ହେଡଲାଇନସ୍:

ଆନ୍ତରିକତା କମ୍‍, ରାଜନୀତି ବେଶୀ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

କୋଷ୍ଟାଲ୍‍ ହାଇୱେ ପ୍ରକଳ୍ପ ଓଡ଼ିଶାବାସୀଙ୍କୁ ପ୍ରତାରଣା ଓ ଧୋକ୍କା

ଭୁବନେଶ୍ୱର(ମାନସୀ ମିଶ୍ର): ପ୍ରସ୍ତାବିତ କୋଷ୍ଟାଲ୍‍ ହାଇୱେ ପ୍ରକଳ୍ପ ଗଞ୍ଜାମ ଜିଲ୍ଲାର ଗୋପାଳପୁର ଠାରୁ ଦୀଘା ପର୍ଯ୍ୟନ୍ତ ନିର୍ମାଣ କରିବା ପାଇଁ ତତ୍କାଳୀନ  କେନ୍ଦ୍ର ସଡ଼କ, ପରିବହନ, ରାଜପଥ ଓ ଜାହାଜ ଚଳାଚଳ ମନ୍ତ୍ରୀ ନୀତିନ ଜୟରାମ ଗଡ଼କରୀ ପିପିଲି ଟୋଲ୍‍ ଗେଟ୍‍ ଠାରେ ୯/୭/୨୦୧୫ ତାରିଖ ଶୁକ୍ରବାର ଦିନ ଭୁବନେଶ୍ୱର-ପୁରୀ ୪ଲେନ୍‍ ବିଶିଷ୍ଟ ଜାତୀୟ ରାଜପଥକୁ ଉଦ୍‍ଘାଟନ ବେଳେ ଘୋଷଣା କରିଥିଲେ । ସେ କହିଥିଲେ ଯେ ଏହି କୋଷ୍ଟାଲ୍‍ ହାଇୱେ ପ୍ରକଳ୍ପ ପାଇଁ କେନ୍ଦ୍ର ସରକାର ୫ ହଜାର କୋଟି ଟଙ୍କା ବ୍ୟୟବରାଦ କରିଛନ୍ତି । ଭୁବନେଶ୍ୱର-ପୁରୀ ୪ଲେନ୍‍ ବିଶିଷ୍ଟ ରାସ୍ତା ନିର୍ମାଣ ୨୦୧୧ରୁ ଆରମ୍ଭ ହୋଇ ୨୦୧୫ରେ ଶେଷ ହୋଇଛି । ଏହି ରାସ୍ତା ୬୭.୨ କିମି ପରିବ୍ୟାପ୍ତ ବୋଲି ସେ ଘୋଷଣା କରିଥିଲେ । ଶ୍ରୀ ଗଡ଼କରୀ ଚନ୍ଦନପୁର-ରାମେଶ୍ୱର ଜଗନ୍ନାଥ ସଡ଼କକୁ ଜାତୀୟ ରାଜପଥ ଭାବେ ଘୋଷଣା କରି ଖୁବ୍‍ଶୀଘ୍ର ଏହାର ଉନ୍ନତିକରଣ ଆରମ୍ଭ ହେବ ବୋଲି ପ୍ରକାଶ କରିଥିଲେ । କିନ୍ତୁ ଦୁର୍ଭାଗ୍ୟର କଥା, ପୁରୀ ଠାରୁ ଭୁବନେଶ୍ୱର ମଙ୍ଗଳାଘାଟ ଦେଇ ଷ୍ଟରଲିଂ ପର୍ଯ୍ୟନ୍ତ ଏହି ପ୍ରସ୍ତାବିତ ୬୭.୨ କିମି ରାସ୍ତା ଆଜି ମଧ୍ୟ ପୂର୍ଣ୍ଣାଙ୍ଗ ହୋଇନାହିଁ । ଏହି ସଭାରେ ତତ୍କାଳୀନ ପେଟ୍ରୋଲିୟମ୍‍ ଓ ପ୍ରାକୃତିକ ଗ୍ୟାସ୍‍ ରାଷ୍ଟ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉପସ୍ଥିତ ରହି କେନ୍ଦ୍ର ସରକାର ଏହି ପ୍ରସ୍ତାବିତ କୋଷ୍ଟାଲ୍‍ ହାଇୱେ ଏବଂ ଚନ୍ଦନପୁର-ରାମେଶ୍ୱର ଜାତୀୟ ରାଜପଥ ଖୁବ୍‍ଶୀଘ୍ର ଆରମ୍ଭ ହେବ ବୋଲି ମଧ୍ୟ ପ୍ରକାଶ କରିଥିଲେ ।

ଇତିମଧ୍ୟରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ୨୦୧୫ ନବକଳେବର ଏବଂ ୨୦୧୬-୧୭-୧୮ ତିନୋଟି ରଥଯାତ୍ରା ଅନୁଷ୍ଠିତ  ହୋଇଯାଇଛି । କିନ୍ତୁ ଦୁର୍ଭାଗ୍ୟର କଥା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ପବିତ୍ର ନବକଳେବର ସମୟରେ ଘୋଷିତ ଏହି ପ୍ରମୁଖ କାର୍ଯ୍ୟକ୍ରମଗୁଡିକ ଏ ପର୍ଯ୍ୟନ୍ତ ଆରମ୍ଭ ହୋଇପାରିଲା ନାହିଁ । ଏ ସଂପର୍କରେ ମାନ୍ୟବର କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ୨୦୧୮ ଜୁନ୍‍ ୭ ତାରିଖ ଦିନ ଭୁବନେଶ୍ୱରରେ ଏକ ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରିଥିଲେ ଯେ ଚଳିତବର୍ଷ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ପୂର୍ବରୁ ପ୍ରସ୍ତାବିତ କୋଷ୍ଟାଲ୍‍ ହାଇୱେ ପ୍ରକଳ୍ପର ଟେଣ୍ଡର ପ୍ରକ୍ରିୟା ଆରମ୍ଭ ହେବ । କିନ୍ତୁ ଦୁର୍ଭାଗ୍ୟର କଥା, ବହୁ ପ୍ରଚାରିତ ଏହି କୋଷ୍ଟାଲ୍‍ ହାଇୱେ ସଂପର୍କରେ ବାରମ୍ବାର ରାଜ୍ୟରେ ବିଭିନ୍ନ ସ୍ତରରେ ଦାବି ଉପସ୍ଥାପିତ ହେଲା ପରେ ୨୦୧୮ ନଭେମ୍ବର ୮ ତାରିଖ ଦିନ ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ପ୍ରକଳ୍ପ ନିର୍ଦ୍ଦେଶକ  ଶ୍ରୀ ଶିଶୁମୋହନ ରାଜ୍ୟର ସଦସ୍ୟ ସଚିବ (ଓଡ଼ିଶା କୋଷ୍ଟାଲ୍‍ ଜୋନ୍‍ ମ୍ୟାନେଜ୍‍ମେଣ୍ଟ ଅଥରିଟି)ଙ୍କୁ ତାଙ୍କ ପତ୍ର ନଂ-୨୩୮୦ ମାଧ୍ୟମରେ ସିଆର୍‍ଜେଡ୍‍ (କୋଷ୍ଟାଲ୍‍ ରେଗୁଲେସନ୍‍ ଜୋନ୍‍) ଅନୁମୋଦନ ପାଇଁ ପତ୍ର ପଠାଇବାର ଦୁଇଦିନ ପରେ ନଭେମ୍ବର ୧୦ ତାରିଖ ଦିନ ଭାରତୀୟ ଜନତା ପାର୍ଟି ଏକ ଖବରଦାତା ସମ୍ମିଳନୀରେ କହିଥିଲା, “କୋଷ୍ଟାଲ୍‍ ହାଇୱେ ଓଡ଼ିଶା ଅର୍ଥନୀତିର ଜୀବନରେଖା । ଏହାକୁ ଆଗେଇ ନେବା ପାଇଁ ସରକାରଙ୍କର ଆନ୍ତରିକତା ନାହିଁ । ରାଜ୍ୟ ସରକାର ଜମି ଅଧିଗ୍ରହଣ, ଜଙ୍ଗଲ ଓ ପରିବେଶ ଅନୁମତି ଦେଇନାହାନ୍ତି ।”

ଏଠାରେ ବିଜୁ ଜନତା ଦଳ ସ୍ପଷ୍ଟ କରିଦେବାକୁ ଚାହେଁ, ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ପ୍ରକଳ୍ପ ନିର୍ଦ୍ଦେଶକ  ୧୧/୧୦/୨୦୧୮ରେ ପୁରୀର କାର୍ଯ୍ୟନିର୍ବାହୀ ଯନ୍ତ୍ରୀ (ଆର୍‍ଡବ୍ଲ୍ୟୁଏସ୍‍ଏସ୍‍), ପୁରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ (ପିଏଚ୍‍), ବ୍ରହ୍ମପୁର କାର୍ଯ୍ୟନିର୍ବାହୀ ଯନ୍ତ୍ରୀ (ଆର୍‍ଡବ୍ଲ୍ୟୁଏସ୍‍ଏସ୍‍) ଓ ୨୪/୯/୨୦୧୮ରେ ଡିଏଫ୍‍ଓ କଟକ, ଡିଏଫ୍‍ଓ ରାଜନଗର, ଡିଏଫ୍‍ଓ ପୁରୀଙ୍କୁ ଏହି ପ୍ରକଳ୍ପକୁ ସହଯୋଗ କରିବା ପାଇଁ ପତ୍ର ମାଧ୍ୟମରେ ଜଣାଇଛନ୍ତି । କିନ୍ତୁ ଦୁର୍ଭାଗ୍ୟର କଥା, ଭୁବନେଶ୍ୱରସ୍ଥିତ ଜାତୀୟ ରାଜପଥ ଆଞ୍ଚଳିକ ଅଫିସ୍‍ ସହିତ ଯୋଗାଯୋଗ କଲା ପରେ ଯାହା ତଥ୍ୟ ଆସିଛି ସେଥିରୁ ଜଣାପଡିଛି, ଗୋପାଳପୁର ଠାରୁ ଦୀଘା ପର୍ଯ୍ୟନ୍ତ କୋଷ୍ଟାଲ୍‍ ହାଇୱେ ପ୍ରକଳ୍ପ ପାଇଁ ମେସର୍ସ ଚୈତନ୍ୟ ପ୍ରୋଜେକ୍ଟ କନ୍‍ସଲଟାନ୍ସି ପ୍ରା:ଲି:କୁ ଡିପିଆର୍‍ (ଡିଟେଲ୍‍ ପ୍ରୋଜେକ୍ଟ ରିପୋର୍ଟ)ପ୍ରସ୍ତୁତ କରିବା ପାଇଁ ଦାୟିତ୍ୱ ଦିଆଯାଇଥିବା ବେଳେ ଜାତୀୟ ରାଜପଥର ଭୁବନେଶ୍ୱରସ୍ଥିତ ଆଞ୍ଚଳିକ କାର୍ଯ୍ୟାଳୟ, ଯେହେତୁ ଉକ୍ତ ପ୍ରକଳ୍ପର ଆଲଏନ୍‍ମେଣ୍ଟ ସ୍ଥିର ହୋଇନାହିଁ ଏବଂ ଆବଶ୍ୟକୀୟ କେଉଁ ଜମି ଅଧିଗ୍ରହଣ କରାଯିବ ସେ ସଂପର୍କରେ ନିଷ୍ପତ୍ତି ହୋଇନାହିଁ ଏବଂ କୋଷ୍ଟାଲ୍‍ ହାଇୱେ ଅତିକ୍ରମ କରୁଥିବା ଗଞ୍ଜାମ, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱର ଜିଲ୍ଲାର କେଉଁ ଜମି ଅଧିଗ୍ରହଣ କରାଯିବ ସେ ସଂପର୍କରେ ରାଜ୍ୟ ସରକାରଙ୍କୁ ଜଣାଇ ନାହାନ୍ତି । ତେଣୁ ବାରମ୍ବାର କେନ୍ଦ୍ରମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ବିଜେପିର ରାଜ୍ୟ ନେତାମାନେ ବାସ୍ତବ ତଥ୍ୟକୁ ଅନୁଧ୍ୟାନ ନକରି ଓଡ଼ିଶାର ଜନସାଧାରଣଙ୍କୁ ଭୁଲ ତଥ୍ୟ ଓ ମିଥ୍ୟା ପ୍ରତିଶ୍ରୁତି ଦେଇ ଚାଲିଛନ୍ତି । ବିଶେଷତଃ ଏଥିନେଇ ବାରମ୍ବାର ବିଭ୍ରାନ୍ତିକର ବିବୃତି ଦେଉଥିବା କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଜଣେ ଅଭ୍ୟାସଗତ ମିଛୁଆ ଓ ଧୋକ୍କାବାଜ୍‍ ବୋଲି ଏଥିରୁ ଜଣାପଡୁଛି । ସେ ସେଥିରୁ କ୍ଷାନ୍ତ ରହି ଏ ପ୍ରକଳ୍ପକୁ ଆଗେଇ ନେବା ପାଇଁ ଆନ୍ତରିକ ଉଦ୍ୟମ କରିବା ପାଇଁ ବିଜୁ ଜନତା ଦଳ ଦାବି କରୁଛି ।

ପ୍ରସ୍ତାବିତ ତଟୀୟ ରାଜପଥର ମୁଖ୍ୟ ଉଦ୍ଦେଶ୍ୟ  ହେଲା ରାସ୍ତାକୁ ବନ୍ଦର ସହିତ ଯୋଡ଼ିବା, ବାତ୍ୟା ପ୍ରବଣ ଅଞ୍ଚଳକୁ ସୁରକ୍ଷିତ ରଖିବା ଓ ପର୍ଯ୍ୟଟନର ବିକାଶ କରିବା । କିନ୍ତୁ ଦୁର୍ଭାଗ୍ୟର କଥା କେନ୍ଦ୍ର ସରକାରଙ୍କ ଜାତୀୟ ରାଜପଥ କର୍ତ୍ତୃପକ୍ଷ (ଏନ୍‍ଏଚ୍‍ଏଆଇ)ଙ୍କୁ ସାତପଡ଼ା ଠାରୁ ପୁରୀ, କୋଣାର୍କ ଠାରୁ ଅସ୍ତରଙ୍ଗ, ଧାମରା ଠାରୁ ତାଳସାରୀ ଏବଂ ଚମ୍ପାପୁର ପର୍ଯ୍ୟନ୍ତ ରାଜ୍ୟ ସରକାର ଦେଇଥିବା ତଟୀୟ ରାଜପଥ ପାଇଁ ପ୍ରସ୍ତାବ ଓଡ଼ିଶାର ପର୍ଯ୍ୟଟନର ବିକାଶକୁ ଆଗକୁ ନେବା ପାଇଁ ଉଦ୍ଦିଷ୍ଟ  ଥିଲା । ସମୁଦ୍ର ତଟରୁ ୫୦୦ ମିଟର ସିଆରଜେଡ୍‍ ଲାଇନ୍‍କୁ ବାଦ୍‍ ଦେଇ ସମୁଦ୍ର ତଟବର୍ତ୍ତୀ ଅଞ୍ଚଳରେ ପ୍ରସ୍ତାବିତ ତଟୀୟ ରାଜପଥ ନିର୍ମାଣ କରିବା ପାଇଁ ଏନ୍‍ଏଚ୍‍ଏଆଇ କର୍ତ୍ତୃପକ୍ଷଙ୍କ ଦ୍ୱାରା ନିଯୁକ୍ତ ଚୈତନ୍ୟ ପ୍ରୋଜେକ୍ଟ କନ୍‍ସଲ୍‍ଟାନ୍ସି ପ୍ରା.ଲିଃ. ଏକ ଆଲାଇନ୍‍ମେଣ୍ଟ ପ୍ଲାନ୍‍ ପ୍ରସ୍ତୁତ କରିଥିଲା । ପରବର୍ତ୍ତୀ ସମୟରେ ଆଲାଇନ୍‍ମେଣ୍ଟ ପ୍ଲାନ୍‍କୁ ବଦଳାଇ ପୁରୀ-ସାତପଡ଼ା, କୋଣାର୍କ-ଅସ୍ତରଙ୍ଗ, ଧାମରା-ତାଳସରୀ ରାସ୍ତା ଚମ୍ପାପୁର ପର୍ଯ୍ୟନ୍ତ, ପୁରୁଣା ରାସ୍ତାକୁ ପ୍ରଶସ୍ଥ କରି କେବଳ ତଟୀୟ ରାଜପଥର ନାମ ଦେବା ଓଡ଼ିଶାବାସୀଙ୍କୁ ସ୍ୱାଧୀନତା ପରବର୍ତ୍ତୀ ସମୟରେ ଗୋଟିଏ ନିର୍ବାଚିତ କେନ୍ଦ୍ର ସରକାରଙ୍କ ଦ୍ୱାରା ବହୁତ ବଡ଼ ଧୋକ୍କା । ଏଥିସହିତ ଡାହା ମିଛର ଆଶ୍ରୟ ନିଜର ରାଜନୈତିକ ପତିଆରା ଜାହିରି କରିବା ପାଇଁ ମାନ୍ୟବର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏନ୍‍ଏଚ୍‍ଏଆଇ କର୍ତ୍ତୃପକ୍ଷଙ୍କୁ ବ୍ୟବହାର କରୁଛନ୍ତି, ତା’ର ଜବାବ ଓଡ଼ିଶାବାସୀ ଠିକଣା ସମୟରେ ଦେବେ ବୋଲି ଆଜି ବିଜୁ ଜନତା ଦଳ ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଦଳର ସାଧାରଣ ସଂପାଦକ ସଂଜୟ କୁମାର ଦାସବର୍ମା କହିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସଂପାଦକ ବିଜୟ ନାୟକ ଓ ମୁଖପାତ୍ର ଡ. ସସ୍ମିତ ପାତ୍ର ଉପସ୍ଥିତ ଥିଲେ ।

0
0
0
s2sdefault