ହେଡଲାଇନସ୍:

କଥା ଦେଇ ଧୋକା ଦେଇଛି ବିଜେପି 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 ବିଜେପିର ପ୍ରତିଶ୍ରୁତି ନୁହେଁ, ପୁଣିଥରେ ପ୍ରତାରଣା ଓ ପ୍ରହେଳିକାର ସମାବେଶ

ଭୁବନେଶ୍ୱର: ଭାରତୀୟ ଜନତା ପାର୍ଟି ବାସ୍ତବରେ ଭାରତୀୟ ଜୁମ୍‍ଲା ପାର୍ଟି ବୋଲି ଆଜି ଭାରତବର୍ଷ ସାରା ସୁପରିଚିତ । ମିଥ୍ୟା ପ୍ରଚାର କରିବା, ଜୁମ୍‍ଲା କହିବା କିମ୍ବା ବିଭ୍ରାନ୍ତିକର ତଥ୍ୟ ଓ ମତ ଦେଇ ଓଡ଼ିଶାବାସୀଙ୍କୁ ପ୍ରଭାବିତ କରିବା ପାଇଁ ଅନେକ ଅପଚେଷ୍ଟା ୨୦୧୪ରୁ ବିଜେପି କରିଥିଲେ ହେଁ ସେହି କ୍ରମରେ ଏବେ ଆଉ ଏକ ମିଥ୍ୟା ପ୍ରଚାର ଓ ପ୍ରହେଳିକା ସୃଷ୍ଟି କରିବାକୁ ଅପଚେଷ୍ଟା କରୁଛି । ଏହି ପ୍ରହେଳିକାର ଶୀର୍ଷକ ହେଉଛି, ପ୍ରତିଶ୍ରୁତି ସମାବେଶ । ବାସ୍ତବରେ ଏହା ପ୍ରତିଶ୍ରୁତି ନୁହେଁ, ପ୍ରତାରଣାର ସମାବେଶ । ଏହି କଥିତ ସମାବେଶରେ ଭାରତୀୟ ଜନତା ପାର୍ଟିର ନେତୃବୃନ୍ଦ ଓଡ଼ିଶାରେ ସରକାରକୁ ଆସିଲେ ଲୋକଙ୍କ ପାଇଁ କ’ଣ କରିବେ, ତାହା ବଖାଣୁଛନ୍ତି । ଏହି ସମାବେଶରେ କୁହାଯାଉଛି ଯେ ବେକାର ଯୁବକ ଯୁବତୀଙ୍କୁ ନିଯୁକ୍ତି ଦିଆଯିବ, ଗରିବ ଲୋକଙ୍କୁ ଜମି ପଟ୍ଟା ଓ ଘର ଦିଆଯିବ ଏବଂ ପ୍ରତ୍ୟେକଟି ଘରକୁ ଶୌଚାଳୟ ଓ ପାନୀୟ ଜଳ ଯୋଗାଇ ଦିଆଯିବ । ବିଡମ୍ବନାର ବିଷୟ ହେଉଛି ଯେ ଏହି ବିଜେପି ୨୦୧୪ ନିର୍ବାଚନ ପୂର୍ବରୁ ଅନେକ ଏପରି ପ୍ରତିଶ୍ରୁତି ଦେଇଥିଲା, ଯାହା ପ୍ରତାରଣାରେ ପରିଣତ ହୋଇଛି । ଯଦିଓ ଏହି ପ୍ରତିଶ୍ରୁତିଗୁଡିକ ଗୋଟିଏ ଗୋଟିଏ ଜୁମ୍‍ଲା ଏବଂ ପ୍ରତାରଣାରେ ପରିଣତ ହେଲା, ସେଗୁଡିକର ତାଲିକା ଯଥେଷ୍ଟ ଲମ୍ବା ଓ ତନ୍ମଧ୍ୟରୁ କିଛି ମିଥ୍ୟା ପ୍ରତିଶ୍ରୁତିକୁ ଏଠାରେ ଆମେ ନିମ୍ନରେ ଉଲ୍ଲେଖ କରୁଛୁ ।

୧. ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା:- ୨୦୧୪ ନିର୍ବାଚନ ଇସ୍ତାହାରରେ ବିଜେପି ପ୍ରଥମ ପୃଷ୍ଠା  ପ୍ରଥମ ନମ୍ବରରେ ଉଲ୍ଲେଖ କରିଥିଲା ଯେ ଯଦି ସରକାରକୁ ଆସନ୍ତି, ତେବେ ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ଦେବେ । ୫ବର୍ଷ ବିତିଗଲେ ହେଁ ଏବଂ କେନ୍ଦ୍ରରେ ବିଜେପି ସରକାର ଥାଇ ମଧ୍ୟ ଏ ସଂପର୍କରେ ବିଜେପି ନିରବ ରହିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ୨୦୧୪ର ପ୍ରତିଶ୍ରୁତି ପାଳନ ନକରି ପୁନର୍ବାର ୨୦୧୯ ନିର୍ବାଚନର ଅବ୍ୟବହିତ ପୂର୍ବରୁ ପୁଣିଥରେ ପ୍ରତିଶ୍ରୁତିର ପ୍ରହେଳିକା ସୃଷ୍ଟି କରିବା ବିଜେପିର ନିମ୍ନମାନର ନୈତିକତାକୁ ଦର୍ଶାଉଛି ।

୨. ପ୍ରତିବର୍ଷ ୨ କୋଟି ଚାକିରି:- ୨୦୧୪ ନିର୍ବାଚନରେ ବିଜେପି ପ୍ରତିଶ୍ରୁତି ଦେଇଥିଲା ଯେ ସରକାରକୁ ଆସିଲେ ପ୍ରତିବର୍ଷ ୨ କୋଟି ଚାକିରି ଭାରତବର୍ଷରେ ସେମାନେ ପ୍ରଦାନ କରିବେ । ଏହା ଅନୁଯାୟୀ ୫ ବର୍ଷରେ ୧୦ କୋଟି ଚାକିରି ଓ ସମାନ ଅନୁପାତରେ ଓଡ଼ିଶା ପାଇଁ ୩୬ଲକ୍ଷ ଚାକିରି ପ୍ରଦାନ କରିବା ତ ଦୂରର କଥା, ହଜାରେ ଚାକିରି ଦେଇପାରିଲେ ନାହିଁ । ଅପରପକ୍ଷରେ, ଗତବର୍ଷ ମଧ୍ୟରେ ଭାରତବର୍ଷରେ ୧ କୋଟିରୁ ଅଧିକ ଚାକିରି ସୁଯୋଗ ଦେଶ ହରାଇଛି ବୋଲି ସିଏମ୍‍ଆଇଇ ସଂସ୍ଥା ଦ୍ୱାରା ଏକ ରିପୋର୍ଟରେ ଦର୍ଶାଯାଇଛି । ଓଡ଼ିଶାର ଯୁବକଯୁବତୀଙ୍କ ସହିତ ଏହା ଏକ ପ୍ରତାରଣା ଏବଂ ପୁଣିଥରେ ୨୦୧୯ ନିର୍ବାଚନରେ ନିଯୁକ୍ତି ସୁଯୋଗ ବିଷୟରେ ଦୃଢେ଼ାକ୍ତି ପ୍ରକାଶ କରିବା ବିଜେପିର ନୂଆ ଚକ୍ରାନ୍ତ ।

୩. ୧୫ ଲକ୍ଷ ଟଙ୍କା ପ୍ରତି ଆକାଉଣ୍ଟକୁ:- ୨୦୧୪ ନିର୍ବାଚନରେ ବିଜେପି ଦୃଢେ଼ାକ୍ତି ପ୍ରକାଶ କରିଥିଲା ଯେ ସରକାରକୁ ଆସିଲେ ପ୍ରତି ବ୍ୟାଙ୍କ ଆକାଉଣ୍ଟକୁ ୧୫ଲକ୍ଷ ଟଙ୍କା ଦିଆଯିବ । ୧୫ଲକ୍ଷ ଟଙ୍କା ତ ଦୂରର କଥା, ବିମୁଦ୍ରାକରଣ ଯୋଗୁ ଲୋକେ ଯାହା ହଟହଟା ହେଲେ ତାହା କହିଲେ ନସରେ । ବ୍ୟାଙ୍କମାନଙ୍କ ଦ୍ୱାରା ସର୍ବନିମ୍ନ ଆକାଉଣ୍ଟ ବାଲାନ୍ସ ନରଖିପାରୁଥିବା ମଧ୍ୟବର୍ଗ ଓ ନିମ୍ନମଧ୍ୟ ବର୍ଗ ଲୋକଙ୍କ ଠାରୁ ଜରିମାନା ଆକାରରେ କୋଟି କୋଟି ଟଙ୍କା ସରକାର ଶୋଷି ଚାଲିଲେ । ଜନଧନ ଯୋଜନା ନାଁରେ ଅନେକ ବ୍ୟାଙ୍କ ଆକାଉଣ୍ଟ ଖୋଲାଗଲା, କିନ୍ତୁ ସେଥିରେ ୧୫ଲକ୍ଷ ଟଙ୍କା ତ ଅତି ଦୂରର କଥା, କେନ୍ଦ୍ର ସରକାର ଟଙ୍କାଟିଏ ବି ଆଜି ପର୍ଯ୍ୟନ୍ତ ପହଞ୍ଚାଇ ପାରିନାହାନ୍ତି । ଏହା ହେଉଛି ଜୁମ୍‍ଲା ନମ୍ବର-୩ ।

୪. ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ଦେଢ଼ ଗୁଣା ବୃଦ୍ଧି:- ବିଜେପିର ୨୦୧୪ ନିର୍ବାଚନ ଇସ୍ତାହାରରେ ସ୍ପଷ୍ଟ ଭାବରେ ଉଲ୍ଲେଖିତ ଥିଲା ଯେ ଯଦି ସରକାରକୁ ଆସନ୍ତି, ତେବେ ସର୍ବନିମ୍ନ ସହାୟକ ମୂଲ୍ୟ ଦେଢ଼ ଗୁଣା ବୃଦ୍ଧି କରାଯିବ । ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୧୫୫୦ ଟଙ୍କା ପ୍ରତି କ୍ୱିଣ୍ଟାଲ ଥିଲାବେଳେ ଏହାକୁ କେବଳ ୨୦୦ ଟଙ୍କା ବୃଦ୍ଧି କରି ୧୭୫୦ ଟଙ୍କା ପ୍ରତି କ୍ୱିଣ୍ଟାଲରେ କେନ୍ଦ୍ର ସରକାର ପହଞ୍ଚାଇଥିଲେ, ଯାହାକି ସର୍ବନିମ୍ନ ମୂଲ୍ୟର ଦେଢ଼ ଗୁଣ ତ ବହୁତ ଦୂରର କଥା, ତା’ର ୧୫ ପ୍ରତିଶତ ଭାଗ ମଧ୍ୟ ନୁହେଁ । ଚାଷୀ ବିରୋଧୀ ନୀତି ଅବଲମ୍ବନ କରି ଆଜି ଚାଷୀମାନଙ୍କ ପାଇଁ କାନ୍ଦୁଥିବା ବିଜେପି ନିଜର ବିବେକକୁ ପଚାରିବା ଦରକାର ଯେ ଚାଷୀକୁଳ ପ୍ରତି ଏହି ଦଳ ପ୍ରତିଶ୍ରୁତିବଦ୍ଧ ଥିଲା ନା ଆକ୍ରୋଶମୂଳକ ଭାବରେ ପ୍ରତାରଣା କରି ଚାଲିଛି?

୫. ବିଜେପିର ପ୍ରତିଶ୍ରୁତି ସମାବେଶ ପ୍ରତାରଣା ଓ ପ୍ରହେଳିକାର ସମାବେଶ:- ବିଜେପିର ପ୍ରତିଶ୍ରୁତି ସମାବେଶ ପ୍ରତାରଣା ଓ ପ୍ରହେଳିକାର ସମାବେଶ ଭାବରେ ଓଡ଼ିଶାବାସୀ ପରିଲକ୍ଷିତ କରୁଛନ୍ତି । ଅଚ୍ଛେଦିନ୍‍ର ଆହ୍ୱାନ ଦେଇଥିବା ଭାରତୀୟ ଜନତା ପାର୍ଟିର ୪ଟି ଜୁମ୍‍ଲା ଯାହା ଉଲ୍ଲେଖ କରାଗଲା, ତା’ବ୍ୟତୀତ ଦରଦାମ ବୃଦ୍ଧି ନିୟନ୍ତ୍ରଣରେ କେନ୍ଦ୍ର ବିଜେପି ସରକାର ବିଫଳ ହୋଇଥିବା ବେଳେ ପେଟ୍ରୋଲ ଓ ଡିଜେଲ୍‍ ଦରର ନିୟନ୍ତ୍ରଣ କ୍ଷେତ୍ରରେ କେନ୍ଦ୍ରର ବିଜେପି ସରକାର ସଂପୂର୍ଣ୍ଣ ବିଫଳ ହୋଇଛି । ସେହିପରି ଗ୍ୟାସ୍‍ ଦର ମଧ୍ୟ ହୁ ହୁ ହୋଇ ବଢ଼ିଥିବା ଯୋଗୁ ଓଡ଼ିଶାବାସୀଙ୍କ ଉପରେ ବର୍ଦ୍ଧିତ ଦର ବୋଝ ଉପରେ ନଳିତା ବିଡ଼ା ସଦୃଶ ହୋଇଛି । ଉଜ୍ଜ୍ୱଳା ଦୁର୍ନୀତି ଆଜି ସମୟର ସବୁଠାରୁ ବଡ଼ ସ୍କାମ୍‍ ।

୬. ମହାନଦୀ, ପୋଲାଭରମ୍‍, କୋଷ୍ଟାଲ୍‍ ହାଇୱେ, ୩୩ଟି ଯୋଜନାର ଅର୍ଥକାଟ, ୮ଟି ଯୋଜନାକୁ ସଂପୂର୍ଣ୍ଣ ଭାବେ ବନ୍ଦ କରିଦେବା ବିଜେପିର ପ୍ରତାରଣାର ମୁଖ୍ୟାଂଶ । ବିଆରଜିଏଫ୍‍, କେବିକେ, ଆଇଏପି ଭଳି ବିଭିନ୍ନ ଯୋଜନାଗୁଡିକ ଯାହା ଓଡ଼ିଶାର ଆଦିବାସୀ ଅଧ୍ୟୁଷିତ ଅଞ୍ଚଳମାନଙ୍କୁ ବିକଶିିତ କରୁଥିଲା, ତାହାକୁ ମଧ୍ୟ ବିଜେପି ସରକାର ବନ୍ଦ କରିଦେଲେ । କୋଇଲା ବ୍ଲକ ନିଲାମ କ୍ଷେତ୍ରରେ ଓଡ଼ିଶା ୭୦ ହଜାର କୋଟି ଟଙ୍କା ପାଇବ ବୋଲି ବିଜେପି ଦୃଢେ଼ାକ୍ତି ପ୍ରକାଶ କରିଥିବା ବେଳେ ଆଜି ପର୍ଯ୍ୟନ୍ତ ଓଡ଼ିଶା କେବଳ ୩୭୦ କୋଟି ଟଙ୍କା ପାଇଛି । ରେଳବାଇ କ୍ଷେତ୍ରରେ ବାର୍ଷିକ ୨୦ ହଜାର କୋଟି ଟଙ୍କାର ରାଜସ୍ୱ କେନ୍ଦ୍ର ସରକାର ଓଡ଼ିଶା ଠାରୁ ଆଦାୟ କରୁଥିବା ବେଳେ କେବଳ ୨ ହଜାର କୋଟି ଟଙ୍କା ଓଡ଼ିଶାରେ ଖର୍ଚ୍ଚ କରୁଛି । କ୍ଲିନ୍‍ ଏନର୍ଜି ସେସ୍‍ ବାବଦକୁ କେନ୍ଦ୍ର ସରକାର ଏହି ଟିକସ ଓଡ଼ିଶା ରାଜ୍ୟର ଖଣିଜ ପଦାର୍ଥ ଉପରେ ଲଗାଇ ୨୧ହଜାର କୋଟି ଟଙ୍କା ରୋଜଗାର କରିଥିବା ବେଳେ ଏହା ମଧ୍ୟରୁ ଟଙ୍କାଟିଏ ମଧ୍ୟ ରାଜ୍ୟକୁ କେନ୍ଦ୍ର ସରକାର ଫେରାଇ ନାହିଁ । କେନ୍ଦ୍ରୀୟ ପିଏସ୍‍ୟୁ ସଂସ୍ଥାମାନେ ଯଥା ଏମ୍‍ସିଏଲ୍‍ ଓଡ଼ିଶାରେ ୨୦ ହଜାର କୋଟି ଟଙ୍କାର ବ୍ୟବସାୟ କରୁଥିଲା ବେଳେ ଓଡ଼ିଶାବାସୀ ଏ ବାବଦରେ କୌଣସି ଲାଭ ପାଇନାହାନ୍ତି ।

ଏହାବ୍ୟତୀତ ଓଡ଼ିଶାକୁ ଆଜି ପର୍ଯ୍ୟନ୍ତ କେନ୍ଦ୍ର ସରକାର ଇଣ୍ଡଷ୍ଟ୍ରିଆଲ  କରିଡରରୁ ବଂଚିତ କରିବା, ସ୍ୱାମୀନାଥନ୍‍ କମିଶନଙ୍କ ରିପୋର୍ଟକୁ କାର୍ଯ୍ୟକାରୀ ନକରିବା, ବ୍ରାହ୍ମଣୀ ଉପରେ ଦ୍ୱିତୀୟ ସେତୁ ନିର୍ମାଣ ନକରିବା, ରାଉରକେଲା ଠାରେ ଇସ୍ପାତ ମେଡିକାଲ୍‍କୁ ସୁପର ସ୍ପେଶିଆଲିଷ୍ଟ ହସ୍ପିଟାଲ ଓ ମେଡିକାଲ୍‍ କଲେଜ୍‍ରେ ପରିଣତ ନକରିବା ଓ ଅନୁସୂଚିତ ଜାତିବର୍ଗର ପିଲାଙ୍କ ଛାତ୍ରବୃତ୍ତିର ଅର୍ଥ ପ୍ରଦାନ ନକରିବା କେନ୍ଦ୍ର ସରକାରଙ୍କ ଓଡ଼ିଶା ବିରୋଧୀ ମନୋଭାବକୁ ସ୍ପଷ୍ଟ ପ୍ରମାଣିତ କରୁଛି ।

ଗତ ୫ବର୍ଷ ମଧ୍ୟରେ କେନ୍ଦ୍ରରେ ଥାଇ ବିଜେପି ଓଡ଼ିଶାବାସୀଙ୍କ ବିକାଶରେ ବାଧକ ସାଜିଥିବା ବେଳେ ମାନ୍ୟବର ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଓଡ଼ିଶାର ବିକାଶ କ୍ଷୀପ୍ର ଗତିରେ ଆଗେଇ ଚାଲିଛି । ଓଡ଼ିଶାରେ ଗତ ୫ବର୍ଷ ମଧ୍ୟରେ ୨୦ଲକ୍ଷ ଘର ନିର୍ମାଣ କରାଯାଇ ଓଡ଼ିଶାବାସୀଙ୍କୁ ବିଜୁ ଜନତା ଦଳ ସରକାର ସୁରକ୍ଷିତ ଆଶ୍ରୟ ପ୍ରଦାନ କରିବାରେ ସଫଳ ହୋଇଛି । ଗତ ୫ବର୍ଷ ମଧ୍ୟରେ ବସୁନ୍ଧରା ଯୋଜନା ମାଧ୍ୟମରେ ବାସପଯୋଗୀ ଜମି ୧ଲକ୍ଷ ୨୦ ହଜାର ହିତାଧିକାରୀଙ୍କୁ ପ୍ରଦାନ କରାଯାଇଛି । ରାଜ୍ୟ ସରକାର ୧ଲକ୍ଷ ୨୦ ହଜାର ପରିବାରଙ୍କୁ, ଯାହାଙ୍କ ପାଖରେ ବାସପଯୋଗୀ ଜମି ନଥିଲା, ତାଙ୍କୁ ଜମି ପଟ୍ଟା ଦେଇ ସେମାନଙ୍କ ଜୀବନକୁ ଆହୁରି ଉନ୍ନତମାନର କରିବାରେ ସକ୍ଷମ ହୋଇଛନ୍ତି । ସହରାଞ୍ଚଳରେ ଜାଗା ଯୋଜନା ମାଧ୍ୟମରେ ୩୦ ହଜାର ପଟ୍ଟା ବସ୍ତିବାସିନ୍ଦାଙ୍କୁ ରାଜ୍ୟ ସରକାର ଯୋଗାଇଥିବା ବେଳେ ଆହୁରି ୩୦ ହଜାର ଜମି ପଟ୍ଟା ଖୁବ୍‍ଶୀଘ୍ର ଯୋଗାଇ ଦିଆଯିବ । ଜାଗା ଯୋଜନା ଏକ ଅନନ୍ୟ ଯୋଜନା, ଯାହା ଭାରତବର୍ଷ ଓ ବିଦେଶରେ ମଧ୍ୟ ବେଶ୍‍ ଆଦୃତ ହୋଇପାରିଛି । ଜଙ୍ଗଲ ଅଧିକାର ଆଇନ୍‍ (ଫରେଷ୍ଟ ରାଇଟସ୍‍ ଆକ୍ଟ) ଅନୁଯାୟୀ ରାଜ୍ୟ ସରକାର ୪ଲକ୍ଷ ଜଙ୍ଗଲ ଜମି ପଟ୍ଟା ବିଶେଷକରି ଅନୁସୂଚିତ ଜନଜାତି ଭାଇଭଉଣୀମାନଙ୍କୁ ପ୍ରଦାନ କରି ଭାରତବର୍ଷରେ ଓଡ଼ିଶା ଏ କ୍ଷେତ୍ରରେ ସର୍ବୋକ୍ରୃଷ୍ଟ ରାଜ୍ୟ ଭାବରେ ପରିଗଣିତ ହୋଇଛି । ପାନୀୟ ଜଳ କ୍ଷେତ୍ରରେ ୪୭,୪୬୬ ଗ୍ରାମରେ ୪ଲକ୍ଷ ୧୬ ହଜାର ୪୩୩ ନଳକୂପ ରାଜ୍ୟ ସରକାର ଯୋଗାଇ ୨କୋଟିରୁ ଅଧିକ ଓଡ଼ିଶାବାସୀଙ୍କୁ ପାନୀୟ ଜଳ ଯୋଗାଉଛନ୍ତି । ଏହାବ୍ୟତୀତ ସହରାଞ୍ଚଳରେ ମଧ୍ୟ ବ୍ୟାପକ ଭାବରେ ରାଜ୍ୟ ସରକାର ପାନୀୟ ଜଳ ଯୋଗାଇବାରେ ସକ୍ଷମ ହୋଇଛନ୍ତି ।

୧୦ବର୍ଷ ମଧ୍ୟରେ ୪୧ ହଜାର ଗାଁ ରାସ୍ତା ନିର୍ମାଣ କରିବା ହେଉ କିମ୍ବା ୯ଲକ୍ଷ ଯୁବକ ଯୁବତୀଙ୍କୁ ଦକ୍ଷତା ବିକାଶ କରି ସ୍ୱାବଲମ୍ବୀ କରିବା ହେଉ, ଓଡ଼ିଶାର ୨୫ ପ୍ରତିଶତ ଜନସଂଖ୍ୟାକୁ ଦାରିଦ୍ର୍ୟ ସୀମାରେଖା ତଳୁ ଆଣି ସାମାଜିକ ଓ ଆର୍ଥôକ ଅଭିବୃଦ୍ଧି କରିବା ହେଉ ବା ରାଜ୍ୟର ଚାଷୀମାନଙ୍କର ଆୟ ଦ୍ୱିଗୁଣିତ କରିବା ହେଉ, ପ୍ରତ୍ୟେକଟି କ୍ଷେତ୍ରରେ ବିଜୁ ଜନତା ଦଳ ସରକାର ଅନ୍ୟ ରାଜ୍ୟମାନଙ୍କୁ ପଛରେ ପକାଇ ଏକ ବିକଶିତ ଓଡ଼ିଶା ନିର୍ମାଣ କରିବା କ୍ଷେତ୍ରରେ ସଫଳ ହୋଇଛି । 

ବିଜେପି ଅଚ୍ଛେଦିନର ପ୍ରହେଳିକା ଗତ ୫ବର୍ଷ ହେଲା ଦେଖାଇ ଆସୁଥିବା ବେଳେ ଓଡ଼ିଶାବାସୀ ବିଜେପିର ମିଥ୍ୟା, ଅପପ୍ରଚାର, ପ୍ରତାରଣା ଓ ପ୍ରବଞ୍ଚନାକୁ ଭଲ ଭାବରେ ବୁଝି ସାରିଛନ୍ତି । ପ୍ରତିଶ୍ରୁତି ସମାବେଶ କରି ଏକ ନୂଆ ଜୁମ୍‍ଲା ଓ ବିଭ୍ରାନ୍ତି କରିବାର ଯେଉଁ ମନୋଭାବ ବିଜେପିର ରହିଛି, ତା’ର ଉତ୍ତର ଆଗାମୀ ନିର୍ବାଚନରେ ଓଡ଼ିଶାର ଜନସାଧାରଣ ଦୃଢ଼ତାର ସହିତ ଦେବେ । ଓଡ଼ିଶାବାସୀଙ୍କ ସ୍ୱାର୍ଥ ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ପଟ୍ଟନାୟକ ଅହରହ ପରିଶ୍ରମ କରୁଥିବା ବେଳେ ବିଜେପିର ନେତୃବୃନ୍ଦ ଏଥିପ୍ରତି କୁଠାରଘାତ କରିବା ବିଫଳ ହୋଇନାହାନ୍ତି । ଚାଷୀ, ମହିଳା, ଯୁବକ, ଛାତ୍ର, ଶ୍ରମିକ, ବରିଷ୍ଠ  ନାଗରିକ ବା ଶିଶୁଙ୍କ କ୍ଷେତ୍ରରେ ହେଉ, ବିଜେଡି ଲୋକଙ୍କ ବିଶ୍ୱାସଭାଜନ ହୋଇଛି । କିନ୍ତୁ ବିଜେପି ଓ ତାଙ୍କ ନେତାମାନେ କ୍ରମାଗତ ଭାବରେ ଓଡ଼ିଶାବାସୀଙ୍କୁ ବିଭ୍ରାନ୍ତ କରିବା ପାଇଁ ଅନେକ ଚକ୍ରାନ୍ତ ରଚି ଚାଲିଛନ୍ତି । ଏହି ପ୍ରତିଶ୍ରୁତି ସମାବେଶ ନିର୍ବାଚନ ପାଖେଇ ଆସୁଥିବାରୁ ତାଙ୍କର ନୂଆ ଚାଲ୍‍ । ଏଥିରେ ଓଡ଼ିଶାବାସୀ ପ୍ରଭାବିତ ନହୋଇ ଏହି ମିଥ୍ୟା ପ୍ରତିଶ୍ରୁତିଗୁଡିର କଡ଼ା ଜବାବ ନିର୍ବାଚନରେ ଦେବା ଅପେକ୍ଷାରେ ଅଛନ୍ତି ବୋଲି ଆଜି ବିଜୁ ଜନତା ଦଳ ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ  ସାମ୍ବାଦିକ ସମ୍ମିଳନୀରେ ଦଳର ସାଧାରଣ ସଂପାଦକ ସଂଜୟ କୁମାର ଦାସବର୍ମା ଓ ବିଜୁ କୃଷକ ଜନତା ଦଳ ମହାସଚିବ ପ୍ରତାପ ଜେନା କହିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ଦଳର ରାଜ୍ୟ ସଂପାଦକ ବିଜୟ ନାୟକ, ମୁଖପାତ୍ର ଡ. ସସ୍ମିତ ପାତ୍ର ଓ ବିଜୁ ଛାତ୍ର ଜନତା ଦଳ ରାଜ୍ୟ ସଭାପତି ରାଣା ପ୍ରତାପ ପାତ୍ର ଉପସ୍ଥିତ ଥିଲେ ।

0
0
0
s2sdefault