ହେଡଲାଇନସ୍:

ପାଲଟା ଜବାବ ଦେଲା ବିଜେଡି : ଗୋଦାରୀ ଲୋ ତୋଗୋଡ ତଳକୁ ଟିକେ ଅନା

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଭୁବନେଶ୍ୱର : ପିପିଲି ଘଟଣାର ସିବିଆଇ ତଦନ୍ତ ଦାବି କରିବା ପୂର୍ବରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିଜର ନୈତିକତାକୁ ଦେଖିବାର ଆବଶ୍ୟକତା ରହିଛି । ଅତୀତରେ ଅପରାଧୀମାନଙ୍କ ସହିତ ଶ୍ରୀ ପ୍ରଧାନଙ୍କ କୋଳାକୋଳିକୁ ସମଗ୍ର ରାଜ୍ୟ ଦେଖିଛି । ଗ୍ୟାଙ୍ଗଷ୍ଟର ଧଳସାମନ୍ତଙ୍କୁ ବାଇମୁଣ୍ଡି ଆଖ୍ୟାଦେଇ ଅପରାଧୀଙ୍କୁ ଧର୍ମେନ୍ଦ୍ର ପ୍ରଧାନ ମୁଣ୍ଡରେ ବସାନ୍ତି । ବିଜେପୁର ଉପ-ନିର୍ବାଚନ ସମୟରେ ଶ୍ରୀ ପ୍ରଧାନ ଭୟାବହ ପରିସ୍ଥିତି ହେବ ବୋଲି ଧମକ ଦେଲା ପରେ ମାନ୍ୟବର ମନ୍ତ୍ରୀ ସୁଶାନ୍ତ ସିଂହଙ୍କ ଭାଇ ଉପରେ ମରଣାନ୍ତକ ଆକ୍ରମଣ ହୋଇଥିଲା ଏବଂ ଏହି ଘଟଣାରେ ଜଣେ ବିଜେଡି କର୍ମୀଙ୍କୁ ବିଜେପି କର୍ମୀଙ୍କ ଦ୍ୱାରା ହତ୍ୟା କରାଯାଇଥିଲା । ଛତ୍ରପୁର ବିଜେଡି କାଉନ୍‍ସିଲର ଲକ୍ଷ୍ମୀଦତ୍ତ ପ୍ରଧାନଙ୍କ ହତ୍ୟାକାଣ୍ଡରେ ବିଜେପିର ନେତା ଓ କର୍ମୀମାନଙ୍କ ସଂପୃକ୍ତି ସମଗ୍ର ରାଜ୍ୟ ଜାଣିଛି । କୁଖ୍ୟାତ ଗ୍ୟାଙ୍ଗଷ୍ଟର ଟିଟୋକୁ ଆଇଓସିଏଲ୍‍ର ପେଟ୍ରୋଲ ପମ୍ପ ଦାନ କରିବା କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନଙ୍କ ଅପରାଧୀମାନଙ୍କ ପ୍ରତି ସମର୍ଥନ ଓ ଅପରାଧିକ କାର୍ଯ୍ୟକୁ ପ୍ରୋତ୍ସାହନ ବୋଲି ଜଣାପଡୁଛି । ଅନ୍ୟକୁ ଅଙ୍ଗୁଳି ନିଦେ୍ର୍ଧଶ କରିବା ପୂର୍ବରୁ ଯଦି ନିଜର ନୈତିକତା ଥାଏ, ତେବେ କେନ୍ଦ୍ରମନ୍ତ୍ରୀ ନିଜ ପଦରୁ ଇସ୍ତଫା ଦେବା ଦରକାର । ଅନ୍ୟମାନଙ୍କୁ ନୈତିକତାର ପାଠ ପଢ଼ାଇବା ଆଗରୁ ନିଜର ନୈତିକତାକୁ ଖୋଜିବା ଶ୍ରୀ ପ୍ରଧାନ ଆରମ୍ଭ କରନ୍ତୁ ।

ଆଜି ସିବିଆଇର ସ୍ଥିତି ରସାତଳକୁ ଗଲାଣି ଓ ଭାରତବର୍ଷରେ ସିବିଆଇକୁ ନେଇ ସମସ୍ତେ ଛି’ ଛି’ କରୁଛନ୍ତି । ତା’ର କୌଣସି ବିଶ୍ୱସନୀୟତା ଆଉ ନାହିଁ । ଟିକିରିର ଇତିଶ୍ରୀ ମାମଲାରେ ରାଜ୍ୟ ପୋଲିସ ଅଭିଯୁକ୍ତମାନଙ୍କୁ ଗିରଫ କରିଥିଲା ଏବଂ ପରବର୍ତ୍ତୀ ସମୟରେ ସେମାନେ ଦୋଷୀ ସାବ୍ୟସ୍ତ ହୋଇଥିଲେ । ସେହି ସମୟରେ ମଧ୍ୟ ବିରୋଧୀ ଦଳ ସିବିଆଇ ତଦନ୍ତ ପାଇଁ ଦାବି କରିଥିଲେ ଏବଂ ସିବିଆଇ ତଦନ୍ତ ମଧ୍ୟ ହେଲା । କିନ୍ତୁ ସେହି ତଦନ୍ତରେ କୌଣସି ନୂତନ ତଥ୍ୟ ପ୍ରମାଣ ସିବିଆଇ ପାଇପାରିଲା ନାହିଁ ଏବଂ ନିଜେ ଏକ କ୍ଲୋଜର ରିପୋର୍ଟ ଦାଖଲ କରି ଏହି ତଦନ୍ତକୁ ବନ୍ଦ କରିଦେଲା । ଏହାହିଁ ସୂଚାଉଛି, କେଉଁ ପ୍ରକାର ଭାବରେ ବିରୋଧୀ ଦଳମାନେ ସିବିଆଇ ତଦନ୍ତ ଦାବି କଲା ପରେ ମଧ୍ୟ କୌଣସି ସୁଫଳ ମିଳିନାହିଁ । ସିବିଆଇ ଯେତେବେଳେ ତା’ର ତଦନ୍ତ ବନ୍ଦ କରିଦେଲା, ସେତେବେଳେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କେଉଁଠି ଥିଲେ?

ରାଜ୍ୟ ସରକାରଙ୍କୁ ପ୍ରଶ୍ନ ଏବଂ ସମାଲୋଚନା କରିବା ଆଗରୁ ‘ଗୋଦରୀଲୋ ନିଜ ଗୋଡ଼କୁ ଅନା’ ନ୍ୟାୟରେ ଶ୍ରୀ ପ୍ରଧାନ ନିଜ ଦଳର ଚାଲିଚଳନ ଉପରେ ଦୃଷ୍ଟି ଦେବା ଦରକାର । ୨୦୧୪ରେ ଭାରତୀୟ ଜନତା ପାର୍ଟିର କେନ୍ଦ୍ରନେତା ଶ୍ରୀ ନିହାଲ ଚନ୍ଦ ମେଘୱାଲ୍‍ଙ୍କ ଉପରେ ଜଣେ ମହିଳାଙ୍କୁ ଦୁଷ୍କର୍ମ କରିବାର ଅଭିଯୋଗ ଆସିଥିଲା । ସେତେବେଳେ ନା ସେ ଇସ୍ତଫା ଦେଇଥିଲେ ନା ବିଜେପିର କେନ୍ଦ୍ର ସରକାର ଇସ୍ତଫା ଦାବି କରିଥିଲା । ଦୁର୍ଭାଗ୍ୟର କଥା ହେଉଛି, ବିଜେପି ଏ ପ୍ରକାରର ଅଭିଯୋଗ ଆସିବା ସତ୍ତେ୍ୱ ଏହି ବ୍ୟକ୍ତିଙ୍କୁ ଘଣ୍ଟ ଘୋଡ଼ାଇଥିଲା । ମହିଳାଙ୍କ ସୁରକ୍ଷାକୁ ନେଇ ଶ୍ରୀ ପ୍ରଧାନ ଓ ବିଜେପିର ଦୋମୁହାଁ ନୀତି ରହିଛି । ଅନେକ ବିଜେପିର ନେତା ଓ କର୍ମୀମାନେ ଭାରତବର୍ଷ ସାରା ମହିଳାଙ୍କ ପ୍ରତି ଦୁଷ୍କର୍ମ ଓ ବିଭିନ୍ନ ନିର୍ଯାତନା ଦେଇଥିବାର ଅଭିଯୋଗ ଆସିଛି ଏବଂ ତାଙ୍କ ମଧ୍ୟରୁ ଅନେକ ଜେଲ୍‍ ମଧ୍ୟ ଯାଇଛନ୍ତି । ତେଣୁ ଗୋଦାରୀ ଲୋ ତୋଗୋଡ ତଳକୁ ଟିକେ ଅନା ରୀତିରେ ଅନ୍ୟକୁ କହିବା ଆଗରୁ ନିଜ ଅଗଣାକୁ ଟିକେ ଝାଙ୍କି ଦେଖିବା ପାଇଁ କହିଛି ବିଜେଡି | କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଏହିସବୁ ପ୍ରସଂଗରୁ ମୁହଁ ଲୁଚାଇବାର ଚେଷ୍ଟା ନକରି ନିଜର ସ୍ପଷ୍ଟୀକରଣ ରଖିବା ଆବଶ୍ୟକ ବୋଲି ଦଳର ମୁଖପାତ୍ର ଡ. ସସ୍ମିତ ପାତ୍ର କହିଛନ୍ତି ।

 

0
0
0
s2sdefault