ହେଡଲାଇନସ୍:

ଭଦ୍ରକରେ ପ୍ରସ୍ତାବିତ ବୟନ ଓ ବସ୍ତ୍ରଶିଳ୍ପ ପ୍ରକଳ୍ପ ପାଇଁ ଜମି ଯୋଗାଇବାକୁ  ମୁଖ୍ୟମନ୍ତ୍ରୀଙ୍କୁ ଧର୍ମେନ୍ଦ୍ରଙ୍କ ଚିଠି

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

- ବୟନ ଓ ବସ୍ତ୍ରଶିଳ୍ପ ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ଭଦ୍ରକ ପୂର୍ବଭାରତର ସୁରଟ’ହୋଇପାରିବ

 -ଜମି ପାଇଁ ବାରମ୍ବାର ଯୋଗାଯୋଗ ପରେ ମଧ୍ୟ ରାଜ୍ୟସରକାର ଅହେତୁକ ବିଳମ୍ବ କରୁଛନ୍ତି

ନୂଆଦିଲ୍ଲୀ/ଭୁବନେଶ୍ୱର - ଭଦ୍ରକଠାରେ ଇଣ୍ଡିଆନ ଅଏଲ୍ ତରଫରୁ ପ୍ରସ୍ତାବିତ ବୟନ ଓ ବସ୍ତ୍ରଶିଳ୍ପ ପ୍ରକଳ୍ପ ପାଇଁ ରାଜ୍ୟସରକାର ଅନୁମତି ନଦେଇଥିବାରୁ ଏଥିପାଇଁ ଆବଶ୍ୟକୀୟ ଜମି ମିଳିବାରେ ଅହେତୁକ ବିଳମ୍ବ ହେଉଥିବା ଦର୍ଶାଇ ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ଲେଖିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହି ପତ୍ରରେ ଶ୍ରୀ ପ୍ରଧାନ ମୁଖ୍ୟମନ୍ତ୍ରୀଙ୍କୁ ବ୍ୟକ୍ତିଗତ ଭାବେ ହସ୍ତକ୍ଷେପ କରି ଆବଶ୍ୟକୀୟ ୭୫ ଏକର ଜମି ଯୋଗାଇ ଦେବା ପାଇଁ ଅନୁରୋଧ କରିଛନ୍ତି । ଏହି ଜମି ଯୋଗାଇ ଦିଆଗଲେ ଏହି ପ୍ରକଳ୍ପ ତୁରନ୍ତ ଆରମ୍ଭ କରାଯିବ ଓ ଅନେକ ଦିନର ସ୍ୱପ୍ନ ସାକାର ହେବ ବୋଲି ଶ୍ରୀ ପ୍ରଧାନ ତାଙ୍କ ପତ୍ରରେ ଉଲ୍ଲେଖ କରିଛନ୍ତି ।

ଶ୍ରୀ ପ୍ରଧାନ ତାଙ୍କ ପତ୍ରରେ ଉଲ୍ଲେଖ କରିଛନ୍ତି ପାରାଦ୍ୱୀପ ପୂର୍ବ ଭାରତର ପେଟ୍ରୋଲିୟମ ଶିଳ୍ପର ପ୍ରବେଶ ଦ୍ୱାର ହେବାକୁ ଲାଗିଛି । ପାରାଦ୍ୱୀପ ଅଏଲ୍ ରିଫାଇନାରୀରୁ ବାହାରୁଥିବା ପଲିଷ୍ଟର, ଏମ୍ଇଜି ଓ ପିଟିଏ ପରି ଉପôାଦ ବ୍ୟବହାରରେ ପଲିଷ୍ଟର ଆଧାରିତ ବୟନ ଓ ବସ୍ତ୍ରଶିଳ୍ପର ବ୍ୟାପକ ସମ୍ଭାବନା ତିଆରି ହୋଇଛି । ଏହି ସମ୍ଭାବନାକୁ ଦେଖି ଇଣ୍ଡିଆନ୍ ଅଏଲ୍ ତରଫରୁ ୧୯୭୧ କୋଟି ଟଙ୍କା ବ୍ୟୟବରାଦରେ ଭଦ୍ରକଠାରେ ବୟନ ଓ ବସ୍ତ୍ରଶିଳ୍ପ ପ୍ରକଳ୍ପ ପାଇଁ  ଯୋଜନା କରାଯାଇଛି । ଏହି ମୂଳ ପ୍ରକଳ୍ପ ହେଲେ ଏହି କ୍ଷେତ୍ରରେ ଡ଼ାଇନଷ୍ଟିମ୍ ଶିଳ୍ପରେ ୨୫୦୦ କୋଟି ପୁଞ୍ଜିନିବେଶ ସହ ୨୫ରୁ ୩୦ ହଜାର ଲୋକଙ୍କର ରୋଜଗାର ସୃଷ୍ଟିର ସମ୍ଭାବନା ତିଆରି ହେବ । ଇଣ୍ଡିଆନ ଅଏଲର ଭଦ୍ରକ ଠାରେ ଏହି ପ୍ରସ୍ତାବିତ ପ୍ରକଳ୍ପ କାର୍ଯ୍ୟକ୍ରମ ହେଲେ ରାଜ୍ୟର ଶିଳ୍ପ ମାନଚିତ୍ରରେ ବ୍ୟାପକ ପରିବର୍ତନ ଆସିବ । ଏହି ପ୍ରକଳ୍ପରେ ପ୍ରଚୁର ମାନବସମ୍ବଳ ଆବଶ୍ୟକତା ପରିପ୍ରେକ୍ଷୀରେ ଭଦ୍ରକ ପୂର୍ବଭାରତର ସୁରଟ ହୋଇପାରିବ । 

ଯଦି ରାଜ୍ୟସରକାର ଏହି ପ୍ରକଳ୍ପ ପାଇଁ ସହଯୋଗର ହାତ ନ ବଢାନ୍ତି ତାହାହେଲେ ରାଜ୍ୟ ଏକ ବଡ଼ ସୁଯୋଗକୁ ହାତ ଛଡ଼ା କରିବ । ଯଦି ରାଜ୍ୟସରକାର ଆହୁରୀ ବିଳମ୍ବ କରନ୍ତି ତାହାହେଲେ ଏହି ପ୍ରକଳ୍ପ ଶିଳ୍ପ ଅନୁକୂଳ ଅନ୍ୟ ରାଜ୍ୟକୁ ସ୍ଥାନାନ୍ତରିତ ହେବାର ସମ୍ଭାବନା ତିଆରି ହେବ । ଓଡ଼ିଶାର ସ୍ୱାର୍ଥ ଦୃଷ୍ଟିରୁ ଏହି ପ୍ରକଳ୍ପ ପାଇଁ ସହଯୋଗର ହାତ ବଢାଇବା ପାଇଁ ଶ୍ରୀ ପ୍ରଧାନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନିବେଦନ କରିଛନ୍ତି । ଏହି ପ୍ରକଳ୍ପ ପାଇଁ ୧୬-୧୧-୨୦୧୭ରେ ରାଜ୍ୟସରକାରଙ୍କ ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା ଓ ଏମ୍ଏସଏମ୍ଇ ମନ୍ତ୍ରୀ ପ୍ରଫୁଲ୍ଲ ସାମଲଙ୍କ ଉପସ୍ଥିତରେ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଥିଲା । ପ୍ରାରମ୍ଭିକ ଭାବେ ଏଥିପାଇଁ ୩୫ ଏକର ଜମି ଆବଶ୍ୟକ ବୋଲି ଆକଳନ କରାଯାଇଥିବାବେଳେ ପରବର୍ତୀ ସମୟରେ ୭୫ ଏକର ଜମିର ଆବଶ୍ୟକତା ନେଇ ଆକଳନ ପରେ ଏହି ଜମି ଯୋଗାଇ ଦେବା ପାଇଁ ରାଜ୍ୟସରକାରଙ୍କ ଇପିକଲ୍ ପାଖରେ ଆବେଦନ କରାଯାଇଥିଲା ।

ଏହି ଜମି ଯୋଗାଇ ଦେବା ପାଇଁ ବାରମ୍ବାର ବିଭିନ୍ନ ତାରିଖରେ ରାଜ୍ୟସରକାରଙ୍କ ଠାରେ ଯୋଗାଯୋଗ କରାଯିବା ପରେ ମଧ୍ୟ ଜମି ଯୋଗାଇ ଦେବାରେ ରାଜ୍ୟସରକାର ଅହେତୁକ ବିଳମ୍ବ କରୁଥିବା ଶ୍ରୀ ପ୍ରଧାନ ତାଙ୍କ ପତ୍ରରେ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଇଛନ୍ତି ।

 

0
0
0
s2sdefault