ହେଡଲାଇନସ୍:

ଛଉ ପଡିଆରୁ ବହିଲା ବାତ୍ୟା , ରାତିଏ ପରେ ଭୁବନେଶ୍ୱରରେ ଲ୍ୟାଣ୍ଡଫଲ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପିପିଲି ମାମଲାରେ ଇସ୍ତଫା ଦେଲେ ମହାର୍ଥୀ 

ଶଶୀ ବେହେରା ଓ ରମେଶ ମାଝୀଙ୍କୁ ଅତିରିକ୍ତ ଦାୟିତ୍ୱ

ଭୁବନେଶ୍ୱର(MANASI MISHRA) - ଛଉ ପଡିଆରୁ ବହିଲା ବାତ୍ୟା , ବେଗ ଯଦିଓ ସେତେ ଅଧିକ ନଥିଲା,  ରାତିଏ ପରେ ଭୁବନେଶ୍ୱରରେ ଲ୍ୟାଣ୍ଡଫଲ କରି ମହାରଥୀଙ୍କ ମୁହଁଟାଣ ଭାଙ୍ଗି ଦେଲା, ଉଜାଡି ଦେଲା ତାଙ୍କ ରାଜନୈତିକ ସ୍ଥିତି |   ଛଉ ପଡ଼ିଆଠାରେ ବିଜେପି ପକ୍ଷରୁ ଆୟୋଜିତ ସାଧାରଣ ସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାଷଣ ଦେଲା ବେଳେ ପୁରୀ ଜିଲ୍ଲା ପିପିଲିର ଅର୍ଜ୍ଜୁନଗୋଦାଠାରେ ଘଟିଥିବା ବେବିନା ଦୁଷ୍କର୍ମ ଏବଂ ହତ୍ୟାକାଣ୍ଡ ଘଟଣା ଉପରେ ଉଦବେଗ ପ୍ରକାଶ କରିଥିଲେ । ଏହାର ପୁନଃ ତଦନ୍ତ ଦାବି କରିବାର ଆବଶ୍ୟକତା ରହିଛି ବୋଲି ସେ କହିଥିଲେ । ପ୍ରଧାନମନ୍ତ୍ରୀ ଏହି ମନ୍ତବ୍ୟ ରଖିବା ଏବଂ ବିରୋଧି ଦଳର ଆନେ୍ଦାଳନ ପରେ କୃଷିମନ୍ତ୍ରୀ ଶ୍ରୀ ମହାରଥି ତାଙ୍କ ପଦବୀରୁ ଇସ୍ତଫା ଦେବାକୁ ବାଧ୍ୟ ହୋଇଛନ୍ତି ।  ତାଙ୍କର ଏହି ଇସ୍ତଫା ପତ୍ରକୁ ସ୍ୱୀକାର କରିବା ସହ ମୁଖ୍ୟମନ୍ତ୍ରୀ ଶ୍ରୀ ମହାରଥିଙ୍କ ଅଧିନରେ ଥିବା କୃଷି, ମତ୍ସ୍ୟ ଓ ପଶୁ ସମ୍ପଦ ବିଭାଗ ଦାୟିତ୍ୱ ରାଜ୍ୟ ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା ଏବଂ ଅନୁସୂଚିତ ଜାତି ଜନଜାତି ବିଭାଗର ମନ୍ତ୍ରୀ ରମେଶ ଚନ୍ଦ୍ର ମାଝୀଙ୍କୁ ପଂଚାୟତରାଜ ଓ ପାନୀୟ ଜଳ ବିଭାଗ ଅତିରିକ୍ତ ଦାୟିତ୍ୱ ନ୍ୟସ୍ତ କରାଯାଇଛି । ଏ ସମ୍ପର୍କରେ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ମଧ୍ୟ ବିଜ୍ଞପ୍ତି ପ୍ରକାଶ ପାଇଛି ।

ସୂଚନାଯୋଗ୍ୟ ଯେ, ମହାରଥି ତାଙ୍କ ମନ୍ତବ୍ୟରେ ସତ୍ୟର ଜୟ ହୋଇଛି ଓ ପୀଡ଼ିତାଙ୍କୁ ନ୍ୟାୟ ମିଳିଛି ବୋଲି କହିଥିଲେ । ଏହି ମନ୍ତବ୍ୟକୁ ନେଇ ବିଭିନ୍ନ ବିରୋଧି ଦଳର ମହିଳା ସଂଗଠନ ପକ୍ଷରୁ ବିରୋଧ କରାଯାଇଥିଲା । ତୁରନ୍ତ ମନ୍ତ୍ରୀମଣ୍ଡଳରୁ ଇସ୍ତଫା ଦେବାପାଇଁ ଦାବି କରିଥିଲେ । ଯଦି ଇସ୍ତଫା ଦେଇ ନାହାନ୍ତି ତାହେଲେ ମୁଖ୍ୟମନ୍ତ୍ରୀ ତାଙ୍କୁ ବରଖାସ୍ତ କରନ୍ତୁ ବୋଲି ଉଲ୍ଲେଖ କରିଥିଲେ । ଏପରିକି ଏହି ଦାବିକୁ ନେଇ ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ଉଭୟ କୃଷିମନ୍ତ୍ରୀଙ୍କ ବାସଗୃହ ଏବଂ ନବୀନ ନିବାସ ଘର ଆଗରେ ବିକ୍ଷୋଭ ପ୍ରଦର୍ଶନ କରି ଗିରଫ ହୋଇଥିଲା ବେଳେ ମହିଳା କଂଗ୍ରେସ ପକ୍ଷରୁ ଅନୁରୂପ ଭାବେ ନବୀନ ନିବାସକୁ ବିକ୍ଷୋଭ ଓ ଘେରାଉ କରି ଗିରଫ ହୋଇଥିଲେ । 

ମନ୍ତ୍ରୀ ଶ୍ରୀ ମହାରଥି ଇସ୍ତଫା ଦେବା ଉପରେ ସାମ୍ବାଦିକ ମାନଙ୍କୁ କହିଥିଲେ ଯେ, କାହାର ଚାପରେ ପଡ଼ି ମୁଁ ଇସ୍ତଫା ଦେଇନାହିଁ । ଦଳ ଏବଂ ଦଳୀୟ ସଭାପତିଙ୍କ ଉପରେ ଯେପରି ଚାପ ନ ପଡ଼ୁ ସେଥିପାଇଁ  ମୁଁ ଇସ୍ତଫା ଦେଇଛି । ମୁଁ ଜଣେ ବିଜେଡ଼ିର ସଚ୍ଚା କର୍ମୀ । ଏହା ଉପରେ ଆଉ ଅଧିକ କିଛି କହିବାକୁ ମୁଁ ଚାହେଁ ନାହିଁ । ଦଳ ଏବଂ ମୁଖ୍ୟମନ୍ତ୍ରୀଙ୍କ ପ୍ରତି ମୋର ସମ୍ମାନ ରହିଛି ବୋଲି ସେ କହିଥିଲେ । 

ଅନ୍ୟପକ୍ଷରେ ମହିଳା କଂଗ୍ରେସର ରାଜ୍ୟ ସଭାନେତ୍ରୀ ଶ୍ରୀମତୀ ସୁମିତ୍ରା ଜେନା କୃଷିମନ୍ତ୍ରୀଙ୍କ ଇସ୍ତଫା ଉପରେ ପ୍ରତିକ୍ରିୟା ପ୍ରକାଶ କରି କହିଛନ୍ତି ଯେ, ଇସ୍ତଫା ଦେଇଦେଲେ ଯେ, କାମ ସରିଗଲା ତାହା ନୁହେଁ ତାଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ  ଗ୍ରହଣ କରାଯିବା ଉଚିତ । ସିବିଆଇ ତଦନ୍ତ ନିଦେ୍ର୍ଧଶ ଦେବା ପର୍ଯ୍ୟନ୍ତ ଆମେ ଏହି ପ୍ରସଙ୍ଗକୁ ନେଇ ଆନେ୍ଦାଳନକୁ ଚାଲୁ ରଖିବୁ । 

ଅପରପକ୍ଷରେ ବିଜେପିର ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି ଯେ, ଏହି ଦୁଃଖଦ ଘଟଣା ଉପରେ ସିବିଆଇ ତଦନ୍ତ କରାଯାଉ ଏବଂ ବେବିନାର ପରିବାରକୁ ସୁରକ୍ଷା ଯୋଗାଇ ଦିଆଯାଉ ।

ପୀଡ଼ିତାର ବାପା ଓ ଭାଇ କହିଛନ୍ତି ଯେ, ଇସ୍ତଫା ଦେବାରେ କଣ ନ୍ୟାୟ ମିଳିଲା ? ମନ୍ତ୍ରୀ ମହାରଥିଙ୍କର ଯଦି ଝିଅ ହୋଇଥାନ୍ତା ସେ କଣ ଖୁସି ହୋଇଥାନ୍ତେ । କ୍ରାଇମ ବ୍ରାଂଚ ତଦନ୍ତ ଠିକ୍ ହୋଇନାହିଁ । ଆମର ଦାବି ସିବିଆଇ ତଦନ୍ତ ହେଉ ବୋଲି କହିଛନ୍ତି । ଅନ୍ୟ ପକ୍ଷରେ ଦୋଷୀକୁ ଫାଶୀ ଦିଆଗଲେ ମୋ ମନ ଶାନ୍ତି ହେବ ବୋଲି ପିଡ଼ୀତାର ମା କହିଛନ୍ତି ।

0
0
0
s2sdefault