ହେଡଲାଇନସ୍:

ଓଡିଶା ସରକାର ଶୋଇ ରହିଛି : ମୋଦି 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

- ଆଦିବାସୀଙ୍କ ବିକାଶ ପାଇଁ କେନ୍ଦ୍ର ଦେଉଥିବା ଟଙ୍କା ରାଜ୍ୟ ସରକାର ଖର୍ଚ୍ଚ କରିପାରୁ ନାହାନ୍ତି

- ନିର୍ବାଚନକୁ ଅପେକ୍ଷା ନକରି ଲୋକଙ୍କ କଲ୍ୟାଣପାଇଁ ଅର୍ଥ ଖର୍ଚ୍ଚ କରିବାକୁ ଆହ୍ୱାନ 

ବଲାଙ୍ଗୀର(Niroj Mishra)- ଏଠାକାର ସରକାରଙ୍କର କ'ଣ ହୋଇଛି? ଏଠାକାର ସରକାର ଶୋଇ ରହିଛନ୍ତି । ଏଠାକାର ସରକାର ଟଙ୍କା ଖର୍ଚ୍ଚ ନକରି ପକାଇ ରଖିଛନ୍ତି ବୋଲି ବଲାଙ୍ଗୀରର ପଥରଚେପାରେ ଆୟୋଜିତ ଦଳୀୟ ସମାବେଶରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି କହିଛନ୍ତି । 

ପ୍ରଧାନମନ୍ତ୍ରୀ କହିଥିଲେ ଯେ ରାଜ୍ୟର ଜନଜାତିଙ୍କ ବିକାଶ ଲାଗି କେନ୍ଦ୍ର ସରକାର ଦେଉଥିବା ଅର୍ଥ ରାଜ୍ୟ ସରକାର  ଖର୍ଚ୍ଚ କରୁ ନାହାନ୍ତି । ନିର୍ବାଚନକୁ ଅପେକ୍ଷା ନକ ରି ଏହି ଅର୍ଥକୁ ଲୋକମାନଙ୍କ କଲ୍ୟାଣ ଲାଗି ଖର୍ଚ୍ଚ କରନ୍ତୁ ବୋଲି ପ୍ରଧାନମନ୍ତ୍ରୀ ମୋଦି ଆହ୍ୱାନ ଦେଇଛନ୍ତି  । ଆଦିବାସୀଙ୍କ ବିକାଶ ଲାଗି କେନ୍ଦ୍ର ସରକାର ଓଡ଼ିଶାକୁ ୪୦୦୦କୋଟି ଟଙ୍କା ଦେଇସାରିଛନ୍ତି । ଏହି ଟଙ୍କା ଆଦିବାସୀ ଟଙ୍କା, ଓଡ଼ିଶା ଲୋକଙ୍କ ଟଙ୍କା । ଖଣି ଅଂଚଳରେ ବିକାଶ ଲାଗି ଏହି ଅର୍ଥ ଦିଆଯାଇଛି । ମାତ୍ର ରାଜ୍ୟ ସରକାର ଏହାର ନଗଣ୍ୟ ଅଂଶ ଏଯାବତ୍ ଖର୍ଚ୍ଚ କରିପାରିନାହାନ୍ତି । ଏଠିକାର ସରକାର କ'ଣ କରୁଛନ୍ତି? ସରକାର ଏଠି ଶୋଇ ରହିଛି । ଏହି ଅର୍ଥର ସଦୁପଯୋଗ ଲୋକଙ୍କର ଅଧିକାର । ତେଣୁ ଏହାକୁ ତୁରନ୍ତ ଖର୍ଚ୍ଚ କରନ୍ତୁ । କେନ୍ଦ୍ର ସରକାର ଦେଇଥିବା ଏହି ଅର୍ଥ ଆଦିବାସୀଙ୍କ ଅଧିକାରର ଅର୍ଥ । ରାଜ୍ୟ ସରକାର ଗରିବ ଆଦିବାସୀଙ୍କ ଅଧିକାରରୁ ସେମାନଙ୍କୁ ବଂଚିତ ନ କରନ୍ତୁ ବୋଲି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି । 

ସେ ଆହୁରି କହିଥିଲେ ଯେ ସବକା ସାଥ ସବକା ବିକାଶରେ ଆଦିବାସୀ ଅଂଚଳରେ ଥିବା ଭାଇ ଭଉଣୀଙ୍କୁ  ଫୋକସ କରାଯାଉଛି । ମେକ ଇନ ଇଣ୍ଡିଆ ସାରା ବିଶ୍ୱରେ ପ୍ରଶଂସାର ପାତ୍ର ହୋଇଛି । ଜିଲ୍ଲା ମିନେରାଲ ଫଣ୍ଡର ଲାଭ ଅଂଚଲବାସୀଙ୍କୁ ମିଳୁଛି । ପୂର୍ବ ସରକାର ସ୍ଥାନୀୟ ଲୋକଙ୍କ ଚିନ୍ତା କରୁ ନଥିଲେ । କିନ୍ତୁ ଏନଡିଏ ସରକାର ଏ ଦିଗରେ ସଜାଗ ଅଛନ୍ତି ।  ଓଡିଶା ସୂର୍ଯ୍ୟଦେବଙ୍କ ଭୂମି ।  ଓଡିଶାବାସୀଙ୍କ ଭଲ ପାଇବା ତାଙ୍କୁ ଏଠାକୁ ବାରମ୍ବାର ଟାଣି ଆଣିଛି । ମାସକ ମଧ୍ୟରେ ୨୦ହଜାର କୋଟି ଟଙ୍କାର ପ୍ରକଳ୍ପ ରାଜ୍ୟକୁ ପ୍ରଦାନ କରାଯାଇଛି । ଭାରତ ସରକାର ବହୁତ କମ ସମୟ ମଧ୍ୟରେ ଏସବୁ ପରିଯୋଜନାର ଶିଳାନ୍ୟାସ ଏବଂ ଉଦଘାଟନ କରାଯାଇଛି । ଯାହା ଅକଳ୍ପନୀୟ । ଏହା ରାଜ୍ୟରେ ନୂତନ ରୋଜଗାର ସୃଷ୍ଟି କରିବ । ସେହିପରି ଜ୍ଞାନବିଜ୍ଞାନ କ୍ଷେତ୍ରରେ ଭାରତ ଶ୍ରେଷ୍ଠ  । ଏହାକୁ ଆଗକୁ ନେବାକୁ ପଡିବ । ଓଡିଶୀ ନୃତ୍ୟ, ଓଡିଶା ଭାଷାର କାବ୍ୟ, ସାହିତ୍ୟ, ନୃତ୍ୟଗୀତ ଅଦ୍ଭୁତ ଅଟେ  । ବଲାଙ୍ଗିରର ଚଉଷଠି ଯୋଗିନୀ, ଲିଲିଗୁଡ, ବୌଦ୍ଧ ନୀଳମାଧବ, କପିଳେଶ୍ୱର, ସିଦେ୍ଧଶ୍ୱର ଏହାର ଉଦାହରଣ । ବିଶ୍ୱର ପ୍ରାଚୀନ ସଭ୍ୟତା ମଧ୍ୟରୁ ଓଡିଶା ଅନ୍ୟତମ । ଏନଡିଏ ସରକାର ଆସିବା ପରେ ଦେଶର ଚୋରାଇ କରି ନିଆଯାଇଥିବା ମୂର୍ତିକୁ ପୁନଶ୍ଚ ଫେରାଇ ଆଣିବା ନେଇ ବ୍ୟବସ୍ଥା ହୋଇଛି । କିନ୍ତୁ ପୂର୍ବ ସରକାର ଏ ଦିଗରେ ସମ୍ବେଦନଶୀଳ ନଥିଲେ ।

ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି ଯେ, ଓଡିଶା ସମେତ ପୂର୍ବ ଭାରତରେ ରେଳବାଇର ବିକାଶ କେନ୍ଦ୍ରର ଲକ୍ଷ୍ୟ । ଯାହା ୨୦ହଜାର କୋଟିରୁ ଅଧିକ । ଗତ ୟୁପିଏ ସରକାର ତୁଳନାରେ ଏନଡିଏ ସରକାର ଓଡିଶାକୁ ପ୍ରାଧାନ୍ୟ ଦେଇଛନ୍ତି । ପୂର୍ବ ସରକାର ଠାରୁ ୫ ଗୁଣା ଅଧିକ ଅର୍ଥ ଦେଇଛନ୍ତି । ୟୁପିଏକୁ ଏହା କରିବା ପାଇଁ ଆହୁରି ୨୫ ବର୍ଷ ଲାଗିଯାଇଥାନ୍ତ । । ରେଳ ଲାଇନ ବିଛାଇବାରେ ମଧ୍ୟ ତିନିଗୁଣା ବେଗରେ କାମ କରୁଛନ୍ତି । ଏହି ରେଳ ଲାଇନ ହାୱଡା ହାଇଦ୍ରାବାଦ  ଯାଏଁ ବୃଦ୍ଧି ପାଇବ । ରାଜ୍ୟର ପ୍ରାକୃତିକ ବିକାଶରେ ଏହା ସହାୟକ ହେବ । କୃଷକଙ୍କୁ ଲାଭ ମିଳିବ । ଅନେକ ନୂତନ ବଡ ଉଦ୍ୟୋଗ ପ୍ରତିଷ୍ଠା  ହେବ । 

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଗତ ଚାରି ବର୍ଷରେ ଏନଡିଏ ସରକାର ଦେଶରେ ୬କୋଟିରୁ ଅଧିକ ଫର୍ଜି ରାସନ କାର୍ଡ, ଗ୍ୟାସ କନେକ୍ସନ, ପେନସନଧାରୀଙ୍କୁ ଚିହ୍ନଟ କରିଛନ୍ତି । କେନ୍ଦ୍ର ସରକାର ଗରୀବଙ୍କ ପାଇଁ ଦୁଇ ଟଙ୍କାରେ ଗହମ ପ୍ରଦାନ କରୁଛନ୍ତି । ୩୦, ୩୨ ଟଙ୍କାରେ କିଣିଥିବା ଚାଉଳ ଭାରତ ସରକାର ଗରୀବଙ୍କୁ କେବଳ ୩ଟଙ୍କାରେ ଦେଉଛନ୍ତି । ପୂର୍ବରୁ ଏତେ ସବୁ ଟଙ୍କା ଯେଉଁ ମାନଙ୍କ ପକେଟକୁ ଯାଉଥିଲା ସେମାନେ ମୋ ଉପରେ ରାଗୁଛନ୍ତି, ଗାଳି କରୁଛନ୍ତି । ଏହି ପନ୍ଥା ବନ୍ଦ ହେବା ଆବଶ୍ୟକ, ଗରୀବଙ୍କୁ ସେମାନଙ୍କ ହକ ମିଳିବା ଦରକାର । ଏହି ଅସାଧୁଙ୍କୁ ଜେଲ ପଠାଯିବା ଦରକାର । ଏ ଦିଗରେ ଫର୍ଜି ନାମକୁ ହଟାଇବା ପାଇଁ ସମସ୍ତ କାର୍ଡର ଡିଜିଟାଲାଇଜେସନ କରାଯାଇଛି । ୯୦ହଜାର କୋଟି ଟଙ୍କାର ଅର୍ଥ ଚୋରଙ୍କ ପକେଟକୁ ଯିବାକୁ ରୋକା ଯାଇଛି । ସେମାନେ ଏବେ ଶତ୍ରୁ ପାଲଟି ଯାଇଛନ୍ତି । 

ସଂରକ୍ଷଣକୁ ନେଇ ମୋଦି ନିଜର ପ୍ରତିକ୍ରିୟା ରଖିଛନ୍ତି । ଏସଟି, ଏସସିଙ୍କ ହକକୁ ନଛଡାଇ ଗରୀବ ସାଧାରଣଙ୍କୁ ଆରକ୍ଷଣ ଦିଆଯାଇଛି ।  ଯାହା ଓଡିଆ ଗରୀବଙ୍କ ପାଇଁ ଅନେକ ଗୁରୁତ୍ୱ ବହନ କରୁଛି । ଖେଳକୁଦରେ ଦେଶର ପାଦ ଆଗକୁ ବଢୁଛି । ଏଥିରେ ଆଦିବାସୀ ଅଂଚଳର ଲୋକଙ୍କ ସହଯୋଗ ରହିଛି । ଓଡିଶା ଦେଶକୁ ଅନେକ ଖେଳାଳି ଦେଇଛି । ଯାହା ବହୁତ ଗୌରବର କଥା । ନୂଆ ଭାରତ ଏବଂ ଓଡିଶା ସମୃଦ୍ଧ ହେବା ଆବଶ୍ୟକ । ଏଥିପାଇଁ ନିରନ୍ତର ପ୍ରୟାସ ଆବଶ୍ୟକ  ବୋଲି ସେ କହିଥିଲେ ।

ଏହି ଅବସରରେ ମୋଦି ମା ସମଲେଇ, ପ୍ରଭୁ ଜଗନ୍ନାଥ, ମା ପାଟଣେଶ୍ୱରୀ, ମା ରାମଚଣ୍ଡୀ, ମା ବିନ୍ଧ୍ୟବାସୀନୀ, ଶ୍ରୀ ହରିଶଙ୍କର, ଶ୍ରୀ ନୃସିଂହନାଥଙ୍କୁ ମନେ ପକାଇବା ସହ ମାଟିର ବରପୁତ୍ର ବୀର ସୁରେନ୍ଦ୍ର ସାଏ, ସନ୍ଥ କବି ଭୀମ ଭୋଇ, ସ୍ୱଭାବ କବି ଗଙ୍ଗାଧର ମେହେର, ମାଧବ ସିଂ ଆଦିଙ୍କୁ ପ୍ରଣାମ ଜଣାଇଛନ୍ତି । ଏପରିକି ନକ୍ସଲ ଆକ୍ରମଣରେ ସହିଦ ହୋଇଥିବା ଦୂରଦର୍ଶନ ସାମ୍ବାଦିକ ଅଚୁ୍ୟତାନନ୍ଦଙ୍କୁ ସେ ସ୍ମରଣ କରିଛନ୍ତି ।

ଏହି କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ୍ , ଧର୍ମେନ୍ଦ୍ର ପ୍ରଧାନ , ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡା , ବିଧାୟକ ଦଳ ନେତା କନକ ବର୍ଦ୍ଧନ ସିଂହଦେଓ, ବିଧାୟକ ରବି ନାଏକ , ପ୍ରଦୀପ ପୁରୋହିତ , ରାଧାରାଣୀ ପଣ୍ଡା , ସୁରେଶ ପୁଜାରୀ ପ୍ରମୁଖ ଉପସ୍ଥିତ ଥିଲେ । 

0
0
0
s2sdefault