ହେଡଲାଇନସ୍:

 ଶଙ୍ଖ ଫୁଙ୍କିଲେ ପ୍ରଣୟ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଗତକାଲି କଂଗ୍ରେସ ରୁ ଇସ୍ତଫା, ଆଜି ବିଜେଡିରେ ଯୋଗଦାନ | ସବୁ କିଛି ଯୋଜନାବଦ୍ଧ ଭାବେ ପୂର୍ବ ଧାର୍ଯ୍ୟ କାର୍ଯ୍ୟକ୍ରମ ଅନୁଯାୟୀ ହୋଇଛି ପ୍ରଣୟ ସାହୁଙ୍କ କ୍ଷେତ୍ରରେ | ଗତକାଲି କଂଗ୍ରେସ ବିରୋଧରେ ବିଷାଦଗାର କରି, କଂଗ୍ରେସ ବିରୋଧରେ ଗୋଷ୍ଠୀ କନ୍ଦଳର ଅଭିଯୋଗ କରି ତାଙ୍କୁ କଣଠେସା କରାଯାଇଥିବା ଅଭିଯୋଗ କରି ହାତର ହାତ ଛାଡିଥିଲେ | ଆଉ କହିଥିଲେ ବିଜେଡିରୁ ଅଫର ଅଛି, ୧୫ ଦିନ ତଳେ ଏ ବିଷୟରେ ବି କଥାବାର୍ତ୍ତା ହୋଇଛି | ତେଣୁ ତାଙ୍କ କଥାରୁ ବିଜେଡିରେ ଯୋଗଦେବା ନିଶ୍ଚିତତା ଥିଲା | ଆଉ ଆଜି ତାହା ସ୍ପଷ୍ଟ ହୋଇଯାଇଛି ତାଙ୍କର ବିଜେଡିରେ ଯୋଗ ଦେବା ପରେ | 

ବିଜେଡି ପକ୍ଷରୁ କରି ପ୍ରେସ ବିବୃତିରେ କୁହାଯାଇଛି ଯେ  ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ ନେତୃତ୍ୱ ଏବଂ ଜନହିତକର କାର୍ଯ୍ୟକ୍ରମ ପ୍ରତି ଆକୃଷ୍ଟ ହୋଇ ଆଜି ବରଗଡ଼ ଜିଲ୍ଲା ବିଜେପୁର ନିର୍ବାଚନ ମଣ୍ଡଳୀର କଂଗ୍ରେସ ପ୍ରାର୍ଥୀ ପ୍ରଣୟ ସାହୁ ନିଜର ଶତାଧିକ ସମର୍ଥକଙ୍କ ସହ ବିଜୁ ଜନତା ଦଳରେ ଯୋଗ ଦେଇଛନ୍ତି, ଯାହାଫଳରେ ବରଗଡ଼ ଜିଲ୍ଲା କଂଗ୍ରେସକୁ ଶକ୍ତ ଧକ୍କା ଲାଗିଛି । ଏହି ଯୋଗଦାନ କାର୍ଯ୍ୟକ୍ରମରେ ଗାଇସିଲେଟ୍‍ ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ବାସନ୍ତୀ ପାଣ୍ଡେ, ପୂର୍ବତନ କଂଗ୍ରେସ ଗାଇସିଲେଟ୍‍ ବ୍ଲକ ସଭାପତି ଗୋପାଳ ଦାସ, ଚୈତନ୍ୟ ସାହୁ, ସଂଜୀବ କୁମାର ପଣ୍ଡା, ସମିତି ସଭ୍ୟ ଦେବେନ୍ଦ୍ର କୁମାର ଯୋଶୀ, ବିକ୍ରମ କେଶରୀ ସାହୁ, ମାନଭଞ୍ଜନ ସାହୁ, ପୂର୍ଣ୍ଣାନନ୍ଦ ବାରିକ, ଗୁରୁବାରୀ ସାହୁ, ସ୍ୱର୍ଣ୍ଣଲତା ନନ୍ଦ, ମନୋରଞ୍ଜନ ବରିହା, ଦେବକୀ ସାହୁ, ସବିତା ସେଠ୍‍, ସରପଞ୍ଚ ଶ୍ରୀମତୀ ବିନୋଦିନୀ ବାରିକ, ତୁଲସିଂ ସେଠ୍‍, ତପସ୍ୱିନୀ ଡୁଡୁକା, ବିଜ୍‍ଲି ବରିହା ପ୍ରମୁଖ ବିଜେଡିରେ ଯୋଗ ଦେଇଥିଲେ ।

ବିଜେଡି ପ୍ରତି ଆସ୍ଥା ପ୍ରକଟ କରିଥିବା ଶ୍ରୀ ସାହୁ ଏବଂ ତାଙ୍କ ସମର୍ଥକଙ୍କୁ ନବୀନ ନିବାସରେ ମାନ୍ୟବର ସଭାପତି ଶ୍ରୀଯୁକ୍ତ ପଟ୍ଟନାୟକ ସ୍ୱାଗତ କରିବା ସହ କହିଥିଲେ ଯେ ଆଜି ପ୍ରଣୟ ସାହୁ ଏବଂ ତାଙ୍କ ସମର୍ଥକମାନେ ଆମ ଦଳରେ ଯୋଗ ଦେଇଥିବାରୁ ମୁଁ ବହୁତ ଖୁସି । ଏହି ଯୋଗଦାନ ବରଗଡ଼ ଜିଲ୍ଲାରେ ବିଜୁ ଜନତା ଦଳର ଶକ୍ତି ବୃଦ୍ଧିରେ ସହାୟକ ହେବ । ବିଜେଡିରେ ମିଶିବା ପରେ ଶ୍ରୀ ସାହୁ କହିଥିଲେ ଯେ ବିଜେପୁର ଉପ-ନିର୍ବାଚନରେ କଂଗ୍ରେସ କାହିଁକି ହାରିଲା, ତା’ର ସମୀକ୍ଷା କରିବାକୁ ମୁଁ ଏବଂ ଆମର କର୍ମୀ ରାଜ୍ୟ କଂଗ୍ରେସକୁ କହିଥିଲୁ । କିନ୍ତୁ କୌଣସି ସମୀକ୍ଷା ହେଲା ନାହିଁ । ଭବିଷ୍ୟତରେ ମୁଁ ଆଉ କୌଣସି ନିର୍ବାଚନ ଲଢ଼ିବି ନାହିଁ । ମୋ ଅଞ୍ଚଳରେ ଯେଉଁ ସମସ୍ୟା ଅଛି, ବିଶେଷକରି ପିଇବା ପାଣି ଓ ଜଳସେଚନର ସୁବନେ୍ଦାବସ୍ତ କରିବାକୁ ମୁଁ ଚେଷ୍ଟା କରିବୁ ବୋଲି ଶ୍ରୀ ସାହୁ କହିଥିଲେ । ଏହି ଅବସରରେ ବିଧାୟିକା ଶ୍ରୀମତୀ ରୀତା ସାହୁ କହିଥିଲେ ଯେ ପ୍ରଣୟ ସାହୁ ମୋର ବିରୋଧୀ ନଥିଲେ । ସେ ଥିଲେ ମୋ ସ୍ୱାମୀଙ୍କ ସହଯୋଗୀ । ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନୀତି ଓ ଆଦର୍ଶରେ ଅନୁପ୍ରାଣିତ ହୋଇ ବର୍ତ୍ତମାନ ଶ୍ରୀ ସାହୁ ବିଜେଡିରେ ଯୋଗ ଦେଇଛନ୍ତି ଏବଂ ଆଗାମୀ ଦିନରେ ଆମେ ଏକାଠି ହୋଇ ଦଳ ପାଇଁ କାମ କରିବୁ । ଆଜିର ଏହି କାର୍ଯ୍ୟକ୍ରମରେ ସାଂସଦ ଶ୍ରୀ ପ୍ରଶାନ୍ତ ନନ୍ଦଙ୍କ ସମେତ ବହୁ ଦଳୀୟ ପଦାଧିକାରୀ ଉପସ୍ଥିତ ଥିଲେ ।

 

 

 

 

 

0
0
0
s2sdefault