ହେଡଲାଇନସ୍:

 ନିଜ ଅର୍ଜିତ କର୍ମମାନ, ଆଗହୁଁ ହୁଅ ସାବଧାନ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବିଜେଡି ମୋହରେ କଂଗ୍ରେସ ବିଧାୟକ, ଅସହାୟ ନିରଞ୍ଜନ 

ଭୁବନେଶ୍ୱର  : କଂଗ୍ରେସରେ ଏବେ ଚାଲିଛି ଉଥଳପୁଥଳ । ଦଳ ଛାଡିଲେ ଦଳର କାର୍ଯ୍ୟକାରୀ ଅଧ୍ୟକ୍ଷ ନବ ଦାସ । ନିଲମ୍ବିତ ହେଲେ ବିଧାୟକ ଯୋଗେଶ !  ନବ ଛାଡ଼ିବେ ଛାଦିବେ କହି କହି ଛାଡିଲେ, ଆଉ ସେ ଇସ୍ତଫା ଦେବା ପରେ  ଦଳ ବି ତାଙ୍କୁ ବହିଷ୍କାର କଲା |  ନବ ଗଲେ, ଧାଡିରେ ପ୍ରକାଶ, ଯୋଗେଶ, ପ୍ରଫୁଲ୍ଲ,ଅଂଶୁମାନ(!), ଏପରିକି ସୁଯୋଗ ମିଳିଲେ ତାରା | ସବୁ ଧରାଧରି ହୋଇ ଦଳ ଛାଡିବା ମୁଦ୍ରାରେ | ଆଉ ଏକଥା ବି  ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ମନ୍ତବ୍ୟ ଏହା ସ୍ପଷ୍ଟ କରିଦେଉଛି ଯେ ନବ ଯିବା ସହିତ ଆଉ କିଛି ବିଧାୟକ ବି ଦଳ ଛାଡିପାରନ୍ତି । ଦଳଛାଡିବା କାରଣ ଉପରେ ସେ କହିଛନ୍ତି ଶାସକ ଦଳର ପ୍ରଚୂର ଧନବଳ ଆଉ କ୍ଷମତା ଲୋଭ ଦେଖାଇ ବିରୋଧୀ ଦଳକୁ ଫଟାଇ ନବୀନ ବାବୁ ଲୋକ ନେଇଯାଉଛନ୍ତି । ରାଜନୀତିରେ ନୀତି ଆଦର୍ଶ ନାହିଁ  । ଯେଉଁମାନେ ଏ ଦଳରୁ ସେ ଦଳ ହେଉଛନ୍ତି ସେମାନଙ୍କ ନୀତି ଆଦର୍ଶ ବୋଲି କିଛି ନାହିଁ । ନୀତି ଆଦର୍ଶ ହୀନ ନେତାମାନେ ଯେତେଶିଘ୍ର ଦଳ ଛାଡିଚାଲିଯବେ ଦଳ ପାଇଁ ଭଲ ।  ନିହାତି ଭାବେ ନିରଞ୍ଜନ ବାବୁ ଯାହା କହୁଛନ୍ତି ଏହା ସମୁଚିତ କଥା  । ଆହୋ...ଯେଉଁଦଳ ତୁମକୁ ପରିଚୟ ଦେଲା, ପତିଆରା ଦେଲା, ଆଉ କ୍ଷମତା ଦେଲା | ତୁମେ କ୍ଷମତା ଲୋଭରେ ତାକୁ ଛାଡି ଚାଲିଯିବ ! ଏହା ଆଦୌ ଗ୍ରହଣୀୟ ନୁହେଁ । ସମ୍ପୂର୍ଣ ଭାବେ ଦଳ ପ୍ରତି ବେଇମାନି | ସେଭଳି ସୁବିଧାବାଦୀ ନେତାମାନଙ୍କ ଉପସ୍ଥିତି ବି ସ୍ପୃହଣୀୟ ନୁହେଁ । ସେପଟେ ନବ ଯାଉ ଯାଉ କହିଗଲେ, ଦଳ ଟିକଟ ଦେଇଥିଲା, ଦଳ ଯାହାକୁ ଟିକଟ ଦେଇଥିଲା ସେମାନେ କଣ ଜିତିଗଲେ ? ମୋତେ ଦଳ ନୁହେ, ଝାରସୁଗୁଡା ବାସୀ ଜିତେଇଛନ୍ତି | ଆଉ ଝାରସୁଗୁଡା ବାସୀଙ୍କ ସେବା ଆଉ ବିକାଶ ପାଇଁ ମୁ ସେମାନଙ୍କ କଥାରେ କଂଗ୍ରେସ ଛାଡ଼ିଲି | ସେପଟେ ଯୋଗେଶ କହିଲେନି ନବୀନ ଦକ୍ଷ ଶାସକ ଆଉ ଭଲ ପ୍ରଶାସକ | 

ହେଲେ ପ୍ରସାଦ ହରିଚନ୍ଦନ ସଭାପତି ଥିବା ବେଳର କଥା ଟିକେ ମାନେ ପକାଇଲେ ବୁଝି ହୋଇଯିବ ନିଶ୍ଚୟ ଏଇମାନେ ସେଇ ବିଧାୟକ ଯେଉଁମାନେ କି ପ୍ରସାଦଙ୍କ ବିରୋଧରେ ଅଦୃଶ୍ୟ ଶକ୍ତିଙ୍କ ଇଙ୍ଗିତରେ ବିରୋଧ କରିଥିଲେ ! ଅଭିମନ୍ୟୁଙ୍କୁ  ସପ୍ତ ମହାରଥୀ ଘେରି ଆକ୍ରମଣ କଲା ପରି ବିରୋଧକରି ଅସ୍ତବ୍ୟସ୍ତ କରି ପକାଇଥିଲେ ଆଉ ଦଳକୁ ଲୋକଙ୍କ ନଜରରେ ତଳିତଳାନ୍ତ କରି ଚାଲିଥିଲେ !!  ଏଇମାନେ ସେଇ ବିଧାୟକ ଯେଉଁମାନେ  ପ୍ରସାଦ ହରିଚନ୍ଦନ ସେପଟେ ଦଳ ପାଇଁ ଜଣ  ରାଜ୍ୟବ୍ୟାପୀ ପଦଯାତ୍ରା କଲାବେଳେ କୌଣସି ଅଦୃଶ୍ୟ ଶକ୍ତିଙ୍କ ପ୍ରୋତ୍ସାହନରେ ଦିଲ୍ଲୀକୁ ବିମାନ ଯାତ୍ରା କରି ପ୍ରସାଦ ହଟାଓ ଅଭିଯାନ ଚଳାଇ ଥିଲେ !!!  ଏଇମାନେ ସେଇ ବିଧାୟକ ଯେଉଁମାନେ ନିରଞ୍ଜନ ପଟ୍ଟନାୟକଙ୍କୁ ସଭାପତି କରିବା ପାଇଁ ଦାବି କରିଆସୁଥିଲେ !!!! ଏଇମାନେ ସେଇ ବିଧାୟକ ଯେଉଁମାନେ କାହାର ଇଙ୍ଗିତରେ ପିସିସିକୁ ବିରୋଧ କରି ଆସିଥିଲେ !!!!! ଏଇମାନେ ସେଇ ବିଧାୟକ ଯେଉଁମାନେ  ମହାନଦୀ ପ୍ରସଙ୍ଗରେ ପିସିସି ସଭାପତି ପ୍ରସାଦଙ୍କ ନେତୃତ୍ୱରେ ଦିଆଯାଇଥିବା ଓଡିଶା ବନ୍ଦ  ଡାକରା ବିରାଟ ସଫଳତା ପାଇଥିବା ବେଳେ ସମାନ୍ତରାଳ ମହାନଦୀ ଅଭିଯାନ କରିଥିଲେ !!!!!!

ବିଶ୍ୱାସ ହେଉନି, ନିରଞ୍ଜନଙ୍କ ସପକ୍ଷରେ ପ୍ରସାଦ ହରିଚନ୍ଦନକୁ ବିରୋଧ କରି ଆସୁଥିବା ଏଇ ବିଧାୟକ ମାନେ ଏବେ ନିରଞ୍ଜନଙ୍କୁ ଛାଡି ଦଳ ଛାଡି ଯିବା ପାଇଁ ପ୍ରସ୍ତୁତ ? ହେଲେ ନିରଞ୍ଜନଙ୍କ ପାଇଁ ଲଢ଼ି ଆସୁଥିବା ଏଇ ବିଧାୟକ ମାନଙ୍କ ମୋହ ଭଙ୍ଗ ହେଲା କେମିତି ଏତେ ଶୀଘ୍ର ଦଳ ନିରଞ୍ଜନଙ୍କ ଉପରୁ ? 

ହେଲେ ସବୁଠୁ ବଡ କଥା ହେଲ ତାଳି ଗୋଟାଏ ହାତରେ ବାଜେନି । ନେତାଙ୍କ ଦଳ ଛାଡିବା ପ୍ରସଙ୍ଗକୁ ଦୁଇ ରୂପରେ ଦେଖାଯାଇପାରେ । ଗୋଟିଏ ହେଲା  ବିଧାୟକମାନେ ଦଳ ଛାଡୁଛନ୍ତି  ନତୁବା ଅନ୍ୟଟି ହେଲା ଦଳର ମୁରବୀ ନିଜ ଦଳର ବିଧାୟକଙ୍କୁ ରଖିବାରେ ସକ୍ଷମ ନୁହନ୍ତି । ହେଲେ କାରଣଟା କଣ ଯେ ଦଳର ବିଧାୟକ ମାନେ ଦଳ ଛାଡିବା ଭଳି ପରିସ୍ଥିତି ସୃୃଷ୍ଟି ହୋଇଛି ! ଆମ ପୂର୍ବ ପୁରୁଷମାନେ ଯାହା କହିଥିଲେ କିଛି ଅବଚେତନ ମନରେ କହି ନଥିଲେ " ନିଜ ଅର୍ଜିତ କର୍ମ ମାନ, ଆଗହୁଁ ହୁଅ ସାବଧାନ" | ଏଠି ପ୍ରଶ୍ନ ଉଠିପାରେ ପ୍ରସାଦ ହରିଚନ୍ଦନଙ୍କ ସଭାପତିତ୍ୱ କାଳରେ ଦଳ ବିରୋଧରେ ଦଳର ସଭାପତିଙ୍କ ବିରୋଧରେ ପରୋକ୍ଷରେ ଦଳର ଜାତୀୟ ଅଧ୍ୟକ୍ଷଙ୍କୁ ଚେତାବନୀ ଦେବା ଭଳି ଦୁଃସାହସ କରିବାକୁ ସାହସ ଦେଇଥିଲା କିଏ ? ଏହି ବିଧାୟକମାନଙ୍କୁ ବାରମ୍ବାର ଦିଲ୍ଲୀ ଗସ୍ତରେ ପଠାଇ ପ୍ରସାଦ ହରିଚନ୍ଦନଙ୍କ ବେଳେ ଅସ୍ଥିରତା ସୃଷ୍ଟି କରିଥିଲା କିଏ । ପ୍ରଦେଶ କଂଗ୍ରେସ କମିଟି ଠାରୁ ବିଧାୟକ ଦଳକୁ ସମାନ୍ତରାଳ ଗୋଷ୍ଠୀ କରି ରହିବାକୁ ପ୍ରୋତ୍ସାହନ ଦେଇଥିଲା କିଏ ? ଆଉ ଯେତେବେଳେ ଅତୀତରେ ସେଇମାନଙ୍କୁ ମେଳି କରାଇ ଦଳର ନେତୃତ୍ୱ ବିରୋଧରେ ବା ଦଳ ବିରୋଧରେ ଯିବା ପାଇଁ ଶିଖାଯାଇଛି, ତେବେ ବର୍ତ୍ତମାନ ପରିସ୍ଥିତିରେ ସେମାନଙ୍କଠୁ ନିରଞ୍ଜନ ବାବୁ ଦଳ ପ୍ରତି ଆନୁଗତ୍ୟ ବା ଭଲ ପାଇବା ଆଶା କରିବା ସମିଚୀନ ନୁହେଁ  ।  ପିସିସି ସଭାପତି ନିରଞ୍ଜନ ଏହି ସୁବିଧାବାଦୀ ବିଧାୟକଙ୍କ କାର୍ଯ୍ୟରେ ମର୍ମାହତ ହେବେ ସ୍ୱାଭାବିକ । ତାଙ୍କ ଆଖିଆଗରେ ଦଳର ବିଧାୟକ ମାନେ ତାଙ୍କର ହୋଇନପାରି ସୁବିଧାବାଦୀ ହୋଇ ଦଳ ଛାଡି ଯାଉଛନ୍ତି ଓ ସେମାନଙ୍କୁ ସେ ରଖିପାରୁନାହାନ୍ତି, ଦଳର ମୁଖିଆ ହିସାବରେ ତାଙ୍କ ହୃଦୟକୁ ଆଘାତ ହେବା ସ୍ୱାଭାବିକ  । ହେଲେ ନିଜ ଭାଇ ସୌମ୍ୟରଞ୍ଜନ ପଟ୍ଟନାୟକ ତାଙ୍କୁ ଯେଉଁଭଳି ଯନ୍ତ୍ରଣା ଦେଇ ଯାଇଛନ୍ତି ତାଠୁ ଅଧିକ କଷ୍ଟ ବୋଧହୁଏ ଏମାନେ ଛାଡିଯିବାରେ ହେବନାହିଁ । ନିଜ ଭାଇ ଉପରେ ଯେହେତୁ ତାଙ୍କର ନୀୟନ୍ତ୍ରଣ ରହିଲାନି, ଭାଇ ଯେତେବେଳେ ନୀତି ଆଦର୍ଶହୀନ ହୋଇ (ଯାହା ନିରଞ୍ଜନ ବାବୁ ଦଳଛଡାଙ୍କ ପାଇଁ ଶବ୍ଦ ବ୍ୟବହାର କରୁଛନ୍ତି)ଦଳ ଛାଡି ଚାଲିଗଲେ ଆଉ ସେ ବୁଝାଇ ରୋକିବାରେ ଅସମର୍ଥ ହେଲେ, ସେ ହାତକାମୁଡା ଶିଖାଇଥିବା ବିଧାୟକମାନଙ୍କୁ ବା କୋଉମୁହଁରେ ଅଟକାଇପାରିବେ ! 

ଦଳ ଛାଡୁଥିବା ନେତାଙ୍କ ଏପରି ସାହସ ହେବା ପୃଷ୍ଠାଭୂମି  ଜାଣିବା ପାଇଁ ଟିକେ ପଛକୁ ପଳାଇଯିବା  । ପ୍ରସାଦ ବାବୁ ପିସିସି ସଭାପତି ଥିବା ବେଳେ କାହା ପ୍ରୋତ୍ସାହନରେ ବିଧାୟକମାନଙ୍କ ମୁହଁ ବଢିଲା ତାହା ନିରଞ୍ଜନ ବାବୁ ନିଶ୍ଚୟ ଜାଣିଥିବେ । ଏବେ ବିଶୃଙ୍ଖଳାକୁ ଜମା ବରଦାସ୍ତ କରାଯିବ ନାହିଁ ବୋଲି କହୁଥିବା ନିରଞ୍ଜନ ବାବୁ ନିଶ୍ଚିତ ଭାବେ ଜାଣିଛନ୍ତି ବିଧାୟକମାନେ ବୃଶୃଙ୍ଖଳିତ ଭାବେ ଦଳର କ୍ଷତି ପହଞ୍ଚାଇବା ଭଳି  ଗଣମାଧ୍ୟମରେ ବୟାବ ବାଜୀ ବା ବାରମ୍ବାର ଦିଲ୍ଲୀ ଗସ୍ତ କରି ବିରୋଧ ଅଭିଯାନକୁ ଯୋରଦାର କରିବା କାହା ଇସାରାରେ ହେଉଥିଲା ଓ କାହା ଇଙ୍ଗିତ ବା ସାହସରେ ସେ ତାରା ହୁଅନ୍ତୁ କି ଯୋଗେଶ, ପଫୁଲ ହୁଅନ୍ତୁ କି ପ୍ରକାଶ ବା ନବ ହୁଅନ୍ତୁ ଆଉ କେହି ପିସିସି ସଭାପତିଙ୍କ ବିରୋଧରେ ବୟାନ ଦେଉଥିଲେ ?? ଏପଟେ ପ୍ରସାହ ହରିଚନ୍ଦନ ବ୍ରହ୍ମ ବିଭ୍ରାଟ ପ୍ରସଙ୍ଗରେ ଓଡିଶା ବନ୍ଦ ସଫଳ କଲା ବେଳକୁ ତାହାର  ଜଷ୍ଟ ପରେ ବିଧାୟକ ଦଳର କିଛି ସଦସ୍ୟ ଦିଲ୍ଲୀ ଯାଇ ବନ୍ଦ ସଫଳତାର ଶ୍ରେୟକୁ  କିରିକିରା କରିବା, ମହାନଦୀ ପାଇଁ ରାଜ୍ୟବ୍ୟାପୀ ବନ୍ଦ ହେଲା ବେଳକୁ ସମାନ୍ତରାଳ ମହାନଦୀ ବୈଠକ କରାଇ ଦଳ ଭିତରେ ବାଦ ବିବାଦ ସୃଷ୍ଟି କରିବା ବା ବାରମ୍ବାର ଏଇ ବିଧାୟକମାନଙ୍କ ଦିଳ୍ଲୀ ଗସ୍ତରେ ପଠାଇ ଦଳକୁ ଗଣମାଧ୍ୟମରେ ନିନ୍ଦିତ କରାଇବା ବା ପ୍ରସାଦ ରାଜ୍ୟବ୍ୟାପୀ ପାଦରେ ଚାଲିଚାଲି ଜନ ଜାଗରଣ  ପଦଯାତ୍ରା ଚଳାଇଥିବା ବେଳେ ବିଧାୟକଙ୍କ ଦିଲୀ ଅଭିମୁଖେ ବିମାନରେ ଦିଲ୍ଲୀ ଯାତ୍ରା କାହା ପ୍ରୋତ୍ସାହନରେ ହେଉଥିଲା ତାହା ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ପରି ଅଭିଜ୍ଞ ରାଜନେତାଙ୍କୁ ଅଛପା ନଥିବ । ଆଉ ସେତେବେଳେ ନୀତି, ଆଦର୍ଶ ଆଉ ଆନୁଗତ୍ୟ କଥା ନା ସେ  ବିଧାୟକଙ୍କ ମନେ ଥିଲା ନା  ନିରଞ୍ଜନ ବାବୁଙ୍କର !  ଜଣେ ଅଭିଜ୍ଞ ରାଜନେତା ହୋଇ ଯେତେବେଳେ ନିରଞ୍ଜନ ବାବୁ, ପ୍ରସାଦ ହରିଚନ୍ଦନ ଗଢ଼ିଥିବା ଟିମକୁ  ବଡ ଟିମ୍ ହୋଇଯାଇଛି ବୋଲି କହି "ଗୋଠ ଗହଳିରେ ମୁଷା ମରିବନି" ବିବାଦୀୟ ବୟାନ ଦେଇଥିଲେ ବା ସମନ୍ମୟ କମିଟିକୁ   "ଓଲଡଏଜ ହୋମ ବା ଜରାଶ୍ରମ" ବୋଲି କହି ତାତ୍ସଲ୍ୟ କରିଥିଲେ,  ଆଉ ସେଇ ବିଧାୟକମାନେ ବା ସାହସ କରିବେନି ବା  କିପରି ?  ଯଦିଓ ନିରଞ୍ଜନ ବାବୁଙ୍କ ମହାନତା କାରଣରୁ  ନିଜେ ପିସିସି ଟିମ୍ ଗଠନ କଲା ପରେ ବୁଝିପାରିଲେ ଯେ ବଡ ଟିମ୍ ଗଠନ କରି ପ୍ରସାଦ ବାବୁ କିଛି ଭୁଲ କରିନଥିଲେ । କାରଣ ତାଙ୍କ ଟିମ୍ ପ୍ରସାଦ ବାବୁଙ୍କ ଟିମକୁ ବି ବଳିଗଲା  । ବଳିଲା ତା ବଳିଲା, ପ୍ରସାଦଙ୍କ ସମୟରେ  ସେତେବେଳେ ସର୍ବାଧିକ ବିଶୃଙ୍ଖଳିତ ଆଚରଣ ପ୍ରଦର୍ଶନ କରି ଦଳକୁ ଅଡୁଆ ପରିସ୍ଥିତିରେ ପକାଇଥିବା ନେତାମାନଙ୍କୁ ତାଙ୍କ ଟିମରେ ଗୁରୁତ୍ୱପୂର୍ଣ୍ଣ ପଦପଦବୀ ଦେଲେ । ସେଇମାନଙ୍କୁ ହାତ କରି ସେତେବେଳେ ପ୍ରସାଦ ହଟାଅ ଅଭିଯାନ ଚାଲିଥିଲା । ପ୍ରୋତ୍ସାହନ ଯିଏ  ଦେଉଥିଲା, ନିରଞ୍ଜନ ବାବୁଙ୍କୁ ଅଜଣା ନଥିବ । ଆଉ ସେମାନଙ୍କ ଠାରୁ  ଶୃଙ୍ଖଳା, ନୈତିକତା ଓ  ଆଦର୍ଶ ଆଶା କରାଯିବ ବୋକାମୀ |  ଯେତେବେଳେ ନୀତି ନୀତି ଆଦର୍ଶ ଉପରେ ସର୍ବକାଳୀନ ପ୍ରବଚନ ଦେଉଥିବା ତାଙ୍କ ଭାଇ ବୁଝିପାରିଲେ ନାହିଁ, ସେତେବେଳେ  ନୀତି ଆଦର୍ଶହୀନସୁବିଧାବାଦୀ ବିଧାୟକ(ନିରଞ୍ଜନ ବାବୁଙ୍କ ଭାଷାରେ)  ବୁଝିବେ ବା କେମିତି ?

ସେତେବେଳେ ପ୍ରସାଦ ହରିଚନ୍ଦନ ପାରୁନାହାନ୍ତି ବା ବିନା ପଇସାରେ ସଂଗଠନ ହେବନି ବୋଲି ମନ୍ତବ୍ୟ ଦିଆଗଲା । ହେଲେ ନିରଞ୍ଜନ ପଟ୍ଟନାୟକ ପ୍ରସାଦ ବାବୁଙ୍କ ଠାରୁ ଅପେକ୍ଷାକୃତ ଭାବେ ପଇସା ବାଲା ବା ସେ ସଭାପତି ହେଲେ ନିର୍ବାଚନ ପାଇ ପାଣ୍ଠିର ଅଭାବ ରହିବ ନାହିଁ ବୋଲି ଧାରଣା ସୃଷ୍ଟି କରାଗଲା  । ଆଉ କଂଗ୍ରେସ ନେତୃତ୍ୱ ବି ମହତ  ଉଦ୍ଦେଶ୍ୟ ରଖି ଅଭିଜ୍ଞ ତଥା ଆର୍ଥିକ ଦୃଷ୍ଟିରୁ ସ୍ୱଚ୍ଛଳ ନିରଞ୍ଜନ ପଟ୍ଟନାୟକଙ୍କୁ ସଭାପତି କଲେ, ଯାହାକି ଏଇ ବିଧାୟକମାନେ ଦାବି କରିଥିଲେ |  ହେଲେ ଏବେ ତ ପଇସା ଅସୁବିଧା ହେଊନଥିବ ଦଳ ପାଇଁ । ତେବେେ ବିଧାୟକମାନେ କଣ ପାଇଁ ଦଳ ଛାଡିଯିବା ପାଇ ଅଣ୍ଟା ଭିଡିଛନ୍ତି !!! ପ୍ରସାଦ ବାବୁଙ୍କ ବେଳେ ଦଳ ଭିତରେ ବିରୋଧାଭାସ ଥିଲା । ହେଲେ ନିରଞ୍ଜନ ବାବୁ ସଭାପତି ହେବା ପରେ ଦଳ ଭିତରେ ବିରୋଧ ପ୍ରାୟତଃ ନାହିଁ ସେ ଶ୍ରୀକାନ୍ତ -ଶଗରିଆଙ୍କୁ ଛାଡିଦେଇ । ଅବଶ୍ୟ ଶ୍ରୀକାନ୍ତ ଚକ୍ରାନ୍ତକାରି ହୋଇଥାଇ ପାରନ୍ତି, ହେଲେ ସେ କଣ କହିଥିଲେ ! ସେ କହି ନଥିଲେ କାହାକୁ ମୁଖ୍ୟମନ୍ତ୍ରୀ କରାନଯାଉ | ସେ କହିଥିଲେ ଗୋଟାଏ ନିର୍ଦ୍ଦିଷ୍ଟ ବର୍ଗରୁ ମୁଖ୍ୟମନ୍ତ୍ରୀ କରାଯାଉ | ଖଣି ଦୁର୍ନୀତିକୁ ନିର୍ବାଚନୀ ପ୍ରସଙ୍ଗ କରାଯାଉ | ତେଣୁ ତେଣୁ ପ୍ରସାଦଙ୍କ ବେଳେ ଯେଉଁଭଳି ଭାବେ ପ୍ରାୟୋଜିତ ବିରୋଧ ଖୋଲାଖୋଲି କରାଯାଉଥିଲା ଏବେ ନିରଞ୍ଜନ ବାବୁଙ୍କ ବେଳେ ସେ କଥା ତ ନାହିଁ,  ହେଲେ ନେତା ଦଳ ଛାଡିବା ଧାରା କାହିଁକି ଜାରି ରହିଛି ! ଏହା ନେତୃତ୍ୱ ଗତ ଅପାରଗତା ନ ନୀତି ନୈତିକତା ବିହୀନ ମାନସିକତା ତାହା ଦଳର ନେତା ବିବେଚନା କରିବେ |  ନୀତି ଆଦର୍ଶ ଦ୍ୱାହୀ ଦେଇ ନିରଞନ ବାବୁ କେବଳ ହାଲକା ସମାଲୋଚନା କରିବା ଛଡା ଏବେ ଆଉ କିଛି ଉପାୟ ନାହିଁ । ଯେତେବେଳେ ନିଜ ଭାଇ ସୌମ୍ୟ ବାବୁଙ୍କୁ ବୁଝାଇ ସୁଝାଇ ରଖିପାରିଲେ ନାହିଁ ଆଉ  ଏବେ ଦଳ ଛାଡୁଥିବା ବିଧାୟକମାନଙ୍କୁ କେମିତି ବା ସେ ରୋକିପାରିବେ !!!! 

ତେଣୁ ଗୋଟିଏ କଥା କୁହାଯାଇପାରେ ନିଜ ଅର୍ଜ୍ଜିତ କର୍ମମାନ, ଆଗହୁଁ ହୁଅ ସାବଧାନ  । ଆଙ୍ଗୁଠି କାମୁଡା ଶିଖାଯାଇଥିବା ଜନ୍ତୁମାନେ ଆଙ୍ଗୁଠି ହିଁ କାମୁଡିବେ ହିଁ କାମୁଡିବେ | ଯେଉଁମାନେ ପଡିଆରେ ନିରଞ୍ଜନଙ୍କ ପାଇଁ ବ୍ୟାଟିଂ କରୁଥିଲେ, ସେମାନେ ଏବେ ନିରଞ୍ଜନଙ୍କୁ (କଂଗ୍ରେସ) କୁ ଛାଡ଼ିଯିବ ବେଳେ ପିସିସି ସଭାପତିଙ୍କ ସ୍ୱରରେ ଅସହାୟତା ବାରିହୋଇ  ପଡୁଛି |  କହିବେ ବା କାହାକୁ ଶୁଣିବା ବା କିଏ | ଦେଖାଯାଉ ଆଗକୁ କଂଗ୍ରେସ ରାଜନେତୀ କି ନାଟକ ଦେଖୁଛି | ଯେଉଁଠି କଂଗ୍ରେସ ରାଷ୍ଟ୍ରୀୟ ନେତୃତ୍ୱ ରାଜ୍ୟ କଂଗ୍ରେସର ଗ୍ରାଉଣ୍ଡ ରିଆଲିଟି ସମ୍ପର୍କରେ ଅବଗତ ନୁହନ୍ତି, ସେଠି ଏମିତି ହିଁ କିଛି ଜାରି ରହିବ ଛଡା ଆଉ କିଛି ବାଟ ହିଁ ନାହିଁ ବୋଲି ରାଜନୈତିକ ମହଲରେ ଚର୍ଚା | 

0
0
0
s2sdefault