ହେଡଲାଇନସ୍:

ବିଜେପିର ନିର୍ବାଚନୀ ପ୍ରତିଶ୍ରୁତି : କ୍ଷମତାକୁ ଆସିଲେ ଭୂମିହୀନଙ୍କୁ ସ୍ଥାୟୀ ଜମିପଟ୍ଟା ଓ ବେକାରଙ୍କୁ ରୋଜଗାର ଯୋଗାଇ ଦେବ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବାରିପଦା(ଦିଲ୍ଲୀପ ମହାନ୍ତି )-  ବାରିପଦା ସହର ମଧ୍ୟଦେଇ ଯାଇଥିବା ୧୮ ନମ୍ବର ଜାତୀୟ ରାଜପଥର ତୁଳସୀଚଉରା ଛକ ନିକଟରେ ଥିବା ବିଜେପିର ମୟୂରଭଞ୍ଜ(ପୂର୍ବ ) ଜିଲ୍ଲା କାର୍ଯ୍ୟାଳୟ ପରିସରରେ ଜିଲ୍ଲା ସଭାପତି ଡ଼ା. କୃଷ୍ଣଚନ୍ଦ୍ର ମହାପାତ୍ର ଆଜି ପୂର୍ବାହ୍ନ ପ୍ରାୟ ୧୧ଟାରେ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ଦଳୀୟ ପ୍ରତିଶ୍ରୁତି ପତ୍ରକୁ ଉନ୍ମୋଚନ କରିଛନ୍ତି । ଏଥିରେ ବିଜେପି ଓଡ଼ିଶା କ୍ଷମତାକୁ ଆସିଲେ ଦାରୀଦ୍ର୍ୟ ସୀମାରେଖା ତଳେ ବସବାସ କରୁଥିବା ଭୂମିହୀନମାନଙ୍କୁ ମାଗଣାରେ ସ୍ଥାୟୀ ଜମିର ପଟ୍ଟା ଯୋଗାଇ ଦେବା ସହ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ମଧ୍ୟ ମାଗଣାରେ ସ୍ଥାୟୀ ପକ୍କାଗୃହ ନିର୍ମାଣ କରାଇ ଦେବ । ସେହିପରି ବେରୋଜଗାରଙ୍କୁ ରୋଜଗାର ଯୋଗାଇ ଦେବାର ପ୍ରତିଶ୍ରୁତି ପ୍ରଦାନ କରାଯାଇଛି । ଏଥି ସହିତ ତଜିଲ୍ଲା ସଭାପତି ଶ୍ରୀମହାପାତ୍ର ବିଜେଡ଼ିକୁ ଟାର୍ଗେଟ କରିବାକୁ ଯାଇ ମୁଖ୍ୟମନ୍ତ୍ରୀ ନବୀନଙ୍କ ନେତୃତ୍ୱରେ ଓଡ଼ିଶାରେ ୧୯ ବର୍ଷ ଧରି ଏକ ସ୍ଥିର ସରକାର ଚାଲିଥିଲେ ମଧ୍ୟ ଶାସନ ପରିଚାଳନା କ୍ଷେତ୍ରରେ ଅପାରଗତା କାରଣରୁ ଗରୀବ ଭୂମିହୀନ ପରିବାରରେ ସ୍ଥାୟୀ ଜମି ପଟ୍ଟା ଯୋଗାଇଦେବାରେ ସରକାର ବିଫଳ ହୋଇଛି । ଫଳରେ କେନ୍ଦ୍ର ସରକାରଙ୍କ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହିତାଧିକାରୀମାନେ ସାମିଲ ହେବାରୁ ବଞ୍ଚିତ ହୋଇଆସୁଛନ୍ତି । ସେହିପରି କେନ୍ଦ୍ର ସରକାରଙ୍କ ଆୟୁଷ୍ମାନ ଯୋଜନାକୁ ରାଜ୍ୟ ସରକାର କାର୍ଯ୍ୟକାରୀ କରୁନଥିବାରୁ ଜନସାଧାରଣ ସ୍ୱାସ୍ଥ୍ୟବୀମା ଯୋଜନାରୁ ବଞ୍ଚିତ ହେଉଛି । ରାଜ୍ୟ ସରକାର ଯୁବକଯୁବତୀମାନଙ୍କୁ ରୋଜଗାର ଯୋଗାଇ ଦେଇ ପାରୁନଥିବାରୁ ସେମାନେ ଦାଦନ ଖଟିବା ନିମନ୍ତେ ବାହାର ରାଜ୍ୟକୁ ଛୁଟିଯାଉଛନ୍ତି । ରାଜ୍ୟରେ ଭ୍ରଷ୍ଟାଚାରୀ, ଅପାରଗ, ସ୍ଥାଣୁ ଶାସନ ଚାଲିଛି ତେଣୁ ଓଡ଼ିଶାରେ ବିଜେପି ସରକାର ଗଢ଼ିଲେ ସର୍ବ ପ୍ରଥମେ ଉପରୋକ୍ତ ପ୍ରତିଶ୍ରୁତି ପତ୍ର ଅନୁସାରେ କାଯ୍ୟ କରିବ ବୋଲି ସାମ୍ବାଦିକ ସମ୍ମିଳନୀରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ଜିଲ୍ଲା ସଭାପତି ଶ୍ରୀମହାପାତ୍ର । ଉକ୍ତ ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦ ସଭାପତି ସୁଜାତା ମୁର୍ମୁ, ରାଜ୍ୟ କାର୍ଯ୍ୟକାରୀ ସଦସ୍ୟ ତଥା ପୂର୍ବତନ ବିଧାୟକ କାନ୍ଦ୍ରା ସୋରେନ, ଜିଲ୍ଲା ଉପସଭାପତି ପରେଶ ଚନ୍ଦ୍ର ମହାନ୍ତ, ଜିଲ୍ଲା ସାଧାରଣ ସମ୍ପାଦକ ପ୍ରଦୀପ କୁମାର ମହାନ୍ତି, ଶୁଭାଶିଷ ମହାନ୍ତି, ମହିୁଳା ମୋର୍ଚ୍ଚା ସଭାନେତ୍ରୀ କୌଶଲ୍ୟା ନାଏକ, ମୁଖପାତ୍ର କବି ବିଷ୍ଣୁ ଶତପଥୀ ପ୍ରମୁଖ ଉପସ୍ଥିତ ରହିଥିଲେ ।

 ବିଜେପିର ଏହି ପ୍ରତିଶ୍ରୁତିପତ୍ର ଉନ୍ମୋଚନକୁ ଏକ ନାଟକ ବୋଲି କହିଛନ୍ତି ଜିଲ୍ଲା ଯୁବ ବିଜେଡ଼ି ସଭାପତି ଜିତେନ୍ଦ୍ର ମହାନ୍ତି । ଏଥି ସହିତ ରାଜ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ଦାରୀଦ୍ର୍ୟ ସୀମାରେଖା ତଳେ ରହିଥିବା ବ୍ୟକ୍ତି ସହିତ ସମାଜରେ ସମସ୍ତ ବର୍ଗର ଜନସାଧାରଣଙ୍କୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ମାଧ୍ୟମରେ ମହିଳାମାନଙ୍କୁ ମାଗଣାରେ ୭ଲକ୍ଷ ଓ ପୁରୁଷମାନଙ୍କୁ ୫ ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟ ସେବା ଯୋଗାଇ ଦେଇଆସୁଛନ୍ତି । ଯାହା ସହିତ କେନ୍ଦ୍ର ସରକାରଙ୍କ ଆୟୁଷ୍ମାନ ଯୋଜନାଠାରୁ ଉଚ୍ଚକୋଟୀର ଓ ଲୋକାଭିମୁଖୀ ଜନକଲ୍ୟାଣକାରୀ ଯୋଜନା । ସେହିପରି ମୁଖ୍ୟମନ୍ତ୍ରୀ ନବୀନ ଗରୀବ ଭୂମିହୀନମାନଙ୍କୁ ମାଗଣାରେ ଜମିର ପଟ୍ଟା ଓ ସ୍ଥାୟୀ ପକ୍କାଗୃହ ଯୋଗାଇ ଦେବା କାର୍ଯ୍ୟକ୍ରମ ବହୁ ପୂର୍ବରୁ ହାତକୁ ନେଇସାରିଛନ୍ତି । ୨୦୧୪ରେ କେନ୍ଦ୍ରରେ କ୍ଷମତାକୁ ଆସିବା ସମୟରେ ବିଜେପି ଯୋଉଁ ପ୍ରତିଶ୍ରୁତି ଦେଇଥିଲା ତାହା ମଧ୍ୟରୁ ଆଜି ପର୍ଯ୍ୟନ୍ତ ଗୋଟାଏ ହେଲେ ପ୍ରତିଶ୍ରୁତି ପାଳନ କରିଛନ୍ତି କି ବୋଲି ବିଜେପିକୁ ଜିଲ୍ଲା ଯୁବ ସଭାପତି ଶ୍ରୀମହାନ୍ତି ପ୍ରଶ୍ନ କରିଛନ୍ତି । ବର୍ଷକୁ ୨ କୋଟି ନିଯୁକ୍ତି , ବ୍ୟାଙ୍କରେ ଜନସାଧାରଣଙ୍କ ଜମାଖାତାକୁ ୧୫ ଲକ୍ଷ ଟଙ୍କା ଆସିବା, ସଂସଦ  ଭବନକୁ ଅପରାଧ ମୁକ୍ତ କରାଇବା ଆଦି ସମସ୍ତ ପ୍ରତିଶ୍ରୁତି ଜୁମୁଲା ପରିଣତ ହୋଇସାରିଛି । କେନ୍ଦ୍ରରେ ବିଜପେି ଶାସନରେ ଓଡ଼ିଶା ସର୍ବାଧିକ ଅଣଦେଖାର ସମ୍ମୁଖୀନ ହୋଇଛି । ପ୍ରତ୍ୟେକ କ୍ଷେତ୍ରରେ କେନ୍ଦ୍ରୀୟ ଅନୁଦାନକୁ ହ୍ରାସ କରିବା ସହିତ ସଠିକ ସମୟରେ ଅନୁଦାନ ଦେଉ ନାହିଁ । ଏପରିକି ଆଦିବାସୀ ଛାତ୍ରଛାତ୍ରୀମାନଙ୍କ ବୃତ୍ତି ଟଙ୍କା ପ୍ରଦାନରେ ମଧ୍ୟ ବୈମାତୃକ ମନୋଭାବ ପୋଷଣ କରିଆସୁଛି । ତେଣୁ ବିଜେପିର ପ୍ରତିଶ୍ରୁତି ଉନ୍ମୋଚନ ମଧ୍ୟ ଏକ ଜୁମୁଲା । ବିଜେପିର ଏହି ପ୍ରକାରର ମିଥ୍ୟ ପ୍ରତିଶ୍ରୁତିକୁ ବିଶ୍ୱାସ ନ କରିବାକୁ ଜିଲ୍ଲା ଯୁବ ସଭାପତି ଶ୍ରୀମହାନ୍ତି ଜିଲ୍ଲାବାସୀଙ୍କୁ ନିବେଦନ କରିଛନ୍ତି । 

0
0
0
s2sdefault