା ନିମନ୍ତେ ମହାରାଜା ପ୍ରବୀଣଙ୍କୁ ପ୍ରବଳ ବିରୋଧର ସମ୍ମୁଖୀନ ହେବାକୁ ପଡ଼ିଥିଲା । ବିଜଦ ଧନ ବଳ, ଶାସନ କଳ ଓ ବାହୁବଳ ପ୍ରୟୋଗ କରି ନିର୍ବାଚନକୁ ଜିତିଥିବାର ବିରୋଧୀ ପକ୍ଷ ଅଭିଯୋଗ ବାଢ଼ିଥିଲେ । ୨୦୧୪ ବିଧାନସଭା ନିର୍ବାଚନରେ ବିଜଦ ବିଧାୟକ ମହାରାଜା ଶ୍ରୀଭଞ୍ଜଦେଓ ୩୨. ୦୩ ପ୍ରତିଶତ ହାରରେ ୫୨, ୨୦୭ ଖଣ୍ଡ ଭୋଟପାଇ ନିର୍ବାଚିତ ହୋଇଥିବା ବେଳେ ଭାଜପା ୨୭. ୭୬ ହାରରେ ୪୫, ୨୫୧ ଖଣ୍ଡ ଭୋଟ ପାଇ ଦ୍ୱିତୀୟ, କଂଗ୍ରେସ ୧୫. ୨୧ ପ୍ରତିଶତ ହାରରେ ୨୪, ୭୯୦ ଖଣ୍ଡ ଭୋଟ ପାଇ ତୃତୀୟ ଓ ଝାମୁମୋ ୧୦. ୬୭ ପ୍ରତିଶତ ହାରରେ ୧୭,୩୯୧ ଖଣ୍ଡ ଭୋଟ ପାଇ ଚତୃର୍ଥ ସ୍ଥାନରେ ରହିଥିଲା । ୨୦୧୪ ନିର୍ବାଚନରେ ବିଜଦ ବିଜୟୀ ହୋଇଥିଲେ ମଧ୍ୟ ୨୦୦୯ ତୁଳନାରେ ଭୋଟର ହାର ୧.୧୦ ପ୍ରତିଶତ ତଳକୁ ଖସି ଆସିଥିଲା । ଏହାପରେ ୨୦୧୭ରେ ସମାପ୍ତ ହୋଇଥିବା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ମୋରଡ଼ା ନିର୍ବାଚନ ମଣ୍ଡଳୀରେ ବିଜଦ ମାଟି କାମୁଡ଼ି ଆଣ୍ଠେଇ ପଡ଼ିଥିଲା । ନିର୍ବାଚନ ମଣ୍ଡଳୀର ଶୁଳିଆପଦା, ମୋରଡ଼ା ଓ ରାସଗୋବିନ୍ଦପୁର ତିନୋଟି ବ୍ଲକକୁ ଭାଜପା ବିଜଦ ହାତରୁ ଛଡାଇ  ନେଇଥିବା ସମୟରେ ୭ଟି ଜିଲ୍ଲାପରିଷଦ ଜୋନ ମଧ୍ୟରୁ ୩୮, ୩୯, ୪୦, ୪୭, ୫୩ ଓ ୫୪ ନଂ ଜିଲ୍ଲାପରିଷଦ ଆସନକୁ ମଧ୍ୟ ଛଡାଇ ନେଇଥିଲା । କେବଳ ବିଜଦ ୪୮ ନଂ ଜୋନକୁ ପୁଣି ଥରେ ଦଖଲରେ ରଖିପାରିଥିଲା ।

                       ମୋରଡ଼ା ବିଧାୟକ ତଥା ବିଜଦର ଜିଲ୍ଲା ସଭାପତି ମହାରାଜା ପ୍ରବୀଣ ଚନ୍ଦ୍ର ଭଞ୍ଜଦେଓଙ୍କୁ କେନ୍ଦ୍ର କରି ନିର୍ବାଚନ ମଣ୍ଡଳୀରେ  ଶଙ୍ଖ ମାର୍କା ବିଜଦ ଦଳରେ ଦୀର୍ଘ ଦିନ ଧରି ଲାଗି ରହିଥିବା ଗୋଷ୍ଠୀ  କନ୍ଦଳ ସିଧାସଳଖ ଭାବେ ଗତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନକୁ ପ୍ରଭାବିତ କରାଇଥିଲା ।  ନିର୍ବାନ ମଣ୍ଡଳୀରେ ବିଜଦର ସ୍ଥିତାବସ୍ଥାକୁ ଦେଖି ୨୦୧୯ରେ ହାଇକମାଣ୍ଡ ନୂଆ ମୁହଁ ସପକ୍ଷରେ ରହିଥିବାର ପୂର୍ବାନୁମାନ କରି ବହୁ ଦଳୀୟ ଆଶାୟୀ ନିର୍ବାଚନ ମଣ୍ଡଳୀରେ କ୍ଷେତ୍ର ପ୍ରସ୍ତୁତି ସହିତ ଜନତାଙ୍କ ସମର୍ଥନ ଜୁଟାଇବା ନିମନ୍ତେ ଉଦ୍ୟମ ଆରମ୍ଭ କରି ଦେଇଛନ୍ତି । ନିର୍ବାଚନ ଯେତିକ ନିକଟତର ହେଉଛି ସେହି ପରିମାଣରେ ଆଶାୟୀମାନଙ୍କର ସଂଖ୍ୟା ଲମ୍ବିବାରେ ଲାଗିଛି । ଦୌଡ଼ରେ ପୂର୍ବତନ ବିଧାୟକ ଛତିଶ ଧଳ, ସମାଜସେବୀ ତଥା ଜିଲ୍ଲା ବିଜଦର ଉପସଭାପତି ଯୁବ ନେତା ଡ଼ା. ଆଦିତ୍ୟ କୁମାର ପଣ୍ଡା, କୃଷ୍ଣ ଚନ୍ଦ୍ର ଦାସ, ଜିଲ୍ଲା କାର୍ଯ୍ୟକାରିଣୀ ସଭାପତି ବାବୁ ଓରଫ ଦେବାଶିଷ ମହାନ୍ତି ପ୍ରମୁଖଙ୍କ ନାମ ଆଗଧାଡ଼ିରେ ରହିଥିବା ବେଳେ ମହାରାଣୀ, କମଳେନ୍ଦୁ ମହାନ୍ତ, ରାମଚନ୍ଦ୍ର ଦାସ, ଦୀପ୍ତି ଲତା ମିଶ୍ର ପ୍ରମୁଖ ଚର୍ଚ୍ଚା ପରିସରରେ ରହିଛନ୍ତି । ଏପରିକି ଏବେ ଫେସବୁକରେ ନିଜକୁ "ମୋରଡା ମାଟିର ବକୁ" ବୋଲି ଶିବରାତ୍ରି ଶୁଭେଚ୍ଛା ପୋଷ୍ଟ କରି ମୋରଡାରୁ ଠିଆ ହେବାର ଅଭିପ୍ସା ଜାହିର କରିଛନ୍ତି ରାଜ୍ୟ ମହିଳା ବିଜେଡି ସମ୍ପାଦିକା ସମ୍ପା ମଜୁମଦାର | ହେଲେ  ମହାରାଜା, ମହାରାଣୀଙ୍କ ପରେ ଦେବାଶିଷ ମହାନ୍ତି ଜିଲ୍ଲା ରାଜନୀତିରେ ଆଗରେ ରହିଥିବା ବେଳେ ନିର୍ବାଚନ ମଣ୍ଡଳୀରେ ବିଜେଡ଼ି ଆଞ୍ଚଳିକ ପ୍ରାର୍ଥୀ ଉପରେ ଗୁରୁତ୍ୱ ଦେଉଥିବା କାରଣରୁ ସମାଜସେବୀ ଡ଼ା. ପଣ୍ଡାଙ୍କ ନାମ ସର୍ବାଗ୍ରେ ରହିଥିବା ବେଳେ ତାଙ୍କ ତଳେ କୃଷ୍ଣ ଦାସ ରହିଥିବାର ଜଣାପଡ଼ିଛି ।  ସେହିପରି ଭାଜପାରେ ମଧ୍ୟ ଗୋଷ୍ଠୀ  କନ୍ଦଳ ଉଗ୍ର ରୂପ ଧାରଣ କରିଛି । ରାଜ୍ୟ ବିଜେପିର ଉପସଭାପତି ତଥା ପୂର୍ବତନ ବିଧାୟକ ପ୍ରାର୍ଥୀ ରାଜ କିଶୋର ଦାସ ଓ ମୟୂରଭଞ୍ଜ ପୂର୍ବ ଜିଲ୍ଲା ସଭାପତି ଡ଼ା. କୃଷ୍ଣ ଚନ୍ଦ୍ର ମହାପାତ୍ରଙ୍କ  ମଧ୍ୟରେ ଦୀର୍ଘ ଦିନ ଧରି ଶୀତଳ ଯୁଦ୍ଧ ଚାଲିଆସୁଥିବାର ପରିଲକ୍ଷିତ ହୋଇଛି । ୨୦୧୯ରେ ଏହି ଦୁଇ ଜଣ ଆଶାୟୀ ତାଲିକାରେ ଚର୍ଚ୍ଚା ପରିସରରେ ରହିଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ ଛୋଟଲାଲ ମହାନ୍ତ, ମଳୟ କୁମାର ଜେନା ପ୍ରମୁଖ ରହିଛନ୍ତି । ପୁଣି କଂଗ୍ରେସ ଓ ଜେଏମଏମ ମେଣ୍ଟରୁ ମୋରଡ଼ା ଆସନ ନିମନ୍ତେ ଜେଏମଏମର ରାଜ୍ୟ ସାଧାରଣ ସମ୍ପାଦକ କଳିଙ୍ଗ କେଶରୀ ଜେନା ଦାବିଦାର ରହିଥିବା ବେଳେ କଂଗ୍ରେସର ଜିଲ୍ଲା ସଭାପତି ହେମନ୍ତ ଦାସ, ପୂର୍ବତନ ଜିଲ୍ଲା ସଭାପତି ଆଇନଜୀବୀ ପ୍ରଦୀପ ରଥ,  ପୂର୍ବତନ ପ୍ରାର୍ଥୀ ପ୍ରଭାସ କରମହାପାତ୍ର ଓ ପ୍ରକାଶ କିଶୋର ନାୟକ ଦୌଡ଼ରେ ରହିଛନ୍ତି ।  ତେବେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ରାଜ୍ୟବାସୀଙ୍କ ସାମଗ୍ରୀକ ବିକାଶ ନିମନ୍ତେ ଯୋଜନା ପରେ ଯୋଜନା କାର୍ଯ୍ୟକରୀ କରିଚାଲିଥିବା ବେଳେ ନିର୍ବାଚନ ମଣ୍ଡଳୀରେ ବିଧାୟକ ମହାରାଜା ପ୍ରବୀଣ ଜନତାଙ୍କ ନିକଟରୁ ନିଜକୁ ଦୂରେଇ ରଖିବା, ବିଜଦର ପୁରୁଖା ଓ ନୂଆ କର୍ମୀମାନଙ୍କୁ ଅଣଦେଖା ପ୍ରଦର୍ଶନ କରି ମୁଷ୍ଟିମେୟ ବ୍ୟକ୍ତିଙ୍କ ହାତରେ ସଖୀ କଣ୍ଢେଇ ସାଜିବା ଆଦିକୁ ନେଇ ବିଜଦରେ ଆସନ୍ତୋଷର ନିଆଁ ବହୁ ଦିନରୁ କୁହୁଳିବାରେ ଲାଗିଥିଲା । ପୁଣି ନିର୍ବାଚନ ମଣ୍ଡଳୀରେ ଗମନାଗମନ, ପାନୀୟ ଜଳ ଯୋଗାଣ, ବିଭିନ୍ନ ଗ୍ରାମ ଓ ସାହିକୁ ବିଦ୍ୟୁତ  ସଂଯୋଗ ହୋଇ ନପାରିବା, ଶିକ୍ଷା, ଗମନାଗମନ, ସ୍ୱାସ୍ଥ୍ୟ ସେବା ଆଦି ଶହଶହ ସମସ୍ୟାରେ ଜନସାଧାରଣ ଉବୁଟୁବୁ ହୋଇ ବାରମ୍ବାର ବିଧାୟକ, ମନ୍ତ୍ରୀ ଓ ଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଆସୁଥିଲେ ମଧ୍ୟ ସେମାନଙ୍କ ସମସ୍ୟା ପ୍ରତି କେହି କର୍ଣ୍ଣପାତ କରିନାହାନ୍ତି । ଏଥିରୁ ବିରୋଧୀ ବିଜେପି ଓ ଝାମୁମୋ ଫାଇଦା ଉଠାଇବାକୁ ଆଗେଇ ଆସି ଆନ୍ଦୋଳନ  ଓ ବନ୍ଦ ପାଳନ କରିଥିଲେ । ତେବେ ନିର୍ବାଚନ ମଣ୍ଡଳୀରେ ସମସ୍ତ ରାଜନୈତିକ ଦଳର ମୁଖିଆ ନୂଆ ମୁହଁ ସପକ୍ଷରେ ଥିବାର ଜଣାପଡ଼ିଛି ଏବଂ ୨୦୧୯ରେ ବିଜେଡ଼ି ସହିତ ଭାଜପା ଓ କଂଗ୍ରେସ- ଝାମୁମୋ ମେଣ୍ଟ ମଧ୍ୟରେ ତ୍ରିମୁଖୀ ଲଢେ଼ଇ ହେବାର ସମ୍ଭାବନା ଦେଖା ଦେଇଥିବା ବେଳେ ବିଜେପିର ରାଜ୍ୟ ଉପସଭାପତି ଓ ଜିଲ୍ଲା ସଭାପତିଙ୍କ ବାଡ଼ିଆବାଡେ଼ଇରୁ ବିଜେଡ଼ିକୁ ଅଧିକ ଫାଇଦା ମିଳିବ ବୋଲି ଆକଳନ କରାଯାଉଛି । ତେବେ ଉଭୟ ବିଜେଡ଼ି, ବିଜେପି ଓ ମେଣ୍ଟ ନିଜ ନିଜର ବିଜୟ ନେଇ ସମ୍ପୂର୍ଣ୍ଣ ଆଶାବାଦୀ ହୋଇପଡ଼ିଥିବା ବେଳେ ନିର୍ବାଚନ ମଣ୍ଡଳୀର ଜନମତ କାହା ସପକ୍ଷରେ ଯିବ ତାହା ମେ ୨୩ ଭୋଟ ଗଣତି ପରେ ଜଣାପଡ଼ିବ । 

 

0
0
0
s2sdefault