ହେଡଲାଇନସ୍:

ପୁଣି ନବୀନଙ୍କୁ ପୋଡା ଟ୍ରାନଫର୍ମର କହି "ଉଖାଡ କେ ଫେଂକ ଦୋ" ବୋଲି ଆହ୍ୱାନ ଦେଲେ ଶାହା 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 ବିଜେପି ଅନୁସୂଚିତ ଜନଜାତି ମୋର୍ଚ୍ଚାର ରାଷ୍ଟ୍ରୀୟ ମହାଅଧିବେଶନରେ ଶାହା ଗର୍ଜନ 

ପୁରୀ:  ଭାରତୀୟ ଜନତା ପାର୍ଟି ଅନୁସୂଚିତ ଜନଜାତି ମୋର୍ଚ୍ଚାର ରାଷ୍ଟ୍ରୀୟ ମହାଅଧିବେଶନର ଦ୍ୱିତୀୟ ଦିନରେ ଆଜି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ଯୋଗଦେଇ ତାଳବଣିଆ ହେଲିପ୍ୟାଡ୍ ନିକଟରେ ଆୟୋଜିତ ସାଧାରଣ ସଭାରେ ଉଦବୋଧନ ଦେଇ ଓଡ଼ିଶାର ଶାସନ କ୍ଷମତାରେ ଥିବା ନବୀନ ସରକାରଙ୍କୁ କଡ଼ା ସମାଲୋଚନା କରିଥିଲେ । କେନ୍ଦ୍ର ଦେଉଥିବା ଆର୍ଥିକ ଅନୁଦାନ ରାଜ୍ୟ ସରକାର ଖର୍ଚ୍ଚ କରିନପାରି କେନ୍ଦ୍ରକୁ ଅଯଥା ଦୋଷ ଦେଉଛି । ଆଗାମୀ ନିର୍ବାଚନରେ ନବୀନ ସରକାରକୁ ଜନତା ପ୍ରତ୍ୟାଖ୍ୟାନ କରି ଜନଜାତି କଲ୍ୟାଣ ପାଇଁ କାମ କରୁଥିବା ମୋଦି ସରକାରଙ୍କୁ ଆପଣେଇବାକୁ ସେ ଆହ୍ୱାନ ଦେଇଥିଲେ । ଫିର୍ ଏକବାର୍ ମୋଦି ସରକାର ଆସିବେ ବୋଲି ସେ ଦୃଢୋକ୍ତି ପ୍ରକାଶ କରିଥିଲେ । କେନ୍ଦ୍ର ପଠାଉଥିବା ଆର୍ଥିକ ଅନୁଦାନ ତଥା କେନ୍ଦ୍ରୀୟ ସୁବିଧା ପାଇବାରୁ ରାଜ୍ୟର ଜନସାଧାରଣ ବଂଚିତ ହେଉଛନ୍ତି  । ଆୟୁଷ୍ମାନ ଭାରତ ଯୋଜନାରେ ନବୀନ ସରକାର ଅନୁଦାନ ରାଶି ଖର୍ଚ୍ଚ କରିପାରୁନାହାଁନ୍ତି । ଓଡିଆ ଲୋକଙ୍କ ହୃଦୟ ଓ ଓଡିଆ ଜାଣିନଥିବା ଜନପ୍ରତିନିଧି ୧୯ବର୍ଷ ଧରି ଅଫିସରଙ୍କ ଜରିଆରେ ରାଜୁତି କରିଆସୁଛନ୍ତି । ଜଗନ୍ନାଥ ହେଉଛନ୍ତି ଆଦିବାସୀଙ୍କ ଠାକୁର । ନୀଳମାଧବଙ୍କୁ ଶବର ବିଶ୍ୱାବସୁ ପୂଜା କରୁଥିଲେ । ଗରିବଙ୍କ ଦେବତା ଜଗନ୍ନାଥ । ଜନଜାତି ଲୋକମାନେ ୨୦୧୯ ନିର୍ବାଚନରେ ରାଜ୍ୟରେ ବିଜେଡି ସରକାରକୁ ପ୍ରତ୍ୟାଖ୍ୟାନ କରି ବିଜେପି ସରକାର ଗଠନ ପାଇଁ ଶ୍ରୀ ଶାହା ଆହ୍ୱାନ ଦେଇଥିଲେ । 

ଆହୁରି ମଧ୍ୟ ସେ କହିଥିଲେ ଯେ, ମୋଦି ସରକାର ଜନଜାତିଙ୍କ ପାଇଁ ଅନେକ କଲ୍ୟାଣକାରୀ ଯୋଜନା ପ୍ରଣୟନ କରିଛନ୍ତି । ଅଟଳଜୀଙ୍କ ସମୟରେ ସ୍ୱତନ୍ତ୍ର ଭାବେ ଜନଜାତି ମନ୍ତ୍ରଣାଳୟ ଖୋଲାଯିବା ସହ ଆଦିବାସୀଙ୍କ ଉନ୍ନତି ପାଇଁ ଚେଷ୍ଟା କରାଯାଇଥିଲା । କଂଗ୍ରେସ ସରକାର ଅମଳରେ ଜନଜାତିଙ୍କ ପାଇଁ ଅଧିକ କାମ କରୁଥିବା ପ୍ରଚାର କରୁଥିବା ବେଳେ ଜନଜାତି ସବୁଠାରୁ ଅଧିକ ନିଷ୍ପେସିତ ହୋଇ ରହୁଥିଲେ । ମୋଦି ସରକାର ଜନଜାତିଙ୍କ ବିକାଶ ପାଇଁ ୫୦ ହଜାର କୋଟି ଟଙ୍କାର ବ୍ୟବସ୍ଥା କରିଛନ୍ତି । ୫ ବର୍ଷ ମଧ୍ୟରେ ୨୮୮ଟି ମଡେଲ ସ୍କୁଲ ଖୋଲିଛନ୍ତି । ଅନ୍ୟପକ୍ଷରେ କେନ୍ଦୁପତ୍ର ତୋଳାଳି କଂଗ୍ରେସ ଓ ବିଜେଡି ସରକାର ସମୟରେ ଅଧିକ କ୍ଷତିଗ୍ରସ୍ତ ହୋଇଛନ୍ତି । ରାଜ୍ୟରେ ଜନଜାତି ପାଇଁ ଉଦ୍ଧିଷ୍ଟ ଆବାସିକ ବିଦ୍ୟାଳୟରେ ଛାତ୍ରୀମାନେ ଯୌନ ନିର୍ଯ୍ୟାତନାର ଶିକାର ହେଉଛନ୍ତି । ମୋଦି ସରକାର ୯ହଜାର କୋଟି ଟଙ୍କାର ଅନୁଦାନର ବ୍ୟବସ୍ଥା କରିଛନ୍ତି । ଓଡିଶାରେ ବିର୍ସାମୁଣ୍ଡା ଇଂରେଜମାନଙ୍କୁ ହଟଇବା ପାଇଁ ଲଢେଇ କରୁଥିଲେ । ସେହିପରି ଜନଜାତି ଲୋକମାନେ ନବୀନ ସରକାରଙ୍କୁ ହଟେଇବା ପାଇଁ ଶତଚେଷ୍ଟା କରିବା ଉଚିତ୍ । ସ୍ତ୍ରୀର ଶବ ସକ୍ରାର କରିବା ପାଇଁ କାନ୍ଧରେ ଶବ ବୋହି ୧୨କି.ମି. ଚାଲିଚାଲି ଯାଇଥିବା ଦାନ ମାଝିର ଚିତ୍ର ଦେଖି ବିଶ୍ୱ ଓଡିଶାର ବିକାଶ କିପରି ଅଛି ଜାଣିପାରିଥିଲେ । ଏହି ଭଳି ଅନେକ ପ୍ରଶ୍ନ ଉପରେ ଶ୍ରୀ ଶାହା ରାଜ୍ୟ ସରକାରଙ୍କୁ ଜବାବ ମାଗିଥିଲେ  ।   

ନିଜ ଅଭିଭାଷଣରେ ରାଜ୍ୟ ସରକାରଙ୍କୁ କଟୁ ସମାଲୋଚନା କରି ସେ କହିଥିଲେ ଯେ, ଓଡିଶାରେ ଲୋକଙ୍କ ଶାସନ ପରିବର୍ତେ ଅମଲାତନ୍ତ୍ରିକ ଶାସନ ଚାଲିଛି । ଓଡିଆ ଜାଣି ନଥିବା ଲୋକ ୧୯ବର୍ଷ ଧରି ମୁଖ୍ୟମନ୍ତ୍ରୀ ହୋଇରହିଛନ୍ତି । ରାଜ୍ୟ ସରକାରଙ୍କ ପରିଚାଳନାରେ ଥିବା ଶ୍ରୀମନ୍ଦିରର ରତ୍ନଭଣ୍ଡାର ସୁରକ୍ଷିତ ନାହିଁ । ରତ୍ନଭଣ୍ଡାରର ସୁନା, ରୂପା ଆଦି ଅଳଙ୍କାରର ହିସାବ ମିଳୁନାହିଁ । ଅପରପକ୍ଷରେ କେନ୍ଦ୍ର ସରକାର ୧୨କୋଟି ଚାଷୀଙ୍କୁ ୭୫ହଜାର କୋଟି ଟଙ୍କାର ଅନୁଦାନ ମଞ୍ଜୁର କରିଛନ୍ତି । କଂଗ୍ରେସର ରାହୁଳ ବାବା ରବି ଫସଲ ଓ ଖରିଫ ଫସଲ କ’ଣ ଜାଣିନଥିବା ବେଳେ ଚାଷୀଙ୍କ ପାଇଁ କାମ କରୁଛୁ ବୋଲି ଭାଷଣ ବାଜି ମାରୁଛନ୍ତି । ଉପକୂଳୀୟ ମତ୍ସ୍ୟଜୀବୀମାନଙ୍କ ପାଇଁ କେନ୍ଦ୍ର ସରକାର ମତ୍ସ୍ୟଜୀବୀ ମନ୍ତ୍ରଣାଳୟ ଖୋଲିଛନ୍ତି । ନବୀନ ସରକାର କଂଗ୍ରେସର ବି ଟିମ୍ । ୪୦ବର୍ଷ ଭିତରେ କଂଗ୍ରେସ ସରକାର ସମୟରେ ଗରିବ ଲୋକଙ୍କ ବିକାଶ ହୋଇନାହିଁ । ସେହିପରି ୧୯ବର୍ଷର ନବୀନ ସରକାରଙ୍କ ସମୟରେ ଗରିବ ଓ ଆଦିବାସୀ ଲୋକଙ୍କ ଉନ୍ନତି ହୋଇନାହିଁ । ଓଡିଶାର ବିକାଶ ପାଇଁ ନରେନ୍ଦ୍ର ମୋଦିଜୀ ବଦ୍ଧ ପରିକର । କେନ୍ଦ୍ର ଦେଉଥିବା ଆର୍ଥିକ ଅନୁଦାନର ହିସାବ ଦିଅ ନବୀନ ବୋଲି ଶ୍ରୀ ଶାହ ରାଜ୍ୟସରକାରଙ୍କ ଠାରୁ ହିସାବ ମାଗିଥିଲେ । 

କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉପସ୍ଥିତ ଜନତାଙ୍କୁ ସମ୍ବୋଧନ କରି କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା ସଂପର୍କରେ କହିଥିଲେ । ୧୯ବର୍ଷ ଧରି ଓଡିଶାରେ ଏକ ଅପାରଗ ସରକାର ଚାଲିଛି । ଆଦିବାସୀଙ୍କ ଉପରେ ଅତ୍ୟାଚାର ବୃଦ୍ଧି ପାଉଛି । କଳିଙ୍ଗ ନଗର ଗୁଳିକାଣ୍ଡରେ ଆଦିବାସୀମାନଙ୍କୁ ହତ୍ୟା କରାଯାଇଛି । ଫୁଲବାଣୀରେ ନିରୀହ ଆଦିବାସୀଙ୍କୁ ମିଥ୍ୟା କେସ୍ ରେ ଜଡ଼ିତ କରାଯାଉଛି । ଡିଏମଏଫ୍ ଯୋଜନାରେ ୫ହଜାର କୋଟି ଟଙ୍କା ଆଦିବାସୀଙ୍କ କଲ୍ୟାଣ ପାଇଁ ସଂଗ୍ରହ କରାଯାଇଥିବା ବେଳେ ନବୀନ ସରକାର ତାହାକୁ ଲୋକକଲ୍ୟାଣରେ ବିନିଯୋଗ କରିପାରୁନାହାନ୍ତି । ଓଡିଶାରେ ଏକ ଅପାରଗ, ସ୍ଥାଣୁ, ଦୁର୍ନୀତି ଗ୍ରସ୍ତ, ମିଥ୍ୟାବାଦୀ ଓ ସମ୍ବେଦନହୀନ ସରକାର ଚାଲିଛି । ଓଡିଶାରେ ସରକାର ପରିବର୍ତନ ପାଇଁ ଆଦିବାସୀମାନେ ଆଗ ଧାଡିରେ ରହିବେ ବୋଲି ନିଜ ଅଭିଭାଷଣରେ ସେ କହିଥିଲେ  ।  

ଏହି ସଭାରେ ଅନ୍ୟମାନଙ୍କ ମଧ୍ୟରେ ଛତିଶଗଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଅର୍ଜୁନ ମୁଣ୍ଡା, ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗ, ପୂର୍ବତନ ବିଧାୟକ ମହନ ମାଝି, ପୂର୍ବତନ ଉପବାଚସ୍ପତି ପ୍ରହ୍ଲାଦ ଦୋରା, ପ୍ରାକ୍ତନ ସାଂସଦ ଜୟରାମ ପାଙ୍ଗି,  ପୂର୍ବତନ ସାଂସଦ ଭଗନ୍ ସିଂ କୁଲେସ୍ତି, ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡା, କେନ୍ଦ୍ର ମନ୍ତ୍ରୀ ଜୁଏଲ୍ ଓରାମ୍, ଜନଜାତି ରାଜ୍ୟ ସଭାପତି ରବି ନାରାୟଣ ନାୟକ,  ଜନଜାତି ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କ ସମେତ ଦଳର ବହୁ ବରିଷ୍ଠ  ନେତା ଯୋଗଦେଇଥିଲେ ।

0
0
0
s2sdefault