ହେଡଲାଇନସ୍:

 "ମୁଖ୍ୟମନ୍ତ୍ରୀ କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇ ରହିବା ଆଦୌ ଶୁଭଙ୍କର ନୁହେଁ "

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 

ଖାଲିଥିବା ସରକାରୀ ପଦବୀ ପୂରଣ ନହେବା ପଛରେ ରହିଛି ୪୦ ହଜାର କୋଟିର କାରବାର

୧ ଲକ୍ଷ ୩୧ ହଜାର ୫୧୮ ସରକାରୀ ପଦ ଖାଲିଥିବା ସତ୍ୱେ ଶିକ୍ଷିତ ବେକାରଙ୍କୁ ଚାକିରୀ ନଦେବାର ଗଭୀର ଷଡଯନ୍ତ୍ର କରିଛନ୍ତି ନବୀନ

ଭୁବନେଶ୍ୱର:  ରାଜ୍ୟରେ ନିଯୁକ୍ତିକୁ ନେଇ ସରକାରଙ୍କର ଉଦାସୀନତା ଓ ଏହା ପଛରେ ଥିବା ଗଭୀର ଷଡଯନ୍ତ୍ର ଯୋଗୁଁ ବେକାରୀ ସମସ୍ୟା ଚରମ ସୀମାରେ ପହଂଚିଛି ବୋଲି ଅଭିଯୋଗ କରିଛି କଂଗ୍ରେସ । ଆଜି ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟ ଠାରେ ଆହୁତ ଏକ ସାମ୍ବାଦିକ ସମ୍ମିଳନୀରେ ମିଡିଆ ସେଲ ଅଧ୍ୟକ୍ଷ ସତ୍ୟ ପ୍ରକାଶ ନାୟକ ଏ ସଂପର୍କରେ କହିଛନ୍ତି ଯେ ରାଜ୍ୟରେ ଖାଲିଥିବା ୧ ଲକ୍ଷ ୩୧ ହଜାର ୫୧୮ ସରକାରୀ ପଦବୀ ପୂରଣ ନହେବା ପଛରେ ରହିଛି ୪୦ ହଜାର କୋଟି ଟଙ୍କାର କାରବାର । ରାଜ୍ୟରେ ନିର୍ବାଚନ ପୂର୍ବରୁ ଏବଂ ନିର୍ବାଚନ ଆଚରଣ ବିଧି ଲାଗୁ ହେବାକୁ ମାତ୍ର କିଛି ଦିନ ବାକି ଥିବା ବେଳେ ହଠାତ୍ ମୁଖ୍ୟମନ୍ତ୍ରୀଙ୍କର ନିଯୁକ୍ତି କଥା ମନେପଡିଲା ଏବଂ ମାତ୍ର ୧୫୬୦ ଡାକ୍ତର ପଦବୀ ପୂରଣ କରି ସରକାର ତାଙ୍କ ଦାୟିତ୍ୱ ସାରି ଦେଲେ ବୋଲି ଯଦି ଭାବୁଥାନ୍ତି, ତାହେଲେ ଏହାଠାରୁ ଦୁର୍ଭାଗ୍ୟଜନକ ଓ ହାସ୍ୟାସ୍ପଦ କଥା କିଛି ନହୋଇପାରେ । କିଛିଦିନ ପୂର୍ବରୁ ଖୋଦ୍ ସ୍ୱାସ୍ଥ୍ୟମନ୍ତ୍ରୀ ତାଙ୍କ ବକ୍ତବ୍ୟରେ ରାଜ୍ୟରେ ୩୩୩୩ଟି ଡାକ୍ତର ପଦ ଖାଲିଥିବା କଥା ସ୍ୱୀକାର କରିଥିବା ବେଳେ ଏବେ ମାତ୍ର ଦୁଇଟି ପର୍ଯ୍ୟାୟରେ ୧୫୬୦ଟି ପଦବୀ ପୂରଣ କରି ରାଜ୍ୟରେ ସ୍ୱାସ୍ଥ୍ୟସେବାର ସମସ୍ୟାକୁ ନେଇ ସମ୍ବେଦନହୀନତାର ପରିଚୟ ଦେଇଛନ୍ତି ବୋଲି କଟାକ୍ଷ କରିଛି କଂଗ୍ରେସ । ଖୋଦ୍ ମୁଖ୍ୟମନ୍ତ୍ରୀ ଓଡିଶା ନିର୍ମାଣ କାନକ୍ଳେଭ  ଓ ଦେଶ ବିଦେଶର ବଡ ବଡ ସହରରେ ରୋଡ୍ ସୋ କରିବାରେ ଶହ ଶହ କୋଟି ଖର୍ଚ୍ଚ କରୁଥିବା ବେଳେ ସରକାରୀ ଚାକିରୀରେ ପଦ ପୂରଣ ପାଇଁ କୌଣସି ନିଷ୍ପତି ନ ନେବା ରାଜ୍ୟର ଲକ୍ଷ ଲକ୍ଷ ଶିକ୍ଷିତ ବେକାର ଯୁବକ ଓ ଯୁବତୀମାନଙ୍କ ପ୍ରତି ଉପହାସ । ଯଦି ମୁଖ୍ୟମନ୍ତ୍ରୀ ୨୦୧୯ ନିର୍ବାଚନ ବର୍ଷରେ ୧୫୬୦ ଡାକ୍ତର ନିଯୁକ୍ତି ଦେଇପାରିଲେ ତାହେଲେ ୨୦୧୫ ମସିହାରେ ଡାକ୍ତର ନିଯୁକ୍ତି ଶୂନ ଥିଲା ବେଳେ ୨୦୦୮  ମସିହାରେ ୪୪୦ ଉତୀର୍ଣ୍ଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ଜଣକୁ ବି କାହିଁକି ନିଯୁକ୍ତି ଦେଲେନାହିଁ ବୋଲି ପ୍ରଶ୍ନ କରିଛି କଂଗ୍ରେସ । ନିଜେ ସରକାର ଗୃହରେ ରଖିଥିବା ତଥ୍ୟ ଅନୁଯାୟୀ ସରକାରୀ ଚାକିରୀରେ ଖାଲିଥିବା ବିଭିନ୍ନ ଗ୍ରେଡ୍ ଓ ଗ୍ରାଂଟ ଇନ୍ ଏଡ୍ରେ ଖାଲିଥିବା ୧୧୬୦୦ ପଦବୀକୁ ମିଶାଇ ମୋଟ୍ ୧ ଲକ୍ଷ ୩୧ ହଜାର ୫୧୮ ପଦବୀ ପାଇଁ ରାଜକୋଷରୁ ବାର୍ଷିକ ଦରମା ଓ ଭତା ବାବଦରେ ୯ ହଜାର କୋଟି ଟଙ୍କା ଖର୍ଚ୍ଚ କରିଥାନ୍ତେ ଏବଂ ମୋଟାମୋଟି ଭାବରେ ବିଗତ ୫ ବର୍ଷ ଭିତରେ ୪୦ ହଜାର କୋଟି ଟଙ୍କା ଦରମା ଓ ଅନ୍ୟାନ୍ୟ ଆନୁସଙ୍ଗିକ ସୁବିଧା ସୁଯୋଗ ବାବଦରେ ଖର୍ଚ୍ଚ କରିଥାନ୍ତେ । କିନ୍ତୁ ଏହା ନକରି ଉକ୍ତ ୪୦ ହଜାର କୋଟି ଟଙ୍କାକୁ ନିଜର ତଥା ନିଜ ଦଳର ପ୍ରଚାର ଓ ପ୍ରସାର ବାବଦରେ ଖର୍ଚ୍ଚ କରିଦେଲେ । ବିଜୁ ଯୁବ ବାହିନୀ ନାଁରେ ଶହ ଶହ କୋଟି ଟଙ୍କା ଖର୍ଚ୍ଚ କରିବାକୁ ପଶ୍ଚାତ୍ପଦ ହେଉନଥିବା ନବୀନ ସରକାର ରାଜ୍ୟର ସରକାରୀ ପଦ ପଦବୀରେ ନିଯୁକ୍ତିକୁ ନେଇ ଆଶାୟୀ ଥିବା ଲକ୍ଷ ଲକ୍ଷ ବେକାର ଯୁବକଯୁବତୀମାନଙ୍କ ଭବିଷ୍ୟତ ସାଙ୍ଗରେ ଖେଳିବା ପାଇଁ ତିଳେମାତ୍ର ସଙ୍କୋଚ କଲେନାହିଁ । ନିର୍ବାଚନର ଅବ୍ୟବହିତ ପୂର୍ବରୁ “କାଳିଆ” ଓ “ପିଠା” ଭଳି ନୂଆ ଯୋଜନା ଆଣି ଜନସାଧାରଣଙ୍କୁ ବିଭ୍ରାନ୍ତ କରିବାର ଯେଉଁ ହୀନ ପ୍ରୟାସ କରାଯାଇଛି ତା’ପଛରେ ଲୁଚି ରହିଛି ୧ ଲକ୍ଷ ୩୧ ହଜାର ୫୧୮ ସରକାରୀ ଚାକିରୀ ବାବଦରେ ଖର୍ଚ୍ଚ ହେବାକୁ ଥିବା ୪୦ ହଜାର କୋଟି ଟଙ୍କା ଏବଂ ଚାକିରୀ ଆଶାୟୀ ଓଡିଶାର ଲକ୍ଷ ଲକ୍ଷ ବେକାର ଯୁବକ ଯୁବତୀଙ୍କ ଭାଗ୍ୟ ଓ ଭବିଷ୍ୟତ । ଏହା ବାଦ୍ ଅନ୍ୟ ଏକ ଗୁରୁତର ସମସ୍ୟା ହେଉଛି ଦୀର୍ଘବର୍ଷ ଧରି ସରକାରୀ ଚାକିରୀରେ ନିଯୁକ୍ତି ନଦିଆଯିବା ଫଳରେ ଆଶାୟୀ ଶିକ୍ଷିତ ବେକାରଙ୍କର ବୟସାଧିକ ସମସ୍ୟା, ଯେଉଁଥିପାଇଁ ନୂତନ ନିଯୁକ୍ତିରେ ଆବେଦନ କରିବାର ସୁଯୋଗ ସେମାନେ ହରାଉଛନ୍ତି । ପ୍ରତ୍ୟେକ ବର୍ଷ ରାଜ୍ୟର ହଜାର ହଜାର ଶିକ୍ଷିତ ଓ ବେକାର ଚାକିରୀ ଆଶାରେ ରାଜ୍ୟ ବାହାରକୁ ଯାଉଥିବାବେଳେ ମୁଖ୍ୟମନ୍ତ୍ରୀ କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇ ରହିବା ଆଦୌ ଶୁଭଙ୍କର ନୁହେଁ ।  ଉପରୋକ୍ତ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦେଶ କଂଗ୍ରେସର ଦାବି ହେଉଛି ଯେ ତୁରନ୍ତ ଶିକ୍ଷିତ ବେକାର ଯୁବକଯୁବତୀଙ୍କ ଭବିଷ୍ୟତ ସହିତ ଖେଳିବା ବନ୍ଦ କରନ୍ତୁ ଏବଂ ଖାଲିଥିବା ସମସ୍ତ ସରକାରୀ ପଦବୀକୁ ଯୁଦ୍ଧକାଳୀନ ଭିତିରେ ପୂରଣ କରନ୍ତୁ ।ଏହି ସାମ୍ବାଦିକ ସମ୍ମିଳନୀରେ ମୁଖପାତ୍ର ପ୍ରଶାନ୍ତ ଶତପଥୀ, ନିଶିକାନ୍ତ ମିଶ୍ର, ରଜନୀ କୁମାର ମହାନ୍ତି, ଓମ୍ ପ୍ରକାଶ ସାହୁ ଉପସ୍ଥିତ ଥିଲେ ।

 

0
0
0
s2sdefault