ହେଡଲାଇନସ୍:

ସେବାୟତଙ୍କ ପାଖରେ ସରକାର ଆତ୍ମ ସମର୍ପଣ କରିଛନ୍ତି - କଂଗ୍ରେସ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର - ଗତ ଗୁରୁବାର ଶ୍ରୀମନ୍ଦିର ସେବାୟତ ଏବଂ ପୋଲିସ ବିବାଦକୁ ଆଧାର କରି ସେବାୟତମାନେ ଯେଭଳି ଭାବେ ଜଗନ୍ନାଥ ମହାପ୍ରଭୁଙ୍କ ନୀତିକାନ୍ତି ବନ୍ଦ କଲେ ଏହାକୁ ସମାଧାନ କରିବା ପାଇଁ ଶ୍ରୀମନ୍ଦିର ପ୍ରଶାସନକୁ ୧୨ ଘଂଟା ସମୟ ଲାଗିଲା । ଅର୍ଥାତ୍ ୧୨ ଘଂଟା କାଳ ଖାଡା ଓପାସ ରହିଲେ ପ୍ରଭୁ ଜଗନ୍ନାଥ । ଏହି ଘଟଣା ଉପରେ ପ୍ରତିକି୍ରୟା ପ୍ରକାଶ କରି ସେବାୟତମାନଙ୍କ ଏତାଦୃଶ୍ୟ କାର୍ଯ୍ୟକୁ କଂଗ୍ରେସ ନିନ୍ଦା କରିବା ସହିତ ଶ୍ରୀମନ୍ଦିର ପ୍ରଶାସନର ନିରବଦ୍ରଷ୍ଟାକୁ ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି କଂଗ୍ରେସ କହିଛି । ଗତ ଗୁରୁବାର ସନ୍ଧ୍ୟାରେ ଦୁଇଜଣ ଯାତ୍ରୀଙ୍କୁ ସାଥିରେ ନେଇ ଜଣେ ସେବାୟତ ଶ୍ରୀମନ୍ଦିର ଭିତରକୁ ଯିବା ବେଳେ ପୋଲିସ କର୍ମଚାରୀ ପରିଚୟ ପତ୍ର ମାଗିବାକୁ ନେଇ ବିବାଦ ସୂତ୍ରପାତ ହୋଇଥିଲା ଏବଂ ଏହି ପୋଲିସ କର୍ମଚାରୀଙ୍କ ଗିରଫ ଓ ବହିଷ୍କାର ଦାବି କରି କେତେକ ସେବାୟତ ଠାକୁରଙ୍କ ସେବାପୂଜା ଅଚଳ କରି ଦେଇଥିଲେ । ଏହି କାରଣରୁ ଦେଶବିଦେଶରୁ ଆସିଥିବା ଲକ୍ଷ ଲକ୍ଷ ଜଗନ୍ନାଥପ୍ରେମୀ ଶ୍ରୀଜିଉଙ୍କ ଦର୍ଶନରୁ ବଂଚିତ ହେବା ସହିତ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହୋଇଥିଲେ । ସେବାୟତମାନଙ୍କ ବିରୁଦ୍ଧରେ ଆମର କହିବାର ଉଦେ୍ଧଶ୍ୟ ନାହିଁ । କିନ୍ତୁ କୋଟି କୋଟି ଜଗନ୍ନାଥପ୍ରେମୀଙ୍କ ଭାବାବେଗ ସହିତ ଖେଳିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଓ ନିନ୍ଦନୀୟ ଏବଂ ଶ୍ରୀମନ୍ଦିର ପ୍ରଶାସନର ସମୟୋପଯୋଗୀ ପଦକ୍ଷେପର ଅଭାବ ଯୋଗୁଁ ଇତିହାସରେ ଯାହା ହୋଇନଥିଲା ତାହା ଗତକାଲି ଘଟିଲା ବୋଲି କଂଗ୍ରେସ ମୁଖପାତ୍ର ନିଶିକାନ୍ତ ମିଶ୍ର ଏକ ପ୍ରେସ୍ ବିଜ୍ଞପ୍ତିରେ ପ୍ରକାଶ କରିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ସରକାର ନିଜର ସଫଳତା ପାଇଁ ବାହାବା ନେଉଥିବା ବେଳେ ତ୍ରୁଟି ପରିଚାଳନା ପାଇଁ ଉତରଦାୟିତ୍ୱ ବହନ କରୁନାହାନ୍ତି କାହିଁକି? ଏପରିକି ଶ୍ରୀମନ୍ଦିରର ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଜଗତଗୁରୁ  ଶଙ୍କରାଚାର୍ଯ୍ୟ ଏବଂ ଗଜପତି ମହାରାଜାଙ୍କ ଠାରୁ ଉପଦେଶ ନେବାର ମଧ୍ୟ ସରକାର କୁଣ୍ଠାବୋଧ କରୁଛନ୍ତି ବୋଲି ପ୍ରକାଶ କରିବା ସହିତ ମାନ୍ୟବର ସୁପ୍ରିମକୋର୍ଟ ଦେଇଥିବା ସୁପାରିଶକୁ କାର୍ଯ୍ୟକାରୀ କରିବାରେ ସରକାର କ’ଣ ପାଇଁ ଟାଳଟୂଳ ନୀତି ଅବଲମ୍ବନ କରୁଛନ୍ତି । ଏଥିରୁ ସ୍ପଷ୍ଟ ପ୍ରତ୍ୟୟ ହେଉଛି ବିଗତ ଦିନରେ ଦାରୁ ଚୟନ ଠାରୁ ଆରମ୍ଭ କରି ବ୍ରହ୍ମ ବିଭ୍ରାଟ ପର୍ଯ୍ୟନ୍ତ ସମସ୍ତ ଘଟଣାରେ ରାଜ୍ୟ ସରକାରଙ୍କ ସଂପୃକ୍ତି ରହିଛି । ମହାପ୍ରଭୁଙ୍କୁ ନେଇ ସରକାର ମଧ୍ୟ ବେପାର କରିବାରେ ପଛରେ ନାହାନ୍ତି । ଏପରିକି ସେବାୟତମାନଙ୍କ ଆଗରେ ସରକାର ଏକ ପ୍ରକାରର ଆତ୍ମ ସମର୍ପଣ କରି ଦେଇଛନ୍ତି । ଆଗାମୀ ଦିନରେ ଏହି ଘଟଣାର ଯେପରି ପୁନରାବୃତି ନ ହେବା ପାଇଁ କଂଗ୍ରେସ ଚେତାବନୀ ଦେଉଛି ବୋଲି ଶ୍ରୀ ମିଶ୍ର ତାଙ୍କ ପ୍ରେସ୍ ବିଜ୍ଞପ୍ତିରେ ପ୍ରକାଶ କରିଛନ୍ତି ।

 

0
0
0
s2sdefault