ହେଡଲାଇନସ୍:

 ଚର୍ଚ୍ଚାରେ ବାରିପଦା ସିଂହାସନ : କିଏ କିଣିବ ଭୋଟରଙ୍କ ମନ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

କାହାକୁ ମିଳିବ ବିଜୟର ଆନନ୍ଦ : ବିଜେପି, କଂଗ୍ରେସ, ଝାମୁମୋ ନା ସାନନ୍ଦ 

ବାରିପଦା(ଦିଲ୍ଲୀପ ମହାନ୍ତି )- ମୟୂରଭଞ୍ଜ ଜିଲ୍ଲା ଅନ୍ତର୍ଗତ ୯ଟି ବିଧାନସଭା କ୍ଷେତ୍ର ମଧ୍ୟରୁ ବାରିପଦା ଏକ ପ୍ରମୁଖ ନିର୍ବାଚନ ମଣ୍ଡଳୀ । ବାରିପଦା ପୌରପରିଷଦ, ବାରିପଦା, ଖୁଣ୍ଟା ବ୍ଲକ ସହ ବଡ଼ସାହି ବ୍ଲକର ୯ଟି ପଞ୍ଚାୟତକୁ ନେଇ ଏହା ଗଠିତ |୨୦୦୯ ବିଧାନସଭା ନିର୍ବାଚନ ସମୟରୁ ଏହା ବିଜେଡି  ବିଧାୟକ ସାନନ୍ଦ ମାର୍ଣ୍ଡିଙ୍କ ଦଖଲରେ ରହିଆସିଛି । ବିଜେପି, କଂଗ୍ରେସ ଓ ଝାମୁମୋ ଦଳ ସେମାନଙ୍କ ପ୍ରାର୍ଥୀ ପରିବର୍ତ୍ତନ କରିଥିଲେ ମଧ୍ୟ ସଫଳତା ମିଳିପାରି ନାହିଁ । ଉକ୍ତ ଦୁଇଟି ଟର୍ମରେ ସାନନ୍ଦ ଓଡ଼ିଶା ବିଧାନସଭାର ଉପବାଚସ୍ପତି ଆସନ ଅଳଙ୍କୃତ କରି ବିଧାନସଭାରେ ନୂତନ ରେକର୍ଡ କରିବା ସହ ସାମ୍ବିଧାନିକ ବିଧିବ୍ୟବସ୍ଥା ମଧ୍ୟରେ ବାନ୍ଧି ହୋଇଥିଲେ ମଧ୍ୟ ନିର୍ବାଚନ ମଣ୍ଡଳୀରେ ତାଙ୍କର ଲୋକପ୍ରିୟତା କ୍ଷେତ୍ରରେ କୌଣସି ପରିବର୍ତ୍ତନ ପରିଲକ୍ଷିତ ହୋଇପାରି ନାହିଁ । ଜିଲ୍ଲାରେ ଅନ୍ୟ ନିର୍ବାଚନ ମଣ୍ଡଳୀଗୁଡ଼ିକରେ ବିଜେଡିର ବିଧାୟକମାନଙ୍କ ଲୋକପ୍ରିୟତାର ଟିଆରପି ହ୍ରାସ ପାଇଥିବା ବେଳେ ୨୦୧୯ ନିର୍ବାଚନରେ ବାରିପଦା ନିର୍ବାଚନ ମଣ୍ଡଳୀରେ ସାନନ୍ଦ ପ୍ରତିପକ୍ଷ ଦଳ ପ୍ରତି ଭାରି ପଡ଼ିବା ବିଷୟକୁ ନେଇ ଚର୍ଚ୍ଚା ଜୋର ଧରିଛି । ସାନନ୍ଦଙ୍କ ସାଙ୍ଗଠନିକ ଦକ୍ଷତା, ଶାନ୍ତ, ସରଳ ଓ ମେଳାପି ଗୁଣବତ୍ତା ତାଙ୍କୁ ସଫଳତାର ଶିଖରରେ ପହଁଞ୍ଚାଇ ଦେଇଥିବା ସହ ମୟୂରଭଞ୍ଜ ଜିଲ୍ଲାରେ ଜଣେ ନିର୍ବିବାଦୀୟ ନେତା ଭାବେ ଜନସାଧାରଣଙ୍କ ନିକଟରେ ପରିଚିତ  ହୋଇପାରିଛନ୍ତି । ୨୦୧୪ରୁ ୨୦୧୯ ମଧ୍ୟରେ ବାରିପଦା ନିର୍ବାଚନ ମଣ୍ଡଳୀର ସର୍ବାଙ୍ଗୀନ ଉନ୍ନତି ସହ ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ, ସାଂସ୍କୃତିକ କାର୍ଯ୍ୟକ୍ରମ, କ୍ରୀଡ଼ା ଆଦି କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରି  ଏହି ସଫଳତା ଅର୍ଜନ କରିଥିବାର କୁହାଯାଉଛି । ଭୂମିହୀନ ବସ୍ତିବାସିନ୍ଦାମାନଙ୍କୁ ରାଜ୍ୟ ସରକାରଙ୍କ ଭୂମିହୀନ ବସ୍ତିବାସିନ୍ଦା ଯୋଜନାରେ ସାମିଲ କରାଇ ସ୍ଥାୟୀ ଜମି ପଟ୍ଟା ସହ ବିଜୁ ପକ୍କାଘର ପ୍ରଦାନ, ଖାଦ୍ୟ ସୁରକ୍ଷା ଯୋଜନା, ବାର୍ଦ୍ଧକ୍ୟ, ବିଧବା ଓ ବିକଳାଙ୍ଗମାନଙ୍କ ନିମନ୍ତେ ଭତ୍ତା ଯୋଜନାରେ ଯୋଗ୍ୟ ହିତାଧିକାରୀମାନଙ୍କୁ ସାମିଲ କରାଇବା, କାଳିଆ ଯୋଜନାରେ କୃଷକମାନଙ୍କୁ ଯୋଡ଼ିହେବା, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ମାଧ୍ୟମରେ ଜନସାଧାରଣଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇବା, ଗମନାଗମନର ସୁବିଧା ନିମନ୍ତେ ପ୍ରତ୍ୟେକ ଗ୍ରାମକୁ ମୁଖ୍ୟ ରାସ୍ତା ସହିତ ସଂଯୋଗ କରାଇବା, ନଦୀ ଓ ନାଳ ଉପରେ ବିଜୁ ସେତୁ ଯୋଜନାରେ ପୋଲ ନିର୍ମାଣ କରାଇବା, ଯୁବକମାନଙ୍କ ନିମନ୍ତେ କମ୍ୟୁନିଟି  ସେଣ୍ଟର  ଆଦି ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ କାର୍ଯ୍ୟକ୍ରମ ସିଧାସଳଖ ଭାବେ ଜନସାଧାରଣଙ୍କ ନିକଟରେ ପହଁଞ୍ଚାଇବା ଉପରେ ଗୁତୁତ୍ୱାରୋପ ଦେଇ କାର୍ଯ୍ୟ କରିଆସୁଛନ୍ତି । ସେହିପରି ଅନିଶ୍ଚିତତା ମଧ୍ୟରେ ଗତି କରୁଥିବା ବାରିପଦା ଆର୍ବାନ ବ୍ୟାଙ୍କକୁ ପୁନଃ କାର୍ଯ୍ୟକ୍ଷମ କରାଇବା,  ବନ୍ଦ ହେବାକୁ ବସିଥିବା ବାରିପଦା ଆୟୁର୍ବେଦିକ ମହାବିଦ୍ୟାଳୟକୁ ସରକାର ହାତକୁ ନେବା, ତାଲା ଝୁଲୁଥିବା ବାରିପଦା ନିକୋ କେବୁଲ କାରଖାନାକୁ ପୁଣି ଉତ୍ପାଦନ କ୍ଷମ କରାଇବା, ବାରିପଦା ସହରକୁ ବନ୍ୟାଦାଉରୁ ରକ୍ଷା କରାଇବା ନିମନ୍ତେ ଆଡ଼ିବନ୍ଧ(ରିଂ ରୋଡ଼) ନିର୍ମାଣ ଆଦି ମୁଖ୍ୟମନ୍ତ୍ରୀ ନବୀନ ଙ୍କର ଘୋଷଣା, ମୟୂରଭଞ୍ଜ ଏକ ଆଦିବାସି ବହୁଳ ଜିଲ୍ଲା ହୋଇଥିବାରୁ ବାରିପଦା ପୌରପରିଷଦ ସହିତ ଜିଲ୍ଲାର ବିଭିନ୍ନ ସ୍ଥାନରେ ଆଦିବାସୀ ମହିଷିମାନଙ୍କର ପ୍ରତିମୂର୍ତ୍ତି ସ୍ଥାପନ, ହୋ, ମୁଣ୍ଡାରୀ ଓ ଭୂମିଜ ଭାଷାକୁ ସମ୍ବିଧାନର ଅଷ୍ଟମ ଅନୁଚ୍ଛେଦରେ ସ୍ଥାନିତ କରାଇବା ପାଇଁ ମୁଖ୍ୟମନ୍ତ୍ରୀଙ୍କର ସୁପାରିଶ, ପଛରେ ପଡ଼ିଥିବା କୁଡ଼ୁମୀ ସମ୍ପ୍ରଦାୟର ଜନସାଧାରଣଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରାଇବା ନିମନ୍ତେ କୁଡ଼ୁମୀ ପରିଷଦ ଗଠନ ପ୍ରସ୍ତାବ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଘୋଷଣା ଆଦି ତାଙ୍କର ଉଲ୍ଲେଖନୀୟ କାର୍ଯ୍ୟଗୁଡ଼ିକ ମଧ୍ୟରେ ଅନ୍ୟତମ । ଏହିପରି ତାଙ୍କର ମିଶନ ୬୦ ମାଧ୍ୟମରେ ଆହୁରି  ଅନେକ ଗୁଡ଼ିଏ କାର୍ଯ୍ୟକ୍ରମ ହାତକୁ ନେଇଥିଲେ ମଧ୍ୟ ତାହା ଅଧୁରା ହୋଇ ରହିଯାଇଛି । ଉପବାଚସ୍ପତି ଶ୍ରୀମାର୍ଣ୍ଡି ୨୦୧୯ ନିର୍ବାଚନରେ ମୁଖ୍ୟମନ୍ତ୍ରୀ ନବୀନଙ୍କ ଦ୍ୱାରା ରାଜ୍ୟରେ କାର୍ଯ୍ୟକାରୀ ହୋଇଥିବା ବିଭିନ୍ନ ଲୋକାଭିମୁଖୀ ଯୋଜନାର ସଫଳତା ସହିତ ନିଜର ଅତୀତର କର୍ମ, ଓଡ଼ିଶାକୁ କେନ୍ଦ୍ରର ଅବହେଳା ଓ ରାଜ୍ୟର ଉନ୍ନତିରେ ବାଧକ, ମୂଲ୍ୟବୃଦ୍ଧି ଆଦିକୁ ମୁଖ୍ୟ ଆୟୁଧ  ଭାବେ ଗ୍ରହଣ କରି ଜନତା ଜନାର୍ଦ୍ଦନଙ୍କ ସମ୍ମୁଖୀନ ହେବାକୁ ଯାଉଥିବାର ବିଜେଡ଼ି ସୂତ୍ରରୁ ଜଣାପଡ଼ିଛି ।

ସେହିପରି ଗତ ୨୦୧୭ ମୟୂରଭଞ୍ଜ ଜିଲ୍ଲାପରିଷଦ ନିର୍ବାଚନରେ ଜିଲ୍ଲାରେ ହଠାତ୍ ହିରୋ ପାଲଟି ଯାଇଥିବା ବିଜେପି  ବାରିପଦା ସିଂହାସନକୁ ଦଖଲକୁ ନେବା ନିମନ୍ତେ ଆଶାବାନ୍ଧି ବସିଛି । କେନ୍ଦ୍ରରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଦ୍ୱାରା ଭାରତରେ କାର୍ଯ୍ୟକାରୀ କରାଯାଇଥିବା ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାର ସଫଳତା ସହ ଓଡ଼ିଶାରେ ନବୀନ ସରକାରଙ୍କ ୧୯ ବର୍ଷ ଶାସନରେ ପିସି, ଦୁର୍ନୀତି, ଭ୍ରଷ୍ଟାଚାର, କେନ୍ଦ୍ରୀୟ ଯୋଜନାକୁ ହାଇଜାକ କରିବା, ମହିଳାମାନଙ୍କ ସୁରକ୍ଷା ; ଶିକ୍ଷା, ସ୍ୱାସ୍ଥ୍ୟ, ଜଳସେଚନ, ଗମନାଗମନ, କୃଷି, ପାନୀୟ ଜଳ ଯୋଗାଣ ଆଦିରେ ଦେଖାଦେଇଥିବା ଅଚଳାବସ୍ଥା, ଜିଲ୍ଲାରେ ବିଧାୟକମାନଙ୍କର ଅପାରଗତା ଆଦିକୁ ବିଜେପି ମୁଖ୍ୟ ଅସ୍ତ୍ର ଭାବେ ବ୍ୟବହାର କରିବାକୁ ଯାଉଛି ଏବଂ ୨୦୧୯ରେ ବିଧାନସଭା ଦଖଲ କଲେ ଓଡ଼ିଶାକୁ ଭାରତର ନମ୍ବର ୱାନ ରାଜ୍ୟରେ ପରିଣତ କରାଇବା , ଭୂମିହୀନମାନଙ୍କୁ ସ୍ଥାୟି ଜମି ସହିତ ଗରୀବମାନଙ୍କୁ ମାଗଣାରେ ଗୃହର ନିର୍ମାଣ ସହ ସ୍ୱାସ୍ଥ୍ୟ ପାଇଁ ଆୟୁଷ୍ମାନ ଯୋଜନା ଲାଗୁ କରି ଗରୀବମାନଙ୍କୁ ମାଗଣାରେ ୫ ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟ ବୀମା,  ମାଗଣାରେ ବିଦ୍ୟୁତ, ଗ୍ୟାସ ଆଦି ଯୋଗାଇ ଦେବ । ପୁଣି ଓଡ଼ିଶାରେ ବ୍ୟାପକ ନିଯୁକ୍ତି ସୃଷ୍ଟି କରାଇ ବେକାର ଯୁବକଯୁବତୀମାନଙ୍କୁ ସେଥିରେ ନିଯୁକ୍ତି ଦେବ । ଏକ ନବ ଓଡ଼ିଶା ଗଠନ କରିବା ସହ ବିକାଶର ସୁର୍ୟୋଦୟ  ମୟୂରଭଞ୍ଜରୁ ଆରମ୍ଭ ହେବାର ନିର୍ବାଚନୀ ପ୍ରତିଶ୍ରୁତି ନେଇ ଜନସାଧାରଣଙ୍କୁ ଭେଟିବାକୁ ଯାଉଛି ବୋଲି ଭାଜପା ଜିଲ୍ଲା ସଭାପତି ଡ଼ା. କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ ସୂତ୍ରରୁ ଜଣାପଡ଼ିଛି । 

ପଛରେ ପଡ଼ିଯାଇ ନାହାନ୍ତି କଂଗ୍ରେସ ଓ ଝାମୁମୋ । ଆସନ୍ତା ନିର୍ବାଚନରେ କଂଗ୍ରେସ ଝାମୁମୋ ଓ ଏସୟୁସିଆଇ ସହିତ ମେଣ୍ଟ ସୁନିଶ୍ଚିତ ରହିଥିବା ବେଳେ ମେଣ୍ଟର ମାର୍ଚ୍ଚ ୧୦ରୁ ୧୧ ମଧ୍ୟରେ ଅସନ ବୁଝାମଣାର ତାଲିକା ଜଣାପଡ଼ିଯିବ । ତେଣୁ ବାରିପଦା ନିର୍ବାଚନ ମଣ୍ଡଳୀ ମେଣ୍ଟର କାହା ହାତକୁ ଯାଉଛି ତାହା ଅଦ୍ୟାବଧି ନିର୍ଣ୍ଣୟ ହୋଇପାରି ନାହିଁ । ଉଭୟ କଂଗ୍ରେସ ଓ ଝାମୁମୋ ବାରିପଦା ଆସନ ନିଜ ସପକ୍ଷରେ ନେବା ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି । ନିର୍ବାଚନ ମଣ୍ଡଳୀରେ ମେଣ୍ଟ ସଙ୍ଗଠନ ସେତେ ସୁଦୃଢ଼ ନଥିବା ବେଳେ ସାନନ୍ଦଙ୍କୁ କଡ଼ା ଟକ୍କର ଦେବାକୁ ପ୍ରସ୍ତୁତ ହେଉଛି । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିବାକୁ ଯାଉଛି ମେଣ୍ଟ । ମୟୂରଭଞ୍ଜ ଜିଲ୍ଲାରେ ରେଳପଥର ବିକାଶ ସହ ବାଙ୍ଗିରିପୋଷି-ଗୋରୁମହିଷାଣି, ବୁଢ଼ାମରା-ଚାକୁଳିଆ ରେଳପଥର ସଂଯୋଗିକରଣ, ପର୍ଯ୍ୟଟନ ଶିଳ୍ପର ବିକାଶ, ବୃହତ୍ ଶିଳ୍ପ ପ୍ରତିଷ୍ଠା  ଆଦି ଦାବିରେ ଝାମୁମୋ ବିଭିନ୍ନ ସମୟରେ ଆନ୍ଦୋଳନ  ଚଳାଇ ଆସୁଛିଥିଲେ ମଧ୍ୟ କେନ୍ଦ୍ର ଓ ରାଜ୍ୟ ସରକାର ଏହି ସମସ୍ତ ଦାବିକୁ ଅଣଦେଖା କରିଆସୁଛନ୍ତି । ପ୍ରଧାନମନ୍ତ୍ରୀ ମୋଦି ବର୍ଷରେ ୨କୋଟି ନିଯୁକ୍ତିର ପ୍ରତିଶ୍ରୁତି ଦେଇ ତାହାକୁ ପୂରଣ କରିବା ବଦଳରେ ଲୋକମାନଙ୍କ ଚାକିରୀକୁ ଛାଡ଼ାଇ ନେଇଛି । କଳାଧନ, ଫେରାଇ ଆଣିବା, ସଂସଦକୁ ଅପରାଧ ମୁକ୍ତ, ପ୍ରତ୍ୟେକଙ୍କ ଜମାଖାତାକୁ ୧୫ ଲକ୍ଷ ଟଙ୍କା ଆସିବା, ଗୋସୁରକ୍ଷା ନାମରେ ଲୋକମାନଙ୍କ ଜୀବନ ନେବା ଆଦି ବିଭିନ୍ନ ବିଷୟକୁ ନେଇ ବିଜେପିକୁ ଘେରିବ । ସେହିପରି ଓଡ଼ିଶାରେ ୨୦୦୦ରୁ ୨୦୦୯ ପର୍ଯ୍ୟନ୍ତ ବିଜେଡ଼ି ସହିତ ମେଣ୍ଟ କରି ରାଜ୍ୟବାସୀଙ୍କୁ ଠକେଇ ଲୁଟ କରିଥିଲା, ସେଥିରେ ମନ ଶାନ୍ତି ହୋଇ ନାହିଁ । ବର୍ତ୍ତମାନ ବିଭିନ୍ନ ପ୍ରକାରର ମିଛ ପ୍ରତିଶ୍ରୁତି ନଦୀ ବୁହାଇବାରେ ଲାଗିଛି । ସେହିପରି ନବୀନ ସରକାରରେ ମୟୂରଭଞ୍ଜ ସବୁଠାରୁ ଅବହେଳିତ ହୋଇ ଆସିଛି । ଦୁର୍ନୀତି, ଭ୍ରଷ୍ଟାଚାର, ନିଯୁକ୍ତି, ସୁବର୍ଣ୍ଣରେଖା ଜଳସେଚନ ପ୍ରକଳ୍ପ, ଆଦିବାସୀମାନଙ୍କ ସମସ୍ୟା ଆଦିକୁ ମୁଖ୍ୟ ମୁଦା କରିବାକୁ ଯାଉଛି ଏବଂ ୨୦୧୯ ନିର୍ବାଚନରେ ବିଜେଡି  ଓ ବିଜେପିର ମୁକାବିଲା କରିବା ନିମନ୍ତେ ସ୍ୱତନ୍ତ୍ର ରଣକୌଶଳ ପ୍ରସ୍ତୁତ କରିଛନ୍ତ ବୋଲି ଜିଲ୍ଲା ସଭାପତି ଫାଗୁ ହାଁସଦାଃ କୁହନ୍ତି । ୨୦୧୯ ନିର୍ବାଚନରେ ବିଜେଡି  ଓ ବିଜେପିର ମୁକାବିଲା କରିବା ନିମନ୍ତେ ସ୍ୱତନ୍ତ୍ର ରଣକୌଶଳ ପ୍ରସ୍ତୁତ କରିଛନ୍ତି । 

 

 

0
0
0
s2sdefault