ହେଡଲାଇନସ୍:

ଆମେ ପ୍ରତିଶ୍ରୁତି ଦେଉ ଓ ଏହା ପୂରଣ କରୁ : ନବୀନ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଚାଷୀଙ୍କ ହକ ପାଇଁ ଦିଲ୍ଲୀରେ ଗରଜିଲେ  ନବୀନ 

ନୂଆଦିଲ୍ଲୀ: ଖାଦ୍ୟ ଶସ୍ୟର ସର୍ବନିମ୍ନ  ସହାୟକ ମୂଲ୍ୟ ସ୍ଥିର କରିବା କେନ୍ଦ୍ର ସରକାରଙ୍କ ଦାୟିତ୍ୱ । ସ୍ୱାମୀନାଥନ୍‍ କମିଟିର ରିପୋର୍ଟକୁ କାର୍ଯ୍ୟକାରୀ କରିବା କେନ୍ଦ୍ର ସରକାରଙ୍କ ଦାୟିତ୍ୱ । କେନ୍ଦ୍ର ତା’ର ଦାୟିତ୍ୱରୁ ଖସି ଯାଇପାରିବ ନାହିଁ ବୋଲି ମଙ୍ଗଳବାର ନୂଆଦିଲ୍ଲୀରେ ବିଜୁ କୃଷକ ଜନତା ଦଳ ପକ୍ଷରୁ ଅନୁଷ୍ଠିତ  କୃଷକ ଅଧିକାର ସମାବେଶରେ ମାନ୍ୟବର ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳ ସଭାପତି ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ କହିଛନ୍ତି । ସମାବେଶ ପରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ରାଷ୍ଟ୍ରପତି ଭବନ ଯାଇ ମହାମହିମ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଭେଟି ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି ।

ବିଜୁ କୃଷକ ଜନତା ଦଳ ସଭାପତି ସାଂସଦ ଶ୍ରୀ ପ୍ରସନ୍ନ ଆଚାର୍ଯ୍ୟଙ୍କ ସଭାପତିତ୍ୱ ଏବଂ ମହାସଚିବ ଶ୍ରୀ ପ୍ରତାପ ଜେନାଙ୍କ ପରିଚାଳନାରେ ଅନୁଷ୍ଠିତ  ଏହି ଧାରଣା ଓ ପ୍ରତିବାଦ ସଭା କାର୍ଯ୍ୟକ୍ରମରେ ସମସ୍ତ ଦଳୀୟ ସାଂସଦ, ବିଧାୟକ, ପୂର୍ବତନ ବିଧାୟକ, ପୂର୍ବତନ ସାଂସଦ, ବିଜେଡିର ସମସ୍ତ ଛାମୁଆ ସଂଗଠନର କାର୍ଯ୍ୟକର୍ତ୍ତା, ଜିଲ୍ଲା ସ୍ତରୀୟ ନିର୍ବାଚିତ ପ୍ରତିନିଧି ଓ କୃଷକ ନେତା ଯୋଗ ଦେଇଥିଲେ । ମାନ୍ୟବର ମୁଖ୍ୟମନ୍ତ୍ରୀ ସମାବେଶକୁ ସମ୍ବୋଧିତ କରି କହିଛନ୍ତି ଯେ ଚାଷୀ ଭାଇର ହକ୍‍ ପାଇଁ ଆମେ ସମସ୍ତେ ଏଠାରେ ଏକାଠି ହୋଇଛେ । ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ପାଇଁ ମୁଁ ବହୁବାର କେନ୍ଦ୍ରକୁ ଅନୁରୋଧ କରିଛି । ଓଡ଼ିଶା ବିଧାନସଭା ମଧ୍ୟ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ଦେଢ଼ ଗୁଣ ବୃଦ୍ଧି ପାଇଁ ସଂକଳ୍ପ ପାରିତ କରି କେନ୍ଦ୍ର ନିକଟକୁ ପଠାଇଛି । ଆମ ବିଧାନସଭା କମିଟି ମଧ୍ୟ କେନ୍ଦ୍ର ସରକାରଙ୍କୁ ଭେଟିବାକୁ ଚେଷ୍ଟା କରିଛି । କିନ୍ତୁ କିଛି ହେଲା ନାହିଁ । ଏ ଥଣ୍ଡାରେ ଆପଣମାନଙ୍କୁ ଦିଲ୍ଳୀ ଆସିବାକୁ ପଡିଲା ।

ନିର୍ବାଚନ ସମୟରେ ଇସ୍ତାହାରରେ ଦେଇଥିବା ପ୍ରତିଶ୍ରୁତି ଆମେ ଭୁଲିଯିବା ଉଚିତ୍‍ କି? କଦାପି ନୁହେଁ । ଭାରତୀୟ ଜନତା ପାର୍ଟି କ୍ଷମତାକୁ ଆସିବା ପରେ ଚାଷୀକୁ ଦେଇଥିବା ପ୍ରତିଶ୍ରୁତି ଭୁଲିଯାଇଛି । ଖାଦ୍ୟ ଶସ୍ୟର ସର୍ବନିମ୍ନ  ସହାୟକ ମୂଲ୍ୟ ସ୍ଥିର କରିବା କେନ୍ଦ୍ର ସରକାରଙ୍କ ଦାୟିତ୍ୱ । ସ୍ୱାମୀନାଥନ୍‍ କମିଟିର ରିପୋର୍ଟକୁ କାର୍ଯ୍ୟକାରୀ କରିବା କେନ୍ଦ୍ର ସରକାରଙ୍କ ଦାୟିତ୍ୱ । କେନ୍ଦ୍ର ତା’ର ଦାୟିତ୍ୱରୁ ଖସି ଯାଇପାରିବ ନାହିଁ ।

ଚାଷୀ ଭାରତ ଅର୍ଥନୀତିର ଆତ୍ମା । ଭାରତୀୟ ଅର୍ଥନୀତିର ହୃତ୍‍ପିଣ୍ଡ ହେଉଛି କୃଷକ । ଚାଷୀର ଉନ୍ନତି ବିନା ଦେଶର ଅର୍ଥନୀତି ମଜଭୁତ ହୋଇପାରିବ ନାହିଁ । ଚାଷୀଙ୍କ ପାଇଁ ଓଡ଼ିଶା ସରକାରଙ୍କ ‘କାଳିଆ ଯୋଜନା’ ସବୁଠାରୁ ଭଲ ଯୋଜନା । ନିକଟରେ ରାଜ୍ୟମାନଙ୍କୁ ଅର୍ଥନୈତିକ ସ୍ୱାୟତ୍ତତା ଦେବା ପାଇଁ ମୁଁ ଦାବି କରିଥିଲି । ଆମର ଅର୍ଥନୈତିକ ସ୍ୱାୟତ୍ତତା ଥିଲେ, ଆଜି ଆମର ଚାଷୀ ଭାଇଭଉଣୀମାନଙ୍କୁ ଦିଲ୍ଲୀ ଆସିବା ଦରକାର ହୋଇନଥାନ୍ତା । ଆମେ ଆମ ପାଣ୍ଠିରୁ ଚାଷୀକୁ ତା’ର ହକ୍‍ ଦେଇଥାନ୍ତୁ । ସର୍ବନିମ୍ନ ସହାୟକ ମୂଲ୍ୟ ଚାଷୀର ହକ୍‍ । ଏହା କାହାର ଦୟା ନୁହେଁ । ବିଜୁ ଜନତା ଦଳ ଚାଷୀଙ୍କ ହକ୍‍ ପାଇଁ କାମ କରି ଆସୁଛି ଏବଂ କରି ଚାଲିବ । ଚାଷୀର ହକ୍‍ ପାଇଁ ଆମର ଲଢେ଼ଇ ଜାରି ରହିବ ।

ନୂତନ ବର୍ଷର ଅଭିନନ୍ଦନ ଜଣାଇବା ସହ ‘ଜୟ ଜଗନ୍ନାଥ’ କହି ନିଜର ବକ୍ତବ୍ୟ ଆରମ୍ଭ କରିବା ସହ ଶ୍ରୀ ପଟ୍ଟନାୟକ କହିଛନ୍ତି, ରାଜ୍ୟର ଚାଷୀକୁଳ ପାଇଁ ଆମେ ‘କାଳିଆ’ ନାମକ ଏକ ପ୍ରଗତିଶୀଳ କାର୍ଯ୍ୟକ୍ରମ ଘୋଷଣା କରିଛୁ । ଏହାଦ୍ୱାରା ରାଜ୍ୟର ୯୨ ପ୍ରତିଶତ ଚାଷୀଙ୍କୁ ଆର୍ଥôକ ସହାୟତା ଯୋଗାଇ ଦିଆଯାଇପାରିବ । କେବଳ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ନୁହେଁ, ସେମାନଙ୍କ ସମେତ ଭାଗଚାଷୀ ଓ ଭୂମିହୀନ ଚାଷୀଙ୍କୁ ମଧ୍ୟ ଏହି ସହାୟତା ମିଳିପାରିବ । ଉକ୍ତ କାର୍ଯ୍ୟକ୍ରମରେ ୧୦ ହଜାର କୋଟିରୁ ଅଧିକ ଟଙ୍କାର ଅନୁମୋଦିତ ରାଶି ୩ବର୍ଷ ମଧ୍ୟରେ ଖର୍ଚ୍ଚ ହେବ । ଆମେ ମଧ୍ୟ ବିଗତ ୫ବର୍ଷ ମଧ୍ୟରେ ୧୦ଲକ୍ଷ ହେକ୍ଟର ଜମିକୁ ଜଳସେଚନ ପାଇଁ ଦେଇଥିବା ପ୍ରତିଶ୍ରୁତିକୁ ପୂରଣ କରିବା ସହିତି ବିଗତ ସାଢେ଼ ୪ବର୍ଷ ମଧ୍ୟରେ କୃଷି କ୍ଷେତ୍ରରେ ୩୦ ହଜାର କୋଟି ଟଙ୍କା ବ୍ୟୟ କରିଛୁ । ଆପଣମାନେ ଦେଖିପାରୁଥିବେ, ଆମେ ପ୍ରତିଶ୍ରୁତି ଦେଉ ଓ ଏହା ପୂରଣ କରୁ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି ।

ଏହି ସମାବେଶରେ ମୁଖ୍ୟମନ୍ତ୍ରୀ ଉଦ୍‍ବୋଧନ ଦେବା ପୂର୍ବରୁ ବିଜୁ କୃଷକ ଜନତା ଦଳ ସଭାପତି ସାଂସଦ ଶ୍ରୀ ପ୍ରସନ୍ନ ଆଚାର୍ଯ୍ୟ, ଡ. ପ୍ରସନ୍ନ ପାଟ୍ଟଶାଣୀ, ତଥାଗତ ସତପଥୀ, ଅନୁଭବ ମହାନ୍ତି, ବଳଭଦ୍ର ମାଝୀ, ରବୀନ୍ଦ୍ର ଜେନା, ସୌମ୍ୟରଞ୍ଜନ ପଟ୍ଟନାୟକ, ବିଧାୟକ ସଂଜୟ କୁମାର ଦାସବର୍ମା, ସୂର୍ଯ୍ୟ ନାରାୟଣ ପାତ୍ର, ଅତନୁ ସବ୍ୟସାଚୀ ନାୟକ, ପ୍ରଶାନ୍ତ ମୁଦୁଲି, ଅମର ଶତପଥୀ, ନିରଞ୍ଜନ ପୂଜାରୀ, ପିନାକୀ ମିଶ୍ର, ଦେବୀ ପ୍ରସାଦ ମିଶ୍ର, ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ପ୍ରମିଳା ମଲ୍ଲିକ, ଦଳର ଉପ-ସଭାପତି ଅନଙ୍ଗ ଉଦୟ ସିଂହଦେଓ, ବିଜୁ ମହିଳା ଜନତା ଦଳ ସଭାନେତ୍ରୀ ମୀନତି ବେହେରା, ବିଜୁ କୃଷକ ଜନତା ଦଳ ରାଜ୍ୟ କର୍ମକର୍ତ୍ତା, ଜିଲ୍ଲା ସଭାପତିଗଣ ଓ ଚାଷୀ ପ୍ରତିନିଧିମାନେ ନିଜ ନିଜର ଉଦ୍‍ବୋଧନ ରଖିଥିଲେ । ପରେ ସନ୍ଧ୍ୟା ୬ଟା ସମୟରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକଙ୍କ ନେତୃତ୍ୱରେ ବିଜୁ କୃଷକ ଜନତା ଦଳ ସଭାପତି ସାଂସଦ ଶ୍ରୀ ପ୍ରସନ୍ନ ଆଚାର୍ଯ୍ୟ, ମହାସଚିବ ଶ୍ରୀ ପ୍ରତାପ ଜେନା, ସାଂସଦ ଶ୍ରୀ ଭର୍ତ୍ତୃହରି ମହତାବ, ଶ୍ରୀ ତଥାଗତ ସତପଥୀ, ଶ୍ରୀ ରବୀନ୍ଦ୍ର ଜେନା, ଶ୍ରୀ ଏନ୍‍. ଭାସ୍କର ରାଓ, ବିଧାୟିକା ଶ୍ରୀମତୀ ପ୍ରମିଳା ମଲିକ, ବିଧାୟକ ଶ୍ରୀ ଦେବୀ ପ୍ରସାଦ ମିଶ୍ର, ସଂଜୟ କୁମାର ଦାସବର୍ମା, ଡ. ଅରୁଣ କୁମାର ସାହୁ, ପୁରସ୍କାରପ୍ରାପ୍ତ ଚାଷୀ ଶ୍ରୀମତୀ ସ୍ନିଗ୍ଧା ପଟେଲ, ଚାଷୀ ଶ୍ରୀ ରମଣୀରଞ୍ଜନ ପ୍ରଧାନଙ୍କୁ ନେଇ ଗଠିତ ପ୍ରତିନିଧି ଦଳ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ଦାବିରେ ରାଷ୍ଟ୍ରପତି ଭବନ ଯାଇ ସେଠାରେ ମହାମହିମ ରାଷ୍ଟ୍ରପତି ଶ୍ରୀଯୁକ୍ତ ରାମନାଥ କୋବିନ୍ଦଙ୍କୁ ଭେଟିବା ସହ ସ୍ମାରକପତ୍ର ପ୍ରଦାନ କରିଛନ୍ତି । ଆଜିର ଏହି କାର୍ଯ୍ୟକ୍ରମରେ ମଞ୍ଚ ପରିଚାଳନା କରିଥିଲେ ଡ. ଅରୁଣ କୁମାର ସାହୁ, ପ୍ରଣବ ପ୍ରକାଶ ଦାସ, ସଂପାଦକ ବିଜୟ ନାୟକ, ବିଜୁ କୃଷକ ଜନତା ଦଳ ସାଧାରଣ ସଂପାଦକ କିଶୋର ମେହେର । ମଞ୍ଚରେ ଉପ-ସଭାପତି ଏନ୍‍. ଭାସ୍କର ରାଓ, ହୃଷିକେଶ ନାଏକ, ଅମରେଶ ପତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ ।

ସୂଚନାଯୋଗ୍ୟ, ଧାନର ସର୍ବନିମ୍ନ ସହାୟକ ମୂଲ୍ୟ କ୍ୱିଣ୍ଟାଲ ପିଛା ୨୯୩୦ ଟଙ୍କା କରିବାକୁ ଓଡ଼ିଶା ବହୁଦିନରୁ ଦାବି କରିଆସୁଛି । କେନ୍ଦ୍ର ସରକାର ସର୍ବନିମ୍ନ ସହାୟକ ମୂଲ୍ୟ ମାତ୍ର ୨୦୦ ଟଙ୍କା ବୃଦ୍ଧି କରିଥିବାରୁ ବିଜୁ ଜନତା ଦଳ ମଧ୍ୟ ଆପତ୍ତି ଉଠାଇଛି । ଏପରିକି ଅତୀତରେ ରାଜ୍ୟ ବିଧାନସଭାରେ ସର୍ବନିମ୍ନ ସହାୟକ ମୂଲ୍ୟକୁ ନେଇ ସର୍ବସମ୍ମତିକ୍ରମେ ସଂକଳ୍ପ ଗୃହୀତ ହେବା ପରେ ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ଗଠିତ ଗୃହ କମିଟିକୁ ଭେଟିବାକୁ ପ୍ରଧାନମନ୍ତ୍ରୀ ୫ମିନିଟ୍‍ ସମୟ ଦେଇପାରି ନାହାନ୍ତି, ଯାହା ଅତ୍ୟନ୍ତ କ୍ଷୋଭଦାୟକ । ସେଥିଯୋଗୁ ଓଡ଼ିଶାର କୃଷକଙ୍କ ସମସ୍ୟା ଜଣାଇବା ଏବଂ ସ୍ୱାମୀନାଥନ କମିଟି ରିପୋର୍ଟ କାର୍ଯ୍ୟକାରୀ କରିବା ଦାବିରେ ବିଜୁ କୃଷକ ଜନତା ଦଳ ନେତୃତ୍ୱରେ ପ୍ରାୟ ୧୫୦୦ରୁ ଊଦ୍ଧ୍ୱର୍ ସାଂସଦ, ବିଧାୟକ, ଦଳୀୟ କର୍ମକର୍ତ୍ତା ଓ କୃଷକ ୫ ତାରିଖ ରାତିରେ ଏକ ସ୍ୱତନ୍ତ୍ର ଟ୍ରେନ୍‍ ଯୋଗେ ଭୁବନେଶ୍ୱରରୁ ଦିଲ୍ଲୀ ଯାଇ ସେଠାରେ ଆଜି ଅଭିମୁଖେ ‘କୃଷକ ଅଧିକାର ସମାବେଶ’ କରିବା ସହ ଧାରଣା ଓ ପ୍ରତିବାଦ ସଭା କରିଥିଲେ ।

0
0
0
s2sdefault