ହେଡଲାଇନସ୍:

ସରକାରୀ ଚାକିରୀରେ ମ୍ୟାଚ୍ ଫିକ୍ସିଂ କରିଛନ୍ତି ସରକାର, ଚାକିରୀ ଆଶାୟୀଙ୍କ ଭବିଷ୍ୟତ ସହିତ ଖେଳୁଛନ୍ତି ସରକାର

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର – ସରକାରୀ ଚାକିରୀକୁ ନେଇ ଓଡିଶା ସରକାରଙ୍କର ପ୍ରୀୟା, ପ୍ରୀତି, ତୋଷଣ ନୀତିକୁ ସମାଲୋଚନା କରିଛି କଂଗ୍ରେସ । ଆଜିର ସାମ୍ବାଦିକ ସମ୍ମିଳନୀରେ ପିସିସି ମିଡିଆ ସେଲ୍ ଅଧ୍ୟକ୍ଷ ଶ୍ରୀ ସତ୍ୟପ୍ରକାଶ ନାୟକ ସରକାରୀ ଚାକିରୀକୁ ନେଇ ଓଡିଶା ସରକାର ରାଜ୍ୟର ଲକ୍ଷ ଲକ୍ଷ ଶିକ୍ଷିତ ଯୁବକଯୁବତୀମାନଙ୍କ ଭାଗ୍ୟ ସହିତ ଖେଳୁଥିବା ଅଭିଯୋଗ କରିଛନ୍ତି । ସେ ଉଲ୍ଲେଖ କରିଛନ୍ତି ଯେ ରେଲୱେ ରିକରୁଟମେଣ୍ଟ  ବୋର୍ଡ ପରିଚାଳନା କରୁଥିବା ସହାୟକ ଲୋକ ପାଇଲଟ୍ ପାଇଁ ମୁଖ୍ୟ ପରୀକ୍ଷାର ତାରିଖ ୨୦ ଜାନୁଆରୀ, ୨୦୧୯ ପୂର୍ବରୁ ସ୍ଥିରୀକୃତ ହୋଇଛି ଏବଂ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ବ୍ୟାଙ୍କ ସେବା ସଂପର୍କିତ ସର୍ବ ଭାରତୀୟ ସ୍ତରର ପରୀକ୍ଷା ଯାହାକୁ ଆଇ.ବି.ପି.ଏସ୍. ପରିଚାଳନା କରୁଛି ତାହାର ପରୀକ୍ଷା ମଧ୍ୟ ସମାନ ଦିନରେ ଅନୁଷ୍ଠିତ  ହେବାକୁ ଯାଉଛି । ଏହି ଦୁଇଟି ସର୍ବ ଭାରତୀୟ ସ୍ତରର ମୁଖ୍ୟ ପରୀକ୍ଷା ପାଇଁ ଓଡିଶାର ୧୦ ହଜାରରୁ ଉଦ୍ଧ୍ୱର୍ ମେଧାବୀ ଛାତ୍ରଛାତ୍ରୀ ଯୋଗ୍ୟ ବିବେଚିତ ହୋଇଛନ୍ତି ଏବଂ ଏମାନେ ସମସ୍ତେ ଏହି ପରୀକ୍ଷାରେ ଉତୀର୍ଣ୍ଣ ହେବାକୁ ଦୃଢ଼ ଆଶାବାଦୀ ଅଛନ୍ତି । ଏପରି ସ୍ଥଳେ ଓଡିଶା ଲୋକସେବା ଆୟୋଗ ପରିଚାଳନା କରୁଥିବା ପରୀକ୍ଷାକୁ ସମାନ ତାରିଖରେ କରିବାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ଲକ୍ଷ ଲକ୍ଷ ଓଡିଆ ଛାତ୍ରଛାତ୍ରୀ । ସର୍ବଭାତୀୟ ସ୍ତରର ଦୁଇଟି ପରୀକ୍ଷା ଯାହା ରେଲୱେ ବୋର୍ଡ ଏବଂ ଆଇ.ବି.ପି.ଏସ୍. ଦ୍ୱାରା ପୂର୍ବରୁ ସ୍ଥିରୀକୃତ ହୋଇସାରିଛି ଏବଂ ଏଥିପାଇଁ ଓଡିଶାର ଅନେକ ଛାତ୍ରଛାତ୍ରୀ ରାଜ୍ୟ ବାହାରକୁ ଯିବା ଅନିର୍ବାର୍ଯ୍ୟ । ଏପରିସ୍ଥଳେ ଓଡିଶା ଲୋକସେବା ଆୟୋଗ ଦ୍ୱାରା ପରିଚାଳିତ ହେବାକୁ ଥିବା ପରୀକ୍ଷାର ତାରିଖ ସେହି ଏକାଦିନ ତା ୨୦.୧.୨୦୧୯ ରେ ରଖିବାକୁ ନେଇ ପ୍ରଶ୍ନ କରିଛି କଂଗ୍ରେସ । ଓଡିଶାରେ ଶାସନ କରୁଥିବା ବିଜୁ ଜନତା ଦଳ ରାଜ୍ୟର ଶିକ୍ଷିତ ବେକାରଙ୍କ ପାଇଁ ଲୋକ ଦେଖାଣିଆ ଭାବରେ ରାଜ୍ୟରେ ଥିବା ରାଷ୍ଟ୍ରାୟତ ଉଦ୍ୟୋଗ ସମ୍ମୁଖରେ ବିକ୍ଷୋଭ କରୁଥିବା ସ୍ଥଳେ ରାଜ୍ୟରେ ସରକାରୀ ଚାକିରୀର ପରୀକ୍ଷା ପରିଚାଳନା କରୁଥିବା ଓଡିଶା ଲୋକସେବା ଆୟୋଗ ଜାଣିଶୁଣି ଏହିଭଳି ଦିନ ଓ ତାରିଖ ଧାର୍ଯ୍ୟ କରିଛନ୍ତି ଯେଉଁଥିପାଇଁ ଅଗଣିତ ଶିକ୍ଷିତ ବେକାର ଓ ଚାକିରୀ ଆଶାୟୀମାନେ ପରୀକ୍ଷା ଦେବାରୁ  ବଂଚିତ ହେବେ । ଏଥିରୁ ସ୍ପଷ୍ଟ ଜଣାପଡୁଛି ଯେ ଓଡିଶା ସରକାର ଜାଣିଶୁଣି ଏଭଳି ଦିନ ଓ ତାରିଖ ଧାର୍ଯ୍ୟ କରୁଛନ୍ତି ଯେଉଁଦିନ ଚାକିରୀ ଆଶାୟୀ ଓଡିଶାର ମେଧାବୀ ଛାତ୍ରଛାତ୍ରୀମାନେ ପରୀକ୍ଷାରେ ବସିବାର ସୁଯୋଗ ପାଇବେ ନାହିଁ ଏବଂ ସରକାରୀ ଚାକିରୀକୁ ନିଜର ଦଳୀୟ କର୍ମୀଙ୍କୁ ବିକ୍ରୀ କରି ଦେବାକୁ ରାଜ୍ୟ ସରକାର ପର୍ଯ୍ୟାପ୍ତ ସୁଯୋଗ ପାଇବେ । ଚଳିତ ମାସ ଜାନୁଆରୀ ୨ ତାରିଖରେ ରାତିଅଧିଆ ଏଭଳି ନିଷ୍ପତି ନେଇ ପରୀକ୍ଷା ପାଇଁ ଯେଉଁ ତାରିଖ ଘୋଷଣା କଲେ ତାହା ସରକାରୀ ଚାକିରୀକୁ ଦଳୀୟ ପାଣ୍ଠି ପାଇଁ ବିକ୍ରୀ କରିଦେବା ପାଇଁ ହୋଇଥିବା ଏକ ଗଭୀର ଷଡଯନ୍ତ୍ରର ଅଂଶବିଶେଷ ବୋଲି ଅଭିଯୋଗ କରିଛି କଂଗ୍ରେସ ।

ଅନ୍ୟ ଏକ ଘଟଣାକ୍ରମରେ ରାଜ୍ୟ ସରକାର “କାଳିଆ” ଯୋଜନା ପାଇଁ ଛପା ହେବାକୁ ଥିବା ପୋଷ୍ଟର ଓ ବ୍ୟାନର ପ୍ରଭୃତି ପାଇଁ ଟେଣ୍ଡର ପ୍ରକ୍ରୀୟା ସରି ନଥିବା ବେଳେ ବର୍ତମାନ ଉକ୍ତ ଯୋଜନାର ପୋଷ୍ଟର ଏବଂ ବ୍ୟାନର ଏକ ନିର୍ଦ୍ଧିଷ୍ଟ ଛାପାଖାନାରେ ଛପା ଯାଉଥିବା ନେଇ ତଥ୍ୟ ରଖିଛି କଂଗ୍ରେସ । ଏଥିରୁ ଜଣାପଡୁଛି ରାଜ୍ୟରେ ଟେଣ୍ଡର ଫିକ୍ସିଂ ତା’ର ଚରମସୀମାରେ ପହଂଚିଛି ଏବଂ ବିନା ଟେଣ୍ଡରରେ “କାଳିଆ” ଯୋଜନା ପାଇଁ ପୋଷ୍ଟର ଓ ବ୍ୟାନର ପ୍ରଭୃତି ଛପା ଚାଲିଛି । ଏଥିରୁ ସ୍ପଷ୍ଟ ଅନୁମେୟ ଟେଣ୍ଡର କାହାକୁ ଦିଆଯିବା ସେକଥା ଆଗରୁ ସ୍ଥିର ହୋଇସାରିଛି ଏବଂ ଲୋକ ଦେଖାଣିଆ ଭାବରେ ଟେଣ୍ଡର ପ୍ରକ୍ରୀୟାକୁ ସଂପାଦନ କରାଯାଉଛି ।

ଏହି ସାମ୍ବାଦିକ ସମ୍ମିଳନୀରେ ମୁଖପାତ୍ର ପ୍ରଶାନ୍ତ ଶତପଥୀ, ସୁଦର୍ଶନ ଦାସ ଦୀପକ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।

0
0
0
s2sdefault